Category Archives: #ଓଡ଼ିଆ

ଭାରି ମନେ ପଡେ ମୋ ପିଲାଦିନ (ଦ୍ୱିତୀୟ)

ଭାରି ମନେ ପଡେ ସେ ଜାମୁନ କୋଳି,
କଇଠ ଚଟଣୀ,
କଲମୀ ଆମ୍ବ,
ବେଲ ଅଠା ବୋଳା ମଜା
ଆଉ ଭାରି ମନେ ପଡେ ସେ
ଖଜୁରୀ ରସ ର ହାଣ୍ଡି ଫଟା କଥା।

ଭାରି ମନେ ପଡେ ସେ ଫୁଲ ରୁ ମହୁ ଶୋଷିବା
ସୁତୁଲିରେ ଭ୍ରମର ଉଡେଇବା
ନଡ଼ିଆ ପାତି ରେ ଏଣ୍ଡୁଅ ଧରିବା
ଗେଣ୍ଡଳିଆ କୁ ପଇସା କରି ବିକିବା
ଆଉ ଭାରି ମନେ ପଡେ ସେ
ଚଷା ପୁଅ ସାପ କୁ ପକେଟ୍ ରେ ଧରି ବୁଲିବା ।

ଭାରି ମନେ ପଡେ ସେ ଶ୍ରୀକୃଷ୍ଣ ଧାରାବାହିକ
ଜୁନିଅର୍ ଜି ର ବିସ୍କୁଟ
ଆର୍ୟମାନ୍ ର ତଲବାର୍
ବୋଙ୍ଗୋ ର ଯାଦୁ
ଆଉ ଭାରି ମନେ ପଡେ ସେ 
ଶକ୍ତିମାନ ର ଅପ୍ରମାୟ ଶକ୍ତି ।

ଭାରି ମନେ ପଡେ ସେ ବର୍ଷା ଦିନିଆ ସ୍କୁଲ୍ 
ପଥର ଡିଆଇଁ ଆଗକୁ ଯିବା
କାଦ ଚପ ଚପ ର ରାସ୍ତା
ପାଣି ଫୋଟକା ର ମଜା
ଆଉ ଭାରି ମନେ ପଡେ ସେ 
ଗୋଟିଏ କଦଳୀ ପତରେ ତିନି ସାଙ୍ଗ ମିଶି ସ୍କୁଲ୍ ଯିବା କଥା ।

ଭାରି ମନେ ପଡେ ସେ ହୋଲି ଖେଳ
କୁମାର ପୂର୍ଣ୍ଣିମା ପଇସା ଖେଳ 
ମକର ସଂକ୍ରାନ୍ତି ର ମକର ଖିରି
ଗ୍ରହ୍ମା ପୂର୍ଣ୍ଣିମା ର ଖାସି ମାଉଁସ
ଆଉ ଭାରି ମନେ ପଡେ ସେ 
ଗଣେଶ ପୂଜା ର ବିସର୍ଜନ ।

ଭାରି ମନେ ପଡେ ସେ ଅଭୁଲା ଅନୁଭବ
୧୦ ଟି ଚେୟାର ଉପରେ ଏକା ବସିବା
ନୂଆ ଡ୍ରେସ କୁ କାହାକୁ ହାତ ନ ଲଗେଇ ଦେବା
ପାଣି ଗୋଳିଆ ହୋଇ ଦୁଇ ପଟେ ଖେଳିବା
ଆଉ ଭାରି ମନେ ପଡେ
ଯଦି କେହି ନୋଟ୍ ଟିଏ ଦେଲା ତେବେ ନିଜକୁ ଧନୀ ମନେ କରିବା ।  

ଭାରି ମନେ ପଡେ ସେ କଙ୍କଡ଼ା ଲଢେଇ
ଅଜଣା ଗାତରୁ ମାଛ ବଦଳରେ ସାପ ଧରିବା
କାଦ ଭିତରୁ ମାଛ ବାହାର କରିବା
କୂଅ ରୁ କଇଁଛ ଧରିବା
ଆଉ ଭାରି ମନେ ପଡେ ସେ କଞ୍ଚା ଚିଙ୍ଗୁଡ଼ି ସହିତ ଲୁଣ ମରିଚ ର ମଜା ।

ଭାରି ମନେ ସେ ସନ୍ଧ୍ୟାର କଣ୍ଢେଇ ନାଚ
କେଳା ନାଚ
ମାଟି ପୋତା କେଳା
ଓଡ଼ିଆ ସିନେମାର ଗାଁରେ ପ୍ରଚାର
ଆଉ ଭାରି ମନେ ପଡେ ସେ 
ସ୍କୁଲ୍ ତରଫରୁ ଜୀବଜନ୍ତୁ ର ସିନେମା ଦେଖା।

ଆଜି ଭାରି ମନେ ପଡେ ସେ ମାହୁନ୍ତ ହାତୀ
ଘୁଷୁରୀ ପଲ
ଗଧ ମାଲିକ ର ଅହେ ଦୁଃଖ
ଚଢ଼େଇ ବିକା
ଆଉ ଭାରି ମନେ ପଡେ ସେ 
ଭଣ୍ଡ ଯାଦୁଗର ର ଯାଦୁ ମନ୍ତର ।

ଆଜି ଭାରି ମନେ ପଡେ ମୋ ପିଲାଦିନ ଯାହାକୁ ମୁଁ ହରେଇ ଆସିଛି ଅଜଣା ଅତୀତ ରେ
ମନେ ପଡ଼ି ଯାଏ ସେ ସ୍ମୃତି ସବୁ 
ଯାହା ଫେରି ପାଇ ପାରିବି ନାହିଁ କେବଳ 
କେବଳ ଭିଜା ଆଖି ସହିତ ଅଳ୍ପ ମୁରୁକି ହସ ଦେଇ ଭାବନା ଜଗତରେ ଘୁରି ବୁଲେ। ସତରେ ଆଜି ଭାରି ମନେ ପଡେ ମୋ ପିଲା ଦିନ ।


ନୀଳମାଧବ ଭୂୟାଁ ଙ୍କ କବିତା ପୃଷ୍ଠାରୁ…..


If the articles give smile on your face so share to your friends, Thanking You.

Next Three Years

What will your life be like in three years?

In the next 3 years, I am changing myself.

If I am successful then I must apply through article.

But now I am traveling on the path of such a goal and I am also worried whether I can reach the destination easily. But I will try and show it successfully.

Yes, it is true that if I reach this success, I will feel happy that I have done the real value based work of my life.

However, what will happen to me in the next three years is now only a question.

ଆଗାମୀ ୩ବର୍ଷ ଭିତରେ ମୁଁ ନିଜକୁ ବଦଳେଇବା ରେ ଲାଗିଛି । ଯଦି ମୁଁ ସଫଳ ହୁଏ ତେବେ ମୁଁ ଅର୍ଟିକଲ ମାଧ୍ୟମରେ ନିଶ୍ଚୟ ଜଣେଇବି ।

କିନ୍ତୁ ବର୍ତମାନ ମୁଁ ଗୋଟିଏ ଏମିତି ଲକ୍ଷ୍ୟର ପଥରେ ଭ୍ରମଣ କରୁଛି ଯାହାର ଲକ୍ଷ୍ୟ ସ୍ଥଳରେ ମୁଁ ସହଜରେ ପହଞ୍ଚି ପାରିବି କି ନାହିଁ ମୁଁ ମଧ୍ୟ ଚିନ୍ତିତ । କିନ୍ତୁ ଚେଷ୍ଟା କରିବି କି ତାକୁ ସଫଳ କରି ଦେଖାଇବି ।

ହଁ ଏହା ସତ ଯେ ଯେବେ ଏହି ସଫଳତା ରେ ପହଞ୍ଚିବି ତେବେ ମୋ ଜୀବନର ପ୍ରକୃତ ମୂଲ୍ୟବୋଧ ଭିତ୍ତିକ କାର୍ଯ୍ୟ କରିଛି ବୋଲି ମୁଁ ନିଜକୁ ଧନ୍ୟ ମନେ କରିବି ।

ତେବେ ଆଗାମୀ ତିନି ବର୍ଷ ମୋ ପାଇଁ କଣ ହେବ ତାହା ଏବେ କେବଳ ପ୍ରଶ୍ନ ବାଚକ ହୋଇ ରହି ଯାଇଛି।

Real Holiday

Invent a holiday! Explain how and why everyone should celebrate.

