Tag Archives: #rubi_story

College Picnic (Part-1)


College Picnic (Part-1)
College Picnic (Part-1)



ରବିବାର ସକାଳୁ କଲେଜ୍ ପିକନିକ୍ ପାଇଁ ଆୟୋଜନ ହେଲା । ସେଦିନ ସକାଳୁ ବାପା ନିଜ ଧଡ଼ିଆ ସ୍କୁଟର ରେ ମୋତେ ଆଣି ବସ୍ ପାଖରେ ଛାଡି କହିଲେ । ତୋ ଦେହର ଯତ୍ନ ନେବୁ ଏଣୁ ତେଣୁ କିଛି ଜିନିଷ ଖାଇବୁ ନାହିଁ । ପାଣି ପୁରୀ ଯଦି ଖାଇବୁ ତେବେ କମ୍ ଖାଇବୁ । ମୋ ପାଖରେ କେବଳ ହଁ ଆଉ ନାହିଁ ଛଡ଼ା ଅନ୍ୟ କିଛି ଶବ୍ଦ ନଥିଲା । ସରିତା ଦଉଡ଼ି ଦଉଡି ଆସି ମୋତେ କୁଣ୍ଢେଇ ପକେଇ କହିଲା ଆବେ ଚଣ୍ଡୀ ତୁ କେତେବେଳେ ଆସିଲୁ । ମାଧବୀ ସରିତା କୁ ଠାର ରେ ମନା କରୁଥାଏ । ହଠାତ୍ ସରିତା ର ନଜର ବାପା ଉପରେ ପଡ଼ିଲା । ସେ ଏତେ ଚାଲାକ୍ ଯେ କଥା କହିବାରେ ଏକ ନମ୍ବର। ସଙ୍ଗେ ସଙ୍ଗେ ବାପାଙ୍କ ଗୋଡ ଛୁଇଁ ପ୍ରଣାମ କରି କହିଲା “ମଉସା ନମସ୍କାର” ଭଲ ହେଲା ତମେ ମାଧବୀ କୁ ନେଇ ଆସିଲ ସେ ଯଦି ଆସି ନଥାନ୍ତା ତେବେ ମୋର ଟୁର ଟା ବେକାର ଯାଆନ୍ତା।( ମୁଁ ପିକନିକ୍ ଯାଏ ବାପା ଙ୍କ ଟଙ୍କା ଟିଏ ମଧ୍ୟ ଇଛା ନଥିଲା, ବହୁତ୍ କଷ୍ଟ ରେ ବୁଝେଇ ଆସିଛି) ସରିତା ପୁଣି କହିଲା ମଉସା ତମେ ଯାଅ ଆମେ ଶୀଘ୍ର ବୁଲାବୁଲି କରି ଆସିଯିବୁ। ମୁଁ ବାପା ଙ୍କ ପାଦ ଛୁଇଁ ବସ୍ ରେ ଚଢ଼ିଲି।

ପାଞ୍ଚଟା ରେ ବସ ବାହାରିଲା। ପ୍ରାୟ ଦୁଇ ଘଣ୍ଟା ପରେ ଗାଡ଼ି ରହିଲା । ସାର୍ କହିଲେ “ପିଲାମାନେ ଜଳଖିଆ ଏବେ କରିବା ନା ଆଉ କିଛି ସମୟ ପରେ । କିନ୍ତୁ ବସ୍ ରେ ପ୍ରାୟ ପିଲା ନିଦରେ ଥିଲେ । ସାର୍ ଥରେ କହି ଚୁପ୍ ରହିଲେ । ଗାଡି ପୁଣି ଚାଲିଲା । ଦିନ ୯ ଟା ରେ ଗୋଟିଏ ଜଳଖିଆ ଷ୍ଟଲ୍ ପାଖରେ ଗାଡି ରହିଲା । ପୁରୀ ଉପମା ର ବାସ୍ନା ରେ ପେଟ ପୁରିଯାଉଥିଲା। ସମସ୍ତେ ମନ ଖୁସିରେ ଜଳଖିଆ କଲେ । ଆମ ଵସ୍ ପୂର୍ବରୁ ଅନ୍ୟ ଏକ ବସ୍ ର ପିଲାମାନେ ଜଳଖିଆ କରୁଥିଲେ। ହଠାତ୍ ଗୋଟିଏ ବାଳୁଙ୍ଗା ଆସି ମୋ ଗୋଡ଼ ଉପରେ ଗୋଡ଼ ରଖିଦେଲା। ଇଚ୍ଛା ହେଉଥିଲା ଗୋଟିଏ ଚାପୁଡା ଦେଇଥାନ୍ତି କିନ୍ତୁ ତାର ମୁହଁ ଆଉ “Sorry” “Sorry” ଶବ୍ଦ ରେ ମୁଁ ଟିକେ ତରଳି ଗଲି କିନ୍ତୁ ବହୁତ୍ ରାଗ ହେଉଥିଲା । ସେ ଜଳଖିଆ ସରିଯିବ ଭାବି ଷ୍ଟଲ୍ ଆଡ଼କୁ ମାଡ଼ି ଆସିଥିଲା। ମନେ ମନେ ଭାବିଲି । ତୁ ଆଜି ବଞ୍ଚିଗଲୁ ରେ ବାଳୁଙ୍ଗା କେବଳ ତୋ Handsome ଚେହେରା ଯୋଗୁଁ । ମନେ ମନେ ତାକୁ କ୍ଷମା ଦେଇ ଜଳଖିଆ କରି ଆସିଲି । ସମସ୍ତେ ଜଳଖିଆ ସାରି ବସ୍ ରେ ବସିଲେ । ଗାଡ଼ିରେ ଗୀତ ବାଜିଲା ସମସ୍ତେ ନାଚିବାକୁ ଲାଗିଲେ କିନ୍ତୁ ମୋତେ ଇଚ୍ଛା ଥିଲେ ମଧ୍ୟ ସିଟ ରେ ବସି ଦେଖି ହସୁଥାଏ । କିଛି ସମୟପରେ ଗୋଟିଏ ମନ୍ଦିର ଆସିଲା ସେଠି ବସ୍ ରହିଲା ସମସ୍ତେ ସେ ମନ୍ଦିର କୁ ଗଲେ । ସେ ମନ୍ଦିର ରେ ସୁନ୍ଦର ସୁନ୍ଦର ଗଛ ଏବଂ ଫୁଲ ଗଛ ଲାଗିଥିଲା। ମନ୍ଦିର ଭିତରର କାରୁକାର୍ଯ୍ୟ ବହୁତ୍ ସୁନ୍ଦର ଥିଲା । ମନ୍ଦିର ବାହାରେ ବୁଲି ବୁଲି ସମସ୍ତେ ଭିତରକୁ ଗଲେ । ମନ୍ଦିର ଭିତରେ ପୂଜା ଥାଳି ଦେଇ ମୁଣ୍ଡିଆ ମାରି ଉଠି ଦେଖିଲା ବେଳକୁ ସେ ବାଳୁଙ୍ଗା ମୋ ସାମ୍ନାରେ ଛିଡ଼ା ହୋଇଛି । “ଆୟୁଷ୍ମତି ଭଵଃ କହିଲା” ଏତିକି ଶୁଣି ଖୁସି ତ ଲାଗିଲା କିନ୍ତୁ ରାଗ ମଧ୍ୟ ଲାଗିଲା କାରଣ ସେ ମୋ ଆଗରେ ଆଶୀର୍ବାଦ ଦେଲା ଭଳି ଛିଡ଼ା ହୋଇଥିଲା । ପାଟି କରି କହିବାକୁ ଚେଷ୍ଟା କରିଲି କିନ୍ତୁ ସେ ବାଳୁଙ୍ଗା ମୋତେ କହିଲା ଧିରେ କୁହ ଏଠି ସମସ୍ତେ ଶୁଣିବେ । ମୁଁ ଶାନ୍ତ ହୋଇଗଲି । ପୂଜାରୀ ଠାରୁ ପୂଜା ଥାଳି ନେଇ ବାହାରକୁ ଆସିଲି । ସରିତା ପଚାରିଲା “କିଏ ଲୋ ୟେ” ତୋ ପଛେ ପଛେ ହେଉଛି । ଠିକ୍ ସେତିକିବେଳେ ସେ ବାଳୁଙ୍ଗା କହିଲା ମୁଁ ମାନସ ! କହି ଆଗକୁ ହାତ ବଢ଼ାଇଲା!! ଆଉ ତମ ନାମ ଟି ଜାଣିପାରେ କି? ରାଗରେ ମୁଁ କହିଲି, ମୁଁ ଅଚିହ୍ନା ଲୋକଙ୍କ ସହ ହାତ ମିଶାଏ ନାହିଁ । ଆଛା ହଉ ଠିକ ଅଛି, କିଛି କଥା ନାହିଁ, ତୁମ ନାମ ତ କହିପାରିବ ନା ? କାହିଁକି କହିବି?? ତାପରେ ତମର ପ୍ରୋବେଲମ କଣ କୁହ ? ଯୋଉଠି ଯାଉଛି ସେଠୀ ସ୍ପାଇଡର ମ୍ୟାନ ଭଳି ପହଞ୍ଚି ଯାଉଛ ? ସେ କହିଲା ଯାହା ହେଉ ମୋତେ ସ୍ପାଇଡର ମ୍ୟାନ ନାମ ଟା ତ ମିଳିଲା  । ସେ ବାଳୁଙ୍ଗା କହିଲା ପ୍ରକୃତରେ ତୁମେ ଭୁଲ ଭାବୁଛ । ଏଇଟା ହେଉଛି ଆମ ଦୁଇଜଣଙ୍କ ଭାଗ୍ୟ।  ଯୋଉଠି ତମ ବସ୍ ସେଠୀ ଆମ ବସ୍ ମୁଁ କଣ କରିବି ଯେ । ସରିତା କହିଲା ଚାଲ ଲୋ, ଟୋକା ମାନଙ୍କ ର କାମ ସେଇୟା । ସରିତା ଏବଂ ମୁଁ ସେଠୁ ଚାଲିଗଲୁ । ସେଠୁ ବୁଲା ବୁଲି ସାରି ବାହାରିଗଲୁ । ଅନ୍ୟ ଏକ ଜାଗା ବୁଲିବା ପାଇଁ। ମୋର ମୁହଁ ଟିକିଏ ଶୁଖିଯାଇଥିଲା। ସାଙ୍ଗମାନେ ମୋତେ ଦେଖି ପଚାରିଲେ ଆରେ ମାଧବୀ କଣ ହେଲା ତୋର ମୁହଁ ଶୁଖିକି ଲେମ୍ବୁ ଭଳି ହେଇଯାଇଛି । ସାଙ୍ଗମାନଙ୍କ କଥା ଶୁଣି ମୁଁ ମୁରୁକି ହସିଦେଲି ଆଉ କହିଲି ନାହିଁ କିଛି ନାହିଁ ଛାଡ଼ ସେ କଥା । ହଉ ଆସେ ଟିକିଏ ନାଚିବୁ ଆସେ । ଇଚ୍ଛା ନଥିଲା, କହିଲି,  ତୁମେମାନେ ସବୁ ନାଚ ମୁଁ ଦେଖିବି । ସରିତା କହିଲା ମାଧବୀ ତୁ ବହୁତ ଚାଲାକ ନୁହଁ??  ବସିକି ହିଁ ଦେଖିବୁ,  ଆସେ ତୁ ବି ଆସେ (ହାତ ଧରି ଟାଣିଲେ) ନାଚିବୁ । ମୋ ସହ ସବୁ ସାଙ୍ଗ ନାଚିବାକୁ ଲାଗିଲେ ବହୁତ ମଜା ମସ୍ତି କରି କିଛି ସମୟପରେ ଗୋଟିଏ ନଦୀ କୂଳ ଦେଖି ବସ୍ ରହିଲା । ସେଠୀ ରୋଷେଇ କରିବା ପାଇଁ ଆୟୋଜନ ହେଲା। ସେଠି ରାନ୍ଧୁଣିଆ ରୋଷେଇ କରିଲା।  ବାକି ସାଙ୍ଗମାନେ କିଏ ଚାଟିଙ୍ଗ ରେ ତ କିଏ ଫେସବୁକ୍ ରେ ଖେଳିବାକୁ ଲାଗିଲେ ତ କିଏ ମୋବାଇଲେ ଭିଡିଓ କଲ୍ ରେ ବ୍ୟସ୍ତ  କିନ୍ତୁ ମୁଁ ପେପର ପଢିବାରେ ବ୍ୟସ୍ତ । କିଛି ଦୂରରେ ମାନସ ଯୋଉ ବସ୍ ରେ ଆସିଛି, ସେଇ ବସ୍ ବି ସେଠି ରହିଲା। ସେ ବସ୍ ରେ ଥିବା ପିଲାମାନେ ସେଠୀ ରୋଷେଇ କରିବା ପାଈଁ ଲାଗିଲେ । ମାନସ ସାଙ୍ଗମାନଙ୍କ ସହ ବୁଲାବୁଲି କରିବା ବେଳେ ତା ନଜର ମୋ ଉପରେ ପଡିଗଲା ଆଉ ଖୁସିରେ ମୋ ପାଖରେ ହାଜର । ସାଙ୍ଗମାନକୁ ସେଠି କଣ ଫୁସୁରୁ ଫାସର୍ ହୋଇ ସେଠୁ ଚାଲିଆସିଲା । ମୁଁ ବସିଥିବା ଜାଗାରେ ପଛପଟୁ ଆସି କହିଲା ହାଏ.. । ମୁଁ ଅଳ୍ପ ଡରିଯାଇ ଉଠିଲି, ଦେଖିଲି ମାନସ । ଆଛା ତୁମେ ମୋ ପଛେ ପଛେ, ଏଠି ବି ଆସିଗଲଣି । ରାଗରେ ପଚାରିଲି କଣ ଚାହୁଁଛ କହିଲ ? କାହିଁକି ମୋ ପଛରେ ପଛରେ ଆସୁଛ କହିଲ । ମୋତେ ଯେମିତି ଝିଅ ଭାବୁଛ ନା ମୁଁ ସେମିତିକା ଝିଅ ନୁହଁ ବୁଝିଲ ? ବହୁତ କଥା କହିଗଲି । ମାନସ ଚୁପ୍ ହୋଇ ଶୁଣୁଥାଏ ଆଉ ମୁରୁକି ହସୁଥାଏ । କଣ ମାଡ଼ମ ତୁମର ସରିଲା ତ ମୋତେ ବି ଟିକିଏ କହିବାକୁ ଦେବ କି । ମୁଁ କହିଲି କଣ କହିବ ତୁମେ କିଛି କହିବା ଦରକାର ନାହିଁ । ଏତିକି କହି ସେଠୁ ମୁଁ ଚାଲି ଆସିଲା ବେଳେ ମାନସ ମୋର ହାତ ଟିକୁ ଧରିନେଲା । ମୋର ହାତ ଧରିବା ପରେ ମୋର ରାଗ ଭୀଷଣ ରୂପ ଧାରଣ କରିଲା । ମୋ ହାତ ଧରିବାକୁ ସାହାସ କେମିତି କଲ?  ମୋ ହାତ ଛାଡ଼ । ମାନସ ହାତକୁ ଛାଡିଦେଲା,  ଆରେ ବାବା ତୁମେ ଝିଅ ନୁହନ୍ତ, ଗୋଟେ ନିଆଁ ଖଣ୍ଡ । ମୋତେ ବି ଟିକେ କହିବାକୁ ସୁଯୋଗ ମିଳିବ କି ମାଡ଼ମ? ସରିତା ଦଉଡ଼ି ଆସି ପହଁଚିଲା । ମୋର ଟିକେ ସାହାସ ହେଲା । ସରିତା କହିବାକୁ ଲାଗିଲା , ମୁଁ ଦେଖୁଥିଲି ତମେ ମାଧବୀ କୁ ଦେଖି ତମ ସାଙ୍ଗ ମାନଙ୍କ ସାଙ୍ଗରେ କଣ କଥା ହେଉଥିଲ ଏବଂ ପରେ ସିଧା ଏଠି ?? ମାନସ ହଁ, ତମ ସାଙ୍ଗ ସାଙ୍ଗରେ କଥା ହେବା ପାଇଁ ମିଛ କହି ଆସିଲି । ରାଗରେ ମୁଁ କହିଲି, ମୋ ପାଖରେ ସମୟ ନାହିଁ କଣ କହିବାର ଅଛି ଜଲଦି କୁହ । ହଉ ଠିକ ଅଛି ଶୁଣ, ମୁଁ ମାନସ !! ମୁଁ ବି ତୁମ ଭଳି ବୁଲିବା ଲାଗି ଆସିଛି, ମୁଁ ତୁମ ପଛରେ ପିଛା କରି କରି ଆସୁନି ତୁମ ବସ୍ ଯୋଉଠି ରହୁଛି ଆମ ବସ୍ ମଧ୍ୟ ସେଠି ରହୁଛି । ଆଉ ଆମ ଦୁଇଜଣଙ୍କ ଦେଖା ମଧ୍ୟ ହେଇଯାଉଛି  । ହଉ Sorry.  ମୁଁ ଆଉ ତମକୁ ଦେଖା କରିବିନି, ପ୍ରମିସ.. ଏବେ ତ ତୁମ ନାମ କହିପାରିବ ନା ।  ମୁଁ ମାଧବୀ !! ବହୁତ ବଢିଆ, ମୁଁ ମାନସ !! ଏବେ ତ ସାଙ୍ଗ ହେଇପାରିବ ନା ? (ହାତ ବଢ଼େଇ) । ସାଙ୍ଗ କଣ ପାଇଁ, ତମେ ତ ପ୍ରମିସ୍ କରିଲ, ପୁଣି ହାତ ବଢ଼େଇଲ କାହିଁକି । ଆରେ ଏଠି ଯେତେ ସମୟ ରହିବା ସେତେ ସମୟ ସାଙ୍ଗ ହେଇଗଲେ ଅସୁବିଧା କଣ?? ମୁଁ ହାତ ମିଶେଇଲି, ସରିତା ଫୁଲେଇ ମଧ୍ୟ କହିବାକୁ ଲାଗିଲା, ମୁଁ ସରିତା, ମୋ ସାଙ୍ଗରେ ମଧ୍ୟ ହାଣ୍ଡ ସେକ କରିବନି? ମାନସ ସରିତା ସହ ହାତ ମିସେଇଲା। ସେଠୀ ଯେତେ ସମୟ ରହିଲୁ ସେତେ ସମୟ ମାନସ କେବଳ ମୋ ସାଙ୍ଗରେ କଥା ହେବାକୁ ଚାହୁଁଥାଏ କିନ୍ତୁ ଆମ ମଝିରେ ଷଣ୍ଢ ହୋଇ ସରିତା ରହୁଥାଏ । ମାନସ ମୋ ପାଇଁ Kurkure, Lays ଆଣେ କିନ୍ତୁ ପ୍ରଥମେ ଖଣ୍ଡିଆ କରେ ସରିତା।  ବହୁତ କଥା ବାର୍ତ୍ତା ହେଲାପରେ ମାନସ କିଛି କହିବାକୁ ଚେଷ୍ଟା କରୁଥାଏ କିନ୍ତୁ ସେପଟେ ରୋଷେଇ ସରିବା ପରେ ସମସ୍ତଙ୍କୁ ଡକା ଗଲା । ଦୁହେଁ Bye କହି ଖାଇବାକୁ ଆସିଲୁ । ଖାଇବା ସରିଲା ପରେ ମାନସ ଦଉଡ଼ି ଆସିଲା, ମାଧବୀ ଗୋଟେ କଥା ଥିଲା , ରାଗିବନି ଯଦି କହିବି। ମୁଁ ହଁ କହିଲି । ସେ ମୋତେ ମୋବାଇଲ ନମ୍ବର ମାଗିଲା କିନ୍ତୁ ମୁଁ ନଖରାମି କରି ମନା କରି କହିଲି, ମୁଁ ମୋବାଇଲ ବ୍ୟବହାର କରେନି । ହଉ ଠିକ ଅଛି ଯଦି ଭଗବାନ ଚାହାନ୍ତି ତାହାଲେ ଆମର ପୁଣି ଦେଖା ହେବ । ଆଚ୍ଛା ଏବେ ତମେ ପୁଣି କୋଉଠି ବୁଲିବାକୁ ଯିବ?  ……..

Click Here for next page >>  Part-02

College Picnic (Part-2)

College Picnic (Part-2)
College Picnic (Part-2)
ମୁଁ ଜାଣିନି ବୋଲି କହିଲି? ତୁମ ସହ କଥା ହେଇ ଭଲ ଲାଗିଲା । ମୁଁ ଅଳ୍ପ ମୁରିକି ହସିଦେଇ Bye କହିଲି । ସେ ମଧ୍ୟ Bye କହି ଚାଲିଗଲା।
ମାନସ ର ବସ୍ ଆଗରେ ଯାଉଥାଏ ଆମ ବସ୍ ପଛେ ପଛେ । ସଂଧ୍ୟା ହେବାକୁ ଲାଗିଲା। ହଠାତ୍ ଲେକ୍ଚର କହିଲେ ଶୁଣ ପିଲା ମାନେ ଏବେ News ରେ ଆସିଲା ଏବଂ ବାକି ଗାଡି ବାଲା ମଧ୍ୟ କହୁଛନ୍ତି କାଲି ଭାରତ ବନ୍ଦ ହେବ । ତେବେ ଆମେ ଆଗାମୀ ମନ୍ଦିର ନ ଯାଇ ଡାଇରେକ୍ଟ ନିଜ ନିଜ ଗାଁକୁ ଯିବା । ପିଲା ମାନଙ୍କ ଇଚ୍ଛା ଥାଏ । ଆଉ ଗୋଟିଏ ସ୍ଥାନ କିମ୍ବା ମନ୍ଦିର ବୁଲିଥାନ୍ତୁ କିନ୍ତୁ ଇଚ୍ଛା ନ ଥିଲେ ମଧ୍ୟ ଆମେ ସିଧା ଘର ଅଭିମୁଖେ ଯାତ୍ରା ଆରମ୍ଭ କରିଲୁ। ପ୍ରକୃତ କଥା ହେଲା ସେତେବେଳେ ମାନସ ପ୍ରତି ମୋର Love Express ସ୍ପିଡ୍ ଧରିଥିଲା । କିନ୍ତୁ ସବୁ ପାଣି ଫାଟିଗଲା ।
କିଛି ସମୟ ପରେ ଆମ ଗାଡି ଗୋଟିଏ ହୋଟେଲ୍ ପାଖରେ ଲାଗିଲା । ସମସ୍ତେ କିଛି ନା କିଛି ଖାଇଲେ କିନ୍ତୁ ମୁଁ କେବଳ ମାନସ କୁ ଖୋଜୁଥିଲି । ଭଗବାନ ଙ୍କୁ ଡାକୁଥିଲି , ଭଗବାନ ତାଙ୍କ ବସ୍ କୁ ମଧ୍ୟ ଏଠି ପହଞ୍ଚେଇ ଦିଅ କିନ୍ତୁ ସେଠୀ କେହି ମୋ ଡାକ ଶୁଣିଲେ ନାହିଁ । ସରିତା ପଚାରିଲା , ଏ ଚଣ୍ଡୀ କିଛି ଖାଇବୁ। ମୁଁ ମନା କରିଲି , କହିଲି ତୁ ଖାଇବୁ ଯଦି ଯା । ମୋତେ ଭୋକ ଲାଗୁ ନଥାଏ । ସରିତା କିଛି ଖାଇ ଫେରି ଆସିଲା। ରାତି ୯ଟା ହେଲାଣି । ସମସ୍ତେ ଗାଡି ରେ ଆସି ବସିଲେ । ମନ ଦୁଃଖରେ ସିଟ ରେ ଆସି ବସିଲି । ବସ୍ ରେ ଓଡ଼ିଆ ଗୀତ ଧିର ସ୍ଵରରେ ଚାଲୁଥାଏ। ମୋତେ ଅଳ୍ପ ନିଦ ଆସୁଥିଲା । ଏପଟେ ବୁଲାବୁଲି କରି ଗୋଡ଼ ହାତ ବ୍ୟଥା ମଧ୍ୟ ହେଉଥାଏ ।
ହଠାତ୍ ମୋର ନିଦ ଭାଙ୍ଗିଗଲା। ହାତ ଘଡି କୁ ଦେଖିଲା ବେଳକୁ ଠିକ୍ ରାତି ୧୨ ଟା । ଗାଡି ଛିଡ଼ା ହୋଇ ରହିଛି ଏବଂ ପୁରା ଗାଡି ସୁନ ସାନ୍। ସବୁଆଡେ ଆଲୋକ ଆଲୋକ। ବସ୍ ର ଗେଟ୍ ରୁ ମାନସ ଧିରେ ଧିରେ ପାଦ ଚାପି ଆସିଲା । ମାନସ କୁ ଦେଖି ମୁଁ ବହୁତ୍ ଖୁସି ହୋଇଗଲି। ସେ ମୋ ପାଖକୁ ଆସି ମୋ ହାତକୁ ଧରି ଗୋଟିଏ ଗୋଲାପ ଫୁଲ ଦେଇ “ଆଈ ଲଭ ୟୁ ମାଧବୀ” ବୋଲି କହିଲା। ଏତିକି ଶୁଣିଲା ପରେ ମୋ ଦେହରେ ଯେମିତି ଶିହରଣ ଖେଳିଗଲା। ବସ୍ ରେ ସମ୍ବଲପୁରୀ ଗୀତ ” ବର୍ଷା ଲୋ ଟିକେ ହାଉଲେ.. ହାଉଲେ.., ଥମି ଯିବୁ ମୋର ପଗଲା ଅଇଲା ଵେଲେ” ଗୀତ ବାଜୁଥାଏ ଏବଂ ଅଳ୍ପ ପାଣି ଛିଟା ମଧ୍ୟ ପଡୁଥାଏ । ମୋତେ ଏମିତି ଅନୁଭବ ହେଉଥାଏ ମୋ ଉପରେ ହିଁ ବର୍ଷା ହେଉଛି। ଏବଂ ଆଜି ପ୍ରକୃତରେ ମୋ ରାଜକୁମାର ଆସିଗଲେ । ମୁଁ କଣ କହିବି କିଛି ଭାବି ପାରୁନଥାଏ । ମାନସ ନିଜ ହାତକୁ ମୋ ହାତ କୁ ସ୍ପର୍ଷ କରି କରି ମୋତେ କୁଣ୍ଢେଇ ବାକୁ ଚେଷ୍ଟା କରିବାକୁ ଯାଉଥିଲା ସେତେବେଳେ ହଠାତ୍ ସରିତା ମୋ କାନ ପାଖରେ ଜୋର୍ ରେ ପାଟି କରି କହିଲା, ଆବେ ଚଣ୍ଡୀ ଶୀଘ୍ର ଉଠ, ଜଲ୍ଦୀ ଉଠେ। ସରିତା ଦୁଇ ଥର ମୋ କାନ୍ଧକୁ ଜୋର୍ ରେ ହଲେଇଲା ପରେ ମୋ ନିଦ ଭାଙ୍ଗିଲା। ଦେଖିଲା ବେଳକୁ ବସ୍ ଉପରେ ଥିବା ମୋ ବ୍ୟାଗ୍ ରୁ ପାଣି ବୋତଲ ରୁ ପାଣି ବାହାରି ସରିତା ଏବଂ ମୋ ଉପରେ ପଡୁଥାଏ । ସମସ୍ତେ ହସୁଥିଲେ। କହିବାକୁ ଲାଗିଲା ମାଧବୀ କୁ ଏତେ ନିଦ ଯେ ତା ଉପରେ ପାଣି ପଡୁଛି କିନ୍ତୁ ତାର ନିଦ ଭାଙ୍ଗୁନି । ସରିତା କହିଲା, କଣ ଲୋ ଚଣ୍ଡୀ କି ସ୍ଵପ୍ନ ଦେଖୁଥିଲୁ ଯେ ତୋର