Category Archives: story

ବୈଷ୍ଣବୀ (Baishnabi)

ଗୋଟିଏ ସୁନ୍ଦର ଗ୍ରାମ, ନାମ ବିଷ୍ଣୁପୁର୍। ସେହି ଗାଁ ରେ ବହୁତ୍ କମ୍ ପରିବାର ବାସ କରୁଥିଲେ । ସେ ଗାଁ ରେ ଗୋପୀନାଥ ବହୁତ୍ ବଡ଼ ଧନୀ ବ୍ୟକ୍ତି । ସେ ନିଜ ସ୍ତ୍ରୀ ଗୋମତୀ ଆଉ ବାପା ମା କୁ ନେଇ ରହୁଥିଲା । ବାହା ହେବାର ବହୁତ୍ ବର୍ଷ ହେଇଗଲା କିନ୍ତୁ ଛୁଆ ପିଲା କିଛି ନଥିଲେ l ଛୁଆ ହେଇନି ବୋଲି ଶାଶୂ ଶଶୁର ବହୁତ୍ କଟୁ କଥା କୁହନ୍ତି ଏମିତିରେ ସ୍ବାମୀ ମଧ୍ୟ ବାପା ମା କଥାରେ ପଡି ବହୁତ୍ କଥା କୁହେ । ଗୋମତୀ କାହାକୁ କିଛି ନକହି ଗୋଟିଏ ଘରେ ବସି କାନ୍ଦେ । ଦିନେ ମା କଥା ଶୁଣି ସ୍ତ୍ରୀ କୁ ଆସି କହିଲା ଗୋମତୀ,ବାପା, ମା ନାତି ସୁଖ ଚାହୁଁଛନ୍ତି। ତୁ ଯଦି ନଦେଇ ପାରୁଛୁ ମୁଁ ପୁଣି ଆଉ ଥରେ ବାହାହେବି । ମୋ ବେପାର ଦେଖିବାକୁ ମୋତେ ଗୋଟିଏ ପୁଅ ଦରକାର । ଗୋମତୀ ଦୁଃଖ ରେ ଭାଙ୍ଗି ପଡିଲା ଆଉ ଭଗବାନ ଙ୍କୁ ପ୍ରାର୍ଥନା କଲା । ବହୁତ୍ ଓଷା ବ୍ରତ ପରେ ଭଗବାନ ଗୋମତୀ କଥା ଶୁଣିଲେ । କିଛି ମାସ ପରେ ଗୋମତି ଗର୍ଭବତୀ ହେଲା । ଗର୍ଭବତୀ ହେବାର ଶୁଣି ଶାଶୂ ଶଶୁର ଓ ସ୍ୱାମୀ ବହୁତ ଖୁସି ହେଇଗଲେ । ଗୋମତି କୁ ବହୁତ ସେବା ଯତ୍ନ କଲେ ଆଉ ମନ ପସନ୍ଦ ର ଖାଇବା ଆଣିକି ଦେଲେ । କିଛି ଦିନ ପରେ ଗୋମତି ର ପ୍ରସବ ସମୟ ଆସିଲା । ହେଲେ ପରିବାର ସମସ୍ତେ ଉଦାସ ହେଇଗଲେ କାରଣ ଗୋମତି ଗୋଟିଏ କନ୍ୟା ସନ୍ତାନ ଜନ୍ମ ଦେଇଥିଲା । ସେମାନଙ୍କୁ ଗୋଟିଏ ପୁତ୍ର ସନ୍ତାନ ଦରକାର ଥିଲା କିନ୍ତୁ ଗୋମତି ଝିଅ କୁ ଦେଖି ବହୁତ ଖୁସି ଥିଲା । ଗୋମତି ଝିଅ ର ନାମ ବୈଷ୍ଣବୀ ରଖିଲା । ବୈଷ୍ଣବୀ କୁ ସମସ୍ତେ ଅଣ ଦେଖା କରନ୍ତି କିନ୍ତୁ ତା ମା ଲାଳନ ପାଳନ ରେ କେବେ ବି ଅବହେଳା କରେନି । ବୈଷ୍ଣବୀ ତିନି ବର୍ଷ ର ହେଇଗଲା, ସେ ବହୁତ ଜ୍ଞାନୀ ଆଉ ବୁଦ୍ଧିମାନ ଥିଲା । ସେ ଆଖ ପାଖର ପିଲାମାନେ ସ୍କୁଲ ଯିବାର ଦେଖିଲା , ବାପାକୁ ଆସି ସ୍କୁଲ ରେ ନାମ ଲେଖାଇବାକୁ କହିଲା । ହେଲେ ତା ବାପା ରାଗିକି କହିଲା ତୋ ଲାଳନ ପାଳନ ରେ ହିଁ ମୋର ବହୁତ ଗୁଡିଏ ଟଙ୍କା ଖର୍ଚ୍ଚ ହେଇଗଲାଣି। ତୁ ସ୍କୁଲ ନଯାଇ ତୋ ମା କୁ ଘର କାମରେ ସାହାଯ୍ୟ କର । ବୈଷ୍ଣବୀ ଦୁଃଖି ହେଇଗଲା । ଆଉ କାନ୍ଦି କାନ୍ଦି ମା କୁ ଯାଇ କହିଲା । ଗୋମତି ବୁଝେଇ ଗହିଲା ତୁ ମନଦୁଃଖ କରନି ମୁଁ ବାପାଙ୍କ ସହ କଥା ହେବି । ଗୋମତି, ସ୍ୱାମୀ ସହ କଥା ହେଲା । ବହୁତ କଥା କଟାକଟିରେ ଶେଷରେ। ବାପା ସ୍କୁଲ୍ ରେ ନାମ ଲେଖେଇବା ପାଇଁ ରାଜି ହେଇଗଲା । ବାପା ରାଜି ହେଇଯିବା ଶୂଣି ବହୁତ ଖୁସି ହେଇଗଲା। ତାପର ଦିନ ସ୍କୁଲରେ ନାମ ଲେଖାଇଲା ଆଉ ପ୍ରତିଦିନ ସ୍କୁଲଗଲା । ବୈଷ୍ଣବୀ ବହୁତ ଭଲ ପାଠ ପଢେ କ୍ଳାସ ରେ ପ୍ରଥମ ହୁଏ । କିଛି ଦିନ ଗଲାପରେ ଗୋମତି ପୁଣିଥରେ ଗର୍ଭବତୀ ହେଲା । ଘର ଲୋକ ଶୁଣି ବହୁତ ଖୁସି ହେଇଗଲେ ଏଇଥର ଗୋଟିଏ ପୁଅ ହେବ ବୋଲି । ଏବଂ କିଛି ଦିନ ଗଲା ପରେ ଭଗବାନ ଙ୍କ କୃପା ରୁ ପୁଅ ଟିଏ ହିଁ ଜନ୍ମ ହେଲା । ଘରେ ଖୁସିର ଲହରୀ ଉଠିଲା ଗୋପୀନାଥ ଗାଁ ଗାଁ ବୁଲି ମିଠା ବାଣ୍ଟିବାକୁ ଲାଗିଲା । ପୁଅର ନାମ ପ୍ରଣୟ ରଖିଲା । ବୈଷ୍ଣବୀ ଦେଖିଲା ପ୍ରଣୟ କୁ ସମସ୍ତେ ବହୁତ ଗେଲ କରନ୍ତି ଆଉ ସ୍ନେହ ବି କରନ୍ତି । ସେ ମା କୁ ଯାଇ ପଚାରିଲା, ମା ପ୍ରଣୟ ସହ ସମସ୍ତେ ବହୁତ ଖେଳା ବୁଲା କରନ୍ତି ମୋ ସହ କାହିଁକି ଖେଳନ୍ତିନି । ଗୋମତି କହିଲା ଆରେ ମା ମୁଁ ଅଛି ନା ତୋ ସହ ଖେଳିବା ପାଇଁ ମୁଁ ତୋତେ ବହୁତ ଭଲପାଏ ବହୁତ ସ୍ନେହ କରେ । ଏମିତି କହି ଝିଅକୁ ବୁଝେଇ ଦେଲା । ପ୍ରଣୟ ମଧ୍ୟ ଧୀରେ ଧୀରେ ବଡ଼ ହେଇ ସ୍କୁଲ କୁ ଗଲା । ସମସ୍ତଙ୍କ ସ୍ନେହ ପାଇ ପ୍ରଣୟ ବହୁତ ଦୁଷ୍ଟ ହେଇଗଲା । ସ୍କୁଲ ରେ ପରୀକ୍ଷା ହେଲା ବୈଷ୍ଣବୀ ପ୍ରଥମ ହେଲା ଆଉ ପ୍ରଣୟ ଫେଲ ହେଲା । ବୈଷ୍ଣବୀ ଖୁସିରେ ଆସି କହିଲା ବାପା ମୁଁ ସ୍କୁଲ ରେ ପ୍ରଥମ ହେଇଛି । ଗୋପୀନାଥ ମୁହଁ ଫୁଲେଇ କିଛି କହିଲା ନାହିଁ । ତାପରେ ପ୍ରଣୟ ଆସି କହିଲା ବାପା ମୁଁ ଫେଲ ହେଇଚି ଗୋପୀନାଥ କହିଲା କିଛି କଥା ନାହିଁ ବାବା ଏଇଥରକ ନହେଲା ନାହିଁ ପୁଣି ପରୀକ୍ଷା ହେଲେ ପାସ କରିବୁ ।ପ୍ରଣୟ ଖୁସି ହେଇଗଲା। ଭାଇ ଭଉଣୀ ଧିରେ ଧିରେ ବଡ଼ ହେଲେ । ବୈଷ୍ଣବୀ ର ସରକାରୀ ଚାକିରୀ ହେଲା ଏବଂ ତାର ବାହାଘର ମଧ୍ୟ ହେଇଗଲା ।