Holidays never really happen. Yes, we consider one of the wishes of our heart as a holiday. Because vacation days, festivals, and Sundays are thought of as vacation days in our mind but we don’t know that day passes like that. In the end we think it was a day off. So let me tell you how to celebrate the holiday. In the current state of affairs, a day off will be called a day when you are alone from everyone and without your mobile, you are completely separate from the world. You have lost yourself in a new world away from everything and there is only you and your happiness. That is the real holiday.

ପ୍ରକୃତରେ ଛୁଟିଦିନ କେବେ ହୋଇ ନଥାଏ । ହଁ ଆମ ମନର ଗୋଟିଏ ଇଚ୍ଛା କୁ ଆମେ ଛୁଟି ଦିନ ବୋଲି ମାନି ଥାଉ। କାରଣ ଛୁଟି ଦିନ , ପର୍ବ ପର୍ବାଣୀ, ଏବଂ ରବିବାର ଆମ ମନରେ ଛୁଟି ଦିନ ବୋଲି ପ୍ରତିତ ହୁଏ କିନ୍ତୁ ସେଦିନ ଏମିତି ବିତିଯାଏ ତାହା ଜଣା ପଡ଼େ ନାହିଁ। ଶେଷରେ ଆମେ ଭାବୁ ତାହା କଣ ଗୋଟିଏ ଛୁଟି ଦିନ ଥିଲା। ତେବେ ମୁଁ କହିବି କେମିତି ଛୁଟି ଦିନ କୁ ପାଳନ କରିବା ତାହା ହେଉଛି। ବର୍ତମାନ ସ୍ଥିତିରେ ଛୁଟି ଦିନ ସେଦିନ କୁ କୁହା ଯିବ ଯେଉଁ ଦିନ ତୁମେ ସମସ୍ତ ଙ୍କ ଠାରୁ ଏକା ଥିବ ଏବଂ ଆପଣଙ୍କ ପାଖେ ମୋବାଇଲ୍ ନଥିବ ତୁମେ ପୁରା ଏ ଦୁନିଆ ତୁ ଅଲଗା ଥିବ । ତୁମେ ସମସ୍ତ ଜିନିଷ ଠାରୁ ଦୂରରେ ଥାଇ ଏକ ନୂଆ ଦୁନିଆରେ ନିଜକୁ ହଜେଇ ଦେଇ ଥିବ ଏବଂ ସେଠି କେବଳ ଆପଣ ଥିବେ ଏବଂ ଆପଣଙ୍କ ଖୁସି । ସେ ହେଉଛି ପ୍ରକୃତ ଛୁଟି ଦିନ।

ଶିଶୁଟିଏ



ଯେବେ ଜନ୍ମ ହୁଏ ଛୋଟ ଶିଶୁଟିଏ
ପୁରି ଉଠେ ମାଆ ମନ,
କାହିଁକି ନା ସିଏ ଗର୍ଭେ ଧରିଥାଏ
ଦଶ ମାସ ଦଶ ଦିନ..!

ମାଆ ଗର୍ଭ ଛାଡି ଯେତେବେଳେ ସିଏ
ପୃଥିବୀ ପୃଷ୍ଠରେ ପଡ଼େ,
ମାଆ ମାଆ ବୋଲି ଡ଼ାକି ନ ପାରି ସେ
କୁଆଁ କୁଆଁ ହୋଇ ରଡ଼େ.. !

କିଛିଦିନ ପରେ ସେ ଜନ୍ମିତ ଶିଶୁ
ମାଆ ଡାକ ଯାଏ ଶିଖି,
ତା କୁନି ପାଦରେ ବାଟ ଚାଲିଥାଏ
ମାଆ ହାତେ ହାତ ରଖି.. !

ସେହି ଶିଶୁ ପୁଣି ବଡ଼ ହୋଇ ଦିନେ
ହୋଇଯାଏ ନାଗରିକ,
ସେହି ନାଗରିକ ରଖିଥାଏ ପରା
ଆମ ଏ ଦେଶର ଟେକ.. !

ମାରିଦିଅ ନାହିଁ ମାଆ ଗର୍ଭୁ ତାକୁ
ଖୁସିରେ ଆଦରି ନିଅ,
ସିଏ ଦିନେ ହେବ ଦେଶର ଗୌରବ
ପୁଅ ହେଉ ଅବା ଝିଅ.. !!

ପ୍ରଦୀପ କୁମାର ଜେନା ଙ୍କ ଦ୍ଵାରା ଲିଖିତ
ଗୋଳାବନ୍ଧ, ଗଞ୍ଜାମ

ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ହେ ବନ୍ଧୁ…

ତୁମକୁ ପ୍ରଥମ ଶ୍ରାଦ୍ଧ ବାର୍ଷିକ ର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ।
ଭଗବାନ ତୁମ ଆତ୍ମାକୁ ତାଙ୍କ ନିଜ ଠାରେ ବିଲୀନ କରନ୍ତୁ। ଏକ ଶକ୍ତିଶାଳୀ ବନ୍ଧୁତା ଏବେ ମଧ୍ୟ ହୃଦୟରେ ବଞ୍ଚିତ । ଅତିତରୁ ନେଇ ଭବିଷ୍ୟତ ର ପ୍ରତ୍ୟେକ ଟି କ୍ଷଣ ପର୍ଯ୍ୟନ୍ତ । ଏହା ନିର୍ଧାଯ୍ୟ ସତ୍ୟ କିନ୍ତୁ ସମୟର ବିଚିତ୍ରତା ଭିତରେ ତୁମେ ସାଂସାରିକ ମୋହ ମାୟା, ଜଞ୍ଜାଳ ତ୍ୟାଗ କରି ହୁଏ ତ ତୁମେ ଦେବତ୍ଵ ପ୍ରାପ୍ତି କଲ।

ତୁମେ ସ୍ମୃତିରେ ମ୍ରିୟମାଣ ବନ୍ଧୁ ।

ମନୋଜ କୁମାର ବେହେରା ଙ୍କ ଲେଖନୀରୁ…

ଗର୍ମେଣ୍ଟ୍ ଜ୍ୱାଇଁ

ଚାକିରି ତ ସବୁ ଆମ୍ଭ ଗଛ ଫଳ
ରହିଛନ୍ତି ସବୁ ଚାହିଁ,
ଝିଅ ଠାରୁ ବେଶି ଶ୍ବଶୁର ଡିମାଣ୍ଡ୍
ଖୋଜନ୍ତି ଗର୍ମେଣ୍ଟ୍ ଜ୍ୱାଇଁ ।।


ଭାବନ୍ତି ମୋ ଝିଅ ଗୋଟା ପାଠୁଆଣୀ
ଚଢିଛି କଲେଜ ପିଣ୍ଡା,
ପ୍ରାଇଭେଟ୍ ଜବ୍ କରୁଥିବା ଜ୍ୱାଇଁ
ଦେବ ନାହିଁ ସୁନା ଅଣ୍ଡା ।।


ବାପ ଆଉ ଝିଅ ଦୁହେଁ ସମ ରାଶି
ଭାବନା ତାଙ୍କର ଏକ୍
ଯଦି କେବେ ଆସେ ପ୍ରାଇଭେଟ୍ ଜ୍ୱାଇଁ
କରନ୍ତି ବହୁତ ଚେକ୍ ।।


ଯଦି ସେ ଜାଣିବେ ଜ୍ୱାଇଁ ହେବ ଯିଏ
ସିଏ ତ ଗର୍ମେଣ୍ଟ୍ ୱାଲା ,
ଆଖିବୁଜି ବଡ ହଁ ଟି ମାରିବେ
ସେଥିରେ ନଥାଏ ଢିଲା ।।


ଗର୍ମେଣ୍ଟ୍ ହେଉ କି ପ୍ରାଇଭେଟ୍ ହେଉ
ମଣିଷ ପଣକୁ ଦେଖ ,
ମଣିଷତ୍ୱ ଦେଖି ଝିଅ ଦେଇଥିଲେ
ଆସିବନି ଜମା ଦୁଃଖ ।।



ନରେନ୍ଦ୍ର କୁମାର ସ୍ବାଇଁଙ୍କ ଦ୍ବାରା ଲିଖିତ
ଗୋଳାବନ୍ଧ, ଗଞ୍ଜାମ.

