Tag Archives: #budhi maa kahani

ଅତିଥି…୧

ସୂର୍ଯ୍ୟ ଆଉ କାଦମ୍ବିନୀ ଙ୍କ ପ୍ରେମ କାହାଣୀ ରେ ପୁରା କଲେଜ ରେ ଚହଳ ସୃଷ୍ଟି କରିଥିଲା । ହଁ ଦୁହିଙ୍କ ଜାତି ଏବଂ ଗୋତ୍ର ସମାନ ଥିଲେ ମଧ୍ୟ ସୂର୍ଯ୍ୟ ଦେଖିବାକୁ ବହୁତ୍ ସୁନ୍ଦର ଥିଲେ କାଦମ୍ବିନୀ ସୂର୍ଯ୍ୟ ଠାରୁ ଟିକେ କମ୍ ସୁନ୍ଦର୍ । କିନ୍ତୁ ଦୁହେଁ ଦୁହିଙ୍କ ପାଇଁ ହିଁ ଜନ୍ମ ନେଇଥିଲେ। 

କଲେଜ ସରିଲା ଘରେ କଥା ପଡ଼ିଲା ଏବଂ ଜ୍ୟୋତିଷ ନକ୍ଷତ୍ର ର କୁ-ପ୍ରଭାବ କହିବା ପରେ ଦୁହିଙ୍କ ପରିବାର ରେ ଚିନ୍ତା ଦେଖା ଗଲା।  ଦୁହେଁ ଦୁହିଁଙ୍କୁ ବହୁତ୍ ଭଲ ପାଆନ୍ତି।  କିଏ କାହାକୁ ଛାଡ଼ି ରହିବା ଅସମ୍ଭବ । ଏପଟେ ସୂର୍ଯ୍ୟ ଘର ଲୋକେ ସୂର୍ଯ୍ୟ କୁ ବୁଝାଇବାରେ ଲାଗିବା ବେଳେ ସେପଟେ କାଦମ୍ବିନୀ କୁ । ଶେଷରେ ନିଷ୍କର୍ଷ ଏହା ଯେ, ଗ୍ରହ, ନକ୍ଷତ୍ର କୁ ଆମେ ମାନିବୁ ନାହିଁ।  ଯଦି ବିବାହ ନ କରିବ ତେବେ ଆମେ ଘରୁ ବାହାରି ଯିବୁ ଏବଂ ଆଇନ ଅନୁସାରେ ବିବାହ କରିବୁ । ଏତିକି ଶୁଣି ଘର ଲୋକେ ରାଜି ହୋଇଗଲେ।  କହିଲେ ଯଦି କିଛି ଅଘଟଣ ଘଟେ ସେଥିପାଇଁ ତୁମେ ଦୁହେଁ ଦାୟୀ ରହିବ। 

ରୀତି ନୀତିରେ ବିବାହ ହେଲା ସତ କିନ୍ତୁ କାହା ମନରେ ଖୁସି ନାହିଁ । ହେଉ ଦୁହିଁଙ୍କୁ ନିଜ ନିଜର ପ୍ରେମ ତ ମିଳିଗଲା । ସୁର୍ଯ୍ୟ ଆଇନ ପାଠ ପଢ଼ି ଥାଏ ତେଣୁ ସହର ରେ ରହି ଓକିଲାତି କରିବାର ସୁଯୋଗ ମିଳିଲା।  ତାହା ପୁଣି ଘର ଠାରୁ ୮୭ କିମି ଦୂରରେ । ଯିବା ଆସିବା ତ ଦୂରର କଥା । ସେଠୀ ଗୋଟିଏ ଘର ଭଡ଼ା ନେଇ ରହିଲେ । ଦେଖୁ ଦେଖୁ ଦୁଇ ବର୍ଷ ଭିତରେ ନିଜର ସୁନ୍ଦର୍ ଫ୍ଲାଟ୍ ଟିଏ ମଧ୍ୟ କିଣିଲେ କିନ୍ତୁ ସବୁ ଖୁସି ଥିଲେ ମଧ୍ୟ ଗୋଟିଏ ଖୁସି ପାଇଁ ଦୁହେଁ ବେଳେବେଳେ ବହୁତ୍ ଦୁଃଖୀ ହୋଇ ଯାଉଥିଲେ ।