 ପ୍ରଣୟ ପାଠ ପଢାରେ କମ୍ ଯୋଗୁ କୋଉଠି ଚାକିରୀ ମିଳିଲାନି । ବାପାଙ୍କ ବେପାର ରେ ବେଳେ ବେଳେ ଯାହା ଟଙ୍କା ହେଉଥାଏ ତାହା ପ୍ୟାକେଟ ପକେଇ ସାଙ୍ଗ ମାନଙ୍କ ସହ ବୁଲିବା ମଦ ପିଇବା ଏବଂ ବେଳେ ବେଳେ ଚୋରି କାମ ମଧ୍ୟ କରେ । ଶେଷରେ ସେ ଘରେ ନଜଣେଇ ଗୋଟିଏ ଝିଅ କୁ ବିବାହ କରି ଘରକୁ ନେଇ ଆସିଲା କିନ୍ତୁ ଗୋପୀନାଥ କିଛି ନ କହି ଚୁପ୍ ରହିଲା। ବାହାହେବା ର ଦେଖି ଖୁସିରେ ପୁଅକୁ ବେପାର ର ସବୁ ଦାଇତ୍ଵ ଦେଇଦେଲା । ଗୋମତି ମଧ୍ୟ ବୋହୂ କୁ ଘରର ସବୁ ଦାଇତ୍ଵ ଦେଇଦେଲେ । ଏମିତି ହସଖୁସିରେ କିଛିବର୍ଷ ସୁଖେଦୁଃଖେ ଚାଲିଲା । ଥରେ ଗୋପୀନାଥ ର ଦେହ ଖରାପ ହେଇଗଲା । ଅଳ୍ପ ଚିକିତ୍ସା କରି ବାପାଙ୍କୁ ଘରକୁ ନେଇ ଆସିଲା । ଅଧିକ ଟଙ୍କା ଖର୍ଚ୍ଚ ହୋଇଯିବ ବୋଲି ପୁଅ-ବୋହୂ ବାପା ମା ଙ୍କୁ ଟଙ୍କା ଚୋରି କରିବା ଦୋଷ ଦେଇ ଘରୁ ବାହାର କରିଦେଲେ । ଗୋମତି ସ୍ୱାମୀକୁ ଧରି ଗୋଟିଏ ଗଛ ତଳେ ଆଶ୍ରୟ ନେଲା ।ଆଉ ସ୍ୱାମୀ ର ଯତ୍ନ ନେଲା । କିଛି ଦିନ ପରେ ବୈଷ୍ଣବୀ ଘରକୁ ବୁଲିବାକୁ ଆସିଲା । ସେଠି ଦେଖିଲା ବାପା ମା ନାହାନ୍ତି। ଭାଇ କୁ ପଚାରିଲା ଭାଇ କହିଲା ବୁଲିବା ପାଇଁ ଯାଇଛନ୍ତି । ସେଠି ଗୋଟିଏ ଦିନ ରହି ପୁଣି ତାପର ଦିନ ଶାଶୂ ଘରକୁ ବାହାରିଲା । ଫେରିବା ବାଟରେ ଗଲାବେଳେ ଗୋଟିଏ ଗଛ ତଳେ ଦୁଇ ଜଣ ବୁଢ଼ା ବୁଢ଼ୀ ବସିଥିଲେ । ପାଖକୁ ଯାଇ ଦେଖିଲା ବେଳକୁ ତାର ବାପା ଆଉ ମା । ବୈଷ୍ଣବୀ ବାପା ମା ଙ୍କୁ ଦେଖି ଦୁଃଖ ରେ ଭାଙ୍ଗି ପଡ଼ିଲା । ଗାଡ଼ିରୁ ଓଲ୍ହାଇ ଯାଇ ବାପା କୁଣ୍ଢେଇ ଧରି କାନ୍ଦିବାକୁ ଲାଗିଲା । ଝିଅ ପଚାରେ କାହିଁକି କାନ୍ଦୁଛ ବାପା । ମା ଝିଅ କୁ ସବୁ କଥା କହେ ।ସେଠୁ ମା ବାପାକୁ ନିଜ ଶାଶୂ ଘରକୁ ନେଇଗଲା। ସେଠି ଡାକ୍ତର ଙ୍କୁ ଦେଖାଶୁଣା ଏବଂ ଯତ୍ନ ବି ନେଲା । ଗୋପୀନାଥ ଖୁବଶୀଘ୍ର ଠିକ୍ ମଧ୍ୟ ହେଇଗଲା । ଝିଅ କୁ କୁଣ୍ଢେଇ କାନ୍ଦି କାନ୍ଦି କହିଲା ମୁଁ ତୋ ପ୍ରତି ବହୁତ ଅନ୍ୟାୟ କରିଛି ବୈଷ୍ଣବୀ। ତୁ ଆଜି ମୋର ଆଖି ଖୋଲିଦେଇଛୁ । ଏଇ ଦୁନିଆ ରେ ପୁଅ ଆଉ ଝିଅ ଭିତରେ କିଛି ବି ଫରକ ନାହିଁ । ପୁଅ ସିନା ଭୁଲିଯାଏ ବାପା ମା ର କଷ୍ଟ କିନ୍ତୁ ଝିଅ ସବୁ ଦୁଃଖ ଭୁଲି ନିଜ ବାପା ମା ଙ୍କୁ ଆଦରି ନିଏ । ସବୁ ବାପା ମା ଙ୍କୁ ଭଗବାନ ତୋ ଭଳି ଗୋଟିଏ ଝିଅ ଦେବା ଦରକାର ।  
ମୁଖ୍ୟ ବିନ୍ଦୁ :-
୧. ପୁଅ ଏବଂ ଝିଅ ସବୁ ସମାନ ।
୨. ଝିଅ କୁ ପଢ଼ିବା ପ୍ରେରଣା ଦେବା ଉଚିତ୍ ।
୩. ବାପା ମା ଙ୍କୁ ସେବା କରିବା ଉଚିତ୍ ।
Rubi Nahak (Writer)
Buguda, Ganjam.   

