Tag Archives: # Janak_Dada

ଜନକ ଦାଦା

ଆଜି ସେହି ମଣିଷ ବିଷୟରେ ଲେଖିବାକୁ ଯାଉଛି, ଯିଏ କି ଆଜି ଏ ଦୁନିଆରେ ନାହାନ୍ତି । ତାଙ୍କ ସହ ବିତାଇ ଥିବା ପ୍ରତିଟି ମୁହୂର୍ତ୍ତ ମୋ ହୃଦୟ କାଗଜରେ ଚିରଦିନ ପାଇଁ ସ୍ମୃତି ହୋଇ ରହିଯାଇଛି ।

ପିଲାଟି ବେଳୁ ‘ମା’ ଙ୍କୁ ହରାଇଛି । ସେଥିପାଇଁ ନିଜ ଘର ସହିତ ଆମ ସାହିର ସମସ୍ତ ଘରେ, ମୋତେ ପୁଅ ଭଳି ସ୍ନେହ ଦିଅନ୍ତି । ସମସ୍ତେ ବହୁତ ଆଦର କରନ୍ତି । ମୋ ‘ମା’ ବଞ୍ଚିଥିବା ବେଳେ ସେ ଥିଲା ସମସ୍ତଙ୍କ ପ୍ରିୟ ଭାଉଜ । ସମସ୍ତଙ୍କ ସୁଖ ଦୁଃଖରେ ସେ ସବୁବେଳେ ଠିଆ ହେଉଥିଲା । ସେଥିପାଇଁ ସେ ସ୍ୱର୍ଗ ବାସି ପରେ ମଧ୍ୟ କେହି ତାକୁ ଭୁଲି ପାରୁ ନଥିଲେ । ମୋ ‘ମା’ ସ୍ବର୍ଗ ବାସି ହେବା ପରେ ଯେଉଁମାନେ ମୋତେ ସ୍ନେହ ଆଦର ଦେଇଥିଲେ, ସେମାନଙ୍କ ମଧ୍ଯରୁ ଜଣେ “ଜନକ”ଦାଦା ।

ସେ ମୋତେ ସବୁବେଳେ କୁହନ୍ତି ଯେ ତୋ ‘ମା’ କେମିତି ସମସ୍ତଙ୍କୁ ସାହାଯ୍ଯ କରୁଥିଲେ । ଛୋଟ ଦିଅର ମାନକଙ୍କୁ ପୁଅ ଭଳି ଆଦର କରୁଥିଲେ । ସେମାନେ ମୋତେ ଯେତେବେଳ ବି ଦେଖନ୍ତି , ମୋ ‘ମା’ ଙ୍କ ଚେହେରା ଟି ତାଙ୍କ ଆଖି ଆଗରେ ନାଚି ଉଠୁଥିଲା । କାରଣ ମୁଁ ଦେଖିବାକୁ ଠିକ୍ ମୋ ‘ମା’ ଭଳି। ଦେଖିବାକୁ କଳା ଆଉ ଟିକେ ସମାନ ଚେହେରା । ଛୋଟ ବେଳୁ ବହୁତ ସମୟ ଦାଦାଙ୍କ ଘରେ କଟିଛି । ଦାଦାଙ୍କ ଭଣଜା ଆଉ ମୁଁ, ଆମେ ଦୁହେଁ ପିଲା ବେଳର ସାଥି । ସେ ମଧ୍ୟ ମାମୁଁ ଘରେ ରହି ପଢୁଥିଲା । ଖାଇବା,ପିଇବା, ଖେଳ କୁଦ ସବୁ ଦାଦାଙ୍କ ଘରେ ହୁଏ ।

ବାହାଘର ର ଦିର୍ଘ ବର୍ଷ ପରେ ପୁଅ ଟିଏ ଓ ପରେ ଝିଅ ଟିଏ ହେଲା । ମୁଁ ମଧ୍ୟ ବଡ ହୋଇଯାଇଥାଏ । ଦାଦାଙ୍କ ଦୁଇ ଛୁଆ ଆଉ ସାହିର ଅନ୍ଯାନ୍ଯ ଛୁଆମାନେ ହେଲେ ମୋ କୁନି ସାଥି । ମୁଁ ବାହାରୁ ଯେବେ ମଧ୍ୟ ଗାଁ କୁ ଆସେ ସେମାନଙ୍କ ସହ ଛୋଟ ପିଲା ଭଳି ଖେଳେ । କିଏ ମୋ ମୁଣ୍ଡ କୁଣ୍ଢେଇ ଦିଏ ତ, କିଏ ମୋ ବାଳ କାଟି ଦିଏ ତ ଆଉ କିଏ ସାବୁନ ଲଗାଇ ଗାଧୋଇ ଦେବାର ଅଭିନୟ କରେ । ଦାଦା ସୁରାଟ କାମ ଛାଡି ଗୋଟିଏ ଅଟୋ କିଣିଥାନ୍ତି । ବେପାର ରେ ତ ସମସ୍ତେ ସମାନ, ହେଲେ ମୁଁ ଯେତେବେଳ ମଧ୍ୟ ଅଟୋରେ ବସିଲେ ପଇସା ଦିଏ, ହେଲେ ସେ ମନା କରି ଦିଅନ୍ତି । ବେଳେବେଳେ ମୋତେ ଖରାପ ଲାଗେ ଯେ ମୋ ବଦଳରେ ଯଦି ଆଉ କେହି ବସିବ ତ ସେ କିଛି ପଇସା ପାଇବେ । ଦାଦା କୁହନ୍ତି ଯେ ତୋ ‘ମା’ ଯାହା କରିଛି ମୁଁ କେବେ ତା ଋଣ ସୁଝି ପାରିବି ନାହିଁ ଆଉ ତୋ ଠାରୁ ପଇସା କଣ ନେବି !

ପ୍ରତିବର୍ଷ ଗାଁ ରେ ଶିତଳ ଷଷ୍ଠୀ ଯାତ୍ରା ହୁଏ। ଆମେ ସାମାଜିକ ନାଟକ ପରିବେଷଣ କରୁ । ମୁଁ ଥାଏ ଆମ ଗାଁ ନାଟକ ର ମୁଖ୍ଯ ନାୟକ । ଦୁଇ ବର୍ଷ ପୂର୍ବରୁ ହୋଇ ଥିବା ସାମାଜିକ ନାଟକରେ ଦାଦା ପ୍ରଥମଥର ପାଇଁ ଅଭିନୟ କରିଥିଲେ । ନିଜର ବ୍ୟସ୍ତବହୁଳ ଜୀବନ ଭିତରେ ତାଙ୍କର କଳା ପ୍ରତି ଆଗ୍ରହ ଦେଖି ମୁଁ ବହୁତ ଖୁସି ହେଲି । ସେ ନାଟକରେ ମୁଁ ମୁଖ୍ଯ ନାୟକ ଥିଲି, ଆଉ ସେହି ନାଟକରେ ବି ସେ ମୋ ଦାଦା ହୋଇଥିଲେ । ନାଟକରେ ବାପା, ମାଆ ମରିବା ପରେ ମୋତେ ପାଳି ପୋଷି ମଣିଷ କରିବାର କାହାଣୀ ବର୍ଣ୍ଣିତ ହୋଇଥାଏ। ଦାଦା ଆଉ ମୁଁ ଦୁହିଁଙ୍କ ଚରିତ୍ରକୁ ନେଇ ବେଶ୍ ଖୁସି ଥିଲୁ । ଦାଦାଙ୍କୁ ପ୍ରଥମେ ପ୍ରଥମେ ଡାଇଲଗ ମନେ ରଖିବା ପାଇଁ ବହୁତ ଅସୁବିଧା ହେଉଥିଲା । ମୁଁ ତାଙ୍କୁ ମନେ ରଖିବାର କୌଶଳଟି ଜଣାଇ ଦେଲି । ଦାଦା କହିଲେ ସତରେ ତୁ ସାନଟେ ହୋଇ ବି ତୋ ପାଖରେ ବହୁତ ଜ୍ଞାନ। ମୁଁ କହିଲି “ଦାଦା ସବୁ ତୁମ ମାନଙ୍କ ଆଶୀର୍ବାଦରୁ”। କୌଶଳ ଜଣାଇ ଦେଲା ପରେ । ସେ ବହୁତ ଶୀଘ୍ର ସବୁ ମନେରଖି ପାରିଲେ । ନାଟକରେ ଗୋଟିଏ ଦୃଶ୍ଯ ଥାଏ ,ମୋତେ ବିନା ଦୋଷରେ ବି ସେ କାନ୍ଦି କାନ୍ଦି ବେତ ପ୍ରହାର କରିବେ । ହେଲେ ମୋତେ କଷ୍ଟ ହେବ ବୋଲି ସେ ଧିରେ ଧିରେ ମାରିବାର ଅଭିନୟ କରୁଥିଲେ । ମୁଁ ଦାଦାଙ୍କୁ ବାରମ୍ବାର କୁହେ ଯେ ଯଦି ମୋତେ ଟିକିଏ ଜୋର କରି ମାରିବ ଦୃଶ୍ୟଟି ଦେଖିବାକୁ ବାସ୍ତବିକ ଲାଗିବ । ଦାଦା କିନ୍ତୁ ମନା କରୁଥିଲେ କହୁଥିଲେ ତୋତେ କଷ୍ଟ ହେବ, ତାହା ମୁଁ ସହି ପାରିବି ନାହିଁ । ମୁଁ ତାଙ୍କୁ ବୁଝେଇଲି ଯେ ଯଦି ତୁମେ ଜୋର୍ କରି ନ ବାଡେଇବ ମୋତେ ତେବେ ଅଭିନୟ ଟି ଜୀବନ୍ତ ଦେଖା ଯିବ ନାହିଁ । ବହୁତ କହିବା ପରେ ଶେଷରେ ସେ ରାଜି ହେଲେ । ଆଉ ସେ ଦୃଶ୍ୟ ଟିକୁ ଠିକ୍ ରେ କରି ପାରିଲେ । ଯାହା କି ନାଟକର ସବୁଠାରୁ ଦୁଃଖଦ ଦୃଶ୍ୟ ଥିଲା । ସେହି ଦୃଶ୍ୟ ସମୟରେ ସମସ୍ତଙ୍କ ଆଖିରେ ଲୁହ ଆସି ଯାଇଥିଲା । ସେ ବର୍ଷର ଯାତ୍ରାଟି କିଛି କଳାକାରଙ୍କ ତୃଟି ପାଇଁ ଭଲ ହୋଇ ପାରିନଥିଲା ହେଲେ ଦାଦାଙ୍କ ସହ ସେହି ସବୁ ମୁହୂର୍ତ୍ତ ଗୁଡିକ ବହୁତ ସ୍ମୃତି ଜନକ ଥିଲା ।

