Tag Archives: kavita

ହୋଲି (ଓଡ଼ିଆ କବିତା)

 
Holi

କହିଥିଲ ତୁମେ    ଫଗୁଣ ଆସିଲେ
          ରଙ୍ଗ ଖେଳିବ ବୋଲି
ତୁମ ପଥ ଚାହିଁ     ଜୀବନରେ ମୋର
         ଗଲାଣି ଅନେକ ହୋଲି। 

କଥା ଦେଇ ତୁମେ     ଆସିଲ ନାହିଁ
        ଏବେ ବି ରହିଛି ଚାହିଁ
ତୁମ ଗୋରା ଗାଲେ   ଅବିର ଲେପିବି
         କରୁଥିବ ତୁମେ ନାହିଁ। 

ତଥାପି ଭାବୁଛି       ଆସିବ ଜୀବନେ
        ସଙ୍ଗୀତ ମୂର୍ଚ୍ଛନା ତୋଳି
ମନ ଜାଣି ମୋ      ଶରୀର ଉପରେ
       ଫଗୁ ଆଣିଦେବ ବୋଳୀ ।

ମଳୟ ହାତରେ      ପଠାଉଛି କେତେ
        ତୁମେ ଆସିବାର ଚିଠି
ସାଇତି ରଖିଛି        ଆସିଲେ ତୁମକୁ
     ଗୋଲାପକୁ ଦେବୀ ଭେଟି ।

ତୁମ ସହ ରଙ୍ଗ         ଖେଳି ଏ ଜୀବନ 
       ଧନ୍ୟ କରିଦେବି ମୋର
ତୁମେ ଆସିବାର       ପଥ କୁ ଅନାଇ
           ଝୁରୁଥିବି ନିରନ୍ତର।

ଅଧ୍ୟାପକ, ଲୋକନାଥ ନାୟକ
କବିସୂର୍ଯ୍ୟ ବଳଦେବ ବିଜ୍ଞାନ ମହାବିଦ୍ୟାଳୟ
କବିସୂର୍ଯ୍ୟନଗର, ଗଞ୍ଜାମ ।

If the contents are helpful to share them with your friends, Thanking You.

ତୁମେ (ଓଡ଼ିଆ କବିତା) 2

 




ତୁମେ


ତୁମେ ଆଷାଢ଼ର ଆଶାର ଆକାଶ
ନୀଳ ସାଗର ର ଢେଉ
ଧାରା ଶ୍ରାବଣ ର ମେଘର ମହ୍ଲାର
ସ୍ୱପ୍ନର ସାଧବ ବୋହୂ…

ତୁମେ ଭାଦ୍ରବ ର ସବୁଜିମା କ୍ଷେତ
ପ୍ରଣୟ ର ପଦ୍ମାବତୀ
ଶେଫାଳୀ ଫୁଲ ର ମହ ମହ ବାସ୍ନା
ଅଶିଣ ର ଜହ୍ନ ରାତି
ତୁମରି ହସରେ ଫୁଲ ଫୁଟିଯାଏ
ଓଠରୁ ଝରଇ ମହୁ…

ତୁମେ ହେମନ୍ତ ର ହଳଦୀ ପତ୍ରରେ
ପ୍ରୀତିର ଶିଶିର ବିନ୍ଦୁ
ଶୀତ ସକାଳର ସୋରିଷ ଫୁଲ ଗୋ
ମାଘେ ମନ ଛୁଆଁ ଇନ୍ଦୁ
ଫଗୁଣର ବାଆ ବହିଯାଏ ଯେବେ
କଣ୍ଠେ ତୋଳିଥାଏ କୁହୁ…

ଶ୍ରୀ ଲୋକନାଥ ନାୟକ (ଅଧ୍ୟାପକ, ଓଡ଼ିଆ ବିଭାଗ)
କବିସୂର୍ଯ୍ୟ ନଗର, ମହାବିଦ୍ୟାଳୟ, ଗଞ୍ଜାମ ।


If the contents are helpful to share them with your friends, Thanking You.