ମୋ ଭଉଣୀ



2018 ମସିହା ରେ ଅଗଷ୍ଟ ମାସ। ମୋର କିଛି ପରୀକ୍ଷା ପାଇଁ ମୁଁ ଭୁବନେଶ୍ୱର ଯାଇ ଥାଏ । ସେଠି ପରୀକ୍ଷା ସରିଲା ପରେ ମୋର ସାନ ଭଉଣୀ ମୋତେ କହିଲା କି ବଡ ଭଉଣୀ ର ଦେହ ଭଲ ନାହିଁ । ତୁ ସେଠି ଅଛୁ ତେବେ ସେଠି ମେଡିକାଲ ରେ ଯାଞ୍ଚ କରିଦେବୁ କି ?

ମୁଁ ହଁ କହିଲି । ମୋ ବଡ ଭଉଣୀ ଏବଂ ତାର ପୁଅ ସହ ଭୁବନେଶ୍ୱର ରେ ପହଞ୍ଚିଲେ । ସେଠି ମେଡିକାଲ ଚେକ୍ ହେଲା କିନ୍ତୁ ରିପୋର୍ଟ ରେ ଜଣା ପଡ଼ିଲା ଯେ ମୋ ବଡ ଭଉଣୀ କୁ କ୍ୟାନ୍ସର ର ପ୍ରଭାବ ଆରମ୍ଭ ହେଲାଣି । ଏହା କେବଳ ଡାକ୍ତର ମୋତେ କହିଲେ । କିନ୍ତୁ ମୋର ବଡ ଭଉଣୀ ଏହି କଥା ଜାଣିବାକୁ ଇଚ୍ଛା କରିଲା ପରେ ମୁଁ ସବୁ କହିଲି । ସେ ଚିନ୍ତାରେ ପଡିଗଲା ।

ଆମେ ଗାଁ ରେ ପହଞ୍ଚିଲୁ । ମୋ ଭଉଣୀ ର ସ୍ବାମୀ ସେ ଏହି କଥା କୁ ଖଣ୍ଡନ କରି କହିଲେ କିଛି ହୋଇନି ବୋଲି ବାରମ୍ବାର କହିଲେ । ସେ କହିଲେ ମୁଁ ପୁଣି ଥରେ ମୋ ସ୍ତ୍ରୀ କୁ ଚେକ୍ କରିବି । ସେ ପୁଣି ନେଇ ଚେକ୍ କରିଲେ ଏବଂ ଡାକ୍ତର କହିଲେ । କ୍ୟାନ୍ସର ନୁହଁ ଅନ୍ୟ କିଛି ରୋଗ ହୋଇଛି ସେ ଶୀଘ୍ର ଠିକ୍ ହୋଇଯିବ।

ମାତ୍ର ପ୍ରକୃତରେ କ୍ୟାନ୍ସର ର ପ୍ରଭାବ ଆରମ୍ଭ ହୋଇଗଲାଣି । ହେଲେ ମୁଁ ଗାଁ କୁ ଅଳ୍ପ ଦିନ ପାଇଁ ଆସିଥିଲି। ମୋର ଛୁଟି ସରିବା ପରେ ମୁଁ ଫେରିଗଲି। କିନ୍ତୁ କ୍ୟାନ୍ସର ର ପ୍ରଭାବ ଏତେ ଅଧିକ ହେଲା ଯେ ମୋ ବଡ ଭଉଣୀ ଦିନ କୁ ଦିନ ଅସୁସ୍ଥ ହେବାକୁ ଲାଗିଲା। ଦେହ ତାର ପତଳା ହେବାକୁ ଲାଗିଲା। ମୋ ଭଉଣୀ ର ସ୍ବାମୀ ଏହି କଥା କୁ ସବୁବେଳେ ଖଣ୍ଡନ କରି ଆସୁଥିଲେ ଯେ କିଛି ହୋଇନି । ଚିନ୍ତା କରିବା ଦରକାର ନାହିଁ । ମୁଁ ସେଠି ବୁଝିପାରୁ ନଥିଲି ଯେ ସେ ଜାଣି ଶୁଣି ଏମିତି କରୁଥିଲେ ନା ଅବହେଳା କରୁଥିଲେ ଅବା ତାଙ୍କର ବିଶ୍ବାସ ଥିଲା ଯେ ତାଙ୍କ ସ୍ତ୍ରୀ ଠିକ୍ ହୋଇଯିବ କିନ୍ତୁ ଦେହ ଦିନକୁ ଦିନ ବହୁତ୍ ଖରାପ ହେବାକୁ ଲାଗିଲା । ଶେଷରେ ପୁଣି ଭୁବନେଶ୍ଵର ଆସି ପୁଣି ଆଡମିଟ ହେଲେ ଏବଂ ଏଠି ଜଣା ପଡ଼ିଲା ଯେ ବର୍ତମାନ କ୍ୟାନ୍ସର ଶେଷ ସ୍ଥର ରେ ପହଞ୍ଚି ସାରିଲାଣି ।

ସମସ୍ତେ ଚିନ୍ତିତ । ଅପରେସନ କରାଗଲା ତଥାପି କିଛି ଫଳ ମିଳିଲା ନାହିଁ । ଶେଷରେ ଡିସେମ୍ବର 6 ତାରିଖରେ ମୋର ବଡ ଭଉଣୀ ଶେଷ ନିଃଶ୍ୱାସ ତ୍ୟାଗ କରି ଦେଲା। ଏଠି ସବୁବେଳେ ମୁଁ ମୋ ବଡ ଭଉଣୀ ଙ୍କ ସ୍ବାମୀ ଙ୍କୁ କହେ ତାଙ୍କୁ ଠିକ୍ ରେ ଦେଖାଅ। କିନ୍ତୁ ମୁଁ ଜାଣିଲି ଯେ ତାଙ୍କର ଅବହେଳା ଯୋଗୁଁ ମୋ ଭଉଣୀ ଆଜି ମୋ ପାଖରେ ନାହିଁ। ତେବେ ମୋ ଭଉଣୀ ର ଦେଖାଶୁଣା ର ମୂଳ କାରଣ ହେଉଛି ଅବହେଳା । ତେବେ ଆପଣ କେବେ ଏମିତି ଅବହେଳା କରନ୍ତୁ ନାହିଁ ଯାହା ଫଳରେ ଆପଣଙ୍କ ପ୍ରିୟ ପରିବାର ସଦସ୍ୟ ମଧ୍ୟ ଆପଣଙ୍କ ଠାରୁ ଦୂରେଇ ଯିବ।

ତେବେ ମୋର ଏହି କାହାଣୀ ଟି କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Believe

What’s something you believe everyone should know.

I always believe in the present. But people always think about the future and do everything. Yes, it is true that we should do everything with the future in mind, but real life is in the present. Save money and wealth for the future but live in the present. It is my belief that if I know how to live in the present, my future will not be dark. And everyone needs to know this. Thank you.

ମୁଁ ସବୁବେଳେ ବର୍ତମାନ କୁ ବିଶ୍ୱାସ କରେ । କିନ୍ତୁ ଲୋକେ ସର୍ବଦା ଭବିଷ୍ୟତ କୁ ଧ୍ୟାନ ଦେଇ ସବୁ କିଛି କରନ୍ତି । ହଁ ଏହା ସତ ଯେ ଭବିଷ୍ୟତ କୁ ଆଖି ଆଗରେ ରଖି ସବୁ କାମ କରିବା ଉଚିତ୍ କିନ୍ତୁ ପ୍ରକୃତ ଜୀବନ ବର୍ତମାନ ରେ ଥାଏ । ଭବିଷ୍ୟତ ପାଇଁ ଟଙ୍କା ଏବଂ ସମ୍ପତି ରଖ କିନ୍ତୁ ବର୍ତମାନ ରେ ବଞ୍ଚିବା ଦରକାର । ଏହା ମୋର ବିଶ୍ୱାସ ଯେ ଯଦି ମୁଁ ବର୍ତ୍ତମାନ ରେ ବଞ୍ଚିବା ଜାଣେ ତେବେ ମୋର ଭବିଷ୍ୟତ ମଧ୍ୟ ଅନ୍ଧକାର ମୟ ହେବ ନାହିଁ। ଏବଂ ଏହା ସମସ୍ତଙ୍କୁ ଜାଣିବା ଦରକାର। ଧନ୍ୟବାଦ।

