ଶେଷ ବିସର୍ଜନ (୨)

ପ୍ରଥମ ପୃଷ୍ଠା କୁ କ୍ଲିକ୍ କରି ପଢନ୍ତୁ



ଆମେ ସମସ୍ତେ ଗାଁ ଲୋକମାନଙ୍କୁ କ୍ଷମା ମାଗି ବାଉଁଶ ନେଇ ସେଠାରୁ ଚାଲି ଆସିଲୁ । ସବୁ ଦରକାର ଜିନିଷ ଆଣି କାମ ଆରମ୍ଭ କରିଦେଲୁ। ଗଣେଶ ପୂଜାର ପୂର୍ବ ରାତି ଫୁଲ ବୋବାଲ, ଫୁଲ ମସ୍ତି । ଭଳିକି ଭଳି ଝାଲର ସାଙ୍ଗକୁ ନାନା ପ୍ରକାରର ଗଛରେ ପୁରା ମେଢ ସଜାଗଲା । ସେଦିନ ରାତିରେ କିଏ ବି ଜମା ଶୋଇ ନାହୁଁ। ସକାଳ ହେଲା ସମସ୍ତେ ସାତଟା ସୁଧା ଗାଧୋଇ ସାରିଥିଲୁ। ରାତ୍ରିରୁ ହିଁ ଗଣେଶଙ୍କ ମୂର୍ତ୍ତି ରଖାଯାଇ ଥାଏ। ଜଣେ ଗଲା ଗୋସାଇଁଙ୍କୁ ଡାକିବା ପାଇଁ ହେଲେ ଗୋସାଇଁ ସ୍କୁଲ ଆଉ କିଛି ଜାଗାରେ ପୂଜା ସାରି ଆସିବେ ବୋଲି କହିଲେ। ଆର ସାହିର ପିଲାମାନେ ଆସିଲେ ଆମ ଗଣେଶ ମୂର୍ତ୍ତିର ଆକାର ଆଉ ସାଜ ସଜା ଦେଖିବାକୁ । ମୂର୍ତ୍ତିର ଆକାର ଦେଖି ସେମାନଙ୍କର ମୁହଁ ସୁଖିଗଲା।କାରଣ ସେମାନଙ୍କର ମୂର୍ତ୍ତି ଠାରୁ ଆମ ମୂର୍ତ୍ତି ବହୁତ ବଡ ଥିଲା। ଲାଇଟ ସାଉଣ୍ଡ ବି ଆମର ଭଲ ଥିଲା । ଠିକ୍ ଏଗାରଟା ବେଳେ ଗୋସାଇଁ ଆସିଲେ ଆଗରୁ ସବୁ ସାମଗ୍ରୀ ପ୍ରସ୍ତୁତ ଥିଲା । ସାହିର ସମସ୍ତେ ପୂଜାରେ ଯୋଗ ଦେଲେ । ହେଲେ ରାଘବର ଦେଖାନାହିଁ ।

ଜଣେ ପିଲାକୁ କହିଲି ଯାଇ ଖୋଜିବାକୁ । କିଛି ସମୟ ପରେ ସେ ପିଲା ଧାଇଁ ଆସି କହିଲା ରାହୁଲ ଭାଇ ଜଲଦି ଆସ ରାଘବ ଭାଇ ଆର ସାହିରେ ମାର୍ ପିଟ୍ କଲାଣି । ତା କଥା ଶୁଣି ମୁଁ ପୂଜା ଛାଡି ଧାଇଁଗଲି । ଗଲା ବେଳକୁ ମଣ୍ଟୁ ଆଉ ରାଘବ ର ନିର୍ଧୁମ ମାର୍ ପିଟ୍ ଚାଲିଥିଲା । ସମସ୍ତେ ଦୁଇ ଜଣଙ୍କୁ ଛଡାଇଲୁ । ରାଘବ ଠାରୁ ଜାଣିବାକୁ ପାଇଲି ଯେ ରାଘବ ଗୋସାଇଁଙ୍କ ପାଇଁ ଆର ସାହି ଦୋକାନରୁ ଗୋଟିଏ ଥଣ୍ଡା ବୋତଲ ଆଣି ଆସିଲାବେଳେ ରାଘବକୁ ଦେଖେଇ ହୋଇ ମଣ୍ଟୁ ଆମ ମେଢକୁ ନେଇ ଏପଟ ସେପଟ କହିବାକୁ ଲାଗିଲା । ରାଘବ ବି ସେ ଦିନ ମଦ ଟିକିଏ ପିଇ ଦେଇଥିଲା । ସେଥି ପାଇଁ ମଣ୍ଟୁର କଥା ଶୁଣି ଝଗଡା ଆରମ୍ଭ କରିଦେଲା । ମୁଁ ରାଘବକୁ ନେଇ ଆସିଲି ପୂଜା ମଣ୍ଡପ ପାଖକୁ । ପୂଜା କାମ ଆରମ୍ଭ ହେଲା । ପ୍ରାୟ ଏକ ଘଣ୍ଟା ପରେ ପୂଜାକାମ ସରିଲା। ସମସ୍ତଙ୍କୁ ପ୍ରସାଦ ଦିଆଗଲା। ଗାଁ ସାରା ମାଇକ୍ ସାଉଣ୍ଡ ର ଗୀତରେ କମ୍ପି ଉଠୁଥିଲା ।

