ଜନକ ଦାଦା

ଆଜି ସେହି ମଣିଷ ବିଷୟରେ ଲେଖିବାକୁ ଯାଉଛି, ଯିଏ କି ଆଜି ଏ ଦୁନିଆରେ ନାହାନ୍ତି । ତାଙ୍କ ସହ ବିତାଇ ଥିବା ପ୍ରତିଟି ମୁହୂର୍ତ୍ତ ମୋ ହୃଦୟ କାଗଜରେ ଚିରଦିନ ପାଇଁ ସ୍ମୃତି ହୋଇ ରହିଯାଇଛି ।

ପିଲାଟି ବେଳୁ ‘ମା’ ଙ୍କୁ ହରାଇଛି । ସେଥିପାଇଁ ନିଜ ଘର ସହିତ ଆମ ସାହିର ସମସ୍ତ ଘରେ, ମୋତେ ପୁଅ ଭଳି ସ୍ନେହ ଦିଅନ୍ତି । ସମସ୍ତେ ବହୁତ ଆଦର କରନ୍ତି । ମୋ ‘ମା’ ବଞ୍ଚିଥିବା ବେଳେ ସେ ଥିଲା ସମସ୍ତଙ୍କ ପ୍ରିୟ ଭାଉଜ । ସମସ୍ତଙ୍କ ସୁଖ ଦୁଃଖରେ ସେ ସବୁବେଳେ ଠିଆ ହେଉଥିଲା । ସେଥିପାଇଁ ସେ ସ୍ୱର୍ଗ ବାସି ପରେ ମଧ୍ୟ କେହି ତାକୁ ଭୁଲି ପାରୁ ନଥିଲେ । ମୋ ‘ମା’ ସ୍ବର୍ଗ ବାସି ହେବା ପରେ ଯେଉଁମାନେ ମୋତେ ସ୍ନେହ ଆଦର ଦେଇଥିଲେ, ସେମାନଙ୍କ ମଧ୍ଯରୁ ଜଣେ “ଜନକ”ଦାଦା ।

ସେ ମୋତେ ସବୁବେଳେ କୁହନ୍ତି ଯେ ତୋ ‘ମା’ କେମିତି ସମସ୍ତଙ୍କୁ ସାହାଯ୍ଯ କରୁଥିଲେ । ଛୋଟ ଦିଅର ମାନକଙ୍କୁ ପୁଅ ଭଳି ଆଦର କରୁଥିଲେ । ସେମାନେ ମୋତେ ଯେତେବେଳ ବି ଦେଖନ୍ତି , ମୋ ‘ମା’ ଙ୍କ ଚେହେରା ଟି ତାଙ୍କ ଆଖି ଆଗରେ ନାଚି ଉଠୁଥିଲା । କାରଣ ମୁଁ ଦେଖିବାକୁ ଠିକ୍ ମୋ ‘ମା’ ଭଳି। ଦେଖିବାକୁ କଳା ଆଉ ଟିକେ ସମାନ ଚେହେରା । ଛୋଟ ବେଳୁ ବହୁତ ସମୟ ଦାଦାଙ୍କ ଘରେ କଟିଛି । ଦାଦାଙ୍କ ଭଣଜା ଆଉ ମୁଁ, ଆମେ ଦୁହେଁ ପିଲା ବେଳର ସାଥି । ସେ ମଧ୍ୟ ମାମୁଁ ଘରେ ରହି ପଢୁଥିଲା । ଖାଇବା,ପିଇବା, ଖେଳ କୁଦ ସବୁ ଦାଦାଙ୍କ ଘରେ ହୁଏ ।