ଦେଖୁ ଦେଖୁ ଚାରି ବର୍ଷ ବିତି ଗଲାଣି କିନ୍ତୁ କାଦମ୍ବିନୀ ର କୋଳ କୁ ଛୁଆଟିଏ ଆସିଲା ନାହିଁ । ଏହା ତାଙ୍କ ପାଇଁ ସବୁଠୁ ବଡ ଦୁଃଖର କାରଣ । ଟଙ୍କା, ଗାଡି, ଘର ଥିଲେ ମଧ୍ୟ ମନରେ କେବେ ଖୁସି ନଥାଏ । ଏପଟେ ଛୁଆ ନ ହେବା ଫଳରେ ସମସ୍ତେ କାଦମ୍ବିନୀ କୁ ଦୋଷ ଦେବାରେ ଲାଗିଥିଲେ । ସୂର୍ଯ୍ୟ ଏବଂ କାଦମ୍ବିନୀ ଘର ର କୌଣସି ସଦସ୍ୟ କୁ ଯଦି ଡାକନ୍ତି ତେବେ ସେ ସିଧା ସିଧା କୁହନ୍ତି ଯେବେ ତୋ କୋଳରେ ଛୁଆ ଟିଏ ଆସିବ ଆମେ ସେଦିନ ତୋର ଘରେ ପାଦ ରଖିବୁ । ସୂର୍ଯ୍ୟ ମଧ୍ୟ ଘର ଲୋକ ଙ୍କ କଥା ଶୁଣି ବହୁତ୍ ଦୁଃଖୀ ହୋଇ ଯାଉଥାଏ । ଦିନ ଗଡି ଚାଲି ଥାଏ ।

ଦିନେ ସୂର୍ଯ୍ୟ ଅଫିସ୍ ଯିବା ସମୟରେ ଦେଖିଲା ଗୋଟିଏ ଅଜଣା ବୁଢ଼ୀ ଲୋକ ଟିଏ ତାଙ୍କ ବାରଣ୍ଡାରେ ଶୋଇ ରହିଛି । ବୟସ ପାଖା ପାଖି ୭୫ ହେବ ।  ସୂର୍ଯ୍ୟ ତାଙ୍କୁ ଉଠେଇବାକୁ ଗଲା ବେଳେ ଜାଣିବାକୁ ପାଇଲା ଯେ ବୁଢ଼ୀ ଲୋକ ଟି ଜ୍ଵର ରେ ଥରୁଛି । ସେ ସଙ୍ଗେ ସଙ୍ଗେ କାଦମ୍ବିନୀ କୁ ଡାକି ତାକୁ ଦୁହେଁ ଘର ଭିତରକୁ ନେଲେ । ଡ଼ାକ୍ତର ବାବୁ ଆସି କିଛି ଔଷଧ ଦେଲେ । ବୁଢ଼ୀ ମା ଦୁଇ ଦିନ ମଧ୍ୟରେ ସୁସ୍ଥ ମଧ୍ୟ ହୋଇଗଲେ ।

ସୂର୍ଯ୍ୟ ତାଙ୍କୁ ପଚାରିଲା ଯେ ମା ତୁମ ଘର କୋଉଠି ? ଏତିକି ପ୍ରଶ୍ନରେ ବୁଢ଼ୀ ମା ଜଣଙ୍କ ସବୁ କଥା ଗୋଟି ଗୋଟି କରି କହିଦେଲା । ସୂର୍ଯ୍ୟ ଏତକ ଶୁଣି କହିଲା । ମା ତମେ କୁଆଡେ ଯିବା ଦରକାର ନାହିଁ । ମୋତେ ନିଜ ପୁଅ ଭଳି ଭାବ । ତୁମ ଦୁଇ ପୁଅ ବିନୁ ଏବଂ ସାନୁ ର ସିନା ପଚାରିଲେ ନାହିଁ କିନ୍ତୁ ମୁଁ ତୁମର ସେବା କରିବି । ବୁଢ଼ୀ ମା କହିଲେ, ନା ପୁଅ , ତୋର ପରିବାର ଅଛି । ମୁଁ କାହିଁକି ଏଠି ତୁମ ପାଇଁ କଣ୍ଟା ସାଜିବି । ମୋତେ ଗାଁ ବସ୍ ରେ ବସେଇ ଦିଅ ମୁଁ ଗାଁ କୁ ଚାଲିଯିବି ।
ସୂର୍ଯ୍ୟ କହିଲା, ମା ତୁମେ କୁଆଡେ ଯିବା ଦରକାର ନାହିଁ । ଆମେ ଦୁହେଁ ତୁମର ଦୁଇଟି ଛୁଆ ବୋଲି ଭାବି ନିଅ । ଆମ ସେବାରେ ଯଦି ଅସନ୍ତୁଷ୍ଟ ହୁଅ ତେବେ ମୁଁ ତୁମକୁ ଗାଁ କୁ ଯିବାକୁ ଦେବୀ ।