ସ୍ଵର୍ଗର ଅପସରି (Angel)

ସ୍ଵର୍ଗର ଅପସରି (Angel)
ସ୍ଵର୍ଗର ଅପସରି (Angel)
ଗୋଟିଏ ଗ୍ରାମରେ ଭଦ୍ର ବ୍ୟକ୍ତି ଏବଂ ତାର ସ୍ତ୍ରୀ ସହିତ ରହୁଥିଲା । ତା ପାଖରେ ଧନ ର ଭଣ୍ଡାର ଥିଲା କିନ୍ତୁ ବେଳେବେଳେ ସେ ଦାନ ଧର୍ମ ମଧ୍ୟ କରେ। ସେ ତାର କନ୍ୟା ଓ ଗୋଟିଏ ପୁତ୍ର ଏବଂ ପୁତ୍ରବଧୂ ସହିତ ରହୁଥିଲେ । ସ୍ବାମୀ ସହ ସ୍ତ୍ରୀ ଜଣକ ବହୁତ୍ ଦାନ ଧର୍ମ କରୁଥିଲେ । ବହୁ ଯୋଗୀ ଋଷିି ତାଙ୍କ ଘର ଦୁଆର କୁ ଭିକ୍ଷା ନିମନ୍ତେ ଆସିଥାନ୍ତି । ଯେଉଁ ବ୍ୟକ୍ତି ବି ତାଙ୍କ ଘରକୁ ଆସେ କେହି ମଧ୍ୟ ଖାଲି ହାତରେ ଫେରେ ନାହିଁ । ଏମିତି ଦାନ କରି ସେ ଦୁହେଁ ବହୁତ ଖୁସି ରହୁଥିଲେ ।ଲୋକଙ୍କ ସେବା ମଧ୍ୟ କରୁଥିଲେ । ଯାହାର କୌଣସି ଅସୁବିଧା ହୁଏ ତେବେ ପ୍ରଥମେ ଏହି ସ୍ବାମୀ ଓ ସ୍ତ୍ରୀ ପାଖକୁ ଆସିଥାନ୍ତି । ଜଣେ ସାଧୁବାବା ପ୍ରତିଦିନ ଭିକ୍ଷା ନିମନ୍ତେ ଆସୁଥାଏ । ସ୍ତ୍ରୀ ଜଣକ ନିଜ ଝିଅ ହାତରୁ ସବୁଦିନ ସାଧୁବାବା କୁ ଭିକ୍ଷା ଦେଉଥିଲେ । ସାଧୁବାବା ଭିକ୍ଷା ନେବା ସମୟରେ କନ୍ୟା ଜଣକ ର ମୁହଁ କୁ ଦେଖି କିଛି ମଧ୍ୟ କୁହନ୍ତି ନାହିଁ ଏବଂ ଖୁସି ରେ ଭିକ୍ଷା ଗ୍ରହଣ କରି ଚାଲି ଯାଆନ୍ତି।


ଦିନେ ଭିକ୍ଷା କନ୍ୟା ବଦଳରେ ବୋହୂ ଆସିଲା । ଭିକ୍ଷା ଦେବା ପରେ ସାଧୁବାବା ଜଣକ ତାକୁ ବହୁତ ଆଶ୍ରିବାଦ କଲେ । ତା ପର ଦିନ ପୁଣି କନ୍ୟା ଭିକ୍ଷା ଦେବା ପାଇଁ ଆସିଲା।   କିନ୍ତୁ ତାହାର ଭିକ୍ଷା ନେବା ସମୟରେ ସାଧୁବାବା କିଛି ଆଶୀର୍ବାଦ ନ ଦେଇ ଧିରେ ଚାଲିଗଲେ । ସାଧୁବାବାଙ୍କୁ ସ୍ତ୍ରୀ ଜଣଙ୍କ ପଚାରିଲେ । ହେ ସାଧୁ ବାବା ଆପଣ ମୋ ବୋହୂ କୁ ଆଶୀର୍ବାଦ ଦିଅନ୍ତି କିନ୍ତୁ ମୋ କନ୍ୟାକୁ ଆଶୀର୍ବାଦ ଦିଅନ୍ତି ନାହିଁ ।  କାରଣ କଣ !! ଏହା ଶୁଣି ସାଧୁ ଜଣକ କୁହନ୍ତି । ତମ ଝିଅ ର ଭାଗ୍ୟ ବିଷୟରେ ମୁଁ ଜାଣି ପାରୁନି ଏବଂ ତାର ଭବିଷ୍ୟତ କଣ ହେବ ସେ ବିଷୟରେ ଚିନ୍ତିତ ।  ତେଣୁ ମୁଁ କିଛି ଆଶୀର୍ବାଦ କରିପାରୁନାହିଁ ।  ତୁମ ଝିଅ ବିଷୟରେ ଜଣେ ହିଁ କହି ପାରିବ ତୁମେ ଯାଇ ତାକୁ ପଚାର ।  