Category Archives: Pradeep Kumar jena

ସ୍ବପ୍ନ ସୁନ୍ଦରୀ

ତୁମ ରୂପ ପ୍ରିୟା ସତେ ରୂପାଚାନ୍ଦ
ଜୋଛନା ପଡୁଛି ଝରି,
ସ୍ୱର୍ଗ ଅପସରା ଝାଉଁଳିବେ ସବୁ
ତୁମ ଆଗେ ଫୁଲ ପରି …

ଲାଜ ଲାଜ ଓଠେ ଡାକିଦେଲେ ତୁମେ
ଫଗୁଣ ଆସୁଛି ଫେରି,
ବାସ୍ତବରେ ଆସି ଦର୍ଶନ ଦିଅ ହେ
ମୋ ପ୍ରିୟା ସ୍ଵପ୍ନ ସୁନ୍ଦରୀ ।।

ସତେ ପ୍ରିୟା ତୁମେ ସଜ ଫୁଟା ଫୁଲ
ବାସ ତ ଯାଉଛି ଝରି,
ସେହି ଫୁଲକୁ ମୁଁ ସାଇତି ରଖିବି
ଦେଖୁଥିବି ମନ ଭରି …

ଶୋଇଗଲେ ଦେଖେ ତୁମକୁ ସପନେ
ପାଖେ ଆସ ଥିରି ଥିରି ,
ବାସ୍ତବରେ ଆସି ଦର୍ଶନ ଦିଅ ହେ
ମୋ ପ୍ରିୟା ସ୍ବପ୍ନ ସୁନ୍ଦରୀ ।।

ପ୍ରଦୀପ କୁମାର ଜେନାଙ୍କ ଦ୍ଵାରା ଲିଖି
ଗୋଳାବନ୍ଧ, ଗଞ୍ଜାମ.

ଶିଶୁଟିଏ



ଯେବେ ଜନ୍ମ ହୁଏ ଛୋଟ ଶିଶୁଟିଏ
ପୁରି ଉଠେ ମାଆ ମନ,
କାହିଁକି ନା ସିଏ ଗର୍ଭେ ଧରିଥାଏ
ଦଶ ମାସ ଦଶ ଦିନ..!

ମାଆ ଗର୍ଭ ଛାଡି ଯେତେବେଳେ ସିଏ
ପୃଥିବୀ ପୃଷ୍ଠରେ ପଡ଼େ,
ମାଆ ମାଆ ବୋଲି ଡ଼ାକି ନ ପାରି ସେ
କୁଆଁ କୁଆଁ ହୋଇ ରଡ଼େ.. !

କିଛିଦିନ ପରେ ସେ ଜନ୍ମିତ ଶିଶୁ
ମାଆ ଡାକ ଯାଏ ଶିଖି,
ତା କୁନି ପାଦରେ ବାଟ ଚାଲିଥାଏ
ମାଆ ହାତେ ହାତ ରଖି.. !

ସେହି ଶିଶୁ ପୁଣି ବଡ଼ ହୋଇ ଦିନେ
ହୋଇଯାଏ ନାଗରିକ,
ସେହି ନାଗରିକ ରଖିଥାଏ ପରା
ଆମ ଏ ଦେଶର ଟେକ.. !

ମାରିଦିଅ ନାହିଁ ମାଆ ଗର୍ଭୁ ତାକୁ
ଖୁସିରେ ଆଦରି ନିଅ,
ସିଏ ଦିନେ ହେବ ଦେଶର ଗୌରବ
ପୁଅ ହେଉ ଅବା ଝିଅ.. !!

ପ୍ରଦୀପ କୁମାର ଜେନା ଙ୍କ ଦ୍ଵାରା ଲିଖିତ
ଗୋଳାବନ୍ଧ, ଗଞ୍ଜାମ