Tag Archives: #magic

ସିଂହ ସାଙ୍ଗ (The Lion friend)

ସିଂହ ସାଙ୍ଗ (Lion friend)
ସିଂହ ସାଙ୍ଗ (Lion friend)
ଗୋଟିଏ ଜଙ୍ଗଲ ରେ ହରିଣ ଆଉ ବଗ ରହୁଥିଲେ, ଦୁହେଁ ଭଲ ସାଙ୍ଗ ଥିଲେ । ଦିନେ ସକାଳୁ ସକାଳୁ ହରିଣ ଶୀଘ୍ର ଉଠି ବଗ ପାଖକୁ ଗଲା । ଦେଖିଲା ବଗ ଶୋଇ ରହିଛି । ବଗକୁ କହିଲା ଭାଇ ଉଠ !! ସକାଳ ହେଲାଣି ତମେ ଏ ପର୍ଯ୍ୟନ୍ତ ଶୋଇଛ । ଶୀଘ୍ର ଉଠ !! ବଗ କହିଲା ଆରେ ମୋତେ ଶୋଇବାକୁ ଦିଅ । ତମେ ଏକା ଚାଲିଯାଅ ମୁଁ ଯିବିନି । ହରିଣ ଏକୁଟିଆ ଘାସ ଖାଇବାକୁ ଚାଲିଗଲା ଆଉ ମଜାରେ ଘାସ ଖାଇଲା । ଗୋଟିଏ ପଡ଼ିଆରେ ଘାସ ଖାଉଥିବା ସମୟରେ ସିଂହ ହରିଣ କୁ ଲୁଚି ଦେଖୁଥାଏ କିନ୍ତୁ ସିଂହ ଥିଲା କିଛି ଦୂରରେ । ହରିଣ ଦେଖିବାକୁ ବହୁତ୍ ସୁନ୍ଦର ମନ ଭିତରେ ତାକୁ ମାରି ଖାଇବାକୁ ଈଛା ବଢିଲା । ହେଲେ ଖାଇବି କେମିତି ?? କିଛି ବାହାନା କରି ୟା ସାଙ୍ଗରେ ବନ୍ଧୁତା କରିବାକୁ ପଡ଼ିବ ।ସେ ସଙ୍ଗେ ସଙ୍ଗେ ତଳେ ଗଡି ବାହାନା କରି କାନ୍ଦିଲା । ଏପଟେ ହରିଣ ସିଂହ ର କାନ୍ଦ ଶଦ୍ଦ ଶୁଣି ଦେଖିବାକୁ ଆସିଲା । ହରିଣ କିଛି ଦୂରରେ ରହି ସିଂହ କୁ ଚାହିଁ ରହିଲା ସେ ଭାବିଲା ସିଂହ କୁ କିଛି ଭରସା ନାହିଁ ସେ ବାହାନା ମଧ୍ୟ କରୁ ଥାଇ ପାରେ । ମାତ୍ର ହରିଣ ଥିଲା ଦୟାଳୁ । ଶେଷରେ ହରିଣ ସିଂହ ପାଖକୁ ଆସିଲା ଏବଂ ସିଂହ କୁ ପଚାରିଲା କଣ ହେଲା ମହାରାଜ ?? ସିଂହ କହିଲା, ହରିଣ ଭାଇ ଏବେ କିଛି ଦିନ ପୂର୍ବରୁ ମୋର ସ୍ତ୍ରି ଚାଲିଗଲା ପରେ ମୁଁ ପୁରା ଏକା ହୋଇଯାଇଛି । ସାରା ଜଙ୍ଗଲ ରେ ମୋର କିଏ ବି ସାଙ୍ଗ ନାହାନ୍ତି ମୋ ସାଙ୍ଗରେ କିଏ ଦୁଃଖ ସୁଖ ମଧ୍ୟ ହେଉ ନାହାନ୍ତି, ମୁଁ ପୁରା ଏକୁଟିଆ । କଣ ତମେ ମୋର ସାଙ୍ଗ ହେବ ??? ହରିଣ କହିଲା ସିଂହ କେବେ ହରିଣ ର ସାଙ୍ଗ ହୋଇ ପାରେନା । ହରିଣ ମନେ ମନେ ଭାବିଲା ଏବଂ ପୁଣି ଭାବୁଥାଏ ସତ ହୋଇଥିବ ସେ ଏକା ଅନୁଭବ କରୁଥିବ । ସିଂହ ପୁଣି କାନ୍ଦିବାକୁ ଲାଗିଲା ଏବଂ କହିଲା ମୁଁ ସବୁବେଳେ ଅନାଥ ଅନୁଭବ କରୁଛି । ହରିଣ ସିଂହ ର ଦୁଃଖ ଦେଖି କହିଲା ମୁଁ ତମ ସାଙ୍ଗରେ ସାଙ୍ଗ ହେବି କିନ୍ତୁ ଗୋଟିଏ ସର୍ତ୍ତରେ, ମୋ ବନ୍ଧୁ ଠାରୁ ପ୍ରଥମେ ଅନୁମତି ନେବା ପରେ ମୁଁ ତମ ସାଙ୍ଗରେ ସାଙ୍ଗ ହେବି। ହରିଣ କହିଲା ଚାଲ ମୋ ପ୍ରିୟ ସାଙ୍ଗ ପାଖକୁ। ଶାନ୍ତ ସରଳ ହରିଣ ଚାଲାକି ସିଂହ ର କଥା ବୁଝିପାରିଲା ନାହିଁ । ସେ ତା ସାଙ୍ଗ ବଗ ସହ ଭେଟ କରେଇଲା । ହରିଣ ବଗକୁ କହିଲା ସାଙ୍ଗ ଦେଖ ଦେଖ କିଏ ଆସିଛନ୍ତି । ବଗ ଦେଖି ଚମକି ପଡ଼ିଲା । ଏ ହେଉଛି ସିଂହ । ହରିଣ କହିଲା ମୋତେ ପଡ଼ିଆରେ ଦେଖା ହେଲେ ସେ ଏକୁଟିଆ ଅନୁଭବ କରୁ ଥିଲେ ଏବଂ ମୋ ସହ ସାଙ୍ଗ ହେବାକୁ ଚାହିଁଲେ । ବଗ ଭାବିଲା ସିଂହ ସାଙ୍ଗରେ ପୁଣି ସାଙ୍ଗ !! ବଗ କହିଲା ତମେ ଅଜଣା ପଶୁ ସହ କେମିତି ବନ୍ଧୁତା କରିନେଲ । ସିଂହ କହିଲା ନାହିଁ ନାହିଁ ବଗ ଭାଇ ମୁଁ ସତରେ ପୁରା ଏକୁଟିଆ ତମେ ଦୁଇଜଣଙ୍କ ବନ୍ଧୁତା ଅତି ନିବିଡ ଏବଂ ତୁମ ସାଙ୍ଗରେ ମୁଁ ମଧ୍ୟ ବନ୍ଧୁ ହୋଇ ରହିବାକୁ ଚାହୁଁଛି । ହରିଣ କହିଲା ବଗ ଭାଇ ମୁଁ ୟାଙ୍କ ସହ ସବୁ କଥା ହେଇ ସାରିଛି ୟାଙ୍କ ଉପରେ ଭରସା କରିପାରିବା । ବଗ ହରିଣ କୁ ସାଇଡ କୁ ଡାକି କହିଲ। ଯଦି ତମେ କହୁଛ ମୁଁ ମାନି ନେଉଛି, ତଥାପି ତମେ ଟିକେ ସମ୍ଭାଳି କି ରହିବ ।
କିଛି ଦିନ ଗଲା ପରେ ଦିନେ ସିଂହ ହରିଣ କୁ ଘାସ ର ଲୋଭରେ ପୂର୍ବ ଦିଗରେ ଥିବା ଗୋଟିଏ ମକା କ୍ଷେତକୁ ନେଇଯାଏ । ସେଠୀ ଗଲା ପରେ ହରିଣ କହିଲା, ଆରେ ବାଃ ଏଠି ତ ବହୁତ ଗୁଡିଏ ଫସଲ ହେଇଛି । ସିଂହ କହିଲା ହଁ ଆଜି ତମେ ମନ ଭରିକି ଖାଅ, ଆଜି ତମ ପାଇଁ ଗୋଟେ ଭୋଜି । ପେଟ ପୂରିଲା ପରେ ହରିଣ ଚାଲିଗଲା । ହରିଣ ବଗ କୁ ଆସି ସବୁ କହିଲା । ତାର କିଛି ସମୟ ପରେ ରେ ଜମି ମାଲିକ ଆସି ଦେଖିଲା ଯେ ଫସଲ ନଷ୍ଟ ହୋଇଛି । ସେ ଭାବିଲା ଏଇଟା ନିଶ୍ଚୟ ହରିଣ ର କାମ । ମୁଁ ତାକୁ ନିଶ୍ଚୟ ମାରିବି । ତାକୁ ମାରିବା ପାଇଁ ଜାଲ ବିଛେଇ ଦେଲା ଏବଂ କିଛି ଦୂରରେ ଗୋଟିଏ ଗାତ ଖୋଳି ତା ଉପରେ ମକା ଘାସ ବିଛେଇ ରଖିଦେଲା । ତା ପର ଦିନ ସକାଳୁ ହରିଣ ଏବଂ ସିଂହ ପୁଣି ଆସିଲେ ଫସଲ ଖାଇବା ପାଈଁ। ଆଗରେ ହରିଣ ପଛରେ ସିଂହ ଆସୁଥାଏ ଗାତ କରିଥିବା ସ୍ଥାନ ରେ ହରିଣ ଚାଲି ଚାଲି ଗଲା କିନ୍ତୁ ହରିଣ ଓଜନ କମ୍ ଯୋଗୁ ସେ ଗାତ ଭିତରେ ନ ଖସି ଆଗକୁ ଚାଲିଗଲା ମାତ୍ର ସେ ଜାଲରେ ଫସିଗଲା I ହରିଣ ଜାଲରେ ଫସିବା ପରେ ସିଂହ କୁ ଡାକିଲା ଏବଂ ବଞ୍ଚାଓ ବଞ୍ଚାଓ ଚିତ୍କାର କଲା । ସେଠୀ ସିଂହ ଖୁସି ହୋଇ କହିଲା ମୁଁ ଏହି ଦିନକୁ ଅପେକ୍ଷା କରିଥିଲି ଆଜି ମୁଁ ତୋର ମାଂସ ଖାଇବି। ହରିଣ ଡରିଗଲା। ହରିଣ ନେହୁରା ହୋଇ କହିଲା ତମେ ମୋର ସାଙ୍ଗ ଏବଂ ସାଙ୍ଗ କୁ ଧୋକା ଦେବା ଅନୁଚିତ୍ । ସିଂହ କହିଲା ମୋର ଗୋଟିଏ ଲକ୍ଷ କେବଳ ତୋର ମାଂସ । ସାଙ୍ଗ ହୋଇଥିଲି କେବଳ ତୋତେ ଖାଇବା ପାଇଁ । ହରିଣ ନିରୁପାୟ। ବଗ କଥା ମନେ ପକେଇ ଡାକିବାକୁ ଲାଗିଲା କିନ୍ତୁ ସେ ବହୁତ୍ ଦୂରରେ ଥିଲା। ଠିକ୍ ସେତିକିବେଳେ ବଗ ଶୋଇ ଉଠି ଦେଖିଲା ହରିଣ ନାହିଁ ଏବଂ ସେ ଭାବିଲା ପ୍ରକୃତରେ କୋଉ କ୍ଷେତ କଥା କହୁଥିଲା ଭାବି ଦେଖିବାକୁ ବାହାରିଲା। ଏପଟେ ସିଂହ ହସି ହସି ଧିରେ ଧିରେ ପାଦ ଆଗକୁ ବଢେଇ ହରିଣ ପାଖକୁ ଗଲା ସମୟରେ ସିଧା ଯାଇ ପଡ଼ିଲା ଗାତ ଭିତରେ ଏବଂ ସିଂହ ଗର୍ଜନ କରିବାକୁ ଲାଗିଲା । ସିଂହ ଭାବୁଥିଲା ମୁଁ ଆଜି ୟାର ମାଂସ ଖାଇବି ଏବଂ ସେ ନିଜେ ଗାତରେ ପଡ଼ିଗଲା। ସିଂହ ର ଗର୍ଜନ ଜମି ମାଲିକ ଶୁଣିଲା । ସେତେବେଳେ ବଗ ଆସି ପହଞ୍ଚିଛି ସେଠୀ ହରିଣ ଜାଲ ରେ ପଡ଼ି ଛଟପଟ ହେଉଛି ଏପଟେ ସିଂହ ପଡ଼ିଛି ଗାତରେ।  ସେ କିଛି ବୁଝି ନ ପାରି ହରିଣ ପାଖକୁ ଗଲା । ହରିଣ ସବୁ ସତ କଥା କହିଲା।  କିନ୍ତୁ ବଗ ଏକା ସେ ଅବା କଣ କରିବ । ହଠାତ୍ ତାର ମନେ ପଡ଼ିଲା ତାର ମୂଷିକ ବନ୍ଧୁ ସେଠୀ କିଛି ଦୂର ଜମିରେ ରହୁଥାଏ। ସେ ଦଉଡ଼ି ଯାଇ ମୂଷିକ କୁ ନିଜ ପିଠିରେ ବସେଇ ଆଣିଲା।  ବଗ ଆସିବା ଭିତରେ ଜମି ମାଲିକ ଆସିବାର ବଗ ଦେଖିଦେଲା ସେ ଭାବିଲା ଆଜି ମୋ ସାଙ୍ଗ ର ଜୀବନ ବଞ୍ଚେଇ ପାରିବି ନାହିଁ । ସେ ମୂଷିକ କୁ କହିଲା ଭାଇ ଯେତେ ଶୀଘ୍ର ପାରୂଛ ଏହି ଜାଲ କୁ କାଟି ମୋ ସାଙ୍ଗକୁ ଉଦ୍ଧାର କର ।  ମାତ୍ର ଭାଗ୍ୟ ଭଲ ଯେ ମାଲିକ ଜମି ପାଖକୁ ଆସିବା ପୂର୍ବରୁ ମୂଷା ତାର ଦାନ୍ତରେ ଜାଲ କୁ କାଟି ହରିଣ କୁ ଉଧାର କରି ସେହି ସ୍ଥାନରୁ ଦୌଡ଼ି ପଳେଇଲେ। ଜମି ମାଲିକ ସିଂହ କୁ ଦେଖି ଚମକି ପଡ଼ିଲା ସେ ଗାତ ଭିତରେ କଣ୍ଟା ଏବଂ କାଠକୁ ଧାରୁଆ ଧାରୁଆ କରି ରଖିଥିଲା।  ସିଂହ ସେଥିରେ ଆଘାତ ହୋଇ ପଡ଼ି ଚିତ୍କାର କରୁଥାଏ । ଦେହ ସାରା ଖଣ୍ଡିଆ ଖାବରା ହୋଇଯାଇଥିଲା । ଜମି ମାଲିକ ବନ ବିଭାଗ କୁ ଖବର ଦେବା ପରେ ବନବିଭାଗ ଆସି ସିଂହ କୁ ଚିଡ଼ିଆ ଘର କୁ ନେଇଗଲେ । 