କିଛିଦିନ ପରେ ମୁଁ ବାହାରକୁ ଚାଲି ଆସିଲି ରୋଜଗାର ପାଇଁ । ଦାଦା ତାଙ୍କ ରୋଜଗାର ଆଉ ପରିବାରକୁ ନେଇ ଖୁସିରେ ଥାଆନ୍ତି। ହେଲେ ଅଦିନିଆ ମେଘ ପରି ତାଙ୍କ ଜୀବନରେ ଦୁଃଖର ବାଦଲ ଖେଳିଗଲା । ଅକସ୍ମାତ ତାଙ୍କ ପିତାଙ୍କ ଦେହାନ୍ତ ହୋଇଗଲା । ଆଉ ସେହି ଦୁଃଖରେ କିଛି ଦିନ ପରେ ମାଆଙ୍କ ମଧ୍ୟ ଦେହାନ୍ତ ହୋଇଗଲା । ଘରେ ଆଗରୁ କିଛି ଋଣ ଥିଲା ଆଉ ଦୁହିଁଙ୍କ ଏକା ଥରକେ ବିୟୋଗ ପରେ ବହୁତ ଋଣ ବଢିଗଲା । ସମସ୍ତଙ୍କ ଚିନ୍ତା ବଢିବାକୁ ଲାଗିଲା । ଏପଟେ ଅଟୋ ବି ଠିକ୍ ରେ ଆଗ ଭଳି ଚାଲୁ ନ ଥାଏ। କିଛିଦିନ ପରେ ମୁଁ ଶୁଣିବାକୁ ପାଇଲି ଦାଦାଙ୍କୁ କ୍ୟାନସର୍ ହୋଇ ଯାଇଛି । ଏକଥା ଶୁଣିବା ମାତ୍ରେ ମୁଁ ସ୍ତବ୍ଧ ହୋଇଗଲି, ଚାଲିଗଲି କିଛି ସମୟ ପାଇଁ ଦୁଃଖ ଜନିତ ଭାବନା ରାଇଜ କୁ… । ଆମେ କୁନି କୁନି ହୋଇଥିବା ସମୟରେ ‘ମା’ ଚାଲିଗଲେ ଆଉ ଆମେ ଦୁଃଖର ଦରିଆରେ ଭାସିଗଲୁ । ଏବେ ଠିକ୍ ସେମିତି ଦାଦା ଗଲା ପରେ ତାଙ୍କ କୁନି କୁନି ଛୁଆଙ୍କ ଅବସ୍ଥା କଣ ହେବ ଭାବି ବହୁତ କାନ୍ଦିଲି ।

