Tag Archives: ଗଳ୍ପ ସମାହାର

ଯମ ଦୂତ

ଯମ ଦୂତ, ଯମ ରାଜ, death, dream
ଯମ ଦୂତ
ଗତ ରାତିରେ ଶୋଇଲା ବେଳକୁ ରାତି ୧୨ଟା ବାଜିଲାଣି । ମଶାରୀ ଟାଙ୍ଗୀ ଶୋଇବାକୁ ପ୍ରସ୍ତୁତ ହେଲି। ସକାଳେ ଶୀଘ୍ର ଉଠିବାର ପ୍ରଶ୍ନ ହିଁ ନାହିଁ କାରଣ ଆଜି ରବିବାର । ମୋବାଇଲ କୁ ୨ ଫୁଟ ଦୂର ଟେବୁଲ୍ ଉପରେ ରଖି ଶୋଇ ପଡ଼ିଲି।  
ପ୍ରାୟ ୧ ଘଣ୍ଟା ପରେ ହଠାତ୍ ମୋର କାନ ପାଖରେ ଗୋଟିଏ ଝିଣ୍ଟିକା ଆସି ବସିଲା ଏବଂ ମୋର ନିଦ ଭାଙ୍ଗିଗଲା । ମୁଁ ଝିଣ୍ଟିକା କୁ ଧରି ବାହାର କରିବାକୁ ଚେଷ୍ଟା କରିଲି କିନ୍ତୁ ସେ ମୋ ଚର୍ମ କୁ ଏତେ ଯୋର୍ ରେ ଜାବୁଡି ଧରିଛି ଯେ ମୋତେ ସେ ଛାଡ଼ିବାକୁ ଚାହୁଁ ନ ଥାଏ । ମୋତେ ଅନୁଭବ ହେଲା ଯେ, ଯଦି ଅଧିକା ଟାଣିବି ତେବେ ମୋର ଚର୍ମ ସେ ଝିଣ୍ଟିକା ସହିତ ଉପୁଡ଼ି ଯିବ । ମୁଁ ହାର ମାନିଗଲି କିନ୍ତୁ ମନରେ ଡର ଥିଲା କାଳେ ସେ ଝିଣ୍ଟିକା କାମୁଡି ଦେବ ଯାହା ଫଳରେ ମୋତେ କିଛି ସଂକ୍ରମଣ ଜନିତ ରୋଗ ହୋଇପାରେ । ମୁଁ ପୁଣି ଚେଷ୍ଟା କରିଲି କିନ୍ତୁ ବିଫଳ ହେଲି । ଏବେ ଭାବିଲି ଯାହା ହେଉ ପଛେ ଆଉ ପାରିବି ନାହିଁ । 
ଉଠି ବସିଲି।  ହଠାତ୍ ମୋତେ କେହି କିଛି କହିବାର ଶବ୍ଦ ଶୁଣିବାକୁ ମିଳିଲା
 ” କଣ ହାରିଗଲୁ?? ଚେଷ୍ଟା ରେ ବିଫଳ ହେଲୁ?? ” 
 ମୁଁ ଭୟରେ ବେଡ୍ ଚାରି ପାଖ କୁ ଦେଖିଲି, କେହି ନାହାନ୍ତି । ମୋର ଅନ୍ୟ ସାଙ୍ଗ ମାନେ ଘୁଙ୍ଗୁଡ଼ି ମାରି ଶୋଇ ଛନ୍ତି । ମନରେ ଭୟ ଜାତ ହେଲା।  ସେ ପୁଣି ପ୍ରଶ୍ନ କରିଲା ” ମୋତେ ଖୋଜି ପାଇଲୁ ନାହିଁ କି?” 
ମୁଁ ପଚାରିଲି କିଏ ତୁମେ, ସେ ଧିର ସ୍ଵରରେ କହିଲା ” ମୁଁ ପରା ତୋ କାନ ପାଖରେ ବସିଛି ?” 
ସତ କହେ ମୁଁ ଏତେ ଡରି ଗଲି ଯେ ମୋ ଦେହରୁ ଝାଳ ବୋହିବାରେ ଲାଗିଲା, ଡରରେ ଥରିବାକୁ ଲାଗିଲି । 
ପାଟି ମୋର ଥରିବାକୁ ଲାଗିଲା, ଅଧା ଖଣ୍ଡିଆ ସ୍ଵରରେ ପୁଣି ପଚାରିଲି ” କିଏ ତୁମେ, ଯାଅ ଏଠୁ??” 