 ହରିଣ ବଗ କୁ କ୍ଷମା ମାଗିଲା କହିଲା ତମେ ଠିକ୍ କହୁଥିଲ । ବଗ କହିଲା ନୂଆ ବନ୍ଧୁ ଯୋଡିବା ପୂର୍ବରୁ ତା ବିଷୟରେ ପ୍ରଥମେ ଜାଣିବା ଦରକାର । ଯଦି ଜାଣିପାରୁନ ତେବେ ତାକୁ ପ୍ରଥମେ ପରୀକ୍ଷା କର।  କାରଣ ନିଜ ଲାଳସା ମନୋଭାବ ନେଇ ପ୍ରାୟତଃ ବନ୍ଧୁ ବାନ୍ଧିବାକୁ ଆସି ଯାଆନ୍ତି । ତାପରେ ହରିଣ ମୂଷା କୁ ମଧ୍ୟ ଧନ୍ୟବାଦ ଦେଲା । ପରେ ଦୁହେଁ ଜଙ୍ଗଲ କୁ ଫେରିଲେ । 
ଏଥିରୁ କଣ ଶିଖିଲ ?
୧. ଆଖି ବନ୍ଦ କରି ବିଶ୍ୱାସ କରିବା ଅନୁଚିତ୍ ।
୨. ଉତ୍ତମ ବନ୍ଧୁ ର ଉପଦେଶ ନେବା ଦରକାର । 
୩. ଅସୁବିଧା ସମୟରେ ବାହୁ ବଳ ଅପେକ୍ଷା ନିଜ ବୁଦ୍ଧି ବଳରେ ଗଡ ଜିତିବା ଅତି ସହଜ ହୋଇଥାଏ । 
By. RUBI NAHAK (Writer)
Buguda, Ganjam.      

ଯାଦୁ ଗଛ (Magic Tree)

ଯାଦୁ ଗଛ (Magic Tree)
ଯାଦୁ ଗଛ (Magic Tree)
ରାମନଗର ଗୋଟିଏ ଗ୍ରାମ ଥିଲା । ସେ ଗ୍ରାମରେ ଦାମ ବାସ କରୁଥିଲା । ଦାମ ର ବାପା ବହୁତ ଦିନ ପୂର୍ବେ ଚାଲିଯାଇଥିଲେ । ଦାମ ଏକା ହିଁ ତା ମା ର ଆଶା ବାଡି ଥିଲା ଆଉ ବହୁତ ପରିଶ୍ରମୀ ମଧ୍ୟ ଥିଲା । ଦିନେ ଦାମ ର ମା ଙ୍କ ଦେହ ବହୁତ ଖରାପ ହେଇଗଲା, ମା ର ଦେହ ଖରାପ ହେଇଯିବା ଦେଖି ଦାମ ବହୁତ ଚିନ୍ତିତ ହେଇଗଲା । ଡାକ୍ତର ଙ୍କୁ ଘରକୁ ଡାକିଲା । ଡାକ୍ତର ଦାମ କୁ କହିଲେ ମା ର ଯତ୍ନ ତଥା ଭଲ ଖାଦ୍ୟ ଖାଇବାକୁ ଦେବ ଆଉ ଠିକ ସମୟରେ ମେଡ଼ିସିନ ଦେଲେ ବହୁତ ଶୀଘ୍ର ଠିକ୍ ହେଇଯିବେ, ଚିନ୍ତା କରନି । ଦାମ ଚିନ୍ତା ରେ ପଡିଗଲା ଔଷଧ ଆଉ ଭଲ ଖାଦ୍ୟ ପାଇଁ ଟଙ୍କା ଦରକାର ହେଲେ ଟଙ୍କା କୋଉଠୁ ଆଣିବ । ଦୁଃଖ ରେ କୋଉଠି କାମ ଖୋଜିବା କୁ ବାହାରି ଗଲା । ବହୁତ ବୁଲିଲା ଆଉ ଲୋକଙ୍କୁ ପଚାରି ବୁଲିଲା । ବୁଲି ବୁଲି ଗୋଟିଏ ସାହୁକାର ମିଳିଗଲା । ସାହୁକାର ଙ୍କୁ ପଚାରିଲା ବହୁତ ବୁଲିଲି କୋଉଠି କାମ ମିଳିଲାନି ସମସ୍ତେ ଆପଣଙ୍କ ଠିକଣା କହିଲେ । ମୋ ମା ଙ୍କ ଦେହ ବହୁତ ଖରାପ ଔଷଧ ପାଈଁ ବହୁତ ଟଙ୍କା ଦରକାର । ଆପଣଙ୍କ ପାଖରେ ଯଦି କୌଣସି କାମ ମିଳିଯାଇଥାନ୍ତା ତାହେଲେ ଭଲ ହେଇଥାନ୍ତା । ଦାମ ର କଥା ଶୁଣି ସାହୁକାର ଜଣକ ଯଥା ଶୀଘ୍ର କାମ ଦେଇଦେଲେ । ଦିନ ସାରା ଦାମ ସାହୁକାର ପାଖରେ କାମ କରୁଥିଲା ଆଉ ସନ୍ଧ୍ୟାରେ ମା ଙ୍କ ପାଇଁ ଔଷଧ ଆଉ ଖାଇବା ନେଇ ଆସୁଥିଲା ଆଉ ମା ଙ୍କର ସେବା ଯତ୍ନ କରୁଥିଲା । ଏମିତି ଦିନ ପରେ ଦିନ ବିତି ଚାଲିଲା । ଦିନେ ଦାମ କାମରେ ଲେଟ ରେ ପହଂଚିଲା ସାହୁକାର ବାହାନା ବନେଇ ଦାମ କୁ କାମ ରୁ ବାହାର କରିଦେଲା ଆଉ ଟଙ୍କା ବି ଦେଲାନି । ବହୁତ କ୍ଷମା ବି ମାଗିଲା ସାହୁକାର ଜମା ବି ଶୁଣିଲାନି । ଶେଷରେ ଦାମ ମନ ଦୁଃଖ ରେ ସେଠୁ ଚାଲିଆସିଲା । ରାସ୍ତା ରେ ଆସୁ ଆସୁ ବହୁତ ଖରା ହେଲା ସେ ଗୋଟିଏ ବଡ଼ ବର ଗଛ ଦେଖିଲା । ସେ ବର ଗଛ ଛାଇରେ ବସିଲା ଆଉ ଭୋ ଭୋ ହେଇ କାନ୍ଦିବାକୁ ଲାଗିଲା । ସେ ବର ଗଛ ଛାଇରେ ବୁଢ଼ୀ ଆଇ ଟିଏ ବସିଥିଲା । ଦାମ କୁ କାନ୍ଦିବାର ଦେଖି ଦାମ ପାଖକୁ ଆସିଲା ଆଉ କହିଲା ଆରେ ପୁଅ କଣ ହେଲା କାହିଁକି କାନ୍ଦୁଛୁ ତୁ । ବୁଢ଼ୀ ଆଇ କୁ ଦାମ ସବୁ କଥା କହିଲା । ସେ ବୁଢ଼ୀ ଆଇ କହିଲା ଆରେ ପୁଅ ମୁଁ ତ ତୋତେ ବେଶୀ ଟଙ୍କା ସାହାଯ୍ୟ କରିପାରିବି ନାହିଁ କାରଣ ମୁଁ ଅନ୍ୟ ଲୋକଙ୍କ ଟଙ୍କାରେ ଚଳେ କିନ୍ତୁ ମୋ ପାଖରେ କଛି ଟଙ୍କା ଅଛି ଏବଂ ଏଇ ଟଙ୍କା ରଖ ତୋର କିଛି କାମରେ ଆସିପାରେ ବାକି ତୁ ଯୋଗାଡ କର। । ବୁଢ଼ୀ ଆଇ ର ଦୟା ଦେଖି ଦାମ ବହୁତ ଖୁସି ହେଇଗଲା ଆଉ କହିଲା ମୁଁ ବହୁତ ପରିଶ୍ରମ କରିବି ଆଉ ଏ ଟଙ୍କା ବହୁତ ଶୀଘ୍ର ଫେରେଇ ଦେବୀ । ବୁଢ଼ୀ ଆଇ ଦାମ ର ମନୋବଳ ଦୃଢ଼ ଦେଖି ଖୁସି ହେଇଗଲେ ଆଉ ତାକୁ ଆଶୀର୍ବାଦ ଦେଲେ । ସେ ଟଙ୍କା ରେ ଦାମ ତା ମା ପାଇଁ ଔଷଧ କିଣିଲା ଆଉ ବାକି ଟଙ୍କା ରୁ କିଛି ଖାଇବା ଖର୍ଚ୍ଚ ରଖି ଆଉ କିଛି ଟଙ୍କା ଦୋକାନରୁ ପନିପରିବା ଫଳ ମଞ୍ଜି କିଣିନେଲା । ନିଜ ଘର ବାହାରେ କିଛି ଜମି ଥିଲା ସେହି ଜମିରେ ମଞ୍ଜି ବୁଣିଦେଲା । ପ୍ରତିଦିନ ସକାଳେ ପାଣି ଦେବାକୁ ଲାଗିଲା ଆଉ ତା ସହିତ କାମକୁ ବି ଗଲା ଆଉ ବହୁତ ପରିଶ୍ରମ କରିବା କୁ ଲାଗିଲା । ଦେଖୁ ଦେଖୁ ସେ ଗଛରେ ଫଳ ହେବାକୁ ଲାଗିଲା ଏବଂ ସେ ଫଳ କୁ ବଜାରରେ ବିକ୍ରି କରିଲା ।