
ଶୀତ ଋତୁ ର ପାହାନ୍ତି ସମୟ, ଅଳ୍ପ ଆଲୋକ ହୋଇ ଆସିଲାଣି। ଘର ବାରଣ୍ଡା ରେ ବୃନ୍ଦାବନ ବାବୁ କଳା ଓ ନାଲି ରଙ୍ଗର ଗୋଟିଏ ଚାଦର ଘୋଡେ଼ଇ ହୋଇ ବସିଥାନ୍ତି। ହଠାତ୍ ଗୋଟିଏ ଅଟୋ ଆସି ବାରଣ୍ଡା ରେ ରହିଲା। ଅଟୋ ଭିତରୁ ମଫଲର୍ ପିନ୍ଧା ଗୋଟିଏ ଯୁବକ ଏବଂ ହାତରେ ଗୋଟିଏ କୁନି ଛୁଆ କୁ ଧରି ଅଟୋ ଭିତରୁ ବାହାରିଲା। ସେପଟେ ବୃନ୍ଦାବନ ବାବୁ ଭାବିଲେ ପଡିଶା ଘରକୁ ବୋଧେ କେହି ଆସିଥିବେ। ସେଥିପାଇଁ ସେ ଧ୍ୟାନ ନ ଦେଇ ମୁଣ୍ଡ ତଳକୁ କରି ବସିଗଲେ କିନ୍ତୁ ସେ ଅନୁଭବ କରିଲେ ଯେ ଦୁଇଟି ଲୋକ ର ପାଦ ଶବ୍ଦ ଯେମିତି ତାଙ୍କ ଆଡ଼କୁ ଅଗ୍ରସର ହୋଇ ଆସୁଛି। ସେ ମୁଣ୍ଡ ଉଠେଇ ଦେଖିଲେ ଯେ ତାଙ୍କ ପୁଅ ରାଜୁ ଏବଂ ଡ୍ରେସ୍ ପିନ୍ଧା ଗୋଟିଏ ଝିଅ ତାଙ୍କ ଆଗରେ ଠିଆ ହୋଇଛନ୍ତି ତା ସହିତ ସୁନ୍ଦର କୁନି ଛୁଆ ଟିକୁ ହାତରେ ଧରିଛନ୍ତି। ବୃନ୍ଦାବନ ବାବୁ ଙ୍କ ଖୁସି କହିଲେ ନ ସରେ।
ଆଜି ୪ ବର୍ଷ ପରେ ପୁଅ ଘରକୁ ଫେରିଛି। ସଙ୍ଗେ ସଙ୍ଗେ ଘର ଆଡ଼କୁ ମୁହଁ କରି ଡାକିଲେ ” ଆରେ ମା ରାଣୀ, ରାଜୁ ର ମା, ଆରେ ଆସ ଆସ !! ଦେଖ କିଏ ଆସିଛି, ଦେଖିବ ଆସ ??” ଦୁହେଁ ଦଉଡି ଆସିଲେ, ରାଜୁର ମା” ଭାବ ବିହୁଳ ହୋଇ କହିବାକୁ ଲାଗିଲେ ” ମୋ ଧନ, ମୋ ସୁନା, ତୁ ସତରେ ଆସିଛୁ? ମୋର ଯମାରୁ ବିଶ୍ୱାସ ହେଉନି” ରାଜୁ ର କୋଳ ରୁ ନାତୁଣୀ କି କୋଳେଇ ନେଲେ ରାଜୁ ର ମା”।
ରାଣୀ ପଚାରିଲା, ଇଏ ମୋ ଭାଉଜ, ଈ ମା.. କେତେ ସୁନ୍ଦର୍ , ଆସ ଆସ, ଭାଉଜ ଘରକୁ ଆସ।
ସମସ୍ତେ ପାଛୋଟି ନେଲେ ରାଜୁ ଏବଂ ତାର ସ୍ତ୍ରୀ କୁ !!