ଏତିକି ପ୍ରଶ୍ନରେ ସେ କହିଲା ” କିଏ ମୁଁ ଜାଣିବାକୁ ଚାହୁଁଛୁ ଏବଂ କଣ ପାଇଁ ଆସିଛି ତାହା ମଧ୍ୟ କହିବି, ଯିବି ତ ନିଶ୍ଚୟ କିନ୍ତୁ କିଛି ସାଙ୍ଗରେ ନେଇକରି ଯିବି?? କିନ୍ତୁ ମୁଁ ଯାହା ଯାହା କହିବି ତୋତେ ମାନିବାକୁ ପଡ଼ିବ??” 
ମୁଁ କହିଲି ନା!!!  ମୁଁ କିଛି ମାନିବି ନାହିଁ?
ସେ ଝିଣ୍ଟିକା କହିଲା, ତୋତେ ମାନିବାକୁ ବାଧ୍ୟ ।
ମୁଁ ପଚାରିଲି କାହିଁକି ?
ସେ ଝିଣ୍ଟିକା କହିଲା, ସେ ପ୍ରଶ୍ନ ର ଉତ୍ତର ତୋତେ ସମୟ କହିବ, ମୁଁ କେବଳ ସେ ସମୟ ର ଜଣେ ଦୂତ।  
ମୁଁ ଡରରେ ପୁଣି ପ୍ରଶ୍ନ କରିଲି !
” କଣ ଚାହୁଁଛ ମୋ ଠାରୁ ” । 
ଡରରେ ମୁଁ ସେ ଝିଣ୍ଟିକା କୁ ଛୁଇଁବାକୁ ସାହାସ କରି ପାରୁ ନଥିଲି।  
ସେ ଝିଣ୍ଟିକା କହିଲା, ମୁଁ କଣ ଚାହେଁ , କଣ କରିବାକୁ ଚାହେଁ, ତାହା ମୁଁ ତୋତେ କହିବି ଏବଂ ତାହା ତୋତେ କରିବାକୁ ପଡ଼ିବ । ନହେଲେ ଏହି କ୍ଷଣେ ତୋର ଜୀବନ ଚାଲିଯିବ।  
ଜୀବନ କୁ ଅବା କାହାର ଲୋଭ ନାହିଁ ।
ମୁଁ ପଚାରିଲି 
“ଯଦି ତୁମ କଥାରେ ମୁଁ ମାନି ଯିବି, ତେବେ ତୁମେ କଣ ମୋ ଜୀବନକୁ ଫେରେଇ ଦେବ?”
ସେ ଝିଣ୍ଟିକା କହିଲା, ମୁଁ ତୋତେ ପ୍ରଥମରୁ କହିଛି ନା? ମୁଁ ଜଣେ ଦୂତ!!
ମୋର କାର୍ଯ୍ୟ କେବଳ ତୋତେ ସମୟ ପାଖରେ ପହଞ୍ଚାଇବା । 
ତା ଠାରୁ ଅଧିକ ପ୍ରଶ୍ନ ର ଉତ୍ତର ମୁଁ ଦେବାକୁ ବାଧ୍ୟ ନୁହଁ”
 
ସେ ଝିଣ୍ଟିକା କହିଲା, ” ବର୍ତ୍ତମାନ ତୁ ମୋତେ ଅନୁସରଣ କରିବୁ, ଯଦି ପଛକୁ ପାଦ ଫେରାଇବୁ ତେବେ, ସେହି କ୍ଷଣ ତୋର ମୃତ୍ୟୁ ସୁନିଶ୍ଚିତ ।
ମୁଁ ସେ ଝିଣ୍ଟିକା ରୂପକ ଦୁତ କଥାରେ ମାନିବାକୁ ବାଧ୍ୟ ହେଲି। 
ମୋତେ ମଶାରୀ ଭିତରୁ ବାହାରକୁ ଆସି ବାରଣ୍ଡା ରେ ପହଞ୍ଚିବାକୁ କହିଲା।  
ଏତିକି କହି ସେ ଝିଣ୍ଟିକା ମୋ କାନ ପାଖରୁ ଅନ୍ତର୍ଦ୍ଧାନ ହୋଇଗଲା । 
ମୁଁ ଡରରେ ଥରୁଥିଲି ଏବଂ ସେ ଅନ୍ତର୍ଦ୍ଧାନ ହେବା ଦେଖି ମୁଁ ଅଳ୍ପ ନିଃଶ୍ୱାସ ନେଲି, ମନେ ମନେ ଭାବିଲି, ଯାହା ହେଉ ବଂଚିଗଲି ।
କିନ୍ତୁ ମୋତେ ସେ ଝିଣ୍ଟିକା ର ଶବ୍ଦ ପୁଣି ଥରେ ଶୁଣିବାକୁ ମିଳିଲା ।