ଆଉ ଯେତିକି ଲାଭ ମିଳିଲା ସେତିକି ରେ ଜମି କିଣିନେଲା ଏବଂ ସେଥିରେ ପୁଣି ପନିପରିବା ଫଳ ମଞ୍ଜି ଲଗେଇଲା । ଏମିତି ଦିନ ପରେ ଦିନ ବିତି ଚାଲିଲା ଆଉ ବେପାର ବି ବଢ଼ି ଚାଲିଲା । ଦାମ ର ମା ଭଲ ଚିକିତ୍ସା ଆଉ ସେବା ଯତ୍ନ ପାଇଁ ଠିକ୍ ହୋଇଗଲେ । ଆଉ ସବୁକିଛି ଠିକ୍ ଭାବେ ଚାଲିବାକୁ ଲାଗିଲା । ଦିନେ ତାଙ୍କ ପଡ଼ୋଶୀ ଘର ସ୍ତ୍ରୀ ଲୋକ ଦାମ ର ମା ଙ୍କ ଠାରୁ ଚାଉଳ ମାଗି କହିଲା ମାଉସୀ ମୋତେ ଚାଉଳ ଅଳ୍ପ ଦେବ ମୁଁ ତମ କୁ ଦୁଇ ତିନି ଦିନ ମଧ୍ୟରେ ଫେରେଇ ଦେବି । ମାଉସୀ କହିଲେ ହଉ ଠିକ୍ ଅଛି ଭିତରକୁ ଆସ ନିଅ ଏବଂ ଫେରେଇବା ର କିଛି ଆବଶ୍ୟକ ନାହିଁ । ସେ ଭିତରକୁ ଯେମିତି ଗଲା ଦେଖିଲା ସବୁ ଦାମୀ ଦାମୀ ଜିନିଷ ଦାମ ଘରେ ଅଛି । ଘରକୁ ଫେରି ତା ସ୍ବାମୀ କୁ ସବୁକିଛି କହିଲା ଏବଂ ସ୍ବାମୀ କୁ ଗାଳି କରି କହିଲା ତମେ କୋଉ କାମକୁ ନୁହଁ । ଦାମ ଆମ ଠାରୁ କେତେ ଗରିବ ଥିଲେ ଯେ ଏବେ ଦେଖ ସେମାନେ ରାଜା ଭଳି ରହୁଛନ୍ତି । ଆଉ ତୁମେ ସବୁ ଟଙ୍କା ଜୁଆ ଖେଳରେ ସାରିଦଉଛ ତମେ ଯଦି ଭଲ ରାସ୍ତା ବାଛିବ ନାହିଁ ତେବେ ମୁଁ ଏଠୁ ଚାଲିଯିବି ।
ସ୍ୱାମୀ ରାଗ ତମ ତମ ହୋଇ ସେଠୁ ଉଠି ଚାଲିଗଲା ଆଉ ଯେମିତି ରାତି ହେଲା ସେ ଲୁଚି ଲୁଚି ଯାଇ ଦାମ ର ସବୁ ଗଛ ଉପାଡ଼ି ଦେଲା ତାପରେ ନିଜ ଘର ଆଡ଼କୁ ଦୌଡ଼ି ଆସିଗଲା। ଦାମ ଶବ୍ଦ ଶୁଣି ଉଠିକି ଯାଇ ଦେଖିଲା ବେଳକୁ ସବୁ ଗଛ ନଷ୍ଟ ହେଇଯାଇଛି । ଗଛ ସବୁ ନଷ୍ଟ ହେବା ର ଦେଖି ମନ ଭାଙ୍ଗିଗଲା ଆଉ ସେ କାନ୍ଦିବାକୁ ଲାଗିଲା । ସେତେବେଳେ ଗୋଟିଏ ପରି ସେହି ଜାଗାରେ ବୁଲୁଥିଲା । ଦାମ କୁ ଦେଖି ତା ପାଖକୁ ଆସି ପଚାରିଲା କଣ ହେଲା ? ଦାମ କହିଲା ମୋର ସବୁ ଗଛ କିଏ ଜଣେ ନଷ୍ଟ କରିଦେଇଛି । ବହୁତ ବର୍ଷ ରୁ ଛୋଟ ଛୋଟ ଜମି କିଣି ମଞ୍ଜି ବୁଣିଥିଲି ସବୁବେଳେ ଦେଖାରଖା କରୁଥିଲି କିନ୍ତୁ ସବୁ ସରିଗଲା । ମୁଁ କେବେ କାହାର କିଛି କ୍ଷତି କରିନି ମୋର ଏମିତି କାହିଁକି ହେଲା । ପରି କହିଲା ମୁଁ ଜାଣିଛି ତୁ କେବେ କାହାର କ୍ଷତି କରିନୁ, ତୁ ପରିଶ୍ରମ କରି ନିଜ ମା ଙ୍କ ସେବା ଯତ୍ନ କରିଛୁ ଆଉ ତାଙ୍କର ବହୁତ ଭଲ ଭାବେ ଯତ୍ନ ନେଲୁ । ତୋ ଭଳି ଦୟାଳୁ ପିଲା କୋଉଠି ଦେଖିନି ।