ଜଙ୍ଗଲ ରେ ଗୋଟେ ରାତି

ଜଙ୍ଗଲ ରେ ଗୋଟେ ରାତି

ପ୍ରଧାନ ବୁଢ଼ା ଭାରି ଚାଲାକ୍ ବୋଲି ଲୋକେ କୁହନ୍ତି । ପିଲା ବେଳ ର କଥା । କୁହନ୍ତି ତାଙ୍କ ପାଖରେ ସବୁ ପ୍ରଶ୍ନର ଉତ୍ତର ଥାଏ। ସେ ସବୁବେଳେ ଚୁପ୍ ରହିବାକୁ ପସନ୍ଦ କରନ୍ତି ନାହିଁ। କାରଣ ସେ ହେଉଛନ୍ତି ଏକ ନମ୍ୱର୍ ବାଲୁରା ବୁଢ଼ା । କୌଣସି ଗୋଟିଏ ଲୋକ ମଧ୍ୟ ତାଙ୍କ ପାଖରେ ବସନ୍ତି ନାହିଁ । ସବୁବେଳେ ମିଛ ସତ କୁହନ୍ତି ବୋଲି ଗାଁ ଟି ଯାକ ଚର୍ଚ୍ଚା । ତାଙ୍କ କାହାଣୀ କୁ ସମସ୍ତେ ଶୁଣନ୍ତି ଏବଂ ଶେଷରେ କୁହନ୍ତି ,ଧେତ୍ ବେକାର କଥା ଗୁଡାକ କାହିଁକି କହୁଚ କହି ଲୋକେ ଉଠି ଚାଲି ଯାଆନ୍ତି କିନ୍ତୁ ସେ କାହାଣୀ ମଧ୍ୟରୁ ଆଜି ଗୋଟିଏ କାହାଣୀ ଆପଣଙ୍କ ପାଇଁ ଯାହା ମୁଁ ପିଲା ଦିନେ ଶୁଣିଛି ଏବଂ ଆଜି ଆପଣ ପଢ଼ିବେ ।

ତେବେ କୁହନ୍ତୁ ତ କାହାଣୀ ଶୁଣିବାକୁ କାହାକୁ ପସନ୍ଦ ନୁହଁ ତାହା ପୁଣି ରାତିରେ । ମୋ ଭଳି ସମସ୍ତେ କାହାଣୀ ଶୁଣିବାକୁ ପସନ୍ଦ କରନ୍ତି ଏବଂ କାହାଣୀ ଯଦି ବହୁତ୍ ଭଲ ହୋଇଥାଏ ତେବେ ପ୍ରଶ୍ନ ଉପରେ ପ୍ରଶ୍ନ ଆଉ ଯଦି ଅତି ଭଲ ହୁଏ ତେବେ ନିଦ ଆସିବା ସୁନିଶ୍ଚିତ । କଣ ଠିକ୍ କହିଲି ନା?? ଟିକେ ହସି ଦିଅ ?? କିଛି କିଛି କାହାଣୀ ବହୁତ୍ ବୋରୀଙ୍ଗ ଥାଏ । ଆଉ କିଛି କାହାଣୀ ଅଜଣା ଦୁନିଆ ରେ ପହଞ୍ଚେଇ ଦିଏ । ତେବେ ବେଶୀ ଭାଷଣ ନାହିଁ ।

କାହାଣୀ ଆରମ୍ଭ……

( ପ୍ରତ୍ୟେକ ସ୍ଥାନରେ ବୟସ୍କ ଲୋକଙ୍କୁ ସମ୍ମାନ ଦେବା ଉଚିତ୍ କିନ୍ତୁ କାହାଣୀ କୁ ମଜାଳିଆ ଢଙ୍ଗରେ ନ ପଢ଼ିଲେ ମଜା ଆସିବ ନାହିଁ । ତେବେ ବହୁତ୍ ସ୍ଥାନରେ ସମ୍ମାନ ଜନିତ ଶବ୍ଦ କୁ ବ୍ୟବହାର କରା ଯାଇ ନାହିଁ । )

ଦିନ ୧୦ ଟା ରେ ଜାଉ ଭାତ ସହିତ ଲୁଣ ମରିଚ ଆଉ କୁଜି ପିଆଜ ଖାଇବା ପରେ ପେଟ କୁ ଅଣ୍ଡାଳି ପ୍ରଧାନ ବୁଢ଼ା ଦାଣ୍ଡ ରେ ଆସି ବସିଲା । ଦୁଆର ମୁହଁରେ ଧୂପ କାଠି ଡାଙ୍ଗ ଟିକୁ ଆଣି କଷା ଦାନ୍ତ ରୁ କଣ ଗୋଟିଏ ବାହାର କରିବାକୁ ଲାଗିଲା । ହଠାତ୍ ମନେ ପଡିଗଲା । ଆଜି ପାଗ ଟିକେ କୋହଲା ଅଛି ଜଙ୍ଗଲ ଆଡେ ଯାଇ ଟିକେ ବୁଲି ଆସିବା।



ବୟସ ଆସି ୭୦ ଛୁଇଁଲାଣି କିନ୍ତୁ ପ୍ରଧାନ ବୁଢ଼ା ସହିତ କେହି ଚାଲି ପାରିବ ନାହିଁ । ବୁଢ଼ୀ ୫ ବର୍ଷ ତଳୁ ଚାଲି ଗଲାଣି। କିଛି ହୋଇ ନଥିଲା, ଶୀତ ଅଧିକ ଯୋଗୁ ରାତିରୁ ବୁଢ଼ୀ ର ଦେହ ରୁ ପ୍ରାଣ ଚାଲି ଯାଇଥିଲା କୁହନ୍ତି।

ବୁଢ଼ା ଚାଲି ଚାଲି ରେଙ୍ଗୁନ ଯାଇଥିଲା ବୋଲି ମଧ୍ୟ ଲୋକେ କୁହନ୍ତି । ସେଠି କେତେବର୍ଷ ରହି ଚାକିରୀ କରି ପୁଣି ଫେରିଥିଲା । ଆଉ ଯିଏ ରେଙ୍ଗୁନ୍ ଯାଇଛି ତା ସହିତ କିଏ ଅବା ଚାଲି ପାରିବ । ଛୋଟ କାତୀ ଟିଏ ଧରି ବାହାରିଲା ବୁଢ଼ା ଜଙ୍ଗଲ କୁ ।

ଜଙ୍ଗଲ ରେ କିଛି ଶାଳୁଆ ଦାନ୍ତ କାଠି ହାଣି ଗୋଟିଏ ଗଛ ମୂଳେ ବସି ପଡିଲା। କେମିତି କଣ ଆଖି ଲାଗିଗଲା। ହଠାତ୍ ତିନି ଘଣ୍ଟା ପରେ ନିଦ ଭାଙ୍ଗି ଗଲା । ଦେଖିଲା ସଞ୍ଜ ମାଡ଼ି ଆସିଲାଣି। ମାତ୍ର ବୁଢ଼ା ରାସ୍ତା ଭୁଲିଗଲା। ଯୁଆଡ଼େ ଯାଉଛି ରାସ୍ତା ସରୁନି । ଏପଟେ ମେଘୁଆ ପାଗ । ଯଦି ସୂର୍ଯ୍ୟ କିରଣ ପଡି ଥାଆନ୍ତା ତେବେ ପୂର୍ବ ଆଡ଼କୁ ମୁହାଁଇ ଚାଲିଥିଲେ ଗାଁ ଆସି ଯାଆନ୍ତା କିନ୍ତୁ ବୁଢ଼ା ର ଭାଗ୍ୟ ଖରାପ। ସେ ପୁଣି ଫେରୁଛି ଆଉ ଗୋଟିଏ ରାସ୍ତାରେ, ସେ ରାସ୍ତା ମଧ୍ୟ ସରୁନି । ଶେଷରେ ରାସ୍ତା ଖୋଜି ଖୋଜି ୨ ଘଣ୍ଟା ରୁ ଅଧିକ ହୋଇଗଲା। ବୁଢ଼ା ଭାବିଲା । ଅନ୍ଧାର ହେଲାଣି । ଆଉ ପାରିବିନି କହି ଗୋଟିଏ ବଡ ଶାଳ ଗଛ ଉପରେ ଚଢି ପଡ଼ିଲା ଏଵଂ ଉପରେ ଚାଦର ରେ ଦୋଳି କରି ସେଠି ଶୋଇବା ପାଇଁ ବ୍ୟବସ୍ଥା କରିବାକୁ ଲାଗିଲା ।

ସାଙ୍ଗରେ କିଛି ଖଜୁରୀ କୋଳି ଆଉ କିଛି କନ୍ଧ ମୂଳ ମଧ୍ୟ ରଖିଥିଲା ଘରକୁ ନେବା ପାଇଁ । ମାତ୍ର ସେ କଣ ଜାଣିଥିଲା ଯେ ଆଜି ରାତିକ ତାର ଗଛ ଉପରେ କଟିବ ବୋଲି । ଦେଖୁ ଦେଖୁ ରାତି ବଢ଼ିବାକୁ ଲାଗିଲା । ସମୟ ବଢ଼ି ବଢ଼ି ଯାଉଥାଏ ।

ସେ ସମୟରେ ଗଧିଆ ବାଘ ଜଙ୍ଗଲରେ ରୁହନ୍ତି ଏବଂ ବେଳେବେଳେ ଭାଲୁ ମଧ୍ୟ ଆସନ୍ତି । ସେ ଭୟ ମଧ୍ୟ ଥିଲା । ଯଦି ଭାଲୁ ଜାଣେ ତେବେ ତାକୁ ମାରି ନିଶ୍ଚୟ ଖାଇ ଦେବ । କାରଣ ଭାଲୁ ସହଜରେ ଗଛ ଚଢି ପାରିବ । ଚୁପ୍ ଚାପ୍ ତଳକୁ ଅନେଇ ଶୋଇ ବାକୁ ଚେଷ୍ଟା କରିଲା । ଜହ୍ନ ଆଲୁଅ ପଡୁଥିଲା । ଗଛ ମୂଳ ଅଳ୍ପ ଅଳ୍ପ ଦେଖା ଯାଉଥିଲା ।

ଏମିତି ମନଛୁଆଁ ଗଳ୍ପ ପଢ଼ିବା ପାଇଁ ଏହି Channel ରେ ଜଏନ କରନ୍ତୁ ।



ସେଦିନ ରାତିରେ ପ୍ରଧାନ ବୁଢ଼ା ଯାହା ଦେଖିଲା ତା ଜୀବନରେ ଆଉ କେହି ଦେଖି ନଥିବେ । ସେ ଦେଖିଲା ଯେ ସେଦିନ ଜଙ୍ଗଲ ରେ କିଛି ଗୋଟିଏ ସଭା ହେଉଥିଲା । ସବୁ ପଶୁ ମାନେ ଗୋଟିଏ ପରେ ଗୋଟିଏ ଆସୁଥାନ୍ତି ଏବଂ ସେହି ଗଛ ପାଖରେ ହିଁ ସେମାନଙ୍କ ଭିଡ ଜମି ଥିଲା ।

ପ୍ରଥମେ କିଛି ବିଲୁଆ ଆସିଲେ । ପରେ ଦୁଇ ତିନିଟା ଗଧିଆ ବାଘ ଆସିଲେ । ଧିର ସ୍ୱର ରେ ସମସ୍ତେ ଆସି ସେଠି ଭିଡ ଜମାଇଥିଲେ । କିଛି ବଣୁଆ ଘୁଷୁରୀ(ବାରହା) ଆସିଲେ । ତାପରେ ଭାଲୁ ଆସିଲା ଏବଂ ଶେଷରେ ଚିତା ଭାଗ ଟିଏ ଆସିଲା । ଏତିକି ସବୁ ବୁଢ଼ା ଦେଖୁଥିଲା ଏପଟେ ତାକୁ ଡର ମଧ୍ୟ ମାଡୁ ଥିଲା । କାଳେ ଯଦି ଚାଦର ଛିଣ୍ଡି ଗଲା ତେବେ ଆଜି ସବୁ ପଶୁ ମାନେ ମିଶି ମୋର ରାତ୍ରି ଭୋଜନ କରି ଦେବେ କିନ୍ତୁ ତାହା ସମ୍ଭବ ନଥିଲା କାରଣ ଜୀବନକୁ କାହାର ଭୟ ନାହିଁ । ସେ ଆଗରୁ ଟାଣ କରି ବାନ୍ଧି ରଖିଥିଲା । ସମସ୍ତେ ଆସି ରୁଣ୍ଡ ହେଲେ ହେଲେ ଏମିତି ଲାଗୁଥିଲା ଯେ ତଥାପି ସେମାନେ ଆଉ କାହାକୁ ଅପେକ୍ଷା କରି ଥିଲେ ।


କିଛି ସମୟ ପରେ ଆଉ ଜଣେ ଆସିଲା । ତାକୁ ଦେଖି ପ୍ରଧାନ ବୁଢ଼ା ର ଯେମିତି ଏକ ବାହାରି ଯିବ ଭଳି ଅନୁଭବ ହେଲା । ପ୍ରାୟ ୯ଫୁଟ ଉଚ୍ଚତା, ବାଘ ଛାଲର ବସ୍ତ୍ର, ଲମ୍ବା ବାଳ ଏବଂ ଗୋଟିଏ ସିଂହ ମୁଣ୍ଡ ର ମୁଖା ଟିଏ ପିନ୍ଧିଥିବା ଗୋଟିଏ ବିରାଟ ମଣିଷ ଟିଏ। ସେ ଆସିଲା ବେଳେ ଯେମିତି ତାର ପଛରେ କିଛି ଆଲୋକ ତାକୁ ଅନୁସରଣ କରୁଥିଲେ। ସେ ମଣିଷ ଟି ଯେମିତି ଚମକୁ ଥିଲା। ବୁଢ଼ା କୁ ଅଳ୍ପ ନିଦ ଆସୁଥିଲା । ତାକୁ ଦେଖି ତାର ସବୁ ନିଦ ଉଡିଗଲା । ସେ ବିରାଟ ମଣିଷ ଟି ଯେତେବେଳେ ଆସି ପହଞ୍ଚିଲା । ଜଙ୍ଗଲ ରେ ରୁଣ୍ଡ ହୋଇଥିବା ସମସ୍ତ ପଶୁ ମାନେ ମୁଣ୍ଡ ନୁଆଇଁ ପ୍ରଣାମ କରିଲେ । ବୁଢ଼ା ଭାବୁଥାଏ ଏ ଲୋକଟି କିଏ ? ପ୍ରଧାନ ବୁଢ଼ା ବହୁତ୍ ଚାଲାକ୍ ଥିଲେ ମଧ୍ୟ, ସେ ସେଠି ଚୁପ୍ ରହିବା ପାଇଁ ଉଚିତ୍ ମନେ କରିଲା। ତାର ଟିକେ ଚଗଲାମି ରେ ତାର ଜୀବନ ମଧ୍ୟ ଚାଲି ଯାଇ ପାରେ।

ବିରାଟ ମଣିଷ ଆସି ସମସ୍ତ ପଶୁ ମାନଙ୍କୁ କିଛି ଶବ୍ଦ ମାଧ୍ୟମରେ କହିବାକୁ ଲାଗିଲା । ବୁଢ଼ା ସେ ଶବ୍ଦ କୁ ପ୍ରଥମ କରି ଶୁଣୁ ଥିଲା । ମାତ୍ର ସେ ବୁଝି ପାରୁ ନଥିଲା । ପ୍ରାୟ ୪୦ ମିନିଟ୍ ପାଖାପାଖି ଏମିତି ସଭା ପରେ ସେ ବିରାଟ ମଣିଷ ଏତେ ଶୀଘ୍ର କୁଆଡେ ଚାଲିଗଲା, ପ୍ରଧାନ ବୁଢ଼ା ମଧ୍ୟ ଜାଣି ପାରିଲା ନାହିଁ । ତାପରେ ପଶୁ ମାନେ ଯିଏ ଯୁଆଡେ ଚାଲି ଗଲେ ।

ନୀଳମାଧବ ଭୂୟାଁ ଙ୍କ ଦ୍ଵାରା ଲିଖିତ



ପଶୁ ମାନଙ୍କ ସଭା ତ ସରିଗଲା ହେଲେ ପ୍ରଧାନ ବୁଢ଼ା ର କିଛି ସମୟ ପାଇଁ ନିଦ ହଜିଗଲା । ଅନେକ ପ୍ରଶ୍ନ ?? ସେ ଲୋକଟି କିଏ ?? ସେ ଏମିତି ମୁଖା ପିନ୍ଧି କାହିଁକି ଆସିଥିଲା ?? ସେ ପଶୁ ମାନଙ୍କୁ କଣ ଆଦେଶ ଦେଇ ଚାଲି ଗଲା ?? କଣ ସେ ଏହି ଜଙ୍ଗଲ ର ରାଜା ?? ନା ସର୍ଦାର?? ଏମିତି କେତେ ପ୍ରଶ୍ନ ? ଭାବି ଭାବି ବୁଢ଼ା କୁ କିଛି ଘଣ୍ଟା ପରେ ନିଦ ଆସିଗଲା।

ଆଖି ଖୋଲିଲା ବେଳକୁ ସକାଳ ହୋଇ ଯାଇ ଥାଏ। ଧୀରେ ଧୀରେ ତଳକୁ ଓହ୍ଲାଇଲା । ରାତିରେ ସେ ବିରାଟ ମଣିଷ ଟି ଧରିଥିବା ଲମ୍ବା ବାଡି ରଖିଥିବା ସ୍ଥାନକୁ ଗଲା । ସେଠି ବାଡି ରଖିବାର କିଛି ଚିହ୍ନ ଥିଲା । ବୁଢ଼ା ର ମନରେ ପୁଣି ଡର ମାଡ଼ି ବସିଲା । ବୁଢ଼ା ଯେତେ ଶିଘ୍ର ପାରିଲା ସେ ଜଙ୍ଗଲ ଛାଡ଼ି ସୂର୍ଯ୍ୟ କିରଣ କୁ ଅନୁସରଣ କରି ଗାଁ ରେ ଆସି ପହଞ୍ଚିଲା।

ସେଦିନ ବୁଢ଼ା କୁ ଭୀଷଣ ଜ୍ଵର। ବୁଢ଼ା ଗତ ରାତିରୁ କିଛି ଖାଇନି। ତୁଳସୀ ପତ୍ର ଆଉ କିଛି ମସଲା ଗୁଣ୍ଡ କରି ତାକୁ ସିଝାଇ ପିଇଲା। ରୋଷେଇ କରି ପାରିଲା ନାହିଁ । ସାଥିରେ ଆଣିଥିବା କନ୍ଧ ମୂଳ କୁ ଖାଇ ସେଦିନ ଶୋଇଲା ।

ତା ପର ଦିନ ବୁଢ଼ା ର ଜ୍ଵର ତ ଠିକ୍ ହୋଇଗଲା । ହେଲେ ସେ ପ୍ରଶ୍ନ ର ଉତ୍ତର ସେ କୋଉଠୁ ପାଇବ ?? କିଏ ଦେବ? ତାର ପ୍ରଶ୍ନ ର ଉତ୍ତର । ଏମିତି ରେ ଗାଁ ଲୋକେ କୁହନ୍ତି ଏ ତ ପାଗଳ ବୁଢ଼ା ଟା । ପୁଣି ଏହି କଥା କହିବି ତେବେ ମୋତେ ସତରେ ପାଗଳ କରି ରାଞ୍ଚି ପଠେଇ ଦେବେ ।

ତଥାପି ବୁଢ଼ା ପାଖରେ ଯେଉଁ ଲୋକ କଥା ହେବାକୁ ବସୁଥିଲେ ସେ ସମସ୍ତଙ୍କୁ ଏହି କଥା କହିଲା । ସମସ୍ତେ ହସିଲେ । ବେକାର କଥା ?? ବିରାଟ ମଣିଷ ?? ତାକୁ ପୁଣି ଚିତା ବାଘ, ଆଉ ଭାଲୁ ମୁଣ୍ଡିଆ ମାରୁଛି?? ହା ହା ହା, ହସି ହସି ଲୋକେ ତାର ମଜା ଉଡେଇ ବାକୁ ଲାଗିଲେ । କିନ୍ତୁ ପ୍ରକୃତରେ ବୁଢ଼ା ଉତ୍ତର ପାଇ ପାରିଲା ନାହିଁ । ଗାଁ ସାରା ସମସ୍ତ ଲୋକଙ୍କ ପାଖେ ଖବର ପହଞ୍ଚି ଗଲା ଯେ ବୁଢ଼ା ପୁଣି ଜଙ୍ଗଲ ର ସର୍ଦାର କୁ ଦେଖିଲା ସେ ପୁଣି ମଣିଷ ଟିଏ ??

କେହି ମଧ୍ୟ ବୁଢ଼ା ର କଥା କୁ ବିଶ୍ୱାସ କରିଲେ ନାହିଁ । ଶେଷରେ ବୁଢ଼ା ର ପ୍ରଶ୍ନ , ପ୍ରଶ୍ନ ରେ ହିଁ ରହିଗଲା । କିଛି ବର୍ଷ ପରେ ବୁଢ଼ା ମଧ୍ୟ ଆର ପାରି କୁ ଚାଲିଗଲା। ବୁଢ଼ା ର ପ୍ରଶ୍ନ ର ଉତ୍ତର କେହି ଦେଇ ପାରିଲେ ନାହିଁ ।

ହେଲେ ଏହି କାହାଣୀ କୁ ଗାଁ ର ସବୁ ଲୋକ ଶୁଣିଲେ କିଏ ବିଶ୍ୱାସ କରିଲା ତ କିଏ ନାହିଁ ?

ତେବେ ଏଠି ମୋର ପ୍ରଶ୍ନ ଯେ?? କଣ ସତରେ ଏମିତି ସମୟ ଥିଲା ?? ଆଉ ସେ ମୁଖା ପିନ୍ଧା, ବାଘ ଛାଲ ପିନ୍ଧା ବିରାଟ ମଣିଷ ଟା କିଏ ??


ଆଉ ଆଜି ପର୍ଯ୍ୟନ୍ତ ପ୍ରଧାନ ବୁଢ଼ା ର କଥା ଗୁଡାକ କାହାଣୀ ହୋଇ ରହିଗଲା । ସେ ପ୍ରଶ୍ନ ର ଉତ୍ତର ଆଜି ପର୍ଯ୍ୟନ୍ତ ମିଳିଲା ନାହିଁ ।

ଯଦି ଉତ୍ତର ଥାଏ ତେବେ କମେଣ୍ଟ ବକ୍ସ ରେ ଲେଖିବାକୁ ସଙ୍କୋଚ କରିବେ ନାହିଁ।


ଏହି କାହାଣୀ ଟି କେମିତି ଲାଗିଲା ଜଣାଇବାକୁ ଅନୁରୋଧ ।

ନୀଳମାଧବ ଭୂୟାଁ ଙ୍କ ଦ୍ଵାରା ଲିଖିତ…



@bhuyansblog

କାଶତଣ୍ଡି

କାଶତଣ୍ଡି



ଗୋଟିଏ ଗାଁ ରେ ଛୋଟ ଜାତିର ପରିବାର ଟିଏ ରହୁଥିଲେ । ବାପା, ମା ଏବଂ ତାଙ୍କର ସୁନ୍ଦରୀ କନ୍ୟା ଟିଏ । ବାପା ଥିଲେ ସୁରଦେବ ଏବଂ ମା କନିକା ଓ କନ୍ୟା ଟିର ନାମ କାଶତଣ୍ଡି । କାଶତଣ୍ଡି ର ସୁନ୍ଦରତା ଝାଟି ମାଟି ଘରେ ଯେମିତି ହୀରା ର ଝଲକ ଝଲସି ଉଠୁଥିଲା । ସେମିତି ଥିଲା ସୁରଦେବ ର ଘରେ କାଶତଣ୍ଡି । ପିଲା ଦିନରୁ ହିଁ ସେ ଦେବୀ ଦୁର୍ଗାଙ୍କୁ ପୂଜା କରି ଆସୁଥିଲା ଏବଂ ପ୍ରତିଦିନ ସକାଳେ ନଦୀ କୁ ପାଣି ଆଣିବାକୁ ଯାଏ ଏବଂ ସେଠି ସେ ଦୁର୍ଗା ମା ଙ୍କୁ ପୂଜା କରି ଆସୁଥାଏ । ଘର ଅଳ୍ପ ଦୂରରେ ବହି ଯାଉଥାଏ ନଦୀ ଟିଏ । ବାପା, ମା ଦୁହେଁ ପ୍ରତିଦିନ କାଠ ସଂଗ୍ରହ ପାଇଁ ଜଙ୍ଗଲ କୁ ଯାଆନ୍ତି ଏବଂ କାଠ ସଂଗ୍ରହ ରେ ଯେତିକି ରୋଜଗାର ହେଉଥିଲା ସେଥିରେ ଘର ଟି ଠିକ୍ ଠାକ୍ ରେ ଚଳି ଯାଉଥିଲା। ଦେଖୁ ଦେଖୁ କାଶତଣ୍ଡି ସତର ବର୍ଷ ରେ ଆସି ପଦାର୍ପଣ ହେଲା ।