ପନ୍ଦର ଦିନ ପରେ ମୁଁ ଗାଁ କୁ ଗଲି । ମୁଁ ଯିବା ଆଗରୁ ଦାଦାଙ୍କ ଅପରେସନ ହୋଇଥାଏ। ଗାଁ କୁ ଯାଇ ଶିଘ୍ର ଦାଦାଙ୍କୁ ଦେଖିବାକୁ ଗଲି । ତାଙ୍କୁ ଦେଖିଲା ପରେ ଏମିତି ଲାଗିଲା ସତେ ସେ ମୋ ଦାଦା ନୁହଁନ୍ତି ଆଉ କିଏ। ତାଙ୍କ ଶରୀର ପୁରା ଶୁଖି ଯାଇଥିଲା । କେବଳ କଙ୍କାଳ ନୁମା ଶରୀର ଟିଏ ପଡ଼ି ରହିଥିଲା । ମୋ ଧର୍ଯ୍ୟ ଅସହାୟ ହୋଇ ପଡ଼ିଲା, ମୁଁ ନିଜକୁ ରୋକି ପାରିଲିନି ତାଙ୍କୁ ଧରି ଛୋଟ ପିଲାଙ୍କ ପରି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲି । ସେ ବି ବହୁତ କାନ୍ଦିଲେ ଓ ମୋତେ ବାରମ୍ବାର କାନ୍ଦିବାକୁ ମନା କରୁଥିଲେ । ମୋ କାନ୍ଦ ଏତେ ଅଧିକା ହୋଇ ଯାଇଥିଲା ଯେ ଧକ୍ ଧକ୍ ହୋଇ କାନ୍ଦିବା ଆରମ୍ଭ ହୋଇଗଲା । ଦାଦା ତାଙ୍କ ଗାମୁଛାରେ ମୋ ଲୁହ ପୋଛି ଦେଲେ ଆଉ ମୋତେ ପାଣି ପିଆଇ ଦେଲେ । ସେ ଦିନର କଷ୍ଟ ବର୍ଣ୍ଣନା କରିବା ପାଇଁ ବି ମୋ ପାଖରେ ଶବ୍ଦ ନାହିଁ । ଏବେ ମଧ୍ୟ ଲେଖିଲା ବେଳେ ମୋ ଆଖିରୁ ଲୁହ ନଦୀର ସ୍ରୋତ ଭଳି ବହି ଯାଉଛି ଏବଂ ମୋ ଦେହର ଲୋମ ଟାଙ୍କୁରି ଉଠୁଛି ।

ଖୁଡୀଙ୍କ ଠାରୁ ଜାଣିବାକୁ ପାଇଲି ଯେ ତମ୍ବାଖୁ ଅଧିକ ସେବନ ହେତୁ ପାଟିରେ ଯେଉଁ ଛୋଟିଆ ଘା ଟି ହୋଇଥିଲା । ଠିକ୍ ସମୟରେ ଚିକିତ୍ସା ନ କରିବା ଯୋଗୁ ତାହା କ୍ୟାନସର ରେ ପରିଣତ ହୋଇଗଲା । ମୁଁ ମଧ୍ୟ ଦାଦାଙ୍କୁ ବହୁତ ଥର ମନା କରିଥିଲି । ହେଲେ ସେ ଶୁଣି ନଥିଲେ । ଆମେ କେବେ ମଧ୍ୟ କଳ୍ପନା କରି ନଥିଲୁ ଯେ ସେହି ତମ୍ବାଖୁ ତାଙ୍କୁ ଏତେ ଭୟଙ୍କର ଶାସ୍ତି ଦେବ । କିଛିଦିନ ଗାଁ ରେ ରହିବା ପରେ ମୋର ଫେରିବା ସମୟ ପାଖେଇ ଆସିଲା । ବିଦାୟ ନେବା ପାଇଁ ଦାଦାଙ୍କ ପାଖକୁ ଗଲି । ହେଲେ ଏବେ ସେ ଠିକ୍ ସେ କଥା ମଧ୍ୟ କହି ପାରୁ ନଥିଲେ । ହାଇ ଡୋଜ୍ କେମୋ ର ପ୍ରଭାବରୁ ତାଙ୍କ ପାଟି ଭିତରଟା ଅଧିକା ଖରାପ ହୋଇ ଯାଇଥିଲା । ବହୁତ ଔଷଧ ଖାଇବା ଯୋଗୁ ତାଙ୍କ ଶରୀର ସାରା ବଡ ବଡ ଘା ହୋଇ ଯାଇଥିଲା । ଦାଦାଙ୍କ ପାଦ ଛୁଇଁ ଆସିବା ସମୟରେ ବହୁତ କାନ୍ଦିଲି । ତାଙ୍କୁ ଶିଘ୍ର ଭଲ ହୋଇଯାଅ ବୋଲି କହିଲି କିନ୍ତୁ ମନ ଭିତରେ ଅଜଣା ଭୟ ସୃଷ୍ଟି ହେବା ଆରମ୍ଭ ହୋଇ ଯାଇଥିଲା । ଦାଦା ମଧ୍ୟ ଜଡା ଭଳି ପାଟି କରି ଇସାରା ଦେଲେ ତୁ ଭଲରେ ଯାଆ। ମୁଁ ଶିଘ୍ର ଭଲ ହୋଇଯିବି, ଚିନ୍ତା କରେନି ।