ପରି ଗୋଟିଏ ଚକ୍ ଚକ୍ କରୁଥିବା ମଞ୍ଜି ଦେଇ କହିଲା ଏ ସାଧାରଣ ମଞ୍ଜି ନୁହେଁ । ଏଇ ମଞ୍ଜି କୁ ବୁଣିବା ଦ୍ବାରା ଗୋଟିଏ ଛୋଟ ଯାଦୁ ଗଛ ହେବ ଯାହା କି ତୋର ସବୁ ମନସ୍କାମନା ପୂରଣ କରିଦେବ । ଦାମ ମଞ୍ଜି କୁ ନେଇ ଜମିରେ ଲଗେଇଲା ସେଥିରେ ପାଣି ଦେଲା ସେଥିରୁ ଗୋଟିଏ ସୁନ୍ଦର ଗଛଟିଏ ହେଲା । ତାପରେ ସେ ଗଛ କୁ ଯାହା ବି କିଛି ମାଗିଲା ସବୁ ମିଳିଲା । ଦାମ ର ପଡ଼ୋଶୀ ଲୁଚି ସବୁକିଛି ଦେଖୁଥିଲା । ସେ ଘରକୁ ଚାଲିଗଲା ଏବଂ ମନେ ମନେ ଭାବିଲା ଯାଦୁ ଗଛଟିକୁ ଚୋରି କରିବାକୁ ପଡ଼ିବ । ଦିନେ ଦାମ ତା ମା କୁ ସହର କୁ ବୁଲେଇବା ଲାଗି ନେଇ ଯାଇଥାଏ। ସେତିକି ବେଳେ ତା ପଡ଼ୋଶୀ ସେଠାରୁ ଯାଦୁ ଗଛଟିକୁ ଉପାଡ଼ି ନେଇଗଲା ଏବଂ ନିଜ ଘର ଅଲମିରା ରେ ରଖିଦେଲା । ଦାମ ଫେରିବା ପରେ ଦେଖିଲା ଯେ ସେ ଗଛ ସେଠି ଆଉ ନାହିଁ । ସେ ବହୁତ ଦୁଃଖୀ ହେଇଗଲା ସେ ନିଜକୁ ବହୁତ୍ ଖରାପ୍ ମନେ କରି ଅନ୍ୟମନସ୍କ ହୋଇ ମନ ଦୁଃଖରେ ଜଙ୍ଗଲ ରାସ୍ତା ଆଡ଼କୁ ଯାଉଥାଏ । ବହୁତ ଦୂର ଗଲାପରେ ରାସ୍ତାରେ ସେ ବୁଢ଼ୀ ଆଇ ଜଣକ ଦେଖାହେଲା । ଦାମ ବୁଢ଼ୀ ଆଇ କୁ ଦେଖିଲା ପରେ ସେ ତାର ସବୁ ଦୁଃଖ ଭୁଲି ତା ସାଙ୍ଗରେ କଥା ହେଲା । ପ୍ୟାକେଟରେ ଥିବା ଟଙ୍କା କୁ ବାହାର କରି ବୁଢ଼ୀ ଆଇ କୁ ଦେଲା ଆଉ କହିଲା ତୁମ ଟଙ୍କା ନିଅ ତୁମକୁ ବହୁତ ଖୋଜିଲି ହେଲେ ପାଇ ନଥିଲି କିନ୍ତୁ ଆଜି ତମକୁ ଦେଖି ବହୁତ୍ ଖୁସି ଅନୁଭବ କରୁଛି । ଏଇ ନିଅ ଆପଣଙ୍କ ଟଙ୍କା। ଏବଂ ତମ କୁ ବହୁତ ବହୁତ୍ ଧନ୍ୟବାଦ ତମ ଆଶ୍ରିବାଦ ରୁ ମୁଁ ବହୁତ ଭଲରେ ଅଛି । ଏହା ଶୁଣି ବୁଢ଼ୀ ଆଇ ହସିଦେଲେ ଆଇ ହଠାତ୍ ପରି ରୂପରେ ପ୍ରକଟ ହେଇଗଲେ । ଦାମ ଆଶ୍ଚର୍ଯ୍ୟ ହେଇଗଲା । ପରି କହିଲା ତମେ ସବୁବେଳେ ସଚ୍ଚୋଟ ଏବଂ ପରିଶ୍ରମୀ ଅଟ । ମୁଁ ସବୁବେଳେ ତମ ପରି ଭଲ ଲୋକଙ୍କୁ ସାଧାରଣ ଲୋକ ରୂପରେ ଆସି ସାହାଯ୍ୟ କରେ । ହେଲେ ମୋତେ ଭେଟିବା ପୂର୍ବରୁ ଦୁଃଖି