ସେଦିନ ମଧ୍ୟ ସେ ପାଣି ଆଣିବାକୁ ନଦୀକୁ ଯାଇଥାଏ। ହଠାତ୍ ସେହି ରାଜ୍ୟର ରାଜକୁମାରଙ୍କ ସହ ତାଙ୍କର ଦେଖା ହୋଇଗଲା । ରାଜକୁମାର କାଶତଣ୍ଡି ର ସୁନ୍ଦରତା ରେ ମୋହିତ ହୋଇଗଲେ। ରାଜକୁମାର ରାଜ ମହଲ କୁ ଫେରି ଆସିଲେ ସେଠି ମଧ୍ୟ ରାଜକୁମାର କେବଳ କାଶତଣ୍ଡି କଥା ହିଁ ଭାବୁଥିଲେ । ରାଜକୁମାର ଭାବିଲେ ଯେତେବେଳେ ମୁଁ ପୁଣିଥରେ ତାକୁ ଦେଖା କରିବି ସେତେବେଳେ ମୋ ମନ କଥା ତାଙ୍କୁ ପ୍ରକାଶ କରିବି। ଠିକ୍ ତାର ପର ଦିନ ସକାଳୁ ଉଠି ରାଜକୁମାର କାହାକୁ କିଛି ନ କହି ସେ ନଦୀ ଆର ପାରି ରେ କାଶତଣ୍ଡି ର ଅପେକ୍ଷାରେ ବସି ରହିଲେ । କାଶତଣ୍ଡି ଯେତେ ବେଳେ ପାଣି ପାଇଁ ନଦୀକୁ ଆସିଲା। ରାଜ କୁମାର କାଶତଣ୍ଡି କୁ ନିଜ ମନ ର ଭାବନା କୁ ପରିପ୍ରକାଶ କରିଲେ। କିନ୍ତୁ କାଶତଣ୍ଡି ରାଜ କୁମାର ଙ୍କୁ କିଛି ଉତ୍ତର ନ ଦେଇ ଧୀର ରହିଲା ଏବଂ ନିଜ ଘରକୁ ଫେରି ଗଲା ।



ପୁଣି ପର ଦିନ ସକାଳୁ କାଶତଣ୍ଡି ପାଣି ଆଣିବାକୁ ଆସିଲା ରାଜକୁମାର ସେମିତି ଏବଂ ସେହି ସ୍ଥାନରେ ଅପେକ୍ଷା କରିଥିଲେ । ପ୍ରାୟ ପାଞ୍ଚ ଦିନ ପର୍ଯ୍ୟନ୍ତ ରାଜକୁମାର ଙ୍କ ଏମିତି ଅପେକ୍ଷା ରତ ଏବଂ ତାଙ୍କର ପ୍ରେମ ଭାବନା କୁ ବାରମ୍ବାର ପ୍ରକାଶ କରିବା ପରେ କାଶତଣ୍ଡି ରାଜକୁମାର ଙ୍କ କଥାରେ ହଁ ଭରି ଦେଲା । ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଲେ । କାଶତଣ୍ଡି ମା ଦୂର୍ଗା ଙ୍କର ପରମ ଭକ୍ତ ଥିଲା କିନ୍ତୁ ରାଜକୁମାର ଙ୍କ ସହ ପ୍ରେମ କରିବା ଦିନ ଠାରୁ ସେ ଦୁର୍ଗା ମା ଙ୍କୁ ପୂଜା କରିବା ରେ ଅବହେଳା କରିଲା ଏବଂ ପ୍ରାୟତଃ ସମୟ ରାଜକୁମାର ସହିତ ରୁହେ ।

ପୂଜା ସ୍ୱାଇଁ ଙ୍କ ଦ୍ଵାରା ଲିଖିତ ଶିଶୁ ଗଳ୍ପ ଟିଏ…



କିଛି ଦିନ ପରେ ଦିନେ ରାଜକୁମାର ଓ କାଶତଣ୍ଡି ର ପ୍ରେମ ସମ୍ପର୍କ ବିଷୟରେ ମହାରାଜା ଜାଣିବାକୁ ପାଇଲେ ଏବଂ ରାଗିଯାଇ ରାଜକୁମାର କୁ କାଶତଣ୍ଡି ସହ ଦେଖା କରିବାକୁ ମନା କରିଲେ କିନ୍ତୁ ରାଜକୁମାର ଏହା ସ୍ଵତେ ମଧ୍ୟ ସେ କାଶତଣ୍ଡି ସହ ଦେଖା କରିବାକୁ ଯାଆନ୍ତି କିନ୍ତୁ ଏହା ମହାରାଜା ସହ୍ୟ କରି ପାରିଲେ ନାହିଁ।

ଦିନେ ସୁରଦେବ କୁ ମହାରାଜା ନିଜ ମହଲ କୁ ଡାକି ବୁଝାଇ କହିଲେ ଯେ ତୋ ଝିଅକୁ ରାଜକୁମାର ଠାରୁ ଦୂରେଇ ରଖ ଅନ୍ୟଥା ତୁମ୍ଭ ତିନି ଜଣକୁ ମୃତ୍ୟୁ ଦଣ୍ଡ ରେ ଦଣ୍ଡିତ କରାଯିବ । ତୁମ୍ଭେ ଛୋଟ ଜାତି ଏବଂ ଅସ୍ପୃଶ୍ୟ ଲୋକ। ଏତେ ଛୋଟ ଜାତିର ହୋଇ ତୁମେ ମୋ ପୁତ୍ର ସହ ନିଜ ଝିଅକୁ ବିବାହ କରିବାକୁ କେମିତି ଭାବି ପାରୁଛ। ସୁରଦେବ କହିଲା ମହିମା କ୍ଷମା କରନ୍ତୁ, ଆମ୍ଭର ବହୁତ ବଡ଼ ଭୁଲ ହୋଇଯାଇଛି । ମହାରାଜ ଏହି ସବୁ କଥା ପ୍ରତି ମୁଁ ଏବଂ ମୋ ସ୍ତ୍ରୀ ଅବଗତ ନଥିଲୁ । ମୁଁ ଆଜି ହିଁ ମୋର କନ୍ୟା କୁ ଏହି ବିଷୟରେ ପ୍ରଶ୍ନ କରିବି ଏବଂ ରାଜକୁମାର ସହ ସମ୍ପର୍କ ରଖିବା ପାଇଁ ମନା କରିବି। ମୋତେ ଆପଣ କିଛି ସମୟ ଦିଅନ୍ତୁ। ମହାରାଜ ଙ୍କ ଠାରୁ ସୁରଦେବ ବିଦାୟ ନେଇ ଘରେ ପହଞ୍ଚିଲେ।