ଘରେ ଯେମିତି ଉତ୍ସବ ର ମାହୋଲ୍ ହୋଇ ଯାଇଥିଲା । ବୃନ୍ଦାବନ ବାବୁ ଙ୍କ ଦେହ ଯେମିତି ଠିକ୍ ହେବାକୁ ଲାଗିଥିଲା । ୧୫ ଦିନ ତଳେ ଡେଙ୍ଗୁ ରୋଗରୁ ବହୁ କଷ୍ଟରେ ଠିକ୍ ହୋଇଛନ୍ତି। ମା ପୁଅ ପାଇଁ ଭଳି ଭଳିକି ପିଠା ଏବଂ ଅନ୍ୟାନ୍ୟ ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରିବାରେ ଲାଗିଛନ୍ତି। ସେପଟେ ରାଣୀ” ଭାଉଜ କୁ ଭାଇ ର ଭଲ ଗୁଣ ଏବଂ ଖରାପ ଗୁଣ ବିଷୟରେ ଦୁହେଁ ଗପିବାରେ ଲାଗିଛନ୍ତି। କୁନି ନାତୁଣୀ କୁ କୋଳରେ ବସେଇ ଜେଜେ ସ୍ବପ୍ନ ରାଇଜର ଗପ ଶୁଣେଇବା ରେ ଲାଗିଲେଣି।
ହେଲେ କେହି ମଧ୍ୟ ଥରୁଟିଏ ପ୍ରଶ୍ନ କରି ନାହାନ୍ତି କି ଚାରି ବର୍ଷ ହେଲା ତୁ କୋଉଠି ଥିଲୁ ? ଏବଂ ଏ ଝିଅ କିଏ ?? କେବେ ବିବାହ କରିଲୁ ?? କାହା ମୁଖରୁ କିଛି ପ୍ରଶ୍ନ ନାହିଁ । କେବଳ ଗୋଟିଏ କଥା ଆମ ପୁଅ ଏବଂ ମୋ ଭାଇ ଫେରି ଆସିଛି ସେତିକି ଆମ ପାଇଁ ବହୁତ୍ କିଛି ।
ରାଜୁ ର ସ୍ତ୍ରୀ ( ରୋମା ) କୁ ଠିକ୍ ରେ ଓଡିଆ କହିବା ଆସେନି କିନ୍ତୁ ଓଡ଼ିଆ ବୁଝି ଯାଏ। ଦୁହେଁ ବାଙ୍ଗାଲୋର ର ଗୋଟିଏ ଘରୋଇ କମ୍ପାନୀ ରେ କାମ କରୁଥିଲେ ସେଠି ଦୁହିଁଙ୍କ ଦେଖା ହୋଇ ଭଲ ପାଇ ବସିଲେ ପରେ ଦୁହେଁ କୋର୍ଟ ରେ ବିବାହ କରି ଏକାଠି ରହିବାକୁ ଲାଗିଲେ। ରୋମା ର ମାତା ପିତା ବହୁ ବୁଝାଇବା ପରେ ମଧ୍ୟ ରୋମା ମାନିବାକୁ ନାରାଜ। ଶେଷରେ ରୋମା ର ପରିବାର ମଧ୍ୟ ରୋମା ଠାରୁ ଦୂରେଇ ରହିବାକୁ ଲାଗିଲେ। ଏହା ଥିଲା ଦେଢ଼ ବର୍ଷ ତଳର ଘଟଣା। ଦୁଇ ଦିନ ପୂର୍ବରୁ ରୋମା ର କିଛି ସର୍ତ୍ତ ଅନୁସାରେ ଦୁହେଁ ଫେରି ଆସିଛନ୍ତି ନିଜ ଘରକୁ।