ବାହାଘର ର ଦିର୍ଘ ବର୍ଷ ପରେ ପୁଅ ଟିଏ ଓ ପରେ ଝିଅ ଟିଏ ହେଲା । ମୁଁ ମଧ୍ୟ ବଡ ହୋଇଯାଇଥାଏ । ଦାଦାଙ୍କ ଦୁଇ ଛୁଆ ଆଉ ସାହିର ଅନ୍ଯାନ୍ଯ ଛୁଆମାନେ ହେଲେ ମୋ କୁନି ସାଥି । ମୁଁ ବାହାରୁ ଯେବେ ମଧ୍ୟ ଗାଁ କୁ ଆସେ ସେମାନଙ୍କ ସହ ଛୋଟ ପିଲା ଭଳି ଖେଳେ । କିଏ ମୋ ମୁଣ୍ଡ କୁଣ୍ଢେଇ ଦିଏ ତ, କିଏ ମୋ ବାଳ କାଟି ଦିଏ ତ ଆଉ କିଏ ସାବୁନ ଲଗାଇ ଗାଧୋଇ ଦେବାର ଅଭିନୟ କରେ । ଦାଦା ସୁରାଟ କାମ ଛାଡି ଗୋଟିଏ ଅଟୋ କିଣିଥାନ୍ତି । ବେପାର ରେ ତ ସମସ୍ତେ ସମାନ, ହେଲେ ମୁଁ ଯେତେବେଳ ମଧ୍ୟ ଅଟୋରେ ବସିଲେ ପଇସା ଦିଏ, ହେଲେ ସେ ମନା କରି ଦିଅନ୍ତି । ବେଳେବେଳେ ମୋତେ ଖରାପ ଲାଗେ ଯେ ମୋ ବଦଳରେ ଯଦି ଆଉ କେହି ବସିବ ତ ସେ କିଛି ପଇସା ପାଇବେ । ଦାଦା କୁହନ୍ତି ଯେ ତୋ ‘ମା’ ଯାହା କରିଛି ମୁଁ କେବେ ତା ଋଣ ସୁଝି ପାରିବି ନାହିଁ ଆଉ ତୋ ଠାରୁ ପଇସା କଣ ନେବି !

ପ୍ରତିବର୍ଷ ଗାଁ ରେ ଶିତଳ ଷଷ୍ଠୀ ଯାତ୍ରା ହୁଏ। ଆମେ ସାମାଜିକ ନାଟକ ପରିବେଷଣ କରୁ । ମୁଁ ଥାଏ ଆମ ଗାଁ ନାଟକ ର ମୁଖ୍ଯ ନାୟକ । ଦୁଇ ବର୍ଷ ପୂର୍ବରୁ ହୋଇ ଥିବା ସାମାଜିକ ନାଟକରେ ଦାଦା ପ୍ରଥମଥର ପାଇଁ ଅଭିନୟ କରିଥିଲେ । ନିଜର ବ୍ୟସ୍ତବହୁଳ ଜୀବନ ଭିତରେ ତାଙ୍କର କଳା ପ୍ରତି ଆଗ୍ରହ ଦେଖି ମୁଁ ବହୁତ ଖୁସି ହେଲି । ସେ ନାଟକରେ ମୁଁ ମୁଖ୍ଯ ନାୟକ ଥିଲି, ଆଉ ସେହି ନାଟକରେ ବି ସେ ମୋ ଦାଦା ହୋଇଥିଲେ । ନାଟକରେ ବାପା, ମାଆ ମରିବା ପରେ ମୋତେ ପାଳି ପୋଷି ମଣିଷ କରିବାର କାହାଣୀ ବର୍ଣ୍ଣିତ ହୋଇଥାଏ। ଦାଦା ଆଉ ମୁଁ ଦୁହିଁଙ୍କ ଚରିତ୍ରକୁ ନେଇ ବେଶ୍ ଖୁସି ଥିଲୁ । ଦାଦାଙ୍କୁ ପ୍ରଥମେ ପ୍ରଥମେ ଡାଇଲଗ ମନେ ରଖିବା ପାଇଁ ବହୁତ ଅସୁବିଧା ହେଉଥିଲା । ମୁଁ ତାଙ୍କୁ ମନେ ରଖିବାର କୌଶଳଟି ଜଣାଇ ଦେଲି । ଦାଦା କହିଲେ ସତରେ ତୁ ସାନଟେ ହୋଇ ବି ତୋ ପାଖରେ ବହୁତ ଜ୍ଞାନ। ମୁଁ କହିଲି “ଦାଦା ସବୁ ତୁମ ମାନଙ୍କ ଆଶୀର୍ବାଦରୁ”। କୌଶଳ ଜଣାଇ ଦେଲା ପରେ । ସେ ବହୁତ ଶୀଘ୍ର ସବୁ ମନେରଖି ପାରିଲେ । ନାଟକରେ ଗୋଟିଏ ଦୃଶ୍ଯ ଥାଏ ,ମୋତେ ବିନା ଦୋଷରେ ବି ସେ କାନ୍ଦି କାନ୍ଦି ବେତ ପ୍ରହାର କରିବେ । ହେଲେ ମୋତେ କଷ୍ଟ ହେବ ବୋଲି ସେ ଧିରେ ଧିରେ ମାରିବାର ଅଭିନୟ କରୁଥିଲେ । ମୁଁ ଦାଦାଙ୍କୁ ବାରମ୍ବାର କୁହେ ଯେ ଯଦି ମୋତେ ଟିକିଏ ଜୋର କରି ମାରିବ ଦୃଶ୍ୟଟି ଦେଖିବାକୁ ବାସ୍ତବିକ ଲାଗିବ । ଦାଦା କିନ୍ତୁ ମନା କରୁଥିଲେ କହୁଥିଲେ ତୋତେ କଷ୍ଟ ହେବ, ତାହା ମୁଁ ସହି ପାରିବି ନାହିଁ । ମୁଁ ତାଙ୍କୁ ବୁଝେଇଲି ଯେ ଯଦି ତୁମେ ଜୋର୍ କରି ନ ବାଡେଇବ ମୋତେ ତେବେ ଅଭିନୟ ଟି ଜୀବନ୍ତ ଦେଖା ଯିବ ନାହିଁ । ବହୁତ କହିବା ପରେ ଶେଷରେ ସେ ରାଜି ହେଲେ । ଆଉ ସେ ଦୃଶ୍ୟ ଟିକୁ ଠିକ୍ ରେ କରି ପାରିଲେ । ଯାହା କି ନାଟକର ସବୁଠାରୁ ଦୁଃଖଦ ଦୃଶ୍ୟ ଥିଲା । ସେହି ଦୃଶ୍ୟ ସମୟରେ ସମସ୍ତଙ୍କ ଆଖିରେ ଲୁହ ଆସି ଯାଇଥିଲା । ସେ ବର୍ଷର ଯାତ୍ରାଟି କିଛି କଳାକାରଙ୍କ ତୃଟି ପାଇଁ ଭଲ ହୋଇ ପାରିନଥିଲା ହେଲେ ଦାଦାଙ୍କ ସହ ସେହି ସବୁ ମୁହୂର୍ତ୍ତ ଗୁଡିକ ବହୁତ ସ୍ମୃତି ଜନକ ଥିଲା ।