ବୁଢ଼ୀ ମା ଙ୍କ କୌଣସି କଥା କୁ ସୂର୍ଯ୍ୟ ଏବଂ କାଦମ୍ବିନୀ ଶୁଣିଲେ ନାହିଁ । ଦୁହେଁ ବୁଢ଼ୀ ମା ଙ୍କ ସେବାରେ ଲାଗି ପଡ଼ିଲେ । କାଦମ୍ବିନୀ କୁ ମଧ୍ୟ ଗୋଟିଏ ଅତିଥି ରୂପରେ ନୂଆ ମା ଟିଏ ମିଳି ଯାଇଛି । ସେ ସବୁ ଦୁଃଖ ବୁଢ଼ୀ ମା ସହିତ ବାଣ୍ଟେ । ବୁଢ଼ୀ ମା ମଧ୍ୟ ବହୁତ୍ ଭଲ । ସେ ସବୁବେଳେ କାଦମ୍ବିନୀ କୁ ବୁଝେଇ ଥାଏ । ଯେ ତୋର ସମୟ ମଧ୍ୟ ଆସିବ ଆଉ ସବୁ ଠିକ୍ ହୋଇଯିବ ।

ପରିବାର ରେ ଯେମିତି ଗୋଟିଏ ଖୁସି ଫେରି ଆସିଥିଲା । ଦେଖୁ ଦେଖୁ ୪ ମାସ ବିତିଗଲା । ଦିନେ ରାତି ୧୧.୪୦ ହେବ, ବେଡ୍ ରେ ବସି କଥା ହେଉଥାନ୍ତି । କାଦମ୍ବିନୀ କହିଲା ଜାଣିଛ ସୂର୍ଯ୍ୟ ଏହି ମାସର ମୋ ପିରିଆଡ୍ ହୋଇନି । ଗୋଟିଏ ମାସ ପୁରୀ ୧୦ ଦିନ ଗଡ଼ି ଗଲାଣି । ସୂର୍ଯ୍ୟ କହିଲା, ଏମିତି ରେ ତୁମର ଗୋଟିଏ ମାସ  ପୂର୍ବରୁ ହୋଇ ଯାଏ।  କାଦମ୍ବିନୀ କହିଲା, ବୋଧେ ଲେଟ୍ ହେବ । ସୂର୍ଯ୍ୟ ଆଲମାରୀ ରୁ  ପ୍ରେଗନାନ୍ସି କିଟ୍ କୁ ଆଣି କହିଲା ଥରେ ଚେକ୍ କର କାଳେ କିଛି ଶୁଭ ଖବର ଆସି ଥାଏ । କାଦମ୍ବିନୀ କହିଲା, ରଖ ସେ କିଟ୍, ଏହି କିଟ୍ କୁ ଦେଖି ଦେଖି ବୋର୍ ଲାଗିଲାଣି । ଚାଲ ଶୋଇବା । ସୂର୍ଯ୍ୟ କହିଲା ଆଜି ପୁଣି ଥରେ ଚେକ୍ କର । କାଦମ୍ବିନୀ କହିଲା । ନା ସୂର୍ଯ୍ୟ ମୋତେ ବାଧ୍ୟ କର ନାହିଁ । କିଛି ବାହାରିବ ନାହିଁ ଏବଂ ଆଜି ପୁଣି କାନ୍ଦି କାନ୍ଦି ଶୋଇବି । ସୂର୍ଯ୍ୟ କହିଲା, ହଉ ତମେ ଦୁଃଖୀ ହେଲେ ମୁଁ ମନେଇ ଦେଵୀ । ସୂର୍ଯ୍ୟ ର ବାଧ୍ୟ କୁ କାଦମ୍ବିନୀ କାଟି ପାରିଲା ନାହିଁ । ବାଥ ରୁମ୍ କୁ ଯାଇ ଚେକ୍ କରି ଆସି କିଟ୍ ଟିକୁ ସୂର୍ଯ୍ୟ ହାତରେ ଧରେଇ କାଦମ୍ବିନୀ ଶୋଇବାକୁ ଚାଲିଗଲା । ସୂର୍ଯ୍ୟ କିଟ୍ କୁ ଅନେଇ ରହିଥାଏ ।