ଥିଲ, ସବୁ ଠିକ୍ ଅଛି ତ ? ଦାମ କହିଲା ତମେ ଦେଇଥିବା ଯାଦୁ ଗଛ କିଏ ଚୋରି କରି ନେଇଯାଇଛି । ପରି କହିଲା ଚିନ୍ତା କରନି ସେ ଗଛ କୁ ଯିଏ ଚୋରି କରି ନେଇଛି ସେ ସେଥିରୁ କିଛି ପାଇବ ନାହିଁ ଓଲଟା ତାର କ୍ଷତି ହେବ ଏବଂ ତୁ ଚିନ୍ତା କର ନାହିଁ ଚୋର ନିଜେ ଆସି ତୋ ଗୋଡ଼ ତଳେ ପଡି କ୍ଷମା ମାଗିବ। ଏ ଥିଲା ମୋର ଗୋଟିଏ ପରୀକ୍ଷା ସେଥିରେ ତୁ ପାସ୍ କରିଛୁ । ତୋର ପରିଶ୍ରମ ଏବଂ ମା କୁ ଯତ୍ନ କରିଥିବା ଯୋଗୁ ମୁଁ ତୋ ଉପରେ ବହୁତ ଖୁସି ଅଛି । ଆଜି ଠାରୁ ତୋର ଆଉ କିଛି ଅସୁବିଧା ହେବ ନାହିଁ। ଏତିକି କହି ପରି ଅଦୃଶ୍ୟ ହେଇଗଲା । ଦାମ ଘରକୁ ଚାଲିଗଲା । ଦାମ ର ପଡୋଶୀ ଲୁଚେଇ ଥିବା ଗଛ କୁ କିଛି ସମୟ ପରେ ଖୋଲି ଦେଖିଲା ବେଳକୁ ସେ ଗୋଟିଏ ଉଇ ହୁଙ୍କା ହୋଇ ତା ଚାରିପାଖେ ବହୁତ ସାପ ବେଙ୍ଗ ଥିଲେ ଏବଂ ସେହି ସାପ ମଧ୍ୟରୁ ଗୋଟିଏ ସାପ ତା ସ୍ତ୍ରୀ କୁ କାମୁଡି ଦେଲା । ସେ ସଙ୍ଗେ ସଙ୍ଗେ ବିଚଳିତ ହେଇ ଦାମ ଘରକୁ ଦୌଡ଼ିଲା । ଆଉ ତାକୁ ସବୁ ସତ କଥା କହିଲା ତା ପାଦ ତଳେ ପଡି କ୍ଷମା ମାଗିଲା । ଦାମ ତାର ଏ ଅବସ୍ଥା ଦେଖି ତାଙ୍କ ଘରକୁ ଗଲା ସେ ଉଇ ହୁଙ୍କା କୁ ଗୁହାରି କଲା ସବୁ ଠିକ କରିବା ପାଈଁ । ହଠାତ କୋଠରୀ ଆଲକିତ ହେଇଗଲା ସେଥିରୁ ବାହାରିଥବା ସାପ ବେଙ୍ଗ ସବୁ ଅଦୃଶ୍ୟ ହେଇଗଲେ। ଏବଂ କିଛି ସମୟ ପରେ ତା ସ୍ତ୍ରୀ ଠିକ୍ ହୋଇ ତାର ଚେତା ଆସିଗଲା । ଦାମ ର ପଡ଼ୋଶୀ ଦାମ କୁ କ୍ଷମା ମାଗିଲା ଏବଂ ସେ ଭୁଲ କରିଥିବା କଥା ମଧ୍ୟ କହିଲା । ଦାମ କୁ କହିଲା ଆଉ କେବେ ଆପଣଙ୍କୁ ହଇରାଣ କରିବି ନାହିଁ। ଆପଣ ଙ୍କୁ ଯେତେବେଳେ ଯାହା ସାହାଯ୍ୟ ଦରକାର ତାହା ସାହାଯ୍ୟ କରିବି। ଦାମ ମଧ୍ୟ ପଡୋଶୀ କୁ କ୍ଷମା କରିଦେଲା। ତା ପର ଠାରୁ ଦାମ ଫସଲ ଲଗେଇ ବେପାର କରି ଘର ଚଳାଉ ଥିଲା ଏବଂ ମା ସହିତ ଖୁସିରେ ରହିଲା ।
 
ଏଥିରୁ କଣ ଶିଖିଲ ?
୧. କେବେ କାହାର ଅନିଷ୍ଠ ଚିନ୍ତା କରିବା ଅନୁଚିତ୍।
୨. ଯିଏ ଅନିଷ୍ଠ କରେ ତାକୁ ଭଗଵାନ ଦଣ୍ଡ ଦିଅନ୍ତି ।
୩. ଅସୁବିଧା ସମୟରେ ଉଚିତ୍ ରାସ୍ତା ଖୋଜି ବାହାର କରିବା ଦରକାର ।
 
ଲେଖିକା. ରୁବି ନାହାକ
ବୁଗୁଡ଼ା, ଗଞ୍ଜାମ.