ଏମିତି ପାଞ୍ଚ ଦିନ ଚାଲିଲା ପରେ ଆସିଲା ବିସର୍ଜନ ଦିନ । ପାଖ ଗାଁ ରୁ DJ ବହଣା କରାଯାଇ ଥିଲା । ଆର ସାହି ମେଢ ଦିନରେ ହିଁ ବିସର୍ଜନ କରି ଦେଇଥିଲେ । ଆମର ରାତି ପୋଗ୍ରାମ ଥିଲା । ସେଦିନ ରାଘବର ଅବସ୍ଥା କିଛି ଠିକ୍ ନଥିଲା । ମନା କରିବା ସତ୍ବେ ବି ବହୁତ ମଦ ପିଇ ଥିଲା । ସନ୍ଧ୍ୟା ହେବାକୁ ଆସିଲା । ଆରମ୍ଭ ହେଲା DJ । ସମସ୍ତେ DJ ଗୀତରେ ପୁରା ବୋବାଲ ହୋଇ ନାଚିଲୁ। ରାଘବ ନାଗିନ୍ ଗୀତରେ ନାଚ କରି ରାସ୍ତାରେ ଯେମିତି ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରି ଦେଇଥିଲା । ଆର ସାହିକୁ ଯେତେବେଳ ଗଲୁ DJ ସାଉଣ୍ଡ ବଢେଇ ଦିଆଗଲା । ଆମ ମାନଙ୍କ ପ୍ରୋସେସନ ଦେଖି ସେମାନଙ୍କର ମୁଣ୍ଡ ଖରାପ ହେଇଗଲା । ପୁଣି ଝଗଡା ଆରମ୍ଭ କରିଦେଲେ । ବୁଝାସୁଜା ପରେ ସବୁ ଶାନ୍ତ ହେଲେ । ଆଗକୁ ଚାଲିଲା ଗାଡି । ପ୍ରତିବର୍ଷ ଗାଁ ପାଖ ନଦୀରେ ଗଣେଶ ବିସର୍ଜନ କରାଯାଏ । ସେଥିପାଇଁ ଗାଡି ଚାଲିଲା ନଦୀ କୂଳକୁ। ଗଣେଶ ମୂର୍ତ୍ତି ପୂଜା ସରିଲା ପରେ ମୂର୍ତ୍ତି ବିସର୍ଜନ ପାଇଁ ନିଆ ଗଲା ବେଳେ ରାଘବ ମଧ୍ୟ ବାହାରିଲା ଯିବାପାଇଁ । ମୁଁ କହିଲି, ଆରେ ରାଘବ ତୁ ପେଟେ ମଦ ପିଇଛୁ ଜମା ଯାଆନି । ରାଘବ କହିଲା, ମୁଁ ପ୍ରତିବର୍ଷ ଗଣେଶ ବିସର୍ଜନ କରେ ଆଉ ଏ ବର୍ଷ ମଧ୍ୟ ମୁଁ ବିସର୍ଜନ ରେ ସାମିଲ ହେବି । ରାଘବ କହିଲା ମଦ ପିଇବା ଟା ମୋ ପାଇଁ ଗୋଟେ କମନ୍ କଥା ତୁ ଚିନ୍ତା କରେନି ମ ତୋତେ ଏତେ ଶିଘ୍ର ଛାଡି ଯିବିନି। ବହୁତ ବୁଝେଇଲି ହେଲେ ଜମା ଶୁଣିଲାନି । କହିଲା, ଛୋଟବେଳେ ତୁ କହୁଥିଲୁ ତୋ ପାଇଁ ଗଣେଶଙ୍କ ଶୁଣ୍ଢ ଆଣି ଦେବା ପାଇଁ। କହ ଆଜି କଣ ଆଣିଦେବି? । ମୁଁ ବହୁତ ରାଗିଯାଇ ଥିଲି । ତାକୁ କହିଲି, କିଛି ଆଣିବା ଦରକାର ନାହିଁ ତୁ ଗଣେଶ ବିସର୍ଜନ କରି ଶିଘ୍ର ଆସିବୁ । ମୋତେ ନଦୀ ଭିତରକୁ ଯିବା ପାଇଁ ଡରଲାଗେ । ସେଥିପାଇଁ ମୁଁ କେବେ ବି ବିସର୍ଜନ ରେ ଯାଏ ନାହିଁ । ଗଣେଶ ମୂର୍ତ୍ତିର ଆକାର ବଡଥିବା ଯୋଗୁଁ ମୂର୍ତ୍ତି କୁ ଆଠ ଜଣ ଉଠେଇ ନେଲେ । ନଦୀ ର ଜଳସ୍ରୋତ ତୀବ୍ର ଥାଏ । ରାତି ଅଧିକ ହୋଇଥିବା ହେତୁ ସେତେଟା ଦେଖା ଯାଉ ନଥାଏ। ସମସ୍ତେ ଗଣେଶ ମୂର୍ତ୍ତିକୁ ଧରି “ଗଣପତି ବାବା ମୋରିଆ” କହି ଆଗକୁ ଆଗକୁ ବଢୁଥାନ୍ତି । ମୋ ମନ କିଛି ବି ଭଲ ଲାଗୁନଥାଏ। ମୋତେ ଅନୁଭବ ହେବାକୁ ଲାଗିଲା ଯେ କିଛି ଗୋଟିଏ ଅଘଟଣ ଘଟିବାକୁ ଯାଉଛି। ମନ ଭିତରେ କୋକୁଆ ଭୟ । ମୁଁ ଅନାଇ ଥାଏ ରାଘବକୁ, ହେଲେ ଅନ୍ଧକାର ହେତୁ ସ୍ପଷ୍ଟ ଭାବେ ଦେଖା ଯାଉନଥାଏ। କେବଳ ଗଣେଶ ମୂର୍ତ୍ତି ହିଁ ଟିକିଏ ଦେଖା ଯାଉଥାଏ । ଧିରେ ଧିରେ ଗଣେଷ ମୂର୍ତ୍ତି ବି ଆଉ ଦେଖା ଗଲାନି। ସମସ୍ତେ ପୁଣି ଗଣପତି ବାବା ମୋରିଆ କହି ମୂର୍ତ୍ତି କୁ ବିସର୍ଜନ କରି ନଦୀ କୂଳକୁ ଆସିଲେ । ସମସ୍ତେ ଆସିଲେ ହେଲେ ମୁଁ ରାଘବକୁ ଦେଖି ପାରିଲିନି। ସେମାନେ ବି ଭାବି ଥିଲେ ରାଘବ ତାଙ୍କ ସହ ଆସିଥିବ। ହେଲେ ରାଘବ କୁ ନ ପାଇ ସମସ୍ତେ ବ୍ୟସ୍ତ ହୋଇ ପଡିଲେ । ସମସ୍ତେ ପୁଣି ନଦୀ ଭିତରକୁ ଯାଇ ଖୋଜିଲେ । ରାତି ୧୨ ଟା ହେବାକୁ ଲାଗିଲାଣି।