ଭାଗ୍ୟ ର ଲିଖନ କେ କରିବ ଆନ । ଆଜି ପୁଣି ସୂର୍ଯ୍ୟ ଆଖିରେ ଲୁହ ଆସିଗଲା ଏବଂ ସେ କାନ୍ଦିବାକୁ ଲାଗିଲା।  ସୂର୍ଯ୍ୟର କାନ୍ଦ ଦେଖି କାଦମ୍ବିନୀ ଦଉଡ଼ି ଆସି ଦେଖିଲା ବେଳକୁ କିଟ୍ ରେ ପୋଜିଟିଭ ଆସିଛି । କିଟ୍ କୁ ଦେଖି କାଦମ୍ବିନୀ ମଧ୍ୟ ନିଜ କାନ୍ଦ କୁ ରୋକି ପାରିଲା ନାହିଁ ।

Part-2

ଅତିଥି…୨

ଭାଗ – ୧

ଦୁହେଁ କୁଣ୍ଢେଇ ହୋଇ କାନ୍ଦିଲେ । ଏହା ଦୁଃଖ ର କାନ୍ଦ ନଥିଲା । ଏହା ଥିଲା ଦୁହିଁଙ୍କ ଖୁସିର କାନ୍ଦ । ସୂର୍ଯ୍ୟ କାଦମ୍ବିନୀ କୁ କୋଳକୁ ଉଠେଇ ନେଇ ବେଡ୍ ରେ ଶୁଆଇ ଦେଇ କହିଲା ଆଜିଠୁ ତମେ କିଛି କାମ କରିବ ନାହିଁ।  ସବୁ ମୁଁ ଆଉ ମା କରିବୁ । ସୂର୍ଯ୍ୟ ଦଉଡ଼ି ଯାଇ ଫ୍ରିଜ୍ ରୁ ମିଠା ଗୋଟିଏ ଆଣି କାଦମ୍ବିନୀ କୁ ଖୁଆଇ ଦେଲା । ସୂର୍ଯ୍ୟ କହିଲା ଜାଣିଛ ଏ ସବୁ କାହା ପାଇଁ ହୋଇଛି।  ଏହା ହେଉଛି ଆମ ବୁଢ଼ୀ ମା ଙ୍କ ଆଶୀର୍ବାଦ ରୁ ହୋଇଛି।  ଚାଲ ତାଙ୍କୁ ମିଠା ଖୁଆଇ ଦେବା ।

କାଦମ୍ବିନୀ କହିଲା, ନା ନା, ମା ଙ୍କ ଦେହ ଖରାପ ଥିଲା ସେ ମେଡ଼ିସିନ୍ ଖାଇ ଶୋଇଛନ୍ତି। କାଲି ସକାଳୁ ସକାଳୁ ତାଙ୍କୁ ଯାଇ ଏହି ଖୁସି ଖବର ଟା ଦେବା । ସେ ମଧ୍ୟ ଖୁସି ହେବେ । ସୂର୍ଯ୍ୟ କହିଲା , ହଁ ଠିକ୍ କଥା । ତାପରେ ଦୁହେଁ ଖୁସିରେ ନାଚିବାକୁ ଲାଗିଲେ । କିଛି ସମୟ ପରେ ଦୁହେଁ ଶୋଇବାକୁ ଗଲେ ।

ତା ପର ଦିନ ସକାଳୁ ସକାଳୁ ଦୁହେଁ ଗାଧୋଇ ନୂଆ ଡ୍ରେସ ପିନ୍ଧି।  ମିଠା ସହିତ ମା ଙ୍କ ପାଖକୁ ଯିବାକୁ ବାହାରିଲେ । ଦୁହେଁ ବୁଢ଼ୀ ମା ପାଖରେ ପହଞ୍ଚିଲେ।  ସୂର୍ଯ୍ୟ କହିଲା । ମା ଦେଖ ଗୋଟିଏ ନୂଆ ଉପହାର। ଏତିକି ପରେ ବୁଢୀମା କିଛି ଉତ୍ତର ଦେଲେ ନାହିଁ । ଦିନ ଆସି ୭ ଟା ବାଜିଲାଣି । ମା ତ ଉଠି ଯିବା କଥା।  କାଦମ୍ବିନୀ ବୁଢ଼ୀ ମା ଙ୍କୁ ହଲେଇ ଉଠେଇବାକୁ ଚେଷ୍ଟା କରିଲା ବେଳକୁ ଜଣା ପଡ଼ିଲା ଯେ ବୁଢ଼ୀ ମା ଆଉ ନାହାନ୍ତି । ସେ ତାଙ୍କ ଦୁଇ ଜଣଙ୍କୁ ବିଦାୟ ଦେଇ ଏ ଦୁନିଆରୁ ଚାଲି ଯାଇଥିଲେ। ଖୁସିର ସମୟ ପୁଣି ଥରେ ଦୁଃଖରେ ପରିଣତ ହୋଇ ଗଲା।  ଦୁହେଁ କେତେ ଆଶା ନେଇ ଆସିଥିଲେ । କିନ୍ତୁ ବୁଢ଼ୀ ମା ସେ ଦୁଇ ଜଣ ଙ୍କୁ ଖୁସି କରି ନିଜେ ଲୀନ ହୋଇଗଲେ ଏ ଭବ ସାଗରରୁ।

