All posts by Narendra Kumar

ସ୍ବପ୍ନ ସୁନ୍ଦରୀ

ତୁମ ରୂପ ପ୍ରିୟା ସତେ ରୂପାଚାନ୍ଦ
ଜୋଛନା ପଡୁଛି ଝରି,
ସ୍ୱର୍ଗ ଅପସରା ଝାଉଁଳିବେ ସବୁ
ତୁମ ଆଗେ ଫୁଲ ପରି …

ଲାଜ ଲାଜ ଓଠେ ଡାକିଦେଲେ ତୁମେ
ଫଗୁଣ ଆସୁଛି ଫେରି,
ବାସ୍ତବରେ ଆସି ଦର୍ଶନ ଦିଅ ହେ
ମୋ ପ୍ରିୟା ସ୍ଵପ୍ନ ସୁନ୍ଦରୀ ।।

ସତେ ପ୍ରିୟା ତୁମେ ସଜ ଫୁଟା ଫୁଲ
ବାସ ତ ଯାଉଛି ଝରି,
ସେହି ଫୁଲକୁ ମୁଁ ସାଇତି ରଖିବି
ଦେଖୁଥିବି ମନ ଭରି …

ଶୋଇଗଲେ ଦେଖେ ତୁମକୁ ସପନେ
ପାଖେ ଆସ ଥିରି ଥିରି ,
ବାସ୍ତବରେ ଆସି ଦର୍ଶନ ଦିଅ ହେ
ମୋ ପ୍ରିୟା ସ୍ବପ୍ନ ସୁନ୍ଦରୀ ।।

ପ୍ରଦୀପ କୁମାର ଜେନାଙ୍କ ଦ୍ଵାରା ଲିଖି
ଗୋଳାବନ୍ଧ, ଗଞ୍ଜାମ.

କର୍ମଫଳ…



ଭିକ୍ଷା ଥାଳି ଧରି ବୁଲୁଛି ମୁଁ ଆଜି
ନାହିଁ ମୋର ବାସ ଘର
କେତେ ଯତନରେ ପାଳିଲି ପୁଅଙ୍କୁ
ସଭିଏଁ କରିଲେ ପର …

ଅସହାୟ ମୁଁ ଯେ ସାହା କେହି ନାହିଁ
ଆଖିରୁ ଝରୁଛି ଲୁହ
ହୃଦୟ ଭିତରେ ଭରି ରହିଛି ମୋ
ଛାତିରେ ଛାତିଏ କୋହ…

ଦିନେ ଖାଇ ଦିନେ ଉପବାସେ ରହେ
ଦୁଃଖ ମୋ ଶୁଣିବ କିଏ
ମରଣର ସାଥେ କରୁଛି ସଂଘର୍ଷ
ଆଖିର ଲୁହକୁ ପିଏ …

ମନେପଡେ ଦିନେ ପିତା ମାତାଙ୍କୁ ମୁଁ
କରିଥିଲି ହତାଦର
ଭାରିଯା କଥାରେ ଅନ୍ଧ ହୋଇ କେତେ
କରୁଥିଲି ଅତ୍ୟାଚାର …

ଅତ୍ୟାଚାରେ ମୋର ଅସହାୟ ହୋଇ
ପିଇଥିଲେ ଦୁହେଁ ବିଷ
ପିତା ମାତା ମୋର ଚାଲିଗଲେ ବୋଲି
ନଥିଲା ମୋ ଅବଶୋଷ…

ସେହି ଅଭିଶାପ ପଡିଛି ମୋ ଠାରେ
ମିଳୁ ନାହିଁ ବୁନ୍ଦେ ଜଳ
ଯାହା କରିଥିଲି ପାଇଲି ମୁଁ ତାହା
ଅତୀତର କର୍ମଫଳ …


ନରେନ୍ଦ୍ର କୁମାର ସ୍ବାଇଁଙ୍କ ଦ୍ବାରା ଲିଖିତ
ଗୋଳାବନ୍ଧ, ଗଞ୍ଜାମ.