ନିଦ ଭାଙ୍ଗୁନଥିଲା। ( ମନେ ମନେ ଭାବିଲି କଣ ସ୍ଵପ୍ନ ଦେଖୁଥିଲି ତାହା କେବଳ ମୁଁ ଜାଣେ, କେତେ ଭଲ ସ୍ଵପ୍ନ ଟିଏ ) ନିଦ ଭାଙ୍ଗିବା ଦେଖି ସରିତା ଉପରେ ମନେ ମନେ ବହୁତ୍ ରାଗିଲି। ବସ୍ ରେ ସମସ୍ତେ ମୋତେ ଚାହିଁ ରହିଥିଲେ। ମୋତେ ମଧ୍ୟ ଲାଜ ଲାଗିଲା । ମୋର ଡ୍ରେସ ପୁରା ଓଦା ହୋଇଯାଇଥିଲା। ଲେକ୍ଚର କହିଲେ ସମସ୍ତେ ବାହାରକୁ ଯାଅ। ମୁଁ ଏବଂ ସରିତା ବସ୍ ଭିତରେ ରହିଲୁ ଡ୍ରେସ୍ ବଦଳେଇ ସିଟ ରେ ବସିଲୁ । ବାକି ସମସ୍ତେ ଆସିଲେ ପୁଣି ଗାଡି ଚାଲିଲା । ମୋତେ ଆଉ ନିଦ ଆସୁନଥିଲା। କେତେ ଭଲ ସ୍ଵପ୍ନ ଟିଏ ଥିଲା, ଏ ଚଣ୍ଡୀ ଯୋଗୁ ସବୁ ଗୋଳମାଳ ହୋଇଗଲା ଏବଂ ମୋର ପ୍ରୋପୋଜ ଟା ବାକି ରହିଗଲା। ଭଲ ଗୀତ ମଧ୍ୟ ବାଜୁଥିଲା । ଭାବିଲି ଯଦି ଏହା ସତରେ ହୁଅନ୍ତା ତେବେ କେତେ ଖୁସି ଲାଗିଥାନ୍ତା। ବାରମ୍ବାର ଗେଟ୍ ଆଡ଼କୁ ଚାହୁଁଥିଲି । ଦେଖୁ ଦେଖୁ ବସ୍ ରେ ସମୟ ଗଡି ଗଡି ଯାଉଥାଏ ।
ରାତି ୪ଟା ରେ ବସ୍ ବସଷ୍ଟାଣ୍ଡ ରେ ଗାଡି ପହଞ୍ଚିବା ପୂର୍ବରୁ ବାପାଙ୍କ ଧଡ଼ିଆ ସ୍କୁଟର ଆସି ପହଞ୍ଚି ଯାଇଥିଲା । ଘରକୁ ଆସି ଶୋଇଲି । ନିଦ ଭାଙ୍ଗିଲା ସିଧା ଦିନ ୧୦ ଟା ରେ । ବେଡ ଉପରେ ବସି ଭାବିଲି । ଗୋଟିଏ ଦିନ ର ଦେଖା ରେ ମୁଁ ଗୋଟିଏ ପୁଅ କୁ ଭଲ ପାଇ ବସିଲି । ଆଉ ମୁଁ ଏତେ ବୁଦ୍ଦୁ ଯେ ମୋର ନଖରାମି ଯୋଗୁ ମୋବାଇଲ ନମ୍ବର୍ ମଧ୍ୟ ଦେଲିନି, ତା ସହିତ କୋଉ କଲେଜ୍ ରୁ ଆସିଛନ୍ତି ସେଇଟା ମଧ୍ୟ ପଚାରି ପାରିଲିନି । ପ୍ରକୃତରେ ମୋ ସ୍ପାଇଡର ମ୍ୟାନ ସାଙ୍ଗରେ ପୁଣି ଦେଖା ହେବ କି ନାହିଁ ? ଏବଂ ମୁଁ ଦେଖିଥିବା ସ୍ୱପ୍ନ ସତ ହେବ ନା କାହାଣୀ ହୋଇ ରହିଯିବ ।
ଏପଟେ ହଠାତ୍ ଅନ୍ୟ ରୁମ୍ ରୁ ମା ଙ୍କ କର୍କଶ ଶବ୍ଦ ଶୁଣା ଗଲା । ” କଣ ମହାରାଣୀ ଙ୍କର ଆଜି ନିଦ ଭାଙ୍ଗିବ ନା ନାହିଁ ??? ” ହଁ ମା… ଆସୁଛି ମା… ଆସୁଛି…. କହି ବାଥରୁମ୍ କୁ ଚାଲିଲି।
ଏମିତିକା ଘଟଣା ଏବଂ ସ୍ଵପ୍ନ କାହା କାହା ସାଙ୍ଗରେ ଘଟିଛି । କମେଣ୍ଟ କରି ଜଣେଇବେ ।
By. Rubi Nahak
Click Here >> Part-01

ରାଣୀ ହୋଟେଲ (Rani Hotel)

ରାଣୀ ହୋଟେଲ (Rani Hotel)
ରାଣୀ ହୋଟେଲ (Rani Hotel)
ସୀତାନଗର ରେ ରାଣୀ ତା ସ୍ୱାମୀ ଆଉ ପୁଅ କୁ ନେଇ ରହୁଥିଲା । ବହୁତ ଗରିବ ପରିବାରଟିଏ । ରାଣୀ ବହୁତ ଭଲ ରୋଷେଇ କରେ । ରାଣୀ ରୋଷେଇ କରି ଅନ୍ୟକୁ ଖୁଆଇବାକୁ ବହୁତ ପସନ୍ଦ କରେ । ତା ସ୍ୱାମୀ ଏ ସବୁ ଦେଖି ବହୁତ ବ୍ୟସ୍ତ ହେଉଥିଲେ ଆଉ ତାକୁ ମନା କରୁଥିଲେ । ଭଲ ରୋଷେଇ ଦେଖିକି ପଡୋଶୀ ମାନେ ବେଳେ ବେଳେ ଘରେ ଆସି ଖାଇବା ପାଇଁ ବସିଯାନ୍ତି। ଗୋଟିଏ ଦିନ ଚାରି-ପଞ୍ଚ ଜଣ ଭାଉଜ ଭାଉଜ କହି ଆସି ଖାଇବା ପାଇଁ ବସିଗଲେ। ରାଣୀ ଖୁସି ହେଇ ଖାଇବା ପରସି ଦେଲା । ସମସ୍ତେ ଖୁସି ହେଇ କହିଲେ ଭାଉଜ ତମ ହାତରେ ଯାଦୁ ଅଛି ବହୁତ ସ୍ୱାଦିଷ୍ଟ ଖାଇବା ରୋଷେଇ କରୁଛ । ଏତିକି କହି ନିଜ ନିଜ ଘରକୁ ଚାଲିଗଲେ । ସେତିକିବେଳେ ରାଣୀ ର ସ୍ୱାମୀ ଆସି ପହଞ୍ଚିଗଲା । ସେମାନେ ଗଲାପରେ ରାଣୀକୁ କହିଲା ରାଣୀ ଆଜି ବି ଏମାନଙ୍କୁ ଖାଇବାକୁ ଦେଲ ବହୁତ କଷ୍ଟରେ ଆମ ଘର ଚଳୁଛି ମାସେ ବି ଯାଉନି ସଉଦା ସରିଯାଉଛି। ରାଣୀ କହିଲା ଆରେ ବାବା ଛାଡ଼ ସେ କଥା ଏମିତି ରେ କେହି କେବେ ଆସିଯାଆନ୍ତି, ମୋ ହାତର ରୋଷେଇ ଖାଇ ସେମାନେ ଖୁସି ହେଉଛନ୍ତି ସେମାନଙ୍କ ର ଖୁସି ପାଇଁ ଯଦି କିଛି କରିଦଉଛି ତାହାଲେ କଣ ହେଇଯାଉଛି । ଶୁଣିଲ ତ କେମିତି ପ୍ରଶଂସା କରୁଥିଲେ ମୋତେ । ସ୍ବାମୀ କହିଲା ଆରେ ମାଗଣା ଖାଇବାକୁ ମିଳିଲେ ତ ସମସ୍ତେ ପ୍ରଶଂସା କରିବେ ନା? କିନ୍ତୁ ରାଣୀ ଉପରେ କିଛି ପ୍ରଭାବ ପଡ଼ିଲା ନାହିଁ । ଘରେ କିଛି ଭଲ ରୋଷେଇ କଲେ ପୁଅ ହାତରେ ପଡ଼ୋଶୀ ଘରକୁ ପଠେଇ ଦେଉଥିଲା । ଦିନେ ରାଣୀ ର ସ୍ୱାମୀ ଅସୁସ୍ଥ ହୋଇଗଲା । ରାଣୀ ଚିନ୍ତା ରେ ପଡିଗଲା, ଡାକ୍ତର କୁ ଘରକୁ ଡାକି ସ୍ବାମୀ ର ଦେହ ଦେଖାଇଲା । ଡାକ୍ତର କହିଲେ ବହୁତ ପଇସା ଖର୍ଚ୍ଚ ହେବ । ରାଣୀ ଚିନ୍ତା ରେ ପଡିଗଲା ସ୍ୱାମୀ ର ଦେହ କେମିତି ଭଲ ହେବ । ସ୍ୱାମୀର ସେବା ଯତ୍ନ ରେ ଲାଗିପଡ଼ିଲା । ଦିନେ ପଡ଼ୋଶୀ ଆସି କହିଲେ ଭଉଣୀ ମୋର ମା ଘରେ କିଛି କାମ ଅଛି ମୁଁ ଗାଁ ଯିବି ମୋ ସ୍ବାମୀ କୁ ରୁଟି କରୀକି ଟିକେ ଦେଇଦେବ। ରାଣୀ କହିଲା ଭଉଣୀ ସ୍ୱାମୀ ଙ୍କର ଦେହ ଖରାପ ଘରେ କିଛି ବି ସଉଦା ନାହିଁ । ସ୍ୱାମୀଙ୍କୁ ଭଲ ଡାକ୍ତରଙ୍କୁ ବି ଦେଖାଇବା ପାଇଁ ଟଙ୍କା ନାହିଁ। ପଡୋଶୀ ଶହେ ଟଙ୍କା ବାହାର କରି ରାଣୀକୁ ଦେଲା କହିଲା ଏଇ ଟଙ୍କାରେ ଅଟା ନେଇ ଆସିବ । ରାଣୀ କହିଲା ଅଟା ପକେଟ ତ ତିରିଶି ଟଙ୍କା ଶହେ ଟଙ୍କା କାହିଁକି ଦଉଛ । ଆରେ ଭଉଣୀ ମୋ ସ୍ୱାମୀ ପାଇଁ ରୁଟି କରିଦେବ ଆଉ ବାକି ଟଙ୍କା ତମ ଘର ପାଈଁ ସଉଦା ନେଇ ଆସିବ । ରାଣୀ କହିଲା ନାଇଁ ନାଇଁ ଭଉଣୀ ମୁଁ ତମ ଠୁ ଟଙ୍କା ନେଇପାରିବିନି । ପଡୋଶୀ କହିଲା ଚିନ୍ତା କରନି ତମ ପାଖରେ ଟଙ୍କା ହେଲେ ମୋତେ ଫେରେଇ ଦେବ। ଯଦି କିଛି ଖରାପ ନ ଭାବିବ ଗୋଟିଏ ଉପାୟ କହିବି ଭଉଣୀ । ଏଥିରେ ଖରାପ ଭାବିବାର କଣ ଅଛି । କୁହ ।ତମେ ଗୋଟିଏ ଛୋଟିଆ ହୋଟେଲ ଖୋଲିଦିଅ, ଏମିତି ରେ ତମ ହାତର ରୋଷେଇ ବହୁତ ଭଲ । ହୋଟେଲ ଖୋଲିବା ଦ୍ଵାରା ଆମ ମାନକୁ ତମ ହାତର ରୋଷେଇ ଖାଇବାକୁ ମିଳିଯିବ ଆଉ ତମ ଘରେ ବି କିଛି ଅସୁବିଧା ହେବନି। ଏତିକି କହି ପଡୋଶୀ ଚାଲିଗଲା । ରାଣୀ ପଡ଼ୋଶୀ କଥା ଭାବିଲା ଏବଂ ଗାଁ ର ଗୁମସ୍ତା ପାଖକୁ ଯାଇ କିଛି କରଜ ରେ ଟଙ୍କା ନେଇ ଆସିଲା । ସ୍ବାମୀ ପାଇଁ ଔଷଧ ନେଇ ଆସିଲା ଏବଂ ଘର ବାରଣ୍ଡାରେ ଗୋଟିଏ ଛୋଟିଆ କେବିନ୍ କରି ରୋଷେଇ କରି ବିକିବାକୁ ଲାଗିଲା। ରାଣୀ ହାତର ରୋଷେଇ ଏମିତି ରେ ସମସ୍ତଙ୍କୁ ବହୁତ ପସନ୍ଦ । ହୋଟେଲ ବହୁତ ଭଲ ଚାଲିଲା ଆଉ ଛୋଟ ପୁଅ ମଧ୍ୟ ବେଳେବେଳେ ଦୋକାନ ରେ ବସି ବିକ୍ରି କରୁଥାଏ। ରାଣୀ ସ୍ୱାମୀର ସେବା ରେ ଲାଗିପଡିଲା। ଧିରେ ଧିରେ ବେପାର ବଢ଼ିଲା ରାଣୀ ଗୁମାସ୍ତାଙ୍କ କରଜ ସୁଜିବା ସହ ସ୍ୱାମୀକୁ ଭଲ ଡାକ୍ତର ଦେଖେଇବା ପରେ ସ୍ବାମୀ ଧିରେ ଧିରେ ସୁସ୍ଥ ହେବାକୁ ଲାଗିଲେ । ରାଣୀକୁ ସ୍ୱାମୀ ଧନ୍ୟବାଦ ଜଣାଇ କହିଲେ ଦିନେ ମୁଁ ମନା କରୁଥିଲି ରୋଷେଇ କରିକି ଦେବାପାଇଁ ଆଜି ସେଇ ରୋଷେଇ ପାଇଁ ଆମ ପାଖରେ ଟଙ୍କା ସହିତ ଆମର ଗୋଟିଏ ହୋଟେଲ ହୋଇଗଲା। ସ୍ବାମୀ ସ୍ତ୍ରୀ ଦୁହେଁ ହୋଟେଲ କାମରେ ଲାଗିପଡିଲେ । ପୁଅକୁ ଭଲ ସ୍କୁଲ ରେ ପଢେଇଲେ । ସ୍ୱାମୀ ସ୍ତ୍ରୀ ଦୁହେଁ ବହୁତ ପରିଶ୍ରମ କରିଲେ। ତାଙ୍କ ଛୋଟ ହୋଟେଲରୁ ଦିନେ ତାହା ବଡ଼ ହୋଟେଲ ରେ ପରିଣତ ହେଲା । ହୋଟେଲ ନାମ ରଖାଗଲା ରାଣୀ ହୋଟେଲ। ଆଖ ପାଖରେ ରାଣୀ ହୋଟେଲ ର ଖାଇବା ବିଷୟରେ ବହୁତ୍ ଚର୍ଚ୍ଚା କରୁଥିଲେ । ଦୁହେଁ ଖୁସିରେ ଚଳିଲେ ।
 
ମୁଖ୍ୟ ବିନ୍ଦୁ:-
୧. ନିଜ ହାତର କଳା କୁ ଦେଖାଇବାକୁ ଚେଷ୍ଟା କରିବା ଉଚିତ୍ ।
୨. ସର୍ବଦା ପରିଶ୍ରମ ରୁ ଉତ୍ତମ ଫଳ ମିଳିଥାଏ।
୩. ଅସୁବିଧା ସମୟରେ ବାଟବଣା ହେବା ଅନୁଚିତ୍, ଉଚିତ୍ ରାସ୍ତା ଚୟନ କରିବା ଉଚିତ୍ ।
 
By. Rubi Nahak
Buguda, Ganjam.