ସୂର୍ଯ୍ୟ ମା ବୋଲି ମାନିଥିଲା । ସେଥିପାଇଁ ସେ ତାଙ୍କ କର୍ତ୍ତବ୍ୟ କରିଲେ। ପ୍ରଥା ଅନୁସାରେ ଆଗାମୀ ୧୨ ଦିନ ପର୍ଯ୍ୟନ୍ତ ସବୁ ରୀତି ନୀତି ପାଳିଲେ ଏବଂ ଏହି ୧୨ ଦିନରେ ଦୁହିଙ୍କ ପରିବାର ମଧ୍ୟ ସାମିଲ ହୋଇଥିଲେ । ସାମିଲ ହେବାର କାରଣ ମଧ୍ୟ ଏହା ଯେ ସମସ୍ତଙ୍କ ବିଶ୍ୱାସ ବୁଢୀମା ଙ୍କ ବଦଳରେ ଗୋଟିଏ ନୂଆ ଅତିଥି ଙ୍କ ଆଗମନ ତାଙ୍କ ପରିବାର କୁ ଆସିଲା । ଏଥିରେ ପରିବାର ଲୋକେ କୌଣସି ପ୍ରକାର ର ଆରୋପ କରିଲେ ନାହିଁ। ହଁ ବୁଢ଼ିମା ଙ୍କ ଜୀବନ ଥିଲା ସମୟରେ ବହୁତ୍ ଥର ତାଙ୍କ ପୁଅ ବୋହୁ ବିଷୟରେ ପଚାରିଥିଲେ । ସେ କେବଳ ତାଙ୍କ ପୁଅ ଙ୍କ ଡାକ ନାମ ଜାଣିଥିଲେ। ଭଲ ନାଁ ଜାଣି ନଥିଲେ। କ୍ୱାର୍ଟର/ଘର କୋଉଠି ?? ତାହା ମଧ୍ୟ ମନେ ନଥିଲା । ସୂର୍ଯ୍ୟ କିଛି ନ ବୁଝି ପୁତ୍ର ର ସବୁ କାର୍ଯ୍ୟ ପାଳନ କରିଥିଲେ। ସବୁ ଠିକ୍ ଠାକ୍ ରେ ସରିଲା।

ସୂର୍ଯ୍ୟ ର ପରିବାର ରେ ନୂଆ ଅତିଥି ଆଗମନ କୁ ସମସ୍ତେ ଆତୁର ଭାବେ ଅପେକ୍ଷା ରତ ଥିଲେ । କାଦମ୍ବିନୀ ର ମା ଆସି ଝିଅ ର ସେବା କରୁଥିଲେ। ଦେଖୁ ଦେଖୁ ୯ ମାସ ପରେ ଗୋଟିଏ ସୁନ୍ଦର୍ ଗୁଲୁଗୁଲିଆ ଝିଅ ଟିଏ ସୂର୍ଯ୍ୟ ଏବଂ କାଦମ୍ବିନୀ ର ପରିବାର ରେ ଜନ୍ମ ନେଲା।