ସୁରଦେବ କାଶତଣ୍ଡି କୁ ପଚାରିଲେ ତୁ ଏମିତି ପଦକ୍ଷେପ ନେବା ପୂର୍ବରୁ ଆମ୍ଭ କଥା କେମିତି ଭାବିଲୁ ନାହିଁ ? ଆମେ ଦୁହେଁ ତୋ ପାଇଁ ସବୁ କରି ଆସିଛୁ ??? କିନ୍ତୁ ଏବେ ତୁ ଭୁଲ କରିଛୁ ଏବଂ ମୋ ଆଦେଶ ଯେ ଏବେ ତୁ ରାଜକୁମାରଙ୍କୁ ଭୁଲି ଯାଆ । ନ ହେଲେ ମହାରାଜା ଆମ୍ଭ ତିନି ଜଣଙ୍କୁ ମୃତ୍ୟୁ ଦଣ୍ଡ ଦେବେ ବୋଲି କହିଛନ୍ତି। ଏହା ଶୁଣି ସେ ସେଦିନ ସେ ନଦୀକୁ ପାଣି ଆଣିବାକୁ ଗଲା ନାହିଁ କିନ୍ତୁ ସେପଟେ ରାଜକୁମାର କାଶତଣ୍ଡି କୁ ଅପେକ୍ଷା କରି କରି ଫେରିଗଲେ । ଦ୍ଵିତୀୟ ଦିନ ମଧ୍ୟ ଠିକ୍ ସେମିତି କିନ୍ତୁ ସେଦିନ ମଧ୍ୟ କାଶତଣ୍ଡି ଘରୁ ବାହାରିଲା ନାହିଁ ।


ରାଜକୁମାର କାଶତଣ୍ଡି କୁ ନ ଦେଖି ରହି ପାରିଲେ ନାହିଁ ଏବଂ ସେ ତତ୍ କ୍ଷଣାତ୍ କାଶତଣ୍ଡି ଘରେ ଆସି ପହଁଚିଲେ । କାଶତଣ୍ଡି ର ପରିବାର ରାଜକୁମାର ଦେଖି ଆଶ୍ଚର୍ୟ୍ଯ ହେଲେ କିନ୍ତୁ କାଶତଣ୍ଡି ଚୁପ୍ ରହିଲା । ରାଜକୁମାର କାଶତଣ୍ଡି କୁ କହିଲେ ତୁମେ ଯଦି କିଛି ନ କହିବ ତେବେ ଆମ ନିବିଡ ପ୍ରେମ ପାଇଁ ମୁଁ ଏହି କ୍ଷଣି ଏହି ନଦୀରେ ନିଜ ଜୀବନ ତ୍ୟାଗ କରି ଦେବି । ଏହା ଶୁଣି କାଶତଣ୍ଡି ଆଉ ମୁକ ପରି ନ ରହି ରାଜ କୁମାର ଆଗକୁ ଆସି ଅଟକେଇ ତାଙ୍କ ପାଦ ତଳେ ମୁଣ୍ଡ ରଖି କାନ୍ଦିବାକୁ ଲାଗିଲା । ହେ କୁମାର ମୁଁ ନିରୁପାୟ। ମୁଁ କଣ ଅବା କରି ପାରିବି । ତୁମେ ଉତ୍ତର ଦିଅ କୁମାର ?? ଆମ ପ୍ରେମ ପାଇଁ ମୁଁ ମୋ ବାପା ମା ଙ୍କ ଜୀବନ କୁ ବଳି ପକେଇ ପାରିବି ନାହିଁ । ଉତ୍ତମ ରାସ୍ତା ଏହା ଯେ, କୁମାର ତମେ ମୋତେ ଭୁଲି ଯାଇ ଅନ୍ୟ କେଉଁ ରାଜକନ୍ୟା ସହିତ ବିବାହ କରନ୍ତୁ ।

ସୁରଦେବ ମଧ୍ୟ ଏହା କହି ରାଜକୁମାର ଙ୍କୁ ବୁଝାଇ କହିଲେ କିନ୍ତୁ ରାଜକୁମାର ବୁଝିବାକୁ ନାରାଜ । ସେ କାଶତଣ୍ଡି କୁ ଭୁଲି ପାରିବେ ନାହିଁ ବୋଲି କହି କାଶତଣ୍ଡି ର ହାତ କୁ ଧରି କହିଲେ ଯେ ମୁ ତୁମ୍ଭକୁ ଏହି କ୍ଷଣି ବିବାହ କରିବି । ତୁମକୁ ମୋ ଠାରୁ କିଏ ଅଲଗା କରୁଛି ମୁଁ ମଧ୍ୟ ଦେଖିବି !! ଠିକ୍ ଏହି ସମୟରେ ରାଜକୁମାର ଓ କାଶତଣ୍ଡି କଥା ଗୋଟିଏ ଗୁପ୍ତଚର ଶୁଣୁଥାଏ। ସେ ସଙ୍ଗେ ସଙ୍ଗେ ରାଜାଙ୍କୁ ଯାଇ ଏହି ଖବର ଦେଲା । ରାଜା ନିଜ ଦୂତ ମାନଙ୍କୁ ସାଙ୍ଗରେ ନେଇ ସୁରଦେବ ଘରେ ପହଞ୍ଚିଲେ ।

ପୁଜା ସ୍ଵାଇଁ ଙ୍କ ଦ୍ଵାରା ଲିଖିତ ଶିଶୁ ଗଳ୍ପ ଟିଏ



ରାଜାଙ୍କର କଥାକୁ ନ ମାନି ପୁଣି ଝିଅ କୁ ରାଜକୁମାର ସହ ଦେଖା କରି ଥିବା ଦୋଷରେ ରାଜା ସୂରଦେବ ଓ ତାଙ୍କ ପତ୍ନି ଙ୍କୁ ବନ୍ଧକ କରିଲେ ଏବଂ ରାଜକୁମାର ଠାରୁ କାଶତଣ୍ଡି କୁ ଅଲଗା କରି କାଶତଣ୍ଡିକୁ ମୃତ୍ୟୁ ଦଣ୍ଡ ଦେବା ପାଇଁ ଆଦେଶ ଦେଲେ । ଏହା ଦେଖି ରାଜକୁମାର ମଧ୍ୟ ନିଜ ପ୍ରାଣ ତ୍ୟାଗ କରିବାକୁ ଚେଷ୍ଟା କରିଲେ । କାଶତଣ୍ଡି କୁମାର ଙ୍କୁ ରାଣ ପକେଇ ମନା କରି କହିଲା ଯେ ଆମ ଅମର ପ୍ରେମ ପାଇଁ ତୁମକୁ ବଞ୍ଚିବାକୁ ହେବ କୁମାର ଏବଂ ଆମ ପ୍ରେମ ର ସନ୍ତକ ରୂପକ ମୁଁ ଏହି ନଦୀ ତଟରେ ପୁଷ୍ପ ରୂପରେ ପ୍ରତି ବର୍ଷ ମା ଦୁର୍ଗାଙ୍କ ପୂଜା ସମୟରେ ଆସିବି । ଏତିକି କହିବା ପରେ କାଶତଣ୍ଡି କୁ ମୃତ୍ୟୁ ଦଣ୍ଡ ଦିଆଗଲା ।

କାଶତଣ୍ଡି ତ ଏହି ଦୁନିଆରେ ନାହିଁ ଏହା ସତ କିନ୍ତୁ ଆଜି ବି ସେ ବଞ୍ଚିଛି ସେଇ ନଦୀ ତଟ ରେ କାଶତଣ୍ଡି ଫୁଲ ରୂପରେ, ଆଜି ବି ସେ ହସୁଛି । ଯେମିତି ସେ ସୁନ୍ଦର ଥିଲା। ଏବେ ମଧ୍ୟ ସେ ସେମିତି ସୁନ୍ଦର ପୁଷ୍ପ ଟିଏ। ତାକୁ ଦେଖି ଲୋକେ ଅଧିର ହୋଇଯାଆନ୍ତି । ତେବେ ସେ ତା ପ୍ରେମ ର ସନ୍ତକ ରୂପରେ ଫେରି ଆସେ ପ୍ରତି ବର୍ଷ ଏବଂ ମା ଙ୍କ ପୂଜ୍ୟ ପାଇଁ ଶ୍ରେଷ୍ଠ ପୁଷ୍ପ ରୂପରେ ତାକୁ ଗ୍ରହଣ କରା ଯାଉ ଅଛି ।

କାହାଣୀ ଟି କେମିତି ଲାଗିଲା କମେଣ୍ଟ୍ କରିବାକୁ ଭୁଲିବେ ନାହିଁ ।

ପୂଜା ସ୍ୱାଇଁ ଙ୍କ ଦ୍ଵାରା ଲିଖିତ
ସୋଲଣ୍ଡି, ଗଞ୍ଜାମ ।