ଆସିବାର ଠିକ୍ ଗୋଟିଏ ମାସ ପରେ ଆମ ଘରୁ ଖବର ଆସିଲା ଦାଦା ସବୁଦିନ ପାଇଁ ଚାଲିଗଲେ । ଖବର ପାଇବା ପରେ ମୋ ଅବସ୍ଥା କଣ ହୋଇଥିବ ତାହା ବର୍ଣ୍ଣନା କରି ପାରିବି ନାହିଁ । ଯିବା ବେଳେ ଦାଦାଙ୍କ ଶେଷ ଦର୍ଶନ ବି କରି ପାରିଲି ନାହିଁ ବୋଲି ନିଜକୁ ଶତ ଧିକ୍କାର କଲି। ସେ ଦିନ ରାତିରେ ମୁଁ ଠିକ୍ ରେ ଶୋଇ ପାରିନଥିଲି । ପୁଣି ଜଣେ ନିଜର ମଣିଷ କୁ ହରାଇ ବାର ଦୁଃଖ ମୋତେ ମ୍ରିୟମାଣ କରିଦେଇଥିଲା ।

ମୁଁ ଏବେ ଭାରତ ଛାଡି ସାଉଦି ଆରବ ଆସି ଯାଇଛି । ଦଶ ମାସ ହେବ ଗାଁ କୁ ଯାଇ ନାହିଁ । ଠିକ୍ ଏକ ମାସ ପରେ ଯିବି । ହେଲେ ଏବେ ଗଲେ ଆଉ ମୋ ଦାଦାଙ୍କୁ କେବେ ବି ଦେଖି ପାରିବି ନାହିଁ । ସେ ସିନା ଆଜି ନାହାନ୍ତି ହେଲେ ତାଙ୍କ ସହ ବିତାଇ ଥିବା ପ୍ରତ୍ଯେକ ଟି ସ୍ମୃତି ଆଜି ବି ସେମିତି ଜୀବନ୍ତ ସ୍ମୃତି ହୋଇ ରହିଯାଇଛି । ଗାଁ ରେ ପହଞ୍ଚିଲେ ଦାଦାଙ୍କ ଦୁଇ ଛୋଟ ଛୁଆଙ୍କୁ ଦେଖିବା ମୋ ପାଇଁ ବହୁତ କଷ୍ଟକର ହୋଇ ଯିବ । ସବୁ ଦିନ ପାଇଁ ସେମାନଙ୍କ ଉପରୁ ପିତା ନାମକ ଛତ୍ରଛାୟା ଟି ହଜିଗଲା । ସବୁଠୁ ଅଧିକ ହୃଦୟ ବିଦାରକ ହେବ ଯେତେବେଳ ଖୁଡୀଙ୍କୁ ବିନା ଶଙ୍ଖା, ସିନ୍ଦୂର ରେ ଦେଖିବି । ସେ ଚାଲିଗଲେ ଏବଂ ତାଙ୍କ ହାତରେ ଗଢିଥିବା ଖୁସିର ରାଜ ମହଲଟି ଧ୍ବସ୍ତ ବିଧ୍ବସ୍ତ ହୋଇଗଲା ।

***[ମୋର ପ୍ରିୟର ପାଠକମାନେ ଯଦି ମୋର ଏହି ବାସ୍ତବ ଜୀବନ ର କାହାଣୀରୁ କିଛି ଶିକ୍ଷା ପାଇ ନିଜକୁ ଆଉ ନିଜ ପରିବାରର ସଦସ୍ଯ ମାନଙ୍କୁ ନିଶା ଦ୍ରବ୍ଯ ସେବନରୁ ରକ୍ଷା କରି ପାରିବେ ତେବେ ମୋର ଏହି କାହାଣୀଟି ସାର୍ଥକ ହେଲା ବୋଲି ମନେ କରିବି । ]

🙏🙏🙏

ନରେନ୍ଦ୍ର କୁମାର ସ୍ବାଇଁଙ୍କ ଦ୍ବାରା ଲିଖିତ
ଗୋଳାବନ୍ଧ, ଗଞ୍ଜାମ ।