ସୌନ୍ଦର୍ଯ୍ୟ ରେ ଭରପୁର, ପୁରା ବୁଢ଼ିମା ଭଳି ଚେହେରା। ସମସ୍ତେ ଖୁସି ଥିଲେ। ଏହି ଖୁସି ର ଉତ୍ସବ ରେ ତାଙ୍କ ଓକିଲ ଷ୍ଟାଫ୍ ମାନଙ୍କ ପାଇଁ ମିଠା ନେଇ ପହଞ୍ଚିଥିଲା । ମିଠା ବାଣ୍ଟିବା ସମୟରେ ସୂର୍ଯ୍ୟ ର ସ୍କୁଲ ସାଙ୍ଗ ବିନୋଦ ସହିତ ସୂର୍ଯ୍ୟ ର ଦେଖା ହେଲା । ସୂର୍ଯ୍ୟ ବିନୋଦ କୁ ଚିହ୍ନି ପାରିଲା ନାହିଁ କିନ୍ତୁ ବିନୋଦ ଭଲ ଭାବରେ ଚିହ୍ନି ପାରିଲା । କାରଣ ସୂର୍ଯ୍ୟ ସ୍କୁଲ ରେ ପ୍ରଥମ ସ୍ଥାନ ଅଧିକାର କରୁଥିଲା। ଏମିତି ରେ ପ୍ରଥମ ସ୍ଥାନରେ ଯିଏ ରହେ ତାଙ୍କୁ ସବୁ ବହୁତ୍ ଶୀଘ୍ର ଚିହ୍ନି ପାରନ୍ତି । ସେ ସୁର୍ଯ୍ୟ ପାଖକୁ ଆସି ନିଜ ପରିଚୟ ଦେଲା । ଏବଂ ସୂର୍ଯ୍ୟ ମଧ୍ୟ ଜାଣି ତାକୁ ପଚାରିଲା, ଆରେ ଭାଇ ମୋର ଝିଅ ଟିଏ ହୋଇଛି ନେ ମିଠା ଟିଏ ଖା । ମିଠା ଖାଇବା ପରେ ସୂର୍ଯ୍ୟ ପଚାରିଲା ଆରେ କଣ ଖବର ବହୁତ୍ ଦିନ ପରେ ଦେଖା ହେଲା ଚାଲ ସର୍ବତ ପିଇବା । ବିନୋଦ କହିଲା , ନା ରେ ସାଙ୍ଗ ମୁଁ ଗୋଟିଏ ଅସୁବିଧା ରେ ପଡ଼ି ଯାଇଛି ।

ସୂର୍ଯ୍ୟ ପଚାରିଲା, କହ କଣ, ଆଉ ସମସ୍ୟା ର ସମାଧାନ ପାଇଁ ତ ଆମେ ଅଛୁ । ବିନୋଦ କହିଲା, ଗତ ବର୍ଷେ ହେଲା ମୋ ମା, ମୋ ପାଖରେ ରହୁଥିଲା । ଗୋଟିଏ ମାସ ପୁରା ହୋଇଗଲା ପରେ ତାକୁ ଆମେ ମୋ ସାନ ଭାଇ ସରୋଜ ପାଖରେ ଛାଡ଼ି ଆସିଲି କିନ୍ତୁ ସରୋଜ ର ସ୍ତ୍ରୀ ସହିତ ମୋର କଥା ଯୁଦ୍ଧ ହୋଇଥିବା ଯୋଗୁଁ ମୁଁ ତାଙ୍କ ଘର ଠାରୁ କିଛି ଦୂରରେ ଛାଡ଼ି ଆସିଥିଲି। ମୁଁ ସରୋଜ କୁ ଫୋନ୍ କରି ଜଣାଇଲି ସେ କହିଲା ମୁଁ ଏବେ ବାହାରେ ଅଛି ତମେ ମା ଙ୍କୁ ନେଇ ଯାଅ । ମୁଁ ଭାବିଲି ସରୋଜ ମିଛ କହୁଥିବ ବୋଲି ମୁଁ ଏତେ ଧ୍ୟାନ ଦେଲି ନାହିଁ । କିନ୍ତୁ ତା ପର ଠାରୁ ମା ଙ୍କର କିଛି ଖବର ନାହିଁ । ସୂର୍ଯ୍ୟ ପଚାରିଲା ତମେ ସରୋଜ କୁ ଆଉ ପଚାରିଲ ନାହିଁ କି ?? ବିନୋଦ କହିଲା ମୁଁ ୨ ମାସ ପରେ ପଚାରିଲି ଏବଂ ସେତେବେଳେ ସରୋଜ କହିଲା ଯେ ମା ତ ଆମ ଘରକୁ ଆସି ନାହାନ୍ତି । ଦୁହେଁ ଚିନ୍ତାରେ ପଡିଲୁ , ଖବର କାଗଜ ରେ ଫଟୋ ଛାଡିଲୁ କିନ୍ତୁ କିଛି ଖୋଜ ଖବର ମିଳିଲା ନାହିଁ ବର୍ଷେ ପୁରୀ ବାକୁ ଲାଗିଲାଣି । ସରୋଜ କହିଲା ସମ୍ପତି ଭାଗ କରିବାକୁ ପଡ଼ିବ ଏବଂ ସେଥିପାଇଁ ମା ଙ୍କ ମୃତ୍ୟୁ ପ୍ରମାଣ ପତ୍ର ଦରକାର । ମୁଁ ବୁଝି ପାରୁନି କଣ କରିବି । ମୃତ୍ୟୁ ପ୍ରମାଣ ପତ୍ର କେମିତି ଯୋଗାଡ କରିବି କିଛି ଉପାୟ ଦିଅ ।