କିଛିଦିନ ପରେ ମୁଁ ବାହାରକୁ ଚାଲି ଆସିଲି ରୋଜଗାର ପାଇଁ । ଦାଦା ତାଙ୍କ ରୋଜଗାର ଆଉ ପରିବାରକୁ ନେଇ ଖୁସିରେ ଥାଆନ୍ତି। ହେଲେ ଅଦିନିଆ ମେଘ ପରି ତାଙ୍କ ଜୀବନରେ ଦୁଃଖର ବାଦଲ ଖେଳିଗଲା । ଅକସ୍ମାତ ତାଙ୍କ ପିତାଙ୍କ ଦେହାନ୍ତ ହୋଇଗଲା । ଆଉ ସେହି ଦୁଃଖରେ କିଛି ଦିନ ପରେ ମାଆଙ୍କ ମଧ୍ୟ ଦେହାନ୍ତ ହୋଇଗଲା । ଘରେ ଆଗରୁ କିଛି ଋଣ ଥିଲା ଆଉ ଦୁହିଁଙ୍କ ଏକା ଥରକେ ବିୟୋଗ ପରେ ବହୁତ ଋଣ ବଢିଗଲା । ସମସ୍ତଙ୍କ ଚିନ୍ତା ବଢିବାକୁ ଲାଗିଲା । ଏପଟେ ଅଟୋ ବି ଠିକ୍ ରେ ଆଗ ଭଳି ଚାଲୁ ନ ଥାଏ। କିଛିଦିନ ପରେ ମୁଁ ଶୁଣିବାକୁ ପାଇଲି ଦାଦାଙ୍କୁ କ୍ୟାନସର୍ ହୋଇ ଯାଇଛି । ଏକଥା ଶୁଣିବା ମାତ୍ରେ ମୁଁ ସ୍ତବ୍ଧ ହୋଇଗଲି, ଚାଲିଗଲି କିଛି ସମୟ ପାଇଁ ଦୁଃଖ ଜନିତ ଭାବନା ରାଇଜ କୁ… । ଆମେ କୁନି କୁନି ହୋଇଥିବା ସମୟରେ ‘ମା’ ଚାଲିଗଲେ ଆଉ ଆମେ ଦୁଃଖର ଦରିଆରେ ଭାସିଗଲୁ । ଏବେ ଠିକ୍ ସେମିତି ଦାଦା ଗଲା ପରେ ତାଙ୍କ କୁନି କୁନି ଛୁଆଙ୍କ ଅବସ୍ଥା କଣ ହେବ ଭାବି ବହୁତ କାନ୍ଦିଲି ।

