ଆଜି ଛୁଟି ଦିନ । ସତରେ ବା ଏ ଛୁଟି ଗୁଡ଼ାକ କାହିଁକି ହୁଏ ? କଣ ଅତୀତର ସ୍ମୃତି ଦିନ ଗୁଡ଼ିକ ଏହି ଛୁଟି ଦିନ କୁ ଅନାଇ ବସିଥାନ୍ତି । ଦେହ ମନରେ କ୍ଷିପ୍ର ଗତିରେ ପ୍ରବେଶ କରି ମନକୁ ଉତଳା କରିବାକୁ ? ଏମାନେ କାହିଁକି ଏହି ଅବଚେତନ ମନକୁ ବାଉଳା କରନ୍ତି ; କିଛି ବୁଝି ହୁଏନି । କେତେ କାହାଣୀ ସମୟକୁ ପଛରେ ପକାଇ ଚାଲିଯାଇଥିବା କଥା ……ସ୍ମୃତି ବିସ୍ମୃତି ହୋଇ ମନେ ପଡେ । ମନେ ପଡେ ସକାଳୁ ସକାଳୁ ନିଧୁମ୍ ନିଦରୁ ଉଠିଲା ପରେ କାହିଁକି କେଜାଣି ତୁମେ ବି ଭାରି ଅମାନିଆ ହୋଇ ନିଦ୍ରା ଭିତରକୁ ଧସେଇ ପାଣି ମୋ ବିଛଣା ପାଖରେ ପହଞ୍ଚି କହୁଛ, “ଉଠ, କର୍ମ ମୟ ଜୀବନରେ ଏମିତି ଶୋଇ ରହିଲେ ଘରେ ପକା ଅଳସୁଆର ଆଖ୍ୟା ପାଇବ ।” ସତେ ଯେମିତି ଛଡ଼ାଇ ନେଇ ଯାଉଛି ନିଦକୁ । ଅନେକ ଦୂରକୁ ……ନେଇ ଛାଡ଼ି ଦେଉଛି ।
ସେତେବେଳୁ ମନଟା ଭାରି ଗମ୍ବିର ଲାଗୁଛି । ବ୍ରସ୍ ଧରି ବାହାରିଗଲି ନିତ୍ୟ କର୍ମ ପାଇଁ । ସେହି ପୋଖରି ରାସ୍ତାରେ ଗଲାବେଳେ ଏକା ଏକା; ମତେ ଲାଗୁଚି ଅନେକ ଦିନପରେ ଏଠି ନିଃସଙ୍ଗତାର ଅନୁଭୂତି । ଗୋଟେ ଲକ୍ଷ୍ୟହିନ କିଶୋର ର ଏ ଥିଲା ସୁବିସ୍କୃତ ଖେଳ ପଡ଼ିଆ କିନ୍ତୁ କୁଆଡେ ଗଲେ ସେମାନେ ? କେଉଁ ଆଡେ ଗଲା ସେହି କିଶୋର ସାଙ୍ଗମାନଙ୍କ କଲ୍ଲୋଳ ସ୍ୱର । ସ୍ତବ୍ଦ ନିର୍ବାକ ହୋଇ ଚାଲିଗଲା ବେଳେ ଏହି ନିରୋଳା ରାସ୍ତାରେ; ତୁମେ ମନେ ପଡୁଛ । ତୁମ ସହ ଦେଖା ହେବ କି ନାହିଁ ? ଏବେ କଣ କରୁଥିବ?? କେତେ କଣ କଣ ….??? ପହଞ୍ଚି ଯାଏ ଅନେକ ଦିନର ମୋର ପ୍ରିୟ ପରିଚିତ ପୋଖରୀ କୂଳରେ । ପୋଖରୀ ତୁଠରେ ବ୍ରସ୍ କରୁ କରୁ
ପୁଣି ମନେ ପଡ଼େ….। ମତେ ମନେ ପକାଉଥିବ କି ନାହିଁ ….? ଦୀର୍ଘ ଆଠ ବର୍ଷ ଭିତରେ ତୁମେ ମୋତେ ଭୁଲିଯାଇଛ …..ନାଁ….. ମୁଁ ତମକୁ ଭୁଲିଯାଇଛି । ମୋ ଆସିବା ଖବର ତୁମେ ଜାଣିନ ବୋଧେ ।
କିନ୍ତୁ ସମୟ…..। କେମିତି ଦେଇଥାନ୍ତି ଯେ, କ୍ଳାନ୍ତ ଶରୀରଟାକୁ ନେଇ ଘରେ ପଶୁ ପଶୁ କେଉଁ ଏକ ନିବୃତ କୋଠୋରିର ବିଛଣାକୁ ଖୋଜୁଥିଲା କେଜାଣି କାଲି ରାତିରୁ ଦିନ ଆଠ….। ସେ ଭିତରେ ଇନ୍ଦ୍ରପୁରିରୁ ଯ୍ୟମାଳୟକୁ ମଧ୍ୟ ଯାଇ ପାଦ ପକାଇ ଦେଇଥିଲି । କାହିଁକି ନା ଆଠ ବର୍ଷର ବିଛଣାର ବିଚ୍ଛେଦ । ସ୍ଵତନ୍ତ୍ର ଆମ ଘରେ, ସେହି ମାଟିର ବାସ୍ନା, ଆଉ ଘୋରା ହଳଦୀ- ଚନ୍ଦନର ବାସ୍ନା ଗୁଡ଼ିକ ଏତେ ନିଜର ହେଇଗଲେ ଯେ ସଙ୍ଗେ ସଙ୍ଗେ ନିଦ୍ରା ଦେବୀଙ୍କୁ ଡାକି ମୋ ଉପରେ କଚାଡ଼ି ଦେଲେ । ଯେଉଁଠି ନିଷ୍ଟୁରତାର ଅବରୁଦ୍ଧତା ନାହିଁ । ତୁମଠୁ ବି ବେଶୀମନେ ପଡ଼େ ସେହି ଘର, ଗାଁ ଦାଣ୍ଡ, ସାଙ୍ଗ ସାଥି ଓ ସେହି ଭିଜାମାଟି । ତୁଳସୀ ମୂଳରୁ ପୋଡ଼ା ଘିଅର ବାସ୍ନା, ପ୍ରିୟ ଅତି ଆପଣାର ମନେ ହୁଏ । ନିଜଠୁ ଆଉରି ନିଜର ମନେହୁଏ…..ସେହି ଘରଟି ।ଯେଉଁଠି ସ୍ମୃତିର ଗନ୍ତାଘର ପାଲଟି ଯାଇଛି । ନିବିଡ଼ତାର ଅନୁଭବଟିଏ ଏଇ ଜୀର୍ଣ୍ଣ ଘରର ସ୍ମୃତି ହୋଇ ସାଇତା ଥାଏ ଛାତିତଳେ । ସାରା ଜୀବନ ଯେତେ ଯାହା ଅନ୍ତରଙ୍ଗ ଅନୁଭବ – ଅନୁଭୂତି । ଯେତେ ଯାହା ସ୍ମୃତିର ସଂଚୟ ସବୁ ତ ଏମାନଙ୍କୁ ଏଇ ଘରକୁ ନେଇ ।ସେଇ ସଂଚୟ ହରାଇ ନିଃସ୍ଵ ହେବାକୁ ମୁଁ ଚାଂହିନି ବୋଲି ମୋର ମନେ ହୁଏ ।
କିଛି ସମୟ ପରେ ପୋଖରୀରୁ ଫେରି ସଜବାଜ ହୋଇ ବାହାରି ଆସିଲି ଘରୁ ବାହାରି ଆଠବର୍ଷ ପରେ ପରିଚିତ ହେବାକୁ ।ଚାହିଁ ରହିଲି ଏହି ଘରର ରଙ୍ଗଛଡ଼ା କାନ୍ଥକୁ । ଆବୁଡ଼ା ଖାବୁଡ଼ା ହୋଇ ଖୋଳୀ ହୋଇଯାଇଥିବା ବାରଣ୍ଡା ଓ ଶ୍ରୀହୀନ ଦେଖାଯାଉଥିବା ଲମ୍ବ ଖମ୍ବ ଦୁଇଟି । ଏଇ ଘରେ ଏଇ ପରିବେଶ ଭିତରେ କଟିଛି ଆମେ ଭାଇ ଭଉଣୀଙ୍କ ଶୈଶବ । ସେହି ଅନ୍ତରଙ୍ଗ ଶୈଶବ ଆଜି କାହିଁ କେତେ ପଛରେ କେତେ ଫିକା । ଏଠାକୁ ଆସିବାର ଅଭିସ୍ପା ଏତେ ବେଶୀ ଆନ୍ଦୋଳିତ କରୁଥିଲା ଯେ, ଏଇ ଭାରାକ୍ରାନ୍ତ ଆଖିରେ ସେହି ଦୃଶ୍ୟର ସାକ୍ଷାତ, ସମାଗମ ହେବା ଆଗରୁ ଆଖି ଫେରାଇ ନେବାରେ ଯେଁଉ କେତେଟା ଉର୍ସ ଆତ୍ମାସ୍ତ କରିଥିଲା; ତା ଆଖିର ନିରୋଳା ସ୍ଥାନ ଭିତରେ ପଶିଯାଇ ଲୁହ ହେଇ ବାହାରି ଆସିଲା । ଆଖି ଦୁଇଟି ଲୁହରେ ଫିକା ପଡ଼ିଯାଏ । ସମୟ ନଈରେ ଆମେ ଭାସିଯାଇ କାହିଁ କେଉଁ ଅତଳ ସମୁଦ୍ର ଭିତରେ ଅଛୁ ।