Part-3

ଅତିଥି…୩

ଭାଗ – ୨

ଏବଂ ଆଇନ ଅନୁସାରେ କିଛି ଏଫିଡାଭିଟ ଭଳି କିଛି କାଗଜ ପତ୍ର କରିଲେ କାଳେ ଏ ସମସ୍ୟା ର ସମାଧାନ ହୋଇ ପାରିବ ବୋଲି ମୁଁ ଆଶା ନେଇ ଆସିଛି ଏଠି।   ସୂର୍ଯ୍ୟ କୁ କିଛି କିଛି ଆଭାସ ହେଉଥିଲା । ସୂର୍ଯ୍ୟ ପଚାରିଲା ତମ ମା ଙ୍କ କିଛି ଫଟୋ ଅଛି କି ?? ବିନୋଦ ସଙ୍ଗେ ସଙ୍ଗେ ଫଟୋ ବାହାର କରି ଦେଖେଇଲା।  ସୂର୍ଯ୍ୟ ଫଟୋ ଦେଖି ଚମକି ପଡ଼ିଲା ଏବଂ ତା ପାଦ ତଳୁ ମାଟି ଖସିବାର ଅନୁଭବ ହେଉଥିଲା । ସେ ଥିଲା ତା ବୁଢ଼ୀ ମା।  ଯିଏ କି ଅତିଥି ରୂପେ ଆସି ତା ଘର ପରିପୂର୍ଣ୍ଣ କରି ଦେଇ ଚାଲିଗଲେ।  ସେଭଳି ମା ଙ୍କୁ ଏହି ଦୁଇ ପୁଅ ବୋହୁ ଅନାଦର କରିଥିଲେ ଭାବି ସୂର୍ଯ୍ୟ ମନରେ ରାଗ ଆସିଲା କିନ୍ତୁ ରାଗ କୁ ଚାପି କହିଲା ତମେ କାଲି ଆସ, ଆଜି କିଛି ମୋର ଜରୁରୀ କାମ ଅଛି । ଏତିକି ପରେ ବିନୋଦ ଫେରିଗଲା ।

ସୂର୍ଯ୍ୟ ଘରକୁ ଆସି କାଦମ୍ବିନୀ କୁ ସବୁ କଥା କହିଲା।  କାଦମ୍ବିନୀ କହିଲା, ରୋକ୍ ଠୋକ୍ ମନା କରି ଦିଅ।  ସେଭଳି ଲୋକକୁ ସାହାଯ୍ୟ କରନ୍ତୁ ନାହିଁ । ଯିଏ ନିଜ ମା ଙ୍କୁ  ମୁଠାଏ ଖାଇବାକୁ ଦେବାର ସମ୍ବଳ ନାହିଁ । ରାତିରେ ବାହାରେ ଶୋଇବାକୁ ଯିଏ ବାଧ୍ୟ କରୁଥାଏ ଏବଂ ଯାହାର ସ୍ତ୍ରୀ ଲାତ ଗୋଇଠା ମାରି ଘରୁ ତଡ଼ି ଦେଇଛି ସେଭଳି ଲୋକକୁ ସାହାଯ୍ୟ କର ନାହିଁ । ସୂର୍ଯ୍ୟ କହିଲା । ଏଭଳି ଲୋକକୁ ଜେଲ ପଠେଇବା ଦରକାର । ଜେଲ ପଠେଇ କାହିଁକି ଆମେ ଦୋଷୀ ହେବା । ସେମାନଙ୍କୁ ସେମିତି ରହିବାକୁ ଦିଅ କିନ୍ତୁ ତାଙ୍କ କାମ କର ନାହିଁ କି କିଛି ସାହାଯ୍ୟ କର ନାହିଁ ଏବଂ ତୁମ ସବୁ ସାଙ୍ଗ ମାନଙ୍କ ମଧ୍ୟ ମନା କରି ଦିଅ । ଯେ ଏଭଳି ଲୋକକୁ ସାହାଯ୍ୟ କର ନାହିଁ ବୋଲି। 