ଏହା ଶୁଣି ସ୍ତ୍ରୀ ଜଣକ ପଚାରିଲେ ଯେ କିଏ ସିଏ କୁହନ୍ତୁ ମୁଁ ଯାଇ ତାଙ୍କୁ ପଚାରିବି । ସାଧୁ ଜଣକ କହିଲେ ନଦୀ ତଟରେ ଜଣେ ଧୋବା ଲୋକ ରହୁଛି । ତାର ସ୍ତ୍ରୀ କୁ ପଚାରିବ, ସେ ସବୁ କଥା କହିବ । ଏହା ଶୁଣି ସ୍ତ୍ରୀ ଜଣକ ତାର ପରଦିନ କିଛି ଟଙ୍କା ଗହଣା ଶାଢ଼ୀ ନେଇ ସେ ଧୋବା ର ସ୍ତ୍ରୀ ପାଖକୁ ଗଲେ । ଧୋବା ର ସ୍ତ୍ରୀ ଧନୀ ସ୍ତ୍ରୀ ଜଣକୁ ଦେଖି ଆଶ୍ଚର୍ଯ୍ୟ ହେଇ ପଚାରେ କି କେଉଁ କାମ ଲାଗି ତୁମେ ମୋ କୁଡିଆ କୁ ଆସିଛ ?  ଏବଂ କଣ ଦରକାର ତୁମକୁ ?  ସ୍ତ୍ରୀ ଲୋକ ଜଣକ କୁହନ୍ତି ମୁଁ ତମ ସହ ମୈତ୍ର ବାନ୍ଧିବାକୁ ଆସିଛି ଏହା ଶୁଣି ଧୋବା ର ସ୍ତ୍ରୀ ଖୁସି ହେଇ ତା କଥା ରେ ରାଜି ହୋଇଗଲା। ତାପରେ ଦୁଇଜଣ ମୈତ୍ର ହୋଇଗଲେ । ସ୍ତ୍ରୀ ଜଣକ ଧୋବା ର ସ୍ତ୍ରୀ କୁ କଥା ଆଳରେ ସାଧୁ କହିବା କଥାକୁ କୁହନ୍ତି । ତାହା ଶୁଣି ଧୋବା ର ସ୍ତ୍ରୀ କୁହେ ତମ ଝିଅର ଅତୀତ ବହୁତ୍ ଖରାପ।  ସେ ଗତ ଜନ୍ମରେ ବହୁତ୍ ବଡ଼ ପାପ କରିଛି ସେ ଏହି ଜନ୍ମରେ ତାକୁ ଭୋଗିବାକୁ ପଡ଼ିବ । ସ୍ତ୍ରୀ ଜଣକ ଏହି କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ଏବଂ କହିଲେ କି ଏବେ କଣ କରାଯାଇପାରିବ ।ଧୋବା ର ସ୍ତ୍ରୀ ଆଶ୍ୱାସନା ଦେଇ କହିଲା,  ମୁଁ ତମକୁ କହିବି କଣ କରାଯାଇ ପାରିବ ତୁମେ ତୁମେ ଏବେ ଘରକୁ ଯାଅ । ସ୍ତ୍ରୀ ଲୋକଟି ଘରକୁ ଚାଲିଯାଏ । ଧୋବା ର ସ୍ତ୍ରୀ ଭାବେ କି ମୁଁ ୟାକୁ କିଛି ମିଛ କହିଦେବୀ । ୟାକୁ ତ ମୁଁ ଯାହା କହିବି ସେ ସବୁକୁ ବିଶ୍ୱାସ କରିବ । ଏହା ଭାବି ସେ ତା ମନରେ ଭାବେ କି ତା ଝିଅକୁ ମୋ ପୁଅ ସହ ବିବାହ କରିବାକୁ କହିଲେ ମଧ୍ୟ ରାଜି ହେଇଯିବ । ମିଛ କହିକି ବାହା କରେଇଦେବି ଆଉ ସବୁ ସଂପତ୍ତି ମୋର ହେଇଯିବ । ଏହା ଭାବି ଭାବି ସେ ସ୍ତ୍ରୀ ଜଣକ ପାଖକୁ ଯାଏ । ଅତୀତ ର ପ୍ରତିକାର ବିଷୟରେ କହିଲା ଏବଂ କୁହେ ମୈତ୍ର ମୁଁ ଝିଅ ର ଭାଗ୍ୟ ଦେଖି ଜାଣିଲି ଯେ ଏହି ଝିଅ ଜଣକ ସହ ବିବାହ କରିବ ସେ ପୁଅ ବହୁତ୍ ଗରିବ ହେଇଥିବ ଏବଂ ତୁମ ଜାତି ଠାରୁ ଅଲଗା ହୋଇଥିବ। ଏହି ବିବାହ ଆଗାମୀ ପୂର୍ଣ୍ଣମୀ ପୂର୍ବରୁ ହେବା ଦରକାର।  ଏବଂ ପୂର୍ଣ୍ଣମୀ ଆଉ ୨ ଦିନ ପରେ ଅଛି ମାନେ ଏହି ଦୁଇଦିନ ମଧ୍ୟ ରେ ବିବାହ କରିବ ତେବେ ଯାଇ ତୁମ ପରିବାର ସହ ତୁମ ଝିଅର ଜୀବନ ମଧ୍ୟ ବଞ୍ଚି ରହିବ ।

ଯଦି ବିବାହ ନହୁଏ ତେବେ ତୁମ ପରିବାରର ସମସ୍ତଙ୍କ ର ମୃତ୍ୟୁ ଘଟି ପାରେ । ଏହା ଶୁଣି ସ୍ତ୍ରୀ ଲୋକଟି ବହୁତ୍ ଡରିଗଲା ଏବଂ ନିଜ ସ୍ବାମୀଙ୍କୁ ଯାଇ ସବୁ କଥା କୁହେ।  ଏହା ଶୁଣି ସ୍ବାମୀ କୁହେ ଦୁଇଦିନ ଭିତରେ ଆମକୁ ଯୋଇଁ ପୁଅ କୋଉଠୁ ମିଳିବ ସେ ବି ନିଜ କୁଳର ହେଇନଥିବ । ତାହା ଶୁଣି ଧୋବା ର ସ୍ତ୍ରୀ କୁହେ ତମେ ଯଦି ଖରାପ ନ ଭାବ ତେବେ ମୁଁ ମୋର ଗୋଟିଏ ମତ ଦେବୀ । ସ୍ତ୍ରୀ ଲୋକ ଜଣକ କୁହେ ଖରାପ କଣ ପାଇଁ ଭାବିବୁ ତୁମେ ତ ମୋ ପରିବାରକୁ ବଞ୍ଚେଇବାକୁ ଚାହୁଁଛ କୁହ କଣ କରାଯାଇ ପାରିବ । ଧୋବା ର ସ୍ତ୍ରୀ ଜଣକ କୁହେ ତୁମ ଝିଅକୁ ଯଦି ମୋ ପୁଅ ସହ ବିବାହ କରିବ ତେବେ କେମିତି ହେବ ଏବଂ ଆମ ଜାତି ମଧ୍ୟ ଅଲଗା। ସ୍ତ୍ରୀ ଲୋକଟି ଆଉ କିଛି ନ ଭାବି ସଙ୍ଗେ ସଙ୍ଗେ ହଁ କରିଦେଲେ । ଧୋବା ର ସ୍ତ୍ରୀ ଘରକୁ ଆସି ବହୁତ ଖୁସି ହେଇ ନିଜ ପୁଅର ଫେରିବା ବାଟ କୁ ଚାହିଁ ରହିଥାଏ ଖୁସି ଖବର ଜଣେଇବା ପାଇଁ । ସ୍ତ୍ରୀ ଜଣକ ସାଧୁ ଜଣକୁ ଦେଖା କରିବା ପାଈଁ ଯାଆନ୍ତି । ସାଧୁ ଙ୍କୁ ଦେଖି ପ୍ରଣାମ କରି କୁହନ୍ତି ବାବା ଆପଣଙ୍କ ପାଇଁ ସବୁ ଠିକ୍ ହେଇଗଲା । ଆପଣ ଆସି ମୋ କନ୍ୟାକୁ ଆଶୀର୍ବାଦ କରି ପାରିବେ କିନ୍ତୁ ସାଧୁ ବାବା ସ୍ତ୍ରୀ ଲୋକ କଥା ଶୁଣି ଆଶ୍ଚର୍ଯ୍ୟ ହୋଇ କହିଲେ ଏଇ ଝିଅ ତ ସ୍ବର୍ଗ ର ଅପସରୀ ଅଟେ ୟାକୁ କିଏ ବିବାହ କରିବ। ସ୍ତ୍ରୀ ଜଣକୁ ପଚାରିବାରୁ ସେ ଧୋବା ର ସ୍ତ୍ରୀ କହିଥିବା ସବୁ କଥା କୁହେ । ସାଧୁ ସବୁ କଥା ଶୁଣି କହିଲେ ସେ ଯାହା ସବୁ କହିଛି ସବୁ ମିଛ କହିଛି । ଚାଲ ଆମ୍ଭେ ଦୁଇ ଯାଇ ପଚାରିବା । ସଙ୍ଗେ ସଙ୍ଗେ ସାଧୁ ଏବଂ ସେ ସ୍ତ୍ରୀ ଜଣଙ୍କ ଧୋବା ଘରକୁ ଗଲେ।  ଯେତେବେଳେ ପହଞ୍ଚିଲେ ଦ୍ଵାର ପାଖରେ ପହଞ୍ଚି ଶୁଣିବାକୁ ପାଇଲେ।  ଧୋବା ର ସ୍ତ୍ରୀ ନିଜ ପୁଅ କୁ କହୁଥାଏ। ତୁ ସେଇ କନ୍ୟାକୁ ବିବାହ କରିବୁ ବହୁତ ଧନ ସମ୍ପତ୍ତି ଆମ୍ଭ ଘରକୁ ଆସିବ ଆଉ ଆମେ ଗରିବ ରହିବା ନାହିଁ । ସେହି କନ୍ୟାଟି ଗୋଟାଏ ସ୍ବର୍ଗ ର ଅପସରି ତୋତେ ବିବାହ କରିବା ମାତ୍ରେ ସେ ସବୁ କିଛି ଛାଡ଼ି ସ୍ବର୍ଗ କୁ ଚାଲିଯିବ । ତୁ ପୁଣିଥରେ ଆଉ ଜଣକୁ ବିବାହ କରିବୁ । ଏହି କଥା ଶୁଣି ସାଧୁ ବାବା ବହୁତ୍ ରାଗିଲେ ଏବଂ ଦୁହେଁ ସେଠୁ ଫେରି ଆସିଲେ ।