“ବିଳମ୍ବ ହେଉଛି ମୋର ପରମ ଶତ୍ରୁ, ଯଥା ଶୀଘ୍ର ବାରଣ୍ଡା ରେ ଆସି ଉପସ୍ଥିତ ହୁଅ “
ଏବେ ମୁଁ ନିରୁପାୟ ଅବସ୍ଥାରେ ମଶାରୀ ଭିତରୁ ଉଠି ଆସିଲି । ଜୋର୍ ରେ ଚିତ୍କାର କରି ସାଙ୍ଗ ମାନଙ୍କୁ ଉଠେଇବା ପାଇଁ ଚେଷ୍ଟା କରିଲି କିନ୍ତୁ କେହି ମୋ ଶବ୍ଦ ଶୁଣିପାରିଲେ ନାହିଁ। 
ସେ ଝିଣ୍ଟିକା ଦୂତ କହିଲା “ତୋର ଶବ୍ଦ ଏବେ କେହି ଶୁଣି ପାରିବେ ନାହିଁ ଏବଂ ତୁ ଶତ ଚେଷ୍ଟା କରିବୁ ତୋର କଥା କିମ୍ବା ଗୁହାରି କେହି ଶୁଣିବେ ନାହିଁ “
ମୁଁ ପାଦ ଆଗକୁ ବଢେଇ ଚାଲିଲି । 
ମୁଁ ଜାଣିବାକୁ ଚାହୁଁଥିଲି ଯେ ପଛକୁ ପୁଣି ଫେରି ଯିବି କିନ୍ତୁ ଯେଉଁଠି ମୋର ପାଦ ପଡେ ସେଠୀ ଭୂମି ମୋ ପାଦକୁ ଜାବୁଡି ଧରି ନିଏ ଏବଂ ଆଗକୁ ବଢ଼ିବାକୁ ବାଧ୍ୟ କରୁଥାଏ । 
ମୁଁ ନିରୁପାୟ ଅବସ୍ଥାରେ ବାରଣ୍ଡାରେ ପହଞ୍ଚିଲି।  
ବାରଣ୍ଡାରେ ଦେଖିଲି ସେ ଝିଣ୍ଟିକା ଟି ବଡ ହୋଇଯାଇଛି । ଗୋଟିଏ ମଣିଷ ରୁପି ଝିଣ୍ଟିକା ରେ ପରିଣତ ହୋଇ ଯାଇଛି।  ଝିଣ୍ଟିକା ଟି ଦୁଇ ଗୋଡ଼ରେ ଠିଆ ହୋଇ ବାକି ଗୋଡ଼ରେ ସେ ମୋତେ ଡାକିବାକୁ ଚେଷ୍ଟା କରୁଥିଲା ।  ଦେହରେ ଲାଲ ରଙ୍ଗ ର କପଡା ଫର୍ ଫର୍ ହୋଇ ଉଡୁଥାଏ। ହାତରେ ୫ଫୁଟ ର ଗୋଟିଏ ଖଣ୍ଡା ହାତରେ ଧରି ଠିଆ ହୋଇଥାଏ । 
ସେ ଥିଲା ଗୋଟିଏ ଯମ ଦୂତ ଏବଂ ସମୟ ହେଉଛନ୍ତି ଯମ ରାଜ। 
ମୁଁ ଧିରେ ଧୀରେ ଆଗକୁ ବଢ଼ିବାକୁ ଲାଗିଲି । ମୁଁ ପଛକୁ ଫେରି ପାରୁନଥିଲି । ଏମିତିକି ପଛକୁ ବୁଲିବା ପାଇଁ ମୋ ମୁଣ୍ଡ ଘୁରୁ ନଥାଏ।  
ପୁଣି ନିରୁପାୟ ଅବସ୍ଥାରେ ସେ ଦୂତ ପଛେ ପଛେ ଅନୁସରଣ କରିଲି। ପ୍ରାୟ ୧୦ ପାଦ ଗଲା ପରେ । ମୋତେ କିଛି ଦେଖା ଗଲା ନାହିଁ ମୁଁ ଯେମିତି ଅନ୍ଧତ୍ବ ଅନୁଭବ କରୁଥିଲି କିନ୍ତୁ ମୋର ପାଦ ଆଗକୁ ବଢ଼ି ଚାଲିଥାଏ । 
ମୋତେ ଅନୁଭବ ହେଉଥାଏ ଯେ ମୁଁ ପ୍ରାୟ ୫୦୦ ମିଟର ଚାଲି ଚାଲି ଆସିଲି।  ହଠାତ୍ ସେ ଦୂତ ମୋତେ କହିଲା । 
ହେ ମନୁଷ୍ୟ ସେଠୀ ରୁହ । ମୁଁ ଠିଆ ହୋଇ ରହିଲି।  ହଠାତ୍ ମୋ ଦୃଷ୍ଟି ରେ ଆଲୋକ ଆସିଲା।  ମୋ ଆଖି ଆଗରେ ଗୋଟିଏ ଆଲୋକ ପ୍ରଜ୍ବଳିତ ହେଉଥାଏ । 