ତା ପର ଦିନ , ସୂର୍ଯ୍ୟ ଆସି ସମସ୍ତ ଓକିଲ ସାଙ୍ଗ ମାନଙ୍କୁ କହିବା ପରେ ସମସ୍ତେ କହିଲେ । ଏଭଳି ଲୋକକୁ ଆମେ କଦାପି ସାହାଯ୍ୟ କରିବୁ ନାହିଁ । କିଛି ସମୟ ପରେ ବିନୋଦ ଆସିଲା ଏବଂ ସୂର୍ଯ୍ୟ ଜାଣିଶୁଣି ମନା କରିଦେଲା । ଏଭଳି କେସ କେବେ ମୁଁ କେବେ ହାଣ୍ଡଲ କରିନି ତମେ ଆଉ କୋଉ ଓକିଲ ସହିତ ପରାମର୍ଶ କର । ବିନୋଦ ବାକି ଓକିଲ ପାଖକୁ ଯାଇ ଅନୁରୋଧ କରିଲା। ସମସ୍ତେ ସେମିତି କହିଲେ। ସେ ନିରୁପାୟ ହୋଇ ଫେରିଗଲା।  ପ୍ରାୟ ୫-୧୦ ଥର ଆସି ସେ ଏମିତି ଅନୁରୋଧ କରୁଥାଏ ମାତ୍ର କେହି ତାକୁ ସାହାଯ୍ୟ କରୁ ନଥିଲେ । କିଛି ଦିନ ପରେ ସେ ଆଉ ଆସିଲା ନାହିଁ ।

ସୂର୍ଯ୍ୟ ମନେ ଭାବିଲା , ଏମିତି ଲୋକକୁ ଦୁନିଆରେ କୌଣସି ଲୋକ ମଧ୍ୟ ସାହାଯ୍ୟ ନ କରିଲେ ଭଲ ।

ନୂଆ ନାମ ରଖାଗଲା (ଗୁଡ୍ଡି) ସୂର୍ଯ୍ୟ ର ଝିଅ, ଦେଖିବାକୁ ବହୁତ୍ ସୁନ୍ଦର। ସେ ଠିକ୍ ବୁଢୀମା ଭଳି ଚେହେରା ନେଇ ନୂଆ ଅତିଥି ରୂପରେ ସୂର୍ଯ୍ୟ ର ପରିବାର ରେ ଜନ୍ମ ନେଇଥିଲା ଏବଂ ତାଙ୍କ ପରିବାର ରେ ଯେଉଁ ଖୁସି ପାଇଁ ଆଶା ରଖିଥିଲେ ତାହା ପରିପୂର୍ଣ୍ଣ ହୋଇଗଲା।  ଘର ଲୋକ ମଧ୍ୟ ଯିବା ଆସିବା ଆରମ୍ଭ କରିଦେଲେ । ପରିବାର ରେ ନୂଆ ମୋଡ଼ ନେଇ ଖୁସିରେ ଚାଲିବାକୁ ଲାଗିଲା ।

ପ୍ରକୃତରେ ବୁଢ଼ୀ ମା ସହିତ ଘଟିଥିବା ଏମିତି ଘଟଣା ଦୁନିଆରେ ପ୍ରାୟତଃ ସ୍ଥାନରେ ଦେଖିବାକୁ ମିଳୁଛି । କେତେ ଜଣା ପଡୁଛି ତ ଆଉ କେତେ ପୁତ୍ର ବଧୂ ମୋହରେ ଲୁଚି ଯାଉଛି । ଯଦି ଏମିତି କିଛି ଘଟଣା ଆପଣଙ୍କ ଆଖ ପାଖରେ ଘଟୁଛି ତେବେ ବିରୋଧ କରନ୍ତୁ ଏବଂ ବୃଦ୍ଧ ଦମ୍ପତି କିମ୍ବା ବୃଦ୍ଧା ମାନଙ୍କୁ ସାହାଯ୍ୟ କରନ୍ତୁ ।

ଏମିତି କିଛି ଘଟଣା ବଳି ଆପଣଙ୍କ ପାଖରେ ଅଛି ତେବେ ମୋତେ Contact Form ଜରିଆରେ ଜଣାନ୍ତୁ । ମୁଁ ଆପଣଙ୍କୁ Contact କରିବି  ଏବଂ ଏହି ବ୍ଲଗ୍ ମାଧ୍ୟମରେ ଦୁନିଆ ସାମ୍ନାରେ ଉଜାଗର କରିବି ।

ଯଦି କାହାଣୀ ଟି ମନକୁ ଛୁଇଁ ଥିବ ତେବେ କମେଣ୍ଟ୍ ଏବଂ ସେୟାର ତଥା ଲାଇକ କରିବାକୁ ଭୁଲିବେ ନାହିଁ ।

ଧନ୍ୟବାଦ

ନୀଳମାଧବ ଭୂୟାଁ (ଗାଳ୍ପିକ)

ଭାଗ – ୧