ତାର କିଛି କୁଳ କିନାରା ନାହିଁ । ଦିଗନ୍ତ ବ୍ୟାପି ଜଳ ମଗ୍ନ ଏ ଜୀବନ କିନ୍ତୁ ନଈ ସମୁଦ୍ର ଓ ଜୀବନ ଭିତରେ ଫରକ ଅଛି । ଉତ୍ସ ସୁଖିଗଲେ ସର୍ତ୍ତା ହଜିଯାଏ ।ହେଲେ ଜୀବନର ବିସ୍ତାର ମଣିଷକୁ ଭୁଲାଇ ଦିଏ ଉତ୍ସର ସ୍ଥିତି । ଯେମିତି ଆମ ଶୈଶବରେ ଘଟି ଚାଲିଛି ପ୍ରତ୍ୟେକ ମୁହୂର୍ତ୍ତରେ ।
ଆମ ଶୈଶବର ସବୁ ସୁଖ – ଆନନ୍ଦର କେନ୍ଦ୍ରବିନ୍ଦୁ ଥିଲେ ବାପା ମା। ଜୀବନ ଥିଲା ଯେମିତି ବାପାମୟ । ଦିନେ ଆମ ପାଇଁ ଖୁସିର ଉତ୍ସ ପାଲଟି ଥିବା ଆମ ବାପା – ମା; ଆଜି ଆମଠାରୁ ଖୁସି ଖୋଜନ୍ତି । ଭାବି ହୁଏନି ସମୟ କେମିତି ଅସହାୟ କରିଦିଏ ମଣିଷକୁ । କେମିତି ବଦଳାଇ ଦିଏ ଦୃଶ୍ୟପଟ । ଏଇ ଘରକୁ ନେଇ ହଜିଯାଇଥିବା ସ୍ମୃତିକୁ ଲେଖିଲେ ଲେଖି ହୋଇଯିବ ପୃଥିବୀର ସର୍ବବୃହତ କାବ୍ୟ ।
ଆଠବର୍ଷ ପରେ ଆମେ ଭାଇ ଭଉଣୀ ସମସ୍ତେ ଏକାଠି ହୋଇଛୁ । ଖୁସି – ଆନନ୍ଦରେ ଭରପୁର ହୋଇଯାଏ ବିରହୀ ଘରଟା । କେତେ ବର୍ଷ ପରେ ବାପା – ମା ଖୁସି ଅଛନ୍ତି । ସେହି ହସ ଖୁସି ଦେଖି ମୁଁ ଭୁଲିଯାଇଛି ଦୀର୍ଘ ବର୍ଷର ଅନୁପସ୍ଥିତିର ବ୍ୟବଧାନ । ଶୈଶବ ଜୀବନ୍ତ ହୋଇ ଉଠୁଛି ମୋ ଆଗରେ । ସେଇ ଭିଜାମାଟିର ବାସ୍ନାରେ ମୁଁ ଭାବପ୍ରବଣ ହୋଇଯାଇଛି । ମୋ ଭାଇ – ଭଉଣୀଙ୍କ କଣ ମନେ ହେଉଥିବ ଏମିତି ମୋ ଭଳି ? ଛୋଟ ଦିନେ ଆମେ ପ୍ରତ୍ୟେକ ପ୍ରତ୍ୟକଙ୍କର ଚିନ୍ତା ଭାବନା ସହ କେତେ ଘନିଷ୍ଟ ଥିଲୁ । କିନ୍ତୁ ଏବେ ସବୁ ମନେ ହେଉଛି ଆମେ ସବୁ ଯେମିତି ସମୁଦ୍ର ମଝିରେ ଗୋଟିଏ ଗୋଟିଏ ନିକାଞ୍ଚନ ଦ୍ଵିପ । କାହାରି ସହିତ କାହାରି ସଂଯୋଗ ସେତୁ ନାହିଁ । କେବଳ ବାପା – ମା ବତିଘର ପାଲଟି ଯାଇଛନ୍ତି ଆମ ସମୁଦ୍ର କୂଳରେ ।