 ଚାରି ଆଡକୁ ବୁଲି ଦେଖିଲି । ସେ ଦୂତ ସେଠୀ ଉପସ୍ଥିତ ନଥିଲା । ଚାରି ଆଡେ଼ ଅନ୍ଧାର ମୟ ଥିଲା । କେବଳ ସାମ୍ନାରେ ଉଜ୍ଜଳ ମୟ ଗୋଟିଏ ଆଲୋକ ଚମକୁ ଥିଲା । 
ସେ ଉଜ୍ଜଳମୟ ଆଲୋକ ପାଖରୁ ଗୋଟିଏ ଶବ୍ଦ ଆସିଲା ଯେ 
” ହେ ମଣିଷ, ତୁମର ଅନ୍ତିମ ସମୟ ପାଖେଇ ଆସିଛି ” । ବର୍ତ୍ତମାନ ତୁମେ ପୃଥିବୀ ଠାରୁ ବହୁ ଦୂରରେ । ଯଦି ତୁମର ଶେଷ ଇଚ୍ଛା ଅଛି ତେବେ ମୁଁ ତୁମର ଇଛା ପୂରଣ କରିବାକୁ ବାଧ୍ୟ । କୁହ କଣ ଇଚ୍ଛା ଅଛି ତୁମର ?
.
.
.
ଠିକ୍ ଏତିକିବେଳେ ଗୋଟିଏ ଘୁଂ ଘୁଂ ଶବ୍ଦ ବାରମ୍ଵାର ମୋତେ ଶୁଣା ଗଲା । 
.
.
.
.
ହଠାତ୍ ମୋ ନିଦ ଭାଙ୍ଗିଗଲା। ମୁଁ ଭାବିଲି, ଆରେ ଏତେ ଭୟଙ୍କର ସ୍ଵପ୍ନ ଟିଏ ଦେଖୁଥିଲି ଏବଂ ମୁଁ ସ୍ଵପ୍ନ ରାଇଜ ରୁ ଫେରି ଆସି ଯାଇଥିଲି କିନ୍ତୁ ସେତେବେଳେ ମୋ ଫୋନ୍  ଭାଇବ୍ରେଶନ ହେଉଥାଏ।  ଯେତେବେଳେ ଉଠେଇବାକୁ ଚେଷ୍ଟା କରିଲି ସେତେବେଳେ ସେ କଟି ଯାଇଥିଲା । ଫୋନ୍ କଲ୍ ଟି ଥିଲା ମୋ ସାଙ୍ଗ ତୁଷାର ର।  
ଫୋନ୍ ଟିକୁ ପାଖରେ ରଖି । ମଶାରୀ ଭିତରୁ ବାହାରକୁ ଆସିଲି । ମଶାରୀ କୁ ଭାଙ୍ଗ କରି ଟେବୁଲ୍ ପାଖ ରେ ରଖିଲି।  ବେଡ ର ବେଡସିଟ କୁ ଠିକ୍ କରି ପୁଣି ବେଡ୍ ଉପରେ ବସିଲି । 
ଭାବିଲି, କଣ ଥିଲା ଏ ବିସ୍ମୟ ଜନକ ସ୍ଵପ୍ନ। ଦୁଇ ହାତକୁ ମନ୍ଥି ହାତ ପାପୁଲି ରେ ମୁହଁ କୁ ଘଷି ଘଷି ବାରଣ୍ଡା ରେ ପହଞ୍ଚିଲି । ମନେ ପଡ଼ି ଗଲା ଯେ, ସ୍ଵପ୍ନ ରେ ସେ ଦୂତ ମୋତେ ବାରଣ୍ଡା କୁ ଡାକି ଥିଲା।  ଯେଉଁ ଆଡ଼କୁ ନେବା ପାଇଁ କହିଥିଲା ମୁଁ ସେ ରାସ୍ତା କୁ ଅନୁସରଣ କରି ଆଗକୁ ବଢି ଚାଲିଲି । 
ସେଠୀ ପହଞ୍ଚିଲା ପରେ ଜାଣିଲି ଆଗକୁ ଆଉ ରାସ୍ତା ନାହିଁ କାରଣ ଆଗକୁ କେବଳ ଘଞ୍ଚ ଜଙ୍ଗଲ ଥିଲା । 
ସେଠୀ ମନରେ ପୁଣି ଭାବିଲି। ତାହା ଥିଲା ଗୋଟିଏ ସ୍ଵପ୍ନ,  ଫେରିବାକୁ ଚାହିଁଲି । 
ଏତିକି ଭାବି ଫେରିବାକୁ ପଛକୁ ବୁଲିଲି। ହଠାତ୍ ମୋ ନଜର ଯାଇ ପଡ଼ିଲା ଗୋଟିଏ ଝିଣ୍ଟିକା ଉପରେ।  
.