ଗୋଟିଏ ଘଣ୍ଟା ଖୋଜିବା ପରେ ରାଘବ ଆଉ ମିଳିଲା ନାହିଁ । ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗ କୁ ଖବର ଦିଆ ଗଲା। ଖବର ପାଇ ଅଗ୍ନିଶମ ବିଭାଗ ଅଧ ଘଣ୍ଟାଏ ଭିତରେ ଆସି ପହଞ୍ଚିଲେ । ରାଘବର ବାପା ମାଆ ମଧ୍ୟ ଖବର ପାଇ କାନ୍ଦି କାନ୍ଦି ଧାଇଁ ଆସିଲେ । ଗାଁ ସାରା ହୋ ହାଲା ହୋଇ ଗଲା । ରାଘବ ନଦୀରେ ବୁଡି ଯାଇଛି । ମୁଁ ବହୁତ କଷ୍ଟରେ ନିଜକୁ ଆଉ ରାଘବର ବାପା ମାଆଙ୍କୁ ସାନ୍ତନା ଦେଇ ରଖିଥାଏ। ଅଗ୍ନିଶମ ବିଭାଗ ବହୁତ ଖୋଜି ବି ଯେତେବେଳେ ନ ପାଇ ଆସି ଆମକୁ ଜଣେଇଲେ ଯେ ଏବେ ମିଳିବ ନାହିଁ ଏମିତି ରେ ଅନ୍ଧାର ରାତି । ଆମେ ଆସନ୍ତା କାଲି ସକାଳେ ଆସିବୁ କହି ଚାଲିଗଲେ । ମୁଁ ଆଉ ନିଜକୁ ସମ୍ଭାଳି ପାରିଲି ନାହିଁ। ସ୍ତବ୍ଧ ହୋଇ ଆଣ୍ଠୁ ମାଡି ବସି ପଡିଲି । ରାଘବର ମାଆ ନ ପାଇବା କଥା ଶୁଣି ସେ ବାରମ୍ବାର ବେହୋସ ହୋଇଯାଉଥିଲେ । ତାଙ୍କୁ ବହୁ କଷ୍ଟରେ ପାଣି ଛିଟା ଦେଇ ଚେତା ଫେରେଇ ଆଣିଲୁ । ତାଙ୍କୁ ଘରକୁ ଅଣା ଗଲା। ଆରାମ କରିବାକୁ କହି ବାହାରକୁ ଆସିଲୁ। ସେ ଅଳ୍ପ ଠିକ୍ ହେଲା ପରେ ତାଙ୍କ ମା ରାଘବ କୁ ଡାକି ବାହୁନି ବାହୁନି କାନ୍ଦିଲେ ଏବଂ ମୋ ପାଖକୁ ଆସି ମୋତେ ଗାଳି ଦେଇ କହିଲେ ଯେ ଏ ସବୁ ତୋରି ଯୋଗୁଁ ହିଁ ହୋଇଛି ଆଉ ମୋ ପୁଅ ଆଜି ନଦୀରେ ବୁଡ଼ି ଯାଇଛି। ଜାଣିନି ସେ ଏ ଦୁନିଆରେ ଅଛି ନା ନାହିଁ, କହି ପୁଣି କାନ୍ଦିବାକୁ ଲାଗିଲେ । ସବୁ ତୋର ଭୁଲ, ଆଉ ତୁ ମୋ ପୁଅକୁ ମାରି ଦେଇଛୁ , କି ଭୁଲ କରିଥିଲା ସେ ତୋର? କାହିଁକି ତାକୁ ଏତେବଡ ସଜା ଦେଲୁ ? ତାଙ୍କ କଥା ଶୁଣି ମୋତେ ବହୁତ କଷ୍ଟ ଲାଗୁଥାଏ ଏବଂ ମନ ଭିତରେ ଆକସ୍ମିକ ବିଜୁଳି ତରଙ୍ଗ ଖେଳିଗଲା। ମନେ ମନେ ଭାବିଲି ଯେ କଣ ସତରେ ମୋ ଯୋଗୁଁ ଆଜି ରାଘବର ଜୀବନ ଚାଲିଗଲା? । ପୁଣି ଭାବିଲି ନା ନା ସେ ମରି ପାରିବ ନାହିଁ । ସେ ମୋତେ ପ୍ରତିଶ୍ରୁତି ଦେଇଥିଲା ସେ ମୋତେ ଛାଡ଼ି କେବେ ଯିବ ନାହିଁ । ପୁଣି ଭାବିଲି, ସେଦିନ ଏକଥା ମଧ୍ୟ କହିଥିଲା ଯେ “ତୋ ଆଖି ସାମ୍ନାରୁ ଏ ଦୁନିଆ ଛାଡ଼ି ଚାଲିଯିବି ” ଏମିତି ଭାବି ମୁଁ ଯେମିତି ପାଗଳ ଅନୁଭବ କରୁଥିଲି।

ଶେଷ ପୃଷ୍ଠା କୁ କ୍ଲିକ୍ କରି ପଢନ୍ତୁ ….

Advertisements

ନରେନ୍ଦ୍ର କୁମାର ସ୍ବାଇଁ ଙ୍କ ଦ୍ଵାରା ଲିଖିତ……

ଗୋଳାବନ୍ଧ, ଗଞ୍ଜାମ ।



କାହାଣୀ ଟି କେମିତି ଲାଗିଲା ମତାମତ ଦେବାକୁ ଭୁଲିବେ ନାହିଁ । ରହିଲି ସାଙ୍ଗ ମାନେ।

3 thoughts on “ଶେଷ ବିସର୍ଜନ (୨)”

  1. कहानी को दिल से पढ़ने लगा था और आखरी में अचानक
    होने वाली घटना बहुत दर्द दिया मुझे । क्या यह लेखक के साथ हुआ है या और किसी के साथ ?? में ओड़िया तो पढ़ लेता हूं परंतु बोलने और लिखना नहीं आता ।

Leave a Reply

Your email address will not be published. Required fields are marked *