Category Archives: story

କୋରୋନା କାଳ (Corona Time)



କୋରୋନା କାଳ (Corona Time)
କୋରୋନା କାଳ (Corona Time)



ଗୁଜୁରାଟ ରେ ଗୋଟିଏ ଗରିବ ପରିବାର ରହୁଥିଲେ । ସେ ପରିବାର ରେ ବାପା ସୁରେଶ ଆଉ ଗୋଟିଏ ଝିଅ ଏବଂ ଗୋଟିଏ ପୁଅ ରହୁଥିଲେ । ସ୍ତ୍ରୀ ଗୋଟିଏ ବର୍ଷ ପୂର୍ବରୁ ଚାଲିଯାଇଛି । ପୁଅ ପପୁ ପାଞ୍ଚ ବର୍ଷର ହୋଇଥାଏ ଓ ଝିଅ ପାପୁନି ତିନି ବର୍ଷର ହୋଇଥାଏ । ସେଠୀ ଗରିବ ବସ୍ତି ରେ ଗୋଟିଏ ଚାଳ ଘରେ ରହୁଥିଲେ । ସୁରେଶ ବଙ୍ଗଳା ରେ ଲାଗୁଥିବା ଇଟା ସିମେଣ୍ଟ ଗୁଡି ବୋହିବା କାମ କରେ । ସେତିକି ରୁ ଯେତିକି ମିଳେ ପୁରା ଟଙ୍କା ଖାଇ ସାରି ଦେଉଥିଲେ । ଖୁସିରେ ତାଙ୍କର ଘର ଚାଳିଯାଏ । ତାକୁ କୌଣସି ଦିନ ଖାଇବାରେ ଅସୁବିଧା ହେଉନଥିଲା । ମଜୁରୀ ଠିକ୍ ସମୟରେ ମିଳି ଯାଉଥିଲା ଚାଉଳ, ଅଟା, ପରିବା ସରିବା ମାତ୍ରେ ଘରକୁ ଆସିଯାଉ ଥିଲା । ଦୁଇ ଓଳି ଖାଇବା ଆଉ ରହିବା ପାଇଁ ଜାଗା ସହିତ ପୁଅ ଝିଅ ଙ୍କ ସହ ଖେଳିବା ରେ ତାର ସମୟ ବିତି ଯାଉଥିଲା । ସୁରେଶ କାମ କୁ ଗଲାବେଳେ ପପୁ ଭଉଣୀ (ପାପୁନୀ) ର ଦେଖା ଶୁଣା କରେ । ମା ନଥିବା ହେତୁ ପପୁ ସାନ ଭଉଣୀ ପାପୁନି କୁ ବହୁତ ଭଲ ପାଏ ଏବଂ ଯତ୍ନ ବି ନିଏ।
ହଠାତ୍ କୋରନା ରୋଗ କୁଆଡୁ ମାଡ଼ି ଆସିଲା । ଦେଶରେ ଲକ ଡାଉନ ଏବଂ ସଟ ଡାଉନ୍ ହେଲା ଯାହା ଫଳରେ କାମ ଧନ୍ଦା ବନ୍ଦ ହେଇଗଲା । ସୁରେଶ ବହୁତ ଚିନ୍ତିତ ହେଇଗଲା । କାମ ବନ୍ଦ ହେଇଗଲା କେମିତି କଣ କରିବ ଆଉ ପିଲାଙ୍କୁ କଣ ଖାଇବା କୁ ଦେବ । କାରଣ ସେ ଦିନ ମଜୁରୀ ଭାବରେ କାମ କରୁଥାଏ । ଯୋଉ ଦିନ ଯାହା ମିଳିଥାଏ ସବୁତକ ଘର ଖର୍ଚ୍ଚରେ ଚାଲିଯାଏ । ଅଟା, ଚାଉଳ ଏତିକି ଥିଲା ସେତକ ଦୁଇ ଦିନ ରେ ସରିଗଲା । ସୁରେଶ ର ଆଖ ପାଖରେ କିଏ ବି ରହୁନଥିଲେ । ଅଟା ଡବା ଝାଡା ଝୁଡ଼ି କରିଲା ସେଥିରୁ ଯେତିକି ଅଟା ବାହାରିଲା ଦୁଇ ଖଣ୍ଡ ରୁଟି ହେବ । ସେତକ ଦେଖି ବହୁତ ଦୁଃଖି ହେଇଗଲା, ଭାବିଲା ଦୁଇ ଖଣ୍ଡ ରୁଟି ହେବ ତାହା ମୋ ପୁଅ ଝିଅ କେମିତି ଖାଇବେ, ଜଣକୁ ଦେବୀ ତ ଆଉ ଜଣେ ଭୋକରେ ରହିବ । ମାତ୍ର ସେ ଅଟା କୁ ଚକଟି ରୁଟି କରିଲା ପରେ ସେଥିରୁ ତିନି ଖଣ୍ଡ ରୁଟି ହେଲା ସେଥିରୁ ପାପୁନି କୁ ଗୋଟେ ଆଉ ଗୋଟେ ପାପୁନି କୁ ଖାଇବାକୁ ଦେଲା । ଆଉ ଗୋଟିଏ ଖଣ୍ଡ ରୁଟି ସେ ନିଜେ ଖାଇବାକୁ ନେଲା । ଖାଇ ବସି ପାଟିକୁ ନେଲା ବେଳେ ଭାବିଲା ମୁଁ ଯଦି ଖାଇନେବି ପାପୁନି କୁ ଅଧ ରାତି ରେ ଯଦି ଭୋକ ହେଲା କଣ ଖାଇବାକୁ ଦେବୀ ଏମିତି ଭାବି ସେ ରୁଟି ଖଣ୍ଡକ ରଖିଦେଲା । ସେ ଯେମିତି ଭାବିଥିଲା ସେମିତି ହିଁ ହେଲା । ଅଧ ରାତିରେ ଭୋକରେ ପାପୁନି ର ନିଦ ଭାଙ୍ଗିଗଲା। ବଞ୍ଚିଥିବା ରୁଟି ଖଣ୍ଡକ ଖୁଆଇ ଦେଲା ଆଉ ସେ ଭୋକରେ ସେମିତି ହିଁ ରହିଗଲା । ପିଲାମାନେ ସିନା ଶୋଇ ପଡ଼ିଲେ କିନ୍ତୁ ସୁରେଶ କୁ ନିଦ ହେଉ ନଥିଲା । ସେ କାଲି ସକାଳେ ପିଲାମାନ ଙ୍କୁ କଣ ଦେବ ଭାବି ଦୁଃଖି ହେଇଗଲା ଆଉ ଭଗବାନ ଙ୍କୁ ପ୍ରାର୍ଥନା କରୁଥିଲା । ସୁରେଶ କେବେ ଭାବିନଥିଲା ଏତେ ଖରାପ ସମୟ ମଧ୍ୟ ଆସିବ ବୋଲି । ରାତି ପାହୀ ସକାଳ ହେଲା । ପିଲାମାନେ ଖାଇବା ପାଇଁ ଆକୁଳ ବ୍ୟାକୁଳ ହେଲେ । ବାପା ଭୋକ ହେଲା, ଭୋକ ହେଲା, କହି କାନ୍ଦିବାକୁ ଲାଗିଲେ କିନ୍ତୁ ଘରେ କିଛି ବି ଖାଇବା ପାଇଁ ନାହିଁ। କଣ କୋଉଠୁ ଆଣିକି ଦେବ ଭାବିଲା ବହୁତ ଦୁଃଖି ହେଇଗଲା। ସେତିକି ବେଳେ ଗୋଟିଏ ଗାଡି ଆସିଲା ଆଉ ମାଇକ୍ ରେ ଡାକିବାକୁ ଲାଗିଲା ।ଆମେ ଏଠି ସାହାଯ୍ୟ କରିବାକୁ ଆସିଛୁ ଆଉ ଯାହା କୁ ବି ଅଟା ଦରକାର ଏଠି ଆସି ନେଇଯାଅ । ସମସ୍ତ ପରିବାର କୁ କେବଳ ଗୋଟିଏ କିଲୋ ହିଁ ଦିଆ ଯିବ। ଶବ୍ଦ ଶୁଣି ଲୋକମାନେ ଏକାଠି ହେଲେ । ଶବ୍ଦ ଶୁଣି ସୁରେଶ ର ମୁହଁରେ ବି ଖୁସି ଆସିଗଲା । ସେ ପପୁ କୁ କହିଲା ଶୀଘ୍ର ଚାଲ ପପୁ ଲୋକ ଭିଡ଼ ହୋଇ ଯିବେ । ଆମ କୁ ସେ ଅଟା ନିହାତି ଦରକାର । ପପୁ ଦୌଡ଼ି ବା କୁ ଲାଗିଲା ସୁରେଶ ପାପୁନି କୁ ନେଇକି ଗଲା । ପପୁ କିଛି ସମୟ ଦୌଡ଼ି ବା ପରେ ତଳେ ପଡ଼ିଗଲା । ହେଲେ ବି ସେ ଉଠିକି ପୁଣି ଦୌଡ଼ି ଯାଇ ଲାଇନ ରେ ଛିଡା ହେଲା । ଜଣ ଜଣ ଙ୍କ ପରେ ସୁରେଶ ର ପାଳି ଆସିଲା । ସେ ବ୍ୟକ୍ତି ଜଣକ ସୁରେଶ କୁ ଆଣି ଅଟା ପ୍ୟାକେଟ ଟି ଦେଲେ । ସୁରେଶ ଦୁଇ ହାତ ଯୋଡ଼ି ସେ ବ୍ୟକ୍ତି କୁ ଚାହିଁ ରହିଲା । ଆଖିରେ ଆଖିଏ ଲୁହ । କିଛି ସେକେଣ୍ଡ ପରେ ସେ ବ୍ୟକ୍ତି ଜଣକ ପଚାରିଲେ ଆଉ ଦରକାର କି । ସୁରେଶ ର ଆଖିରୁ ଲୁହ ବାହାରି ଯାଉଥାଏ। ସେ ବ୍ୟକ୍ତି ଦେଖିଲେ ସେ ସୁରେଶ ପଛରେ ଆଉ କିଏ ନାହାନ୍ତି। ସେ ବ୍ୟକ୍ତି ଜଣଙ୍କ ଆଉ ଗୋଟିଏ ପ୍ୟାକେଟ ଦେଲେ କହିଲେ ଏଥିରେ କିଛି ଡାଲି, ଚାଉଳ ଅଛି ୟକୁ ମଧ୍ୟ ନିଅ । ସୁରେଶ ସେ ବ୍ୟକ୍ତି ଜଣଙ୍କ ହାତକୁ ଧରି ଧନ୍ୟବାଦ ଦେଲା । ଅଟା ଏବଂ ଡାଲି ପ୍ୟାକେଟ କୁ ନେଇ ନିଜ ଘରକୁ ଚାଲିଗଲା । ଘର ଭିତରେ ଅଟା ପ୍ୟାକେଟ କୁ ଥାଳିରେ ଢାଳିଲେ ଏବଂ ଅନ୍ୟ ପ୍ୟାକେଟ କୁ ଆଉ ଗୋଟିଏ ଥାଳିରେ ଢାଳିଲା । ଅଟା ପ୍ୟାକେଟ ରୁ ଅଟା ବାହାରିଲା କିନ୍ତୁ ଡାଲି ପ୍ୟାକେଟ ରୁ କିଛି ଅଲଗା ଜିନିଷ ବାହାରିଲା। ସେଥିରେ ଥିଲା କିଛି ଟଙ୍କା ପାଖା ପାଖି ଦୁଇ ହଜାର ଟଙ୍କା ହେବ ତା ସହିତ ଡାଲି ଏବଂ ମସଲା ସାମଗ୍ରୀ ଥିଲା। ସେଥିରେ ଆଉ ଗୋଟିଏ କାଗଜରେ କିଛି ଠିକଣା ଦେଇ ଲେଖା ହୋଇଥିଲା ଆପଣଙ୍କ ଖାଇବା ସରିବା ପରେ ଆମର ଦିଆ ଯାଇଥିବା ଠିକଣା ରେ ପହଞ୍ଚି ପୁଣି ଥରେ ଅଟା, ଚାଉଳ ଏବଂ ଡାଲି ନେଇପାରିବେ । ସୁରେଶ ମନରେ ଆଶ୍ୱାସନା ଆସିଲା । ସେ ମନେ ମନେ ଭଗବାନ କୁ ଧନ୍ୟବାଦ ଦେଇ କହିଲା । ଆପଣ ଦୁଃଖ ଦରିଦ୍ର ଙ୍କ କଥା ପ୍ରକୃତରେ ବୁଝି ପାରନ୍ତି । ଖାଇବା ସାମାନ ସରିବା ପରେ ପୁଣି ସେହି ଠିକଣା ରେ ପହଞ୍ଚିଲା। ସେଠୀ ପୁଣି ଖାଇବା ସାମାନ ନେଇ ଆସିଲା ସେହି