.
.
.
ମନରେ ପୁଣି ଭୟ ସୃଷ୍ଟି ହେଲା । ଦେହରେ ଶିହରଣ ଖେଳିଗଲା।  ସେ ଝିଣ୍ଟିକା ପାଖକୁ ଯାଇ ଦେଖିଲି ସେ ମୃତ ଅବସ୍ଥାରେ ପଡ଼ିଥାଏ।  ସେ ଝିଣ୍ଟିକା ଟି ଥିଲା ଗୋଟିଏ ବଣୁଆ ଝିଣ୍ଟିକା।  ପ୍ରାୟ ୭ ଇଞ୍ଚ ପାଖାପାଖି।  
ସାଧାରଣ ଝିଣ୍ଟିକା ୫ସେମି ରୁ ୭ସେମି ପର୍ଯ୍ୟନ୍ତ ହୋଇଥାନ୍ତି । ମୁଁ କେବଳ ୭ ସେମି ପର୍ଯ୍ୟନ୍ତ ଦେଖିଛି  କିନ୍ତୁ ଏହିପରି ବିଚିତ୍ର ଝିଣ୍ଟିକା ଯାହାର ଲମ୍ବ ପ୍ରାୟ ୭ ଇଞ୍ଚ।   ସତରେ ଅଜବ ପରିସ୍ଥିତି ସୃଷ୍ଟି ହୋଇଥିଲା।  
ମନରେ ଭୟ ରଖି ଫେରି ଆସିଲି । ବାଥରୁମ୍ କୁ ଯାଇ ମୁହଁ ଧୋଇଲି । ଆସି ପୁଣି ବେଡ ରେ ବସି ଚିନ୍ତା କରିବାକୁ ବାଧ୍ୟ ହେଲି । 
କଣ ପ୍ରକୃତରେ ଯମ ଦୂତ ମୋତେ ନେବାକୁ ଆସିଥିଲା???
ଏବଂ ସେ ତାର କାର୍ଯ୍ୟରେ ବିଫଳ ଯୋଗୁ ତାର ଜୀବନ ବଳିଦାନ ପଡ଼ିଗଲା ???
 ଅବା ଗୋଟିଏ ଫୋନ୍ କଲ୍ ମୋତେ ମରଣ ମୁହଁରୁ ବଞ୍ଚେଇ ଆଣିଲା ??
ପ୍ରକୃତରେ ସତ୍ୟତା କଣ ??? 
ମୁଁ ଖୋଜିବାକୁ ଚେଷ୍ଟା କରୁଛି ?? କିନ୍ତୁ ସେ ପ୍ରଶ୍ନ ର ଉତ୍ତର ମୁଁ ଖୋଜି ପାଉନି । 
ଯଦି ମୋର ଏହି ପ୍ରଶ୍ନ ର ଉତ୍ତର ଆପଣ ଙ୍କ ପାଖରେ ଅଛି ତେବେ ଜଣେଇବାକୁ ଅନୁରୋଧ ।
ଏବଂ ଏହି ଗଳ୍ପ ଟି ଆପଣଙ୍କୁ କେମିତି ଲାଗିଲା ନିଶ୍ଚୟ ଲେଖି ଜଣାଇବେ । 
ଧନ୍ୟବାଦ ।
ନୀଳମାଧବ ଭୂୟାଁ ଙ୍କ
ଲେଖନୀରୁ…
If the contents helpful so share to your friends, Thanking You.