 

ବୈଷ୍ଣବୀ (Baishnabi)

ଗୋଟିଏ ସୁନ୍ଦର ଗ୍ରାମ, ନାମ ବିଷ୍ଣୁପୁର୍। ସେହି ଗାଁ ରେ ବହୁତ୍ କମ୍ ପରିବାର ବାସ କରୁଥିଲେ । ସେ ଗାଁ ରେ ଗୋପୀନାଥ ବହୁତ୍ ବଡ଼ ଧନୀ ବ୍ୟକ୍ତି । ସେ ନିଜ ସ୍ତ୍ରୀ ଗୋମତୀ ଆଉ ବାପା ମା କୁ ନେଇ ରହୁଥିଲା । ବାହା ହେବାର ବହୁତ୍ ବର୍ଷ ହେଇଗଲା କିନ୍ତୁ ଛୁଆ ପିଲା କିଛି ନଥିଲେ l ଛୁଆ ହେଇନି ବୋଲି ଶାଶୂ ଶଶୁର ବହୁତ୍ କଟୁ କଥା କୁହନ୍ତି ଏମିତିରେ ସ୍ବାମୀ ମଧ୍ୟ ବାପା ମା କଥାରେ ପଡି ବହୁତ୍ କଥା କୁହେ । ଗୋମତୀ କାହାକୁ କିଛି ନକହି ଗୋଟିଏ ଘରେ ବସି କାନ୍ଦେ । ଦିନେ ମା କଥା ଶୁଣି ସ୍ତ୍ରୀ କୁ ଆସି କହିଲା ଗୋମତୀ,ବାପା, ମା ନାତି ସୁଖ ଚାହୁଁଛନ୍ତି। ତୁ ଯଦି ନଦେଇ ପାରୁଛୁ ମୁଁ ପୁଣି ଆଉ ଥରେ ବାହାହେବି । ମୋ ବେପାର ଦେଖିବାକୁ ମୋତେ ଗୋଟିଏ ପୁଅ ଦରକାର । ଗୋମତୀ ଦୁଃଖ ରେ ଭାଙ୍ଗି ପଡିଲା ଆଉ ଭଗବାନ ଙ୍କୁ ପ୍ରାର୍ଥନା କଲା । ବହୁତ୍ ଓଷା ବ୍ରତ ପରେ ଭଗବାନ ଗୋମତୀ କଥା ଶୁଣିଲେ । କିଛି ମାସ ପରେ ଗୋମତି ଗର୍ଭବତୀ ହେଲା । ଗର୍ଭବତୀ ହେବାର ଶୁଣି ଶାଶୂ ଶଶୁର ଓ ସ୍ୱାମୀ ବହୁତ ଖୁସି ହେଇଗଲେ । ଗୋମତି କୁ ବହୁତ ସେବା ଯତ୍ନ କଲେ ଆଉ ମନ ପସନ୍ଦ ର ଖାଇବା ଆଣିକି ଦେଲେ । କିଛି ଦିନ ପରେ ଗୋମତି ର ପ୍ରସବ ସମୟ ଆସିଲା । ହେଲେ ପରିବାର ସମସ୍ତେ ଉଦାସ ହେଇଗଲେ କାରଣ ଗୋମତି ଗୋଟିଏ କନ୍ୟା ସନ୍ତାନ ଜନ୍ମ ଦେଇଥିଲା । ସେମାନଙ୍କୁ ଗୋଟିଏ ପୁତ୍ର ସନ୍ତାନ ଦରକାର ଥିଲା କିନ୍ତୁ ଗୋମତି ଝିଅ କୁ ଦେଖି ବହୁତ ଖୁସି ଥିଲା । ଗୋମତି ଝିଅ ର ନାମ ବୈଷ୍ଣବୀ ରଖିଲା । ବୈଷ୍ଣବୀ କୁ ସମସ୍ତେ ଅଣ ଦେଖା କରନ୍ତି କିନ୍ତୁ ତା ମା ଲାଳନ ପାଳନ ରେ କେବେ ବି ଅବହେଳା କରେନି । ବୈଷ୍ଣବୀ ତିନି ବର୍ଷ ର ହେଇଗଲା, ସେ ବହୁତ ଜ୍ଞାନୀ ଆଉ ବୁଦ୍ଧିମାନ ଥିଲା । ସେ ଆଖ ପାଖର ପିଲାମାନେ ସ୍କୁଲ ଯିବାର ଦେଖିଲା , ବାପାକୁ ଆସି ସ୍କୁଲ ରେ ନାମ ଲେଖାଇବାକୁ କହିଲା । ହେଲେ ତା ବାପା ରାଗିକି କହିଲା ତୋ ଲାଳନ ପାଳନ ରେ ହିଁ ମୋର ବହୁତ ଗୁଡିଏ ଟଙ୍କା ଖର୍ଚ୍ଚ ହେଇଗଲାଣି। ତୁ ସ୍କୁଲ ନଯାଇ ତୋ ମା କୁ ଘର କାମରେ ସାହାଯ୍ୟ କର । ବୈଷ୍ଣବୀ ଦୁଃଖି ହେଇଗଲା । ଆଉ କାନ୍ଦି କାନ୍ଦି ମା କୁ ଯାଇ କହିଲା । ଗୋମତି ବୁଝେଇ ଗହିଲା ତୁ ମନଦୁଃଖ କରନି ମୁଁ ବାପାଙ୍କ ସହ କଥା ହେବି । ଗୋମତି, ସ୍ୱାମୀ ସହ କଥା ହେଲା । ବହୁତ କଥା କଟାକଟିରେ ଶେଷରେ। ବାପା ସ୍କୁଲ୍ ରେ ନାମ ଲେଖେଇବା ପାଇଁ ରାଜି ହେଇଗଲା । ବାପା ରାଜି ହେଇଯିବା ଶୂଣି ବହୁତ ଖୁସି ହେଇଗଲା। ତାପର ଦିନ ସ୍କୁଲରେ ନାମ ଲେଖାଇଲା ଆଉ ପ୍ରତିଦିନ ସ୍କୁଲଗଲା । ବୈଷ୍ଣବୀ ବହୁତ ଭଲ ପାଠ ପଢେ କ୍ଳାସ ରେ ପ୍ରଥମ ହୁଏ । କିଛି ଦିନ ଗଲାପରେ ଗୋମତି ପୁଣିଥରେ ଗର୍ଭବତୀ ହେଲା । ଘର ଲୋକ ଶୁଣି ବହୁତ ଖୁସି ହେଇଗଲେ ଏଇଥର ଗୋଟିଏ ପୁଅ ହେବ ବୋଲି । ଏବଂ କିଛି ଦିନ ଗଲା ପରେ ଭଗବାନ ଙ୍କ କୃପା ରୁ ପୁଅ ଟିଏ ହିଁ ଜନ୍ମ ହେଲା । ଘରେ ଖୁସିର ଲହରୀ ଉଠିଲା ଗୋପୀନାଥ ଗାଁ ଗାଁ ବୁଲି ମିଠା ବାଣ୍ଟିବାକୁ ଲାଗିଲା । ପୁଅର ନାମ ପ୍ରଣୟ ରଖିଲା । ବୈଷ୍ଣବୀ ଦେଖିଲା ପ୍ରଣୟ କୁ ସମସ୍ତେ ବହୁତ ଗେଲ କରନ୍ତି ଆଉ ସ୍ନେହ ବି କରନ୍ତି । ସେ ମା କୁ ଯାଇ ପଚାରିଲା, ମା ପ୍ରଣୟ ସହ ସମସ୍ତେ ବହୁତ ଖେଳା ବୁଲା କରନ୍ତି ମୋ ସହ କାହିଁକି ଖେଳନ୍ତିନି । ଗୋମତି କହିଲା ଆରେ ମା ମୁଁ ଅଛି ନା ତୋ ସହ ଖେଳିବା