ସମୟରେ ବ୍ୟକ୍ତି ଜଣଙ୍କ କହିଲେ । ଭାଇନା ଏବେ କେବଳ ଅଟା ଏବଂ ଡାଲି ଅଛି ସେଥିରେ ଟଙ୍କା ନାହିଁ । ସୁରେଶ କହିଲା ଆପଣଙ୍କ ଦୟା ଯୋଗୁ ମୋର ଦୁଇ ଛୁଆ ଭୋକରେ ରହିବେ ନାହିଁ । ସେ ବ୍ୟକ୍ତି ଜଣଙ୍କ କହିଲେ ଆପଣ ଯଦି ଆମ ସାଙ୍ଗରେ ଲୋକ ମାନଙ୍କୁ ସାହାଯ୍ୟ କରନ୍ତି ତେବେ କିଛି ଟଙ୍କା ମିଳିପାରେ । ସୁରେଶ ଖୁସି ହୋଇ କହିଲା । ହଁ ଆଜ୍ଞା ମୁଁ କରିବାକୁ ରାଜି ଅଛି । ସେ ବ୍ୟକ୍ତି ଜଣକ କହିଲେ ତମେ ଏବେ ଯାଅ ସନ୍ଧ୍ୟାବେଳେ ଆସ ଏବଂ ଅଳ୍ପ ରାତି ପର୍ଯ୍ୟନ୍ତ ଖାଇବା ବାଣ୍ଟିବା ପରେ ତମେ ଚାଲିଯିବ । ସୁରେଶ ସବୁ କାମ ସାରି ସନ୍ଧ୍ୟାରେ ପହଁଚିଗଲା ଏବଂ ଖାଇବା ବାଣ୍ଟିବା ଆରମ୍ଭ କରିଦେଲା। ପ୍ରତିଦିନ କିଛି କିଛି ଟଙ୍କା ଆକାରରେ ସୁରେଶ କୁ ମିଳୁଥିଲା । ଏମିତି କିଛି ଦିନ ଚାଲିଲା ପରେ ଧିରେ ଧିରେ କାମ ଆରମ୍ଭ ହେଲା ଏବଂ ସୁରେଶ ପୁଣି ମଜୁରୀ କରି ନିଜ ଘର ଚଳେଇଲା କିନ୍ତୁ ଏବେ ସୁରେଶ ପ୍ରତିଦିନ ଯେତେ ଟଙ୍କା ମିଳୁଥିଲା ସେଥିରୁ ଅଧା ଟଙ୍କା ଖର୍ଚ୍ଚ କରି ବାକି ଟଙ୍କା ସଞ୍ଚୟ କରି ରଖୁଥିଲା । ସୁରେଶ ଭାବିଲା ଯେତେବେଳେ ପର୍ଯ୍ୟନ୍ତ ମୋତେ ପ୍ରତିଦିନ ଟଙ୍କା ମିଳୁଥିଲା ସେ ସମୟର ଟଙ୍କାର ମୂଲ୍ୟ ବୁଝିନଥିଲି କିନ୍ତୁ ଆଜି ଜାଣିଲି ଯେ ଯଦି ତୁମ ପାଖରେ ଟଙ୍କା ନାହିଁତ ତୁମ ପାଖରେ କିଛି ନାହିଁ ଏଵଂ ଯେତେବେଳେ ମଣିଷ କୁ ଭୋକ ଲାଗେ ସେତେବେଳେ ଟଙ୍କା ର ମୂଲ୍ୟ ଅଧିକା ହୋଇଯାଏ । ମନେ ମନେ ଭଗବାନ କୁ ଧନ୍ୟବାଦ ଦେଉଥିଲା ଏମିତି କା କୋରୋନା କାଳ ପୁଣିଥରେ ନ ଆସୁ ଭଗଵାନ !!!! ଏହି କୋରୋନା କାଳ ସମସ୍ତଙ୍କୁ କିଛି କିଛି ଉପଦେଶ ଦେଇ ଚାଲିଗଲା ଏବଂ କହିଦେଇଗଲା ଯେ, ସଞ୍ଚୟ କର ନହେଲେ ଆଗକୁ ପୁଣି କିଛି ଖରାପ ସମୟ ଆସିବ ତାହା ତମକୁ ଭୋଗିବାକୁ ପଡ଼ିବ । ତା ପର ଠାରୁ ସୁରେଶ ସବୁବେଳେ ଭାବି ଚିନ୍ତି ଖର୍ଚ୍ଚ କରୁଥାଏ ।


ଏଥିରୁ କଣ ଶିଖିଲ ?