ସାଧୁ ଜଣକ ଆସୁଥିବା ରାସ୍ତାରେ ମୁରୁକି ହସୁଥିଲେ। ସ୍ତ୍ରୀ ଜଣଙ୍କ ପଚାରିଲେ  ସାଧୁ ବାବା ଆପଣ ତା କଥା ଶୁଣି ହସୁଛନ୍ତି । ସାଧୁ ବାବା କହିଲେ ସେ ତୋ ଝିଅ ର ଭାଗ୍ୟ କଥା ଠିକ୍ କହିଛି କିନ୍ତୁ ଲୋଭ ରେ ତୋ ଝିଅ ର ପୁରା ଭାଗ୍ୟ ଦେଖି ନାହିଁ । ସ୍ତ୍ରୀ ଜଣକ ପଚାରିଲେ ଆପଣ କଣ କହୁଛନ୍ତି ମୁଁ କିଛି ଜାଣି ପାରୁନି।  ସାଧୁ ଜଣଙ୍କ କହିଲେ ଧୋବା ର ସ୍ତ୍ରୀ ଯାହା କହୁଛି ତାହା ସତ କଥା । ପ୍ରକୃତରେ ତୋ ଝିଅ ର ବିବାହ ପରେ ଯୋଉ ପୂର୍ଣ୍ଣମୀ ଆସିବ ସେହି ପୂର୍ଣ୍ଣମୀ ର ଚନ୍ଦ୍ରାଲୋକ ପଡ଼ିଲେ ସେ ତାର ଅସଲ ରୂପ ମାନେ ଅପସରୀ ରୂପ କୁ ଆସି ଯିବ ଏବଂ ସେ ସବୁ ଦିନ ପାଇଁ ତୁମ ମାନଙ୍କୁ ଛାଡି ସ୍ୱର୍ଗକୁ ଚାଲିଯିବ। ତୋ ଝିଅ ସାଙ୍ଗରେ ଯାହା ଧନ ସମ୍ପତି ନେଇ ଯାଇଥିବ ସେ ସବୁ ତୋ ଝିଅ ଅପସରୀ ହେବା ପରେ ଅଦୃଶ୍ୟ ହୋଇଯିବ । ଏହି କଥା ଶୁଣି ଦୁହେଁ ସ୍ବାମୀ ସ୍ତ୍ରୀ ଦୁଃଖୀ ହେଲେ । କିନ୍ତୁ ବିଧିର ବିଧାନ କେ କରିବ ଆନ ।

ସାଧୁ ମତ ଦେଲେ, ସେ ଯାହା ଯୋଜନା କରୁଛି କରୁ ତୁମ କାମ ହେଲା ତୁମ ଝିଅ କୁ ମୁକ୍ତି ମିଳିବା ଦରକାର । ତୁମେ ତୁମ ଝିଅ ର ବିବାହ କାର୍ଯ୍ୟ ଆରମ୍ଭ କର । ବିବାହ ସରିଲା , ଧୋବା ର ସ୍ତ୍ରୀ ମନେମନେ ଖୁସି ହେଉଥିଲା । ଏପଟେ ଝିଅ ର ବାହାଘର ତଥା ମୁକ୍ତି ପାଇଁ ସ୍ବର୍ଗକୁ ଯିବା ଭାବି ଦୁଃଖୀ ହେଉଥିଲେ । ଝିଅ ବାହାଘର ପରେ ଧୋବା ଘରକୁ ଆସିଲା ସାଙ୍ଗରେ ବହୁତ୍ ଧନ ନେଇ ଆସିଲା । ବାହାଘର ପର ଦିନ ପୂର୍ଣ୍ଣମୀ ସନ୍ଧ୍ୟାରେ ।ପୂର୍ଣ୍ଣମୀ ର ଚନ୍ଦ୍ରଲୋକ ପଡ଼ିଲା ପରେ ସେ ଝିଅ ନିଜ ଅପସରୀ ରୂପ କୁ ଆସିଗଲା। ଧୋବା ସ୍ତ୍ରୀ ମନେ ମନେ ବହୁତ୍ ଖୁସି ହେଉଥିଲା । ଅପସରୀ ର ମା ଏବଂ ବାପା ସମସ୍ତେ ଝିଅ କୁ ଅନ୍ତିମ ସମୟରେ ଦେଖା କରିବାକୁ ଆସିଲେ । ଅପସରୀ କହିଲା ଆପଣ ମାନଙ୍କ ଯୋଗୁ ମୁଁ ଏବେ ଅଭିଶାପ ରୁ ମୁକ୍ତି ହେଲି । ବାପା ମା ଙ୍କ ଆଖିରେ ଲୁହ ଥିଲା । ଅପସରୀ ଏତିକି କହି ସମସ୍ତଙ୍କୁ ଧନ୍ୟବାଦ ଦେଇ ସ୍ୱର୍ଗକୁ ଚାଲିଗଲା । କିଛି ସମୟ ପରେ ଧୋବା ସ୍ତ୍ରୀ ପୁଅ ନିଜ ଧନ ସଂପତ୍ତି କୁ ଦେଖି ବହୁତ୍ ଖୁସି ହେଉଥିଲା କିନ୍ତୁ କିଛି ଘଣ୍ଟା ପରେ ସବୁ ଦାମୀ ଜିନିଷ ଏବଂ ସୁନା ଗହଣା ଅଦୃଶ୍ୟ ହେବାକୁ ଲାଗିଲା ।  