ପାଦ ଦୁଇ କାଢ଼ି ଚାଲିଲି ମୁଁ ଏକା
ଛାଡ଼ି ଘର ଦ୍ଵାରମୋହ
ଆଖି ଅଶ୍ରୁ ଧାର ପୋଛି ନିଜ ହାତେ
ଲୁଚାଇ ଛାତିର କୋହ,,,
ସାହି ପଡିଶାଙ୍କ ଥଟ୍ଟା ପରିହାସ
ଶୁଣିଥିଲି କେତେକାନେ
ଝିଅଟେ ହୋଇବି କେମିତି ଯାଉଛି
ନାହିଁ କିଛି ଭୟ ମନେ,,,
ବାପା ଭାଇ କଣ ଅକ୍ଷମ ହୋଇଲେ
ସେଥିପାଇଁ ଝିଅ ଗଲା
ବାହାରକୁ ଯାଇ ନାମ ପକାଇବ
ସେଠି ସେ କରିବ ପାଲା
ସବୁ ଶୁଣି ଛାତି ପଥର ମୁଁ କଲି
ଆସିଲି ପର ଦେଶକୁ
ଝିଅ ଜନ୍ମ ଖାଲି ହାଣ୍ଡି ଶାଳେ ନୁହଁ
ବୁଝାଇ ଦେବି ସଭିଙ୍କୁ,,,
ଆସିଲି ଯେବେ ମୁଁ ଅଜଣା ରାଇଜେ
ନଥିଲେ କେହି ମୋ ସାହା
କେତେ ବୁଲି ବୁଲି ପାଇଲି ଶେଷରେ
ରହିବାର ଏଠି ରାହା,,,
ଚାଲିଯାଏ ଯେବେ ଏକା ମୁଁ ରାସ୍ତାରେ
ପୁଅ ଚାହିଁ ଥାନ୍ତି ମୋତେ
ଲୋଲୁପ ଦୃଷ୍ଟିରେ ପକାନ୍ତି ନଜର
ମାରନ୍ତି କମେଣ୍ଟ କେତେ,,,
ଶୁଣିବାକୁ ଏଠି କେହି ଜଣେ ନାହିଁ
ଯଦି କିଛି ମୋତେ ହୁଏ
ସାହସରେ ସିନା ପାଦକୁ ବଢାଏ
ତଥାପି ମୋ ଭୟ ଥାଏ,,,
ବାପା ଥିଲେ ମୋର ସାହସର ବାଡି
ଭାଇ ମୋ ରକ୍ଷା କବଚ
ସାଥେ ଚାଲେ ଯେବେ ବାପା ଭାଇ ପଛେ
ନଡରେ ଭୂତ ପିଶାଚ,,,
ଏଠି ନର ରୁପି ପିଶାଚ ଯେ କେତେ
ବୁଲୁଛନ୍ତି ମାଳ ମାଳ
ଦେଖି ଏମାନଙ୍କୁ ଛାତି ମୋ ଥରୁଛି
ମୁଣ୍ଡରୁ ବହୁଛି ଝାଳ,,,
ମନେ ପଡେ ସେହି ନିର୍ଭୟା ଘଟଣା
ଦିଲ୍ଲୀର ଗଣ ଦୁଷ୍କର୍ମ
ନିରୀହ ଝିଅକୁ ଜଣ ଜଣ କରି
ଖାଇଥିଲେ ତାର ଚର୍ମ,,,
କେତେ ଝିଅ ବୋହୂ ସର୍ବସ୍ବ ହରାନ୍ତି
ପଡି ଏମାନଙ୍କ ଜାଲେ
କୁହ କେଉଁ ଝିଅ ସୁରକ୍ଷିତ ହେବ
ଏଭଳି ରାକ୍ଷସ ଥିଲେ,,,
ଏଭଳି ରାକ୍ଷସ ଥିଲେ,,,
ନରେନ୍ଦ୍ର କୁମାର ସ୍ବାଇଁ (ଲେଖକ)
If the contents are helpful to share them with your friends, Thanking You.
Facebook Comments