୧. ନିଜେ ଭୋକରେ ରହି ମଧ୍ୟ ନିଜ ପରିବାର କୁ ଖୁଆଇବା ଦରକାର ।
୨. ଟଙ୍କାର ମୂଲ୍ୟ ବୁଝିବା ଦରକାର, ବେକାର ଖର୍ଚ୍ଚ ଠାରୁ ଦୂରରେ ରହିବା ଉଚିତ୍ ।
୩. ଟଙ୍କା ସଞ୍ଚୟ ପାଇଁ ଭାବନା ରଖିବା ଦରକାର ଯାହା ଆମକୁ ଅସୁବିଧା ସମୟରେ କାମ ଆସିବ ।

ଲେଖିକା. ରୁବି ନାହାକ
ବୁଗୁଡ଼ା, ଗଞ୍ଜାମ ।

ସିଂହ ସାଙ୍ଗ (The Lion friend)

ସିଂହ ସାଙ୍ଗ (Lion friend)
ସିଂହ ସାଙ୍ଗ (Lion friend)
ଗୋଟିଏ ଜଙ୍ଗଲ ରେ ହରିଣ ଆଉ ବଗ ରହୁଥିଲେ, ଦୁହେଁ ଭଲ ସାଙ୍ଗ ଥିଲେ । ଦିନେ ସକାଳୁ ସକାଳୁ ହରିଣ ଶୀଘ୍ର ଉଠି ବଗ ପାଖକୁ ଗଲା । ଦେଖିଲା ବଗ ଶୋଇ ରହିଛି । ବଗକୁ କହିଲା ଭାଇ ଉଠ !! ସକାଳ ହେଲାଣି ତମେ ଏ ପର୍ଯ୍ୟନ୍ତ ଶୋଇଛ । ଶୀଘ୍ର ଉଠ !! ବଗ କହିଲା ଆରେ ମୋତେ ଶୋଇବାକୁ ଦିଅ । ତମେ ଏକା ଚାଲିଯାଅ ମୁଁ ଯିବିନି । ହରିଣ ଏକୁଟିଆ ଘାସ ଖାଇବାକୁ ଚାଲିଗଲା ଆଉ ମଜାରେ ଘାସ ଖାଇଲା । ଗୋଟିଏ ପଡ଼ିଆରେ ଘାସ ଖାଉଥିବା ସମୟରେ ସିଂହ ହରିଣ କୁ ଲୁଚି ଦେଖୁଥାଏ କିନ୍ତୁ ସିଂହ ଥିଲା କିଛି ଦୂରରେ । ହରିଣ ଦେଖିବାକୁ ବହୁତ୍ ସୁନ୍ଦର ମନ ଭିତରେ ତାକୁ ମାରି ଖାଇବାକୁ ଈଛା ବଢିଲା । ହେଲେ ଖାଇବି କେମିତି ?? କିଛି ବାହାନା କରି ୟା ସାଙ୍ଗରେ ବନ୍ଧୁତା କରିବାକୁ ପଡ଼ିବ ।ସେ ସଙ୍ଗେ ସଙ୍ଗେ ତଳେ ଗଡି ବାହାନା କରି କାନ୍ଦିଲା । ଏପଟେ ହରିଣ ସିଂହ ର କାନ୍ଦ ଶଦ୍ଦ ଶୁଣି ଦେଖିବାକୁ ଆସିଲା । ହରିଣ କିଛି ଦୂରରେ ରହି ସିଂହ କୁ ଚାହିଁ ରହିଲା ସେ ଭାବିଲା ସିଂହ କୁ କିଛି ଭରସା ନାହିଁ ସେ ବାହାନା ମଧ୍ୟ କରୁ ଥାଇ ପାରେ । ମାତ୍ର ହରିଣ ଥିଲା ଦୟାଳୁ । ଶେଷରେ ହରିଣ ସିଂହ ପାଖକୁ ଆସିଲା ଏବଂ ସିଂହ କୁ ପଚାରିଲା କଣ ହେଲା ମହାରାଜ ?? ସିଂହ କହିଲା, ହରିଣ ଭାଇ ଏବେ କିଛି ଦିନ ପୂର୍ବରୁ ମୋର ସ୍ତ୍ରି ଚାଲିଗଲା ପରେ ମୁଁ ପୁରା ଏକା ହୋଇଯାଇଛି । ସାରା ଜଙ୍ଗଲ ରେ ମୋର କିଏ ବି ସାଙ୍ଗ ନାହାନ୍ତି ମୋ ସାଙ୍ଗରେ କିଏ ଦୁଃଖ ସୁଖ ମଧ୍ୟ ହେଉ ନାହାନ୍ତି, ମୁଁ ପୁରା ଏକୁଟିଆ । କଣ ତମେ ମୋର ସାଙ୍ଗ ହେବ ??? ହରିଣ କହିଲା ସିଂହ କେବେ ହରିଣ ର ସାଙ୍ଗ ହୋଇ ପାରେନା । ହରିଣ ମନେ ମନେ ଭାବିଲା ଏବଂ ପୁଣି ଭାବୁଥାଏ ସତ ହୋଇଥିବ ସେ ଏକା ଅନୁଭବ କରୁଥିବ । ସିଂହ ପୁଣି କାନ୍ଦିବାକୁ ଲାଗିଲା ଏବଂ କହିଲା ମୁଁ ସବୁବେଳେ ଅନାଥ ଅନୁଭବ କରୁଛି । ହରିଣ ସିଂହ ର ଦୁଃଖ ଦେଖି କହିଲା ମୁଁ ତମ ସାଙ୍ଗରେ ସାଙ୍ଗ ହେବି କିନ୍ତୁ ଗୋଟିଏ ସର୍ତ୍ତରେ, ମୋ ବନ୍ଧୁ ଠାରୁ ପ୍ରଥମେ ଅନୁମତି ନେବା ପରେ ମୁଁ ତମ ସାଙ୍ଗରେ ସାଙ୍ଗ ହେବି। ହରିଣ କହିଲା ଚାଲ ମୋ ପ୍ରିୟ ସାଙ୍ଗ ପାଖକୁ। ଶାନ୍ତ ସରଳ ହରିଣ ଚାଲାକି ସିଂହ ର କଥା ବୁଝିପାରିଲା ନାହିଁ । ସେ ତା ସାଙ୍ଗ ବଗ ସହ ଭେଟ କରେଇଲା । ହରିଣ ବଗକୁ କହିଲା ସାଙ୍ଗ ଦେଖ ଦେଖ କିଏ ଆସିଛନ୍ତି । ବଗ ଦେଖି ଚମକି ପଡ଼ିଲା । ଏ ହେଉଛି ସିଂହ । ହରିଣ କହିଲା ମୋତେ ପଡ଼ିଆରେ ଦେଖା ହେଲେ ସେ ଏକୁଟିଆ ଅନୁଭବ କରୁ ଥିଲେ ଏବଂ ମୋ ସହ ସାଙ୍ଗ ହେବାକୁ ଚାହିଁଲେ । ବଗ ଭାବିଲା ସିଂହ ସାଙ୍ଗରେ ପୁଣି ସାଙ୍ଗ !! ବଗ କହିଲା ତମେ ଅଜଣା ପଶୁ ସହ କେମିତି ବନ୍ଧୁତା କରିନେଲ । ସିଂହ କହିଲା ନାହିଁ ନାହିଁ ବଗ ଭାଇ ମୁଁ ସତରେ ପୁରା ଏକୁଟିଆ ତମେ ଦୁଇଜଣଙ୍କ ବନ୍ଧୁତା ଅତି ନିବିଡ ଏବଂ ତୁମ ସାଙ୍ଗରେ ମୁଁ ମଧ୍ୟ ବନ୍ଧୁ ହୋଇ ରହିବାକୁ ଚାହୁଁଛି । ହରିଣ କହିଲା ବଗ ଭାଇ ମୁଁ ୟାଙ୍କ ସହ ସବୁ କଥା ହେଇ ସାରିଛି ୟାଙ୍କ ଉପରେ ଭରସା କରିପାରିବା । ବଗ ହରିଣ କୁ ସାଇଡ କୁ ଡାକି କହିଲ। ଯଦି ତମେ କହୁଛ ମୁଁ ମାନି ନେଉଛି, ତଥାପି ତମେ ଟିକେ ସମ୍ଭାଳି କି ରହିବ ।