ଧୋବା ର ସ୍ତ୍ରୀ ଚିନ୍ତା ରେ ପଡ଼ିଗଲା । ସେ ଭାବିଲା ମୁଁ ତ ସେ ଅପସରୀ ର ପୁରା ଭବିଷ୍ୟ ଦେଖିନି ଏବଂ ପ୍ରକୃତ ଘଟଣା କଣ ଭାବି ପୁରା ଭବିଷ୍ୟ ଦେଖିଲା ପରେ ଜାଣିଲା ଯେ ସେ ଯାହା ଯାହା ଭାବିଥିଲା ତାହା ସତ କିନ୍ତୁ ସେ ଅପସରୀ ନିଜ ସାଙ୍ଗରେ ଆଣିଥିବା ଜିନିଷ ସବୁ ସମୟ କ୍ରମେ ଅଦୃଶ୍ୟ ହେଇଯିବ। ଏତିକି ବେଳେ ସାଧୁ ବାବା ଆସି ପହଞ୍ଚିଲେ ଏବଂ ଧୋବା ର ସ୍ତ୍ରୀ କୁ କହିଲେ ତୋର ଲୋଭ ଯୋଗୁ ଏହି ସମ୍ପତି ଅଦୃଶ୍ୟ ହୋଇଗଲା ଏବଂ ଧୀରେ ଧୀରେ ତୋର ସମ୍ପତି ମଧ୍ୟ ଅଦୃଶ୍ୟ ହୋଇଯିବ।  ଏତିକି ଶୁଣିଲା ପରେ ଧୋବା ର ସ୍ତ୍ରୀ ସାଧୁ ବାବା ର ଗୋଡ଼ ତଳେ ପଡି ଗୁହାରି କଲା । ମୋତେ କ୍ଷମା କରିଦିଅ ବାବା, ମୁଁ ମୋ ଭୁଲ ବୁଝିପାରିଛି। ମୋ ସ୍ବାମୀ ଏକ ଦିନ ମଜୁରିଆ ଯଦି ସେତକ ମଧ୍ୟ ସରିଯିବ ତେବେ ଆମେ ଦାଣ୍ଡର ଭିକାରୀ ହୋଇଯିବୁ । ସାଧୁ ବାବା ଙ୍କ ରାଗ ଶାନ୍ତ ହେଲା ଏବଂ କହିଲା ମୁଁ ମଧ୍ୟ ମୋ ଅଭିଶାପ ରୁ ମୁକ୍ତି ହେଲି ମୁଁ ସେ ଅପସରୀ କୁ ଅଭିଶାପ ଦେଇଥିବା ଋଷି । ମୁଁ ମୋ ରାଗ ପ୍ରକୃତି ପାଇଁ ଅଭିଶାପ ପାଇଥିଲି ଏବଂ ପୃଥିବୀ ପୃଷ୍ଠରେ  ଭିକ୍ଷା ମାଗି ଜୀବନ ଯାପନ କରିବାକୁ ଅଭିଶପ୍ତ ଥିଲି । ମୋର ରାଗ ରେ ଅଭିଶପ୍ତ ଯୋଗୁ ଦେବତା ମାନେ ମୋତେ ଅଭିଶାପ ଦେଇଥିଲେ ।  ଏବେ ମୋର ରାଗ ଶାନ୍ତ ହୋଇଛି ଏବଂ ତୁମକୁ କ୍ଷମା ଦେଉଛି । ତୁମର ମଙ୍ଗଳ ହେଉ କହି ସେ ମଧ୍ୟ ସ୍ୱର୍ଗକୁ ଚାଲିଗଲେ । ଧୋବା ର ସ୍ତ୍ରୀ , ଅପସରୀ ର ବାପା ମା ପାଖକୁ ଯାଇ କ୍ଷମା ମାଗିଲା । ଧୋବା ର ପରିବାର ମୂଲ ଲାଗି ଟଙ୍କା ଅର୍ଜନ କରି ଖୁସିରେ ରହିଲେ ଏବଂ ଅପସରୀ ର ପରିବାର ପୂର୍ବ ଭଳି ଦାନ ଧର୍ମ କରି ଖୁସିରେ ରହୁଥିଲେ।    

ଏଥିରୁ କଣ ଶିଖିଲ?
୧. ଲୋଭ କରିବା ଅନୁଚିତ୍ ।
୨. ରାଗରେ କାହାକୁ ଭୁଲ କହିବ ଅନୁଚିତ୍ ।
୩. ବେଳେବେଳେ ଦାନ କରିବା ଉଚିତ୍ ।

ଲେଖିକା. ପୂଜା ସ୍ୱାଇଁ
ବୁଗୁଡ଼ା, ଗଞ୍ଜାମ।