ପାଇଁ ମୁଁ ତୋତେ ବହୁତ ଭଲପାଏ ବହୁତ ସ୍ନେହ କରେ । ଏମିତି କହି ଝିଅକୁ ବୁଝେଇ ଦେଲା । ପ୍ରଣୟ ମଧ୍ୟ ଧୀରେ ଧୀରେ ବଡ଼ ହେଇ ସ୍କୁଲ କୁ ଗଲା । ସମସ୍ତଙ୍କ ସ୍ନେହ ପାଇ ପ୍ରଣୟ ବହୁତ ଦୁଷ୍ଟ ହେଇଗଲା । ସ୍କୁଲ ରେ ପରୀକ୍ଷା ହେଲା ବୈଷ୍ଣବୀ ପ୍ରଥମ ହେଲା ଆଉ ପ୍ରଣୟ ଫେଲ ହେଲା । ବୈଷ୍ଣବୀ ଖୁସିରେ ଆସି କହିଲା ବାପା ମୁଁ ସ୍କୁଲ ରେ ପ୍ରଥମ ହେଇଛି । ଗୋପୀନାଥ ମୁହଁ ଫୁଲେଇ କିଛି କହିଲା ନାହିଁ । ତାପରେ ପ୍ରଣୟ ଆସି କହିଲା ବାପା ମୁଁ ଫେଲ ହେଇଚି ଗୋପୀନାଥ କହିଲା କିଛି କଥା ନାହିଁ ବାବା ଏଇଥରକ ନହେଲା ନାହିଁ ପୁଣି ପରୀକ୍ଷା ହେଲେ ପାସ କରିବୁ ।ପ୍ରଣୟ ଖୁସି ହେଇଗଲା। ଭାଇ ଭଉଣୀ ଧିରେ ଧିରେ ବଡ଼ ହେଲେ । ବୈଷ୍ଣବୀ ର ସରକାରୀ ଚାକିରୀ ହେଲା ଏବଂ ତାର ବାହାଘର ମଧ୍ୟ ହେଇଗଲା ।
 ପ୍ରଣୟ ପାଠ ପଢାରେ କମ୍ ଯୋଗୁ କୋଉଠି ଚାକିରୀ ମିଳିଲାନି । ବାପାଙ୍କ ବେପାର ରେ ବେଳେ ବେଳେ ଯାହା ଟଙ୍କା ହେଉଥାଏ ତାହା ପ୍ୟାକେଟ ପକେଇ ସାଙ୍ଗ ମାନଙ୍କ ସହ ବୁଲିବା ମଦ ପିଇବା ଏବଂ ବେଳେ ବେଳେ ଚୋରି କାମ ମଧ୍ୟ କରେ । ଶେଷରେ ସେ ଘରେ ନଜଣେଇ ଗୋଟିଏ ଝିଅ କୁ ବିବାହ କରି ଘରକୁ ନେଇ ଆସିଲା କିନ୍ତୁ ଗୋପୀନାଥ କିଛି ନ କହି ଚୁପ୍ ରହିଲା। ବାହାହେବା ର ଦେଖି ଖୁସିରେ ପୁଅକୁ ବେପାର ର ସବୁ ଦାଇତ୍ଵ ଦେଇଦେଲା । ଗୋମତି ମଧ୍ୟ ବୋହୂ କୁ ଘରର ସବୁ ଦାଇତ୍ଵ ଦେଇଦେଲେ । ଏମିତି ହସଖୁସିରେ କିଛିବର୍ଷ ସୁଖେଦୁଃଖେ ଚାଲିଲା । ଥରେ ଗୋପୀନାଥ ର ଦେହ ଖରାପ ହେଇଗଲା । ଅଳ୍ପ ଚିକିତ୍ସା କରି ବାପାଙ୍କୁ ଘରକୁ ନେଇ ଆସିଲା । ଅଧିକ ଟଙ୍କା ଖର୍ଚ୍ଚ ହୋଇଯିବ ବୋଲି ପୁଅ-ବୋହୂ ବାପା ମା ଙ୍କୁ ଟଙ୍କା ଚୋରି କରିବା ଦୋଷ ଦେଇ ଘରୁ ବାହାର କରିଦେଲେ । ଗୋମତି ସ୍ୱାମୀକୁ ଧରି ଗୋଟିଏ ଗଛ ତଳେ ଆଶ୍ରୟ ନେଲା ।ଆଉ ସ୍ୱାମୀ ର ଯତ୍ନ ନେଲା । କିଛି ଦିନ ପରେ ବୈଷ୍ଣବୀ ଘରକୁ ବୁଲିବାକୁ ଆସିଲା । ସେଠି ଦେଖିଲା ବାପା ମା ନାହାନ୍ତି। ଭାଇ କୁ ପଚାରିଲା ଭାଇ କହିଲା ବୁଲିବା ପାଇଁ ଯାଇଛନ୍ତି । ସେଠି ଗୋଟିଏ ଦିନ ରହି ପୁଣି ତାପର ଦିନ ଶାଶୂ ଘରକୁ ବାହାରିଲା । ଫେରିବା ବାଟରେ ଗଲାବେଳେ ଗୋଟିଏ ଗଛ ତଳେ ଦୁଇ ଜଣ ବୁଢ଼ା ବୁଢ଼ୀ ବସିଥିଲେ । ପାଖକୁ ଯାଇ ଦେଖିଲା ବେଳକୁ ତାର ବାପା ଆଉ ମା । ବୈଷ୍ଣବୀ ବାପା ମା ଙ୍କୁ ଦେଖି ଦୁଃଖ ରେ ଭାଙ୍ଗି ପଡ଼ିଲା । ଗାଡ଼ିରୁ ଓଲ୍ହାଇ ଯାଇ ବାପା କୁଣ୍ଢେଇ ଧରି କାନ୍ଦିବାକୁ ଲାଗିଲା । ଝିଅ ପଚାରେ କାହିଁକି କାନ୍ଦୁଛ ବାପା । ମା ଝିଅ କୁ ସବୁ କଥା କହେ ।ସେଠୁ ମା ବାପାକୁ ନିଜ ଶାଶୂ ଘରକୁ ନେଇଗଲା। ସେଠି ଡାକ୍ତର ଙ୍କୁ ଦେଖାଶୁଣା ଏବଂ ଯତ୍ନ ବି ନେଲା । ଗୋପୀନାଥ ଖୁବଶୀଘ୍ର ଠିକ୍ ମଧ୍ୟ ହେଇଗଲା । ଝିଅ କୁ କୁଣ୍ଢେଇ କାନ୍ଦି କାନ୍ଦି କହିଲା ମୁଁ ତୋ ପ୍ରତି ବହୁତ ଅନ୍ୟାୟ କରିଛି ବୈଷ୍ଣବୀ। ତୁ ଆଜି ମୋର ଆଖି ଖୋଲିଦେଇଛୁ । ଏଇ ଦୁନିଆ ରେ ପୁଅ ଆଉ ଝିଅ ଭିତରେ କିଛି ବି ଫରକ ନାହିଁ । ପୁଅ ସିନା ଭୁଲିଯାଏ ବାପା ମା ର କଷ୍ଟ କିନ୍ତୁ ଝିଅ ସବୁ ଦୁଃଖ ଭୁଲି ନିଜ ବାପା ମା ଙ୍କୁ ଆଦରି ନିଏ । ସବୁ ବାପା ମା ଙ୍କୁ ଭଗବାନ ତୋ ଭଳି ଗୋଟିଏ ଝିଅ ଦେବା ଦରକାର ।  
ମୁଖ୍ୟ ବିନ୍ଦୁ :-
୧. ପୁଅ ଏବଂ ଝିଅ ସବୁ ସମାନ ।
୨. ଝିଅ କୁ ପଢ଼ିବା ପ୍ରେରଣା ଦେବା ଉଚିତ୍ ।
୩. ବାପା ମା ଙ୍କୁ ସେବା କରିବା ଉଚିତ୍ ।
Rubi Nahak (Writer)
Buguda, Ganjam.