କିଛି ଦିନ ଗଲା ପରେ ଦିନେ ସିଂହ ହରିଣ କୁ ଘାସ ର ଲୋଭରେ ପୂର୍ବ ଦିଗରେ ଥିବା ଗୋଟିଏ ମକା କ୍ଷେତକୁ ନେଇଯାଏ । ସେଠୀ ଗଲା ପରେ ହରିଣ କହିଲା, ଆରେ ବାଃ ଏଠି ତ ବହୁତ ଗୁଡିଏ ଫସଲ ହେଇଛି । ସିଂହ କହିଲା ହଁ ଆଜି ତମେ ମନ ଭରିକି ଖାଅ, ଆଜି ତମ ପାଇଁ ଗୋଟେ ଭୋଜି । ପେଟ ପୂରିଲା ପରେ ହରିଣ ଚାଲିଗଲା । ହରିଣ ବଗ କୁ ଆସି ସବୁ କହିଲା । ତାର କିଛି ସମୟ ପରେ ରେ ଜମି ମାଲିକ ଆସି ଦେଖିଲା ଯେ ଫସଲ ନଷ୍ଟ ହୋଇଛି । ସେ ଭାବିଲା ଏଇଟା ନିଶ୍ଚୟ ହରିଣ ର କାମ । ମୁଁ ତାକୁ ନିଶ୍ଚୟ ମାରିବି । ତାକୁ ମାରିବା ପାଇଁ ଜାଲ ବିଛେଇ ଦେଲା ଏବଂ କିଛି ଦୂରରେ ଗୋଟିଏ ଗାତ ଖୋଳି ତା ଉପରେ ମକା ଘାସ ବିଛେଇ ରଖିଦେଲା । ତା ପର ଦିନ ସକାଳୁ ହରିଣ ଏବଂ ସିଂହ ପୁଣି ଆସିଲେ ଫସଲ ଖାଇବା ପାଈଁ। ଆଗରେ ହରିଣ ପଛରେ ସିଂହ ଆସୁଥାଏ ଗାତ କରିଥିବା ସ୍ଥାନ ରେ ହରିଣ ଚାଲି ଚାଲି ଗଲା କିନ୍ତୁ ହରିଣ ଓଜନ କମ୍ ଯୋଗୁ ସେ ଗାତ ଭିତରେ ନ ଖସି ଆଗକୁ ଚାଲିଗଲା ମାତ୍ର ସେ ଜାଲରେ ଫସିଗଲା I ହରିଣ ଜାଲରେ ଫସିବା ପରେ ସିଂହ କୁ ଡାକିଲା ଏବଂ ବଞ୍ଚାଓ ବଞ୍ଚାଓ ଚିତ୍କାର କଲା । ସେଠୀ ସିଂହ ଖୁସି ହୋଇ କହିଲା ମୁଁ ଏହି ଦିନକୁ ଅପେକ୍ଷା କରିଥିଲି ଆଜି ମୁଁ ତୋର ମାଂସ ଖାଇବି। ହରିଣ ଡରିଗଲା। ହରିଣ ନେହୁରା ହୋଇ କହିଲା ତମେ ମୋର ସାଙ୍ଗ ଏବଂ ସାଙ୍ଗ କୁ ଧୋକା ଦେବା ଅନୁଚିତ୍ । ସିଂହ କହିଲା ମୋର ଗୋଟିଏ ଲକ୍ଷ କେବଳ ତୋର ମାଂସ । ସାଙ୍ଗ ହୋଇଥିଲି କେବଳ ତୋତେ ଖାଇବା ପାଇଁ । ହରିଣ ନିରୁପାୟ। ବଗ କଥା ମନେ ପକେଇ ଡାକିବାକୁ ଲାଗିଲା କିନ୍ତୁ ସେ ବହୁତ୍ ଦୂରରେ ଥିଲା। ଠିକ୍ ସେତିକିବେଳେ ବଗ ଶୋଇ ଉଠି ଦେଖିଲା ହରିଣ ନାହିଁ ଏବଂ ସେ ଭାବିଲା ପ୍ରକୃତରେ କୋଉ କ୍ଷେତ କଥା କହୁଥିଲା ଭାବି ଦେଖିବାକୁ ବାହାରିଲା। ଏପଟେ ସିଂହ ହସି ହସି ଧିରେ ଧିରେ ପାଦ ଆଗକୁ ବଢେଇ ହରିଣ ପାଖକୁ ଗଲା ସମୟରେ ସିଧା ଯାଇ ପଡ଼ିଲା ଗାତ ଭିତରେ ଏବଂ ସିଂହ ଗର୍ଜନ କରିବାକୁ ଲାଗିଲା । ସିଂହ ଭାବୁଥିଲା ମୁଁ ଆଜି ୟାର ମାଂସ ଖାଇବି ଏବଂ ସେ ନିଜେ ଗାତରେ ପଡ଼ିଗଲା। ସିଂହ ର ଗର୍ଜନ ଜମି ମାଲିକ ଶୁଣିଲା । ସେତେବେଳେ ବଗ ଆସି ପହଞ୍ଚିଛି ସେଠୀ ହରିଣ ଜାଲ ରେ ପଡ଼ି ଛଟପଟ ହେଉଛି ଏପଟେ ସିଂହ ପଡ଼ିଛି ଗାତରେ।  ସେ କିଛି ବୁଝି ନ ପାରି ହରିଣ ପାଖକୁ ଗଲା । ହରିଣ ସବୁ ସତ କଥା କହିଲା।  କିନ୍ତୁ ବଗ ଏକା ସେ ଅବା କଣ କରିବ । ହଠାତ୍ ତାର ମନେ ପଡ଼ିଲା ତାର ମୂଷିକ ବନ୍ଧୁ ସେଠୀ କିଛି ଦୂର ଜମିରେ ରହୁଥାଏ। ସେ ଦଉଡ଼ି ଯାଇ ମୂଷିକ କୁ ନିଜ ପିଠିରେ ବସେଇ ଆଣିଲା।  ବଗ ଆସିବା ଭିତରେ ଜମି ମାଲିକ ଆସିବାର ବଗ ଦେଖିଦେଲା ସେ ଭାବିଲା ଆଜି ମୋ ସାଙ୍ଗ ର ଜୀବନ ବଞ୍ଚେଇ ପାରିବି ନାହିଁ । ସେ ମୂଷିକ କୁ କହିଲା ଭାଇ ଯେତେ ଶୀଘ୍ର ପାରୂଛ ଏହି ଜାଲ କୁ କାଟି ମୋ ସାଙ୍ଗକୁ ଉଦ୍ଧାର କର ।  ମାତ୍ର ଭାଗ୍ୟ ଭଲ ଯେ ମାଲିକ ଜମି ପାଖକୁ ଆସିବା ପୂର୍ବରୁ ମୂଷା ତାର ଦାନ୍ତରେ ଜାଲ କୁ କାଟି ହରିଣ କୁ ଉଧାର କରି ସେହି ସ୍ଥାନରୁ ଦୌଡ଼ି ପଳେଇଲେ। ଜମି ମାଲିକ ସିଂହ କୁ ଦେଖି ଚମକି ପଡ଼ିଲା ସେ ଗାତ ଭିତରେ କଣ୍ଟା ଏବଂ କାଠକୁ ଧାରୁଆ ଧାରୁଆ କରି ରଖିଥିଲା।  ସିଂହ ସେଥିରେ ଆଘାତ ହୋଇ ପଡ଼ି ଚିତ୍କାର କରୁଥାଏ । ଦେହ ସାରା ଖଣ୍ଡିଆ ଖାବରା ହୋଇଯାଇଥିଲା । ଜମି ମାଲିକ ବନ ବିଭାଗ କୁ ଖବର ଦେବା ପରେ ବନବିଭାଗ ଆସି ସିଂହ କୁ ଚିଡ଼ିଆ ଘର କୁ ନେଇଗଲେ । 
 ହରିଣ ବଗ କୁ କ୍ଷମା ମାଗିଲା କହିଲା ତମେ ଠିକ୍ କହୁଥିଲ । ବଗ କହିଲା ନୂଆ ବନ୍ଧୁ ଯୋଡିବା ପୂର୍ବରୁ ତା ବିଷୟରେ ପ୍ରଥମେ ଜାଣିବା ଦରକାର । ଯଦି ଜାଣିପାରୁନ ତେବେ ତାକୁ ପ୍ରଥମେ ପରୀକ୍ଷା କର।  କାରଣ ନିଜ ଲାଳସା ମନୋଭାବ ନେଇ ପ୍ରାୟତଃ ବନ୍ଧୁ ବାନ୍ଧିବାକୁ ଆସି ଯାଆନ୍ତି । ତାପରେ ହରିଣ ମୂଷା କୁ ମଧ୍ୟ ଧନ୍ୟବାଦ ଦେଲା । ପରେ ଦୁହେଁ ଜଙ୍ଗଲ କୁ ଫେରିଲେ । 
ଏଥିରୁ କଣ ଶିଖିଲ ?
୧. ଆଖି ବନ୍ଦ କରି ବିଶ୍ୱାସ କରିବା ଅନୁଚିତ୍ ।
୨. ଉତ୍ତମ ବନ୍ଧୁ ର ଉପଦେଶ ନେବା ଦରକାର । 
୩. ଅସୁବିଧା ସମୟରେ ବାହୁ ବଳ ଅପେକ୍ଷା ନିଜ ବୁଦ୍ଧି ବଳରେ ଗଡ ଜିତିବା ଅତି ସହଜ ହୋଇଥାଏ । 
By. RUBI NAHAK (Writer)
Buguda, Ganjam.