ରାଜୁ ର ସ୍ତ୍ରୀ ବହୁ କଷ୍ଟ ରେ ଗୋଟିଏ ଦିନ କାଟି ଦେଲା ମାତ୍ର ରାତି କେମିତି କଟିବ ତାହା ଭାବି ଭାବି ସେ ଚିନ୍ତାରେ ରହୁଥିଲା । ତିନୋଟି ବଖରା ଘର । ଗୋଟିଏ ଘର ଲୁଗା ପଟା ଏବଂ ଧାନ ଚାଉଳ ରେ ଭର୍ତି। ଅନ୍ୟ ଗୋଟାଏ ଦାଣ୍ଡ କୁ ଲାଗି ବଖରା ଟିଏ ଆଉ ଗୋଟିଏ ବାରି କୁ ଲାଗି ବଖରା ଟିଏ ଥିଲା । ରୋମା ଭାବୁଥାଏ ରାତି ରେ କୋଉଠି ଶୋଇବି । ରାତି ହେବାକୁ ଲାଗିଲା । ରାଣୀ କହିଲା, ଭାଉଜ ଆଜି ତମେ, ମୁଁ ଆଉ ବୋଉ ସମସ୍ତେ ବାରି ଘରେ ଶୋଇବା । କିନ୍ତୁ ରୋମା ଉପାୟ ଶୂନ୍ୟ ହୋଇ ମୁଣ୍ଡ ହଲେଇ ହଁ କରିଦେଲା ମାତ୍ର ତାର ଇଚ୍ଛା ଥାଏ ଯେ ରାଜୁ ପାଖରେ ଶୋଇବ ବୋଲି ।
ରାତ୍ରି ଭୋଜନ ସରିବା ସମସ୍ତେ ଶୋଇବାକୁ ଲାଗିଲେ । ରାଜୁ ଏବଂ ବାପା ଦାଣ୍ଡ ବଖରା ରେ ଶୋଇଲେ । ବାକି ସ୍ତ୍ରୀ ଲୋକ ମାନେ ବାରି ପଟ ଘରେ ଶୋଇବାକୁ ଗଲେ। ରାତି ୨ ଟା ବାଜିଲାଣି । ରୋମା ର ଆଖିରେ ନିଦ ନାହିଁ । ସେ ରାଜୁର ପରିବାର ଏବଂ ଘର ର ଲୋକଙ୍କ ବ୍ୟବହାର ରେ ଅସନ୍ତୁଷ୍ଟ ଥିଲା। ସେ ରାତିରେ ହିଁ ସ୍ଥିର କରିଲା ଯେ ସକାଳୁ ଉଠି ମୁଁ ବାଙ୍ଗାଲୋର ପାଇଁ ବାହାରିବି ।
ସକାଳେ ସମସ୍ତେ ଉଠିଗଲେ କିନ୍ତୁ ରୋମା ର ନିଦ ଭାଙ୍ଗୁନି । ରାତି ୩ ଟା ପର୍ଯ୍ୟନ୍ତ Instagram ଦେଖିବ ଏବଂ ଦିନ ୯ ଟା ପର୍ଯ୍ୟନ୍ତ ଶୋଇବା ଅଭ୍ୟାସ ଟା ଅଛି । ସକାଳେ ଯେତେବେଳେ ରାଜୁ ର ମା ଉଠେଇବାକୁ ଲାଗିଲେ । ରୋମା ର ରାଗ ବଢ଼ିବାକୁ ଲାଗିଲା । ଅଧା ହିନ୍ଦୀ ଏବଂ ଓଡ଼ିଆ ରେ ରାଗରେ କହିବାକୁ ଲାଗିଲା । ମୁଁ ଏବେ ଉଠିବି ନାହିଁ କହି, କମ୍ବଳ ଘୋଡ଼ି ପୁଣି ଶୋଇବାକୁ ଲାଗିଲା । ଦିନ ୭ ଟା ହେବାକୁ ଲାଗିଲାଣି କିନ୍ତୁ ରୋମା ରାଗରେ ଶୋଇଛି କିନ୍ତୁ ତାକୁ ମଧ୍ୟ ନିଦ ନାହିଁ।
ସେପଟେ ରାଜୁ ଏବଂ ବାପା ବିଲ ଆଡୁ ବୁଲି ଆସି ଦେଖିଲା ବେଳକୁ ରୋମା ରାଗରେ ଶୋଇଛି। ରାଜୁ ବୁଝେଇ ଉଠେଇଲା। ରୋମା ରାଗରେ କହିଲା, ତମେ ଏବେ ମୋତେ ଷ୍ଟେସନ ରେ ଛାଡ଼ିକି ଆସ । ମୁଁ ବାଙ୍ଗାଲୋର ଯିବି । ବୃନ୍ଦାବନ ବାବୁ କହିଲେ, ଝିଅ କଣ ଅସୁବିଧା ହେଲା କି ?? ରୋମା ରାଗରେ ବୃନ୍