ଭାଇ – ଭଉଣୀ, ବାପା – ମା କେତେଦିନ ପରେ ଗୋଟେ ମିଳନ ପର୍ବ ଘଟିଲା ଆମ ପରିବାରର ସଦସ୍ୟଙ୍କ ଭିତରେ । ତେଣୁ ତୃପ୍ତିରେ ଆମେ ସବୁ ଧାଡ଼ି ହୋଇ ବସି ଖାଇଲୁ ଖୁବ୍ ଆନନ୍ଦରେ । ମା ବସିରହିଥାନ୍ତି ଆଗରେ । ତା ମୁହଁ କୁ ଦେଖି ମୋତେ ଲାଗିଲା ଯେମିତି ସେ ଗ୍ରହଣ କରିନେଉଛି ସବୁ ସ୍ଵାଦ । ନହେଲେ ତା ପେଜୁଆ ଆଖିରେ ଏତେ ତୃପ୍ତି ଏତେ ଉଜ୍ବଳତା ଆସିଲା କୋଉଠୁ ।
ତାର ନିସ୍ଵନ୍ଦ୍ ଦୃଷ୍ଟି, ଭାବହିନ ମୁଁହ କଣ କେଉଁ ସତ୍ୟ ଉପଲବ୍ଧିର ସୂଚନା ଦଉଛି ? କଣ ଅସରା ଜୀବନର ଚରମ ଉପଲବ୍ଧିର ସୂଚନା ? ଅଜାଣତରେ ହୃଦୟରେ କମ୍ପନ ଅନୁଭବ କଲି । ଭାଵନା ଭିତରେ ହଜିଗଲି; ମୋ ଅତୀତର ପରିବାରରେ ସଦସ୍ୟଙ୍କ ଭିତରେ ଯେଁଉ ଆନନ୍ଦ ଯେଁଉ ତୃପ୍ତି ଏହି ପବିତ୍ର ବନ୍ଧନ ବିନା ଆଉ କୋଉଠି ସମ୍ଭବ। ଭାବି ଭାବି ମୋ ଆଖିରେ ଲୁହର ବନ୍ୟା । ଆଖିରୁ ତତଲା ଲୁହ କେତେ ଟୋପା ଝରିପଡ଼ିଲା । ନିସଙ୍ଗ ଘରର ଚଟାଣ ଉପରକୁ ସେହି ଚଟାଣ ସେହି ଘରର ଭିଜା ମାଟିରେ….ମୋ ଚେତନାକୁ ଓହ୍ଲାଇ ଆସିଲା ଅତୀତର ସେଇ ନିର୍ଧୁମ୍ ସନ୍ଧ୍ୟା ……ଅତୀତର ଏଇ ମାଟିର ସ୍ପର୍ଶ ।
ଭାବିପାରୁନି ଶୈଶବର ସ୍ମୃତିକୁ ଭୁଲିଯିବା କୁ……। କେତେ ଯନ୍ତ୍ରଣା, କେତେ କଷ୍ଟ, କ୍ଷତାକ୍ତ-ରକ୍ତାତ ଏହି ଦେହରେ ଅଙ୍ଗେ ଲିଭାଇବାକୁ ନ ପଡ଼ିଛି ? କେତେ ମଧୁମୟ ସେଇ ଅତୀତ; ଯାହା ସହିତ ମୋ ପିଲାଦିନର କେତେ ଆନନ୍ଦ ମଧୁମୟ ମଧୁର ସ୍ମୃତି ଜଡ଼ିତ କିନ୍ତୁ ଏହି ସମୟର ନିଷ୍ଟୁରତା ହିଁ ସବୁକିଛି ବଦଳାଇ ଦଉଛି । ଏଇ ସୀମାବଦ୍ଧ ଜୀବନକୁ ସମୟର ବାସ୍ତବତା ରୁକ୍ଷ କରିଦେଇଛି ସବୁକିଛି । କେତେବେଳେ କ୍ଳାନ୍ତ, କୋମଳ, ପବିତ୍ରତା ତ କେବେ କଠୋର ବିଚ୍ଛେଦ ଓ ମର୍ମ ଭେଦି ଯନ୍ତ୍ରଣା ।
ମନୋଜ କୁମାର ବେହେରା
ଙ୍କ ଲେଖନୀରୁ…
If you like this story so share to your friends. Thank you.
Nice ,really memorable childhood
thanks