ପନ୍ଦର ଦିନ ପରେ ମୁଁ ଗାଁ କୁ ଗଲି । ମୁଁ ଯିବା ଆଗରୁ ଦାଦାଙ୍କ ଅପରେସନ ହୋଇଥାଏ। ଗାଁ କୁ ଯାଇ ଶିଘ୍ର ଦାଦାଙ୍କୁ ଦେଖିବାକୁ ଗଲି । ତାଙ୍କୁ ଦେଖିଲା ପରେ ଏମିତି ଲାଗିଲା ସତେ ସେ ମୋ ଦାଦା ନୁହଁନ୍ତି ଆଉ କିଏ। ତାଙ୍କ ଶରୀର ପୁରା ଶୁଖି ଯାଇଥିଲା । କେବଳ କଙ୍କାଳ ନୁମା ଶରୀର ଟିଏ ପଡ଼ି ରହିଥିଲା । ମୋ ଧର୍ଯ୍ୟ ଅସହାୟ ହୋଇ ପଡ଼ିଲା, ମୁଁ ନିଜକୁ ରୋକି ପାରିଲିନି ତାଙ୍କୁ ଧରି ଛୋଟ ପିଲାଙ୍କ ପରି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲି । ସେ ବି ବହୁତ କାନ୍ଦିଲେ ଓ ମୋତେ ବାରମ୍ବାର କାନ୍ଦିବାକୁ ମନା କରୁଥିଲେ । ମୋ କାନ୍ଦ ଏତେ ଅଧିକା ହୋଇ ଯାଇଥିଲା ଯେ ଧକ୍ ଧକ୍ ହୋଇ କାନ୍ଦିବା ଆରମ୍ଭ ହୋଇଗଲା । ଦାଦା ତାଙ୍କ ଗାମୁଛାରେ ମୋ ଲୁହ ପୋଛି ଦେଲେ ଆଉ ମୋତେ ପାଣି ପିଆଇ ଦେଲେ । ସେ ଦିନର କଷ୍ଟ ବର୍ଣ୍ଣନା କରିବା ପାଇଁ ବି ମୋ ପାଖରେ ଶବ୍ଦ ନାହିଁ । ଏବେ ମଧ୍ୟ ଲେଖିଲା ବେଳେ ମୋ ଆଖିରୁ ଲୁହ ନଦୀର ସ୍ରୋତ ଭଳି ବହି ଯାଉଛି ଏବଂ ମୋ ଦେହର ଲୋମ ଟାଙ୍କୁରି ଉଠୁଛି ।

ଖୁଡୀଙ୍କ ଠାରୁ ଜାଣିବାକୁ ପାଇଲି ଯେ ତମ୍ବାଖୁ ଅଧିକ ସେବନ ହେତୁ ପାଟିରେ ଯେଉଁ ଛୋଟିଆ ଘା ଟି ହୋଇଥିଲା । ଠିକ୍ ସମୟରେ ଚିକିତ୍ସା ନ କରିବା ଯୋଗୁ ତାହା କ୍ୟାନସର ରେ ପରିଣତ ହୋଇଗଲା । ମୁଁ ମଧ୍ୟ ଦାଦାଙ୍କୁ ବହୁତ ଥର ମନା କରିଥିଲି । ହେଲେ ସେ ଶୁଣି ନଥିଲେ । ଆମେ କେବେ ମଧ୍ୟ କଳ୍ପନା କରି ନଥିଲୁ ଯେ ସେହି ତମ୍ବାଖୁ ତାଙ୍କୁ ଏତେ ଭୟଙ୍କର ଶାସ୍ତି ଦେବ । କିଛିଦିନ ଗାଁ ରେ ରହିବା ପରେ ମୋର ଫେରିବା ସମୟ ପାଖେଇ ଆସିଲା । ବିଦାୟ ନେବା ପାଇଁ ଦାଦାଙ୍କ ପାଖକୁ ଗଲି । ହେଲେ ଏବେ ସେ ଠିକ୍ ସେ କଥା ମଧ୍ୟ କହି ପାରୁ ନଥିଲେ । ହାଇ ଡୋଜ୍ କେମୋ ର ପ୍ରଭାବରୁ ତାଙ୍କ ପାଟି ଭିତରଟା ଅଧିକା ଖରାପ ହୋଇ ଯାଇଥିଲା । ବହୁତ ଔଷଧ ଖାଇବା ଯୋଗୁ ତାଙ୍କ ଶରୀର ସାରା ବଡ ବଡ ଘା ହୋଇ ଯାଇଥିଲା । ଦାଦାଙ୍କ ପାଦ ଛୁଇଁ ଆସିବା ସମୟରେ ବହୁତ କାନ୍ଦିଲି । ତାଙ୍କୁ ଶିଘ୍ର ଭଲ ହୋଇଯାଅ ବୋଲି କହିଲି କିନ୍ତୁ ମନ ଭିତରେ ଅଜଣା ଭୟ ସୃଷ୍ଟି ହେବା ଆରମ୍ଭ ହୋଇ ଯାଇଥିଲା । ଦାଦା ମଧ୍ୟ ଜଡା ଭଳି ପାଟି କରି ଇସାରା ଦେଲେ ତୁ ଭଲରେ ଯାଆ। ମୁଁ ଶିଘ୍ର ଭଲ ହୋଇଯିବି, ଚିନ୍ତା କରେନି ।

ଆସିବାର ଠିକ୍ ଗୋଟିଏ ମାସ ପରେ ଆମ ଘରୁ ଖବର ଆସିଲା ଦାଦା ସବୁଦିନ ପାଇଁ ଚାଲିଗଲେ । ଖବର ପାଇବା ପରେ ମୋ ଅବସ୍ଥା କଣ ହୋଇଥିବ ତାହା ବର୍ଣ୍ଣନା କରି ପାରିବି ନାହିଁ । ଯିବା ବେଳେ ଦାଦାଙ୍କ ଶେଷ ଦର୍ଶନ ବି କରି ପାରିଲି ନାହିଁ ବୋଲି ନିଜକୁ ଶତ ଧିକ୍କାର କଲି। ସେ ଦିନ ରାତିରେ ମୁଁ ଠିକ୍ ରେ ଶୋଇ ପାରିନଥିଲି । ପୁଣି ଜଣେ ନିଜର ମଣିଷ କୁ ହରାଇ ବାର ଦୁଃଖ ମୋତେ ମ୍ରିୟମାଣ କରିଦେଇଥିଲା ।

ମୁଁ ଏବେ ଭାରତ ଛାଡି ସାଉଦି ଆରବ ଆସି ଯାଇଛି । ଦଶ ମାସ ହେବ ଗାଁ କୁ ଯାଇ ନାହିଁ । ଠିକ୍ ଏକ ମାସ ପରେ ଯିବି । ହେଲେ ଏବେ ଗଲେ ଆଉ ମୋ ଦାଦାଙ୍କୁ କେବେ ବି ଦେଖି ପାରିବି ନାହିଁ । ସେ ସିନା ଆଜି ନାହାନ୍ତି ହେଲେ ତାଙ୍କ ସହ ବିତାଇ ଥିବା ପ୍ରତ୍ଯେକ ଟି ସ୍ମୃତି ଆଜି ବି ସେମିତି ଜୀବନ୍ତ ସ୍ମୃତି ହୋଇ ରହିଯାଇଛି । ଗାଁ ରେ ପହଞ୍ଚିଲେ ଦାଦାଙ୍କ ଦୁଇ ଛୋଟ ଛୁଆଙ୍କୁ ଦେଖିବା ମୋ ପାଇଁ ବହୁତ କଷ୍ଟକର ହୋଇ ଯିବ । ସବୁ ଦିନ ପାଇଁ ସେମାନଙ୍କ ଉପରୁ ପିତା ନାମକ ଛତ୍ରଛାୟା ଟି ହଜିଗଲା । ସବୁଠୁ ଅଧିକ ହୃଦୟ ବିଦାରକ ହେବ ଯେତେବେଳ ଖୁଡୀଙ୍କୁ ବିନା ଶଙ୍ଖା, ସିନ୍ଦୂର ରେ ଦେଖିବି । ସେ ଚାଲିଗଲେ ଏବଂ ତାଙ୍କ ହାତରେ ଗଢିଥିବା ଖୁସିର ରାଜ ମହଲଟି ଧ୍ବସ୍ତ ବିଧ୍ବସ୍ତ ହୋଇଗଲା ।

***[ମୋର ପ୍ରିୟର ପାଠକମାନେ ଯଦି ମୋର ଏହି ବାସ୍ତବ ଜୀବନ ର କାହାଣୀରୁ କିଛି ଶିକ୍ଷା ପାଇ ନିଜକୁ ଆଉ ନିଜ ପରିବାରର ସଦସ୍ଯ ମାନଙ୍କୁ ନିଶା ଦ୍ରବ୍ଯ ସେବନରୁ ରକ୍ଷା କରି ପାରିବେ ତେବେ ମୋର ଏହି କାହାଣୀଟି ସାର୍ଥକ ହେଲା ବୋଲି ମନେ କରିବି । ]

🙏🙏🙏

ନରେନ୍ଦ୍ର କୁମାର ସ୍ବାଇଁଙ୍କ ଦ୍ବାରା ଲିଖିତ
ଗୋଳାବନ୍ଧ, ଗଞ୍ଜାମ ।

28 Responses

  1. ହୃଦୟ ବିଦାରକ କାହାଣୀ ଟିଏ । ସତରେ ଯିଏ ପଢ଼ିବ ନିଶ୍ଚୟ କିଛି ମୁହୂର୍ତ୍ତ ପାଇଁ ତା ଆଖିରୁ ଲୁହ ଆସିଯିବ।।।

  2. ଜୀବନର ଚଲା ବାଟରେ ଚାଲୁ ଚାଲୁ କେତେ ବେଳେ କଣ ଘଟିଯାଏ ଭାବି ହୁଏନା।
    କିନ୍ତୁ ବିତି ଯାଇଥିବା ସେଇ ଅଭୁଲା ସ୍ମୃତି ଗୁଡ଼ିକୁ ହୃଦୟ ର ସେଇ ଛୋଟ ପକେଟ୍ ଭିତରେ ସାଇତି ରଖିବାକୁ ପଡେ, ଯେତେବଳ ପର୍ଯ୍ୟନ୍ତ ଏଇ ଶରୀର ଆତ୍ମାକୁ ସାଙ୍ଗରେ ନେଇ ଚାଲିଥାଏ।

  3. Apnanka ae hridayasparshi jibanta kahaniti suni ,mu apnanka duniare hajijaethili…jaha b heu apnanka lekhani munaru jharipaduthiba pratyoka shabdara mulya kalana karihabani,jarirakhantu ae lekhani pranaliku. Mora bishyash apana nishchhaya gote lekhaka bhabare odisha re parinata hebe.

  4. ଅଙ୍ଗେ ନିଭା ଘଟଣା ।
    କାହାଣୀଟି ମର୍ମସ୍ପର୍ଶୀ ହୋଇଛି ଏବଂ ଶିକ୍ଷଣୀୟ ମଧ୍ୟ ।

  5. Superb story, Life ra kichhi kichhi moments ku kebe bhuli huyena, Karan taha ama sharira sahita Jodi hoi Rahi thaye, kete dure thile madhya sampark ku nijatwa bhabi taku bandhi rakhi pare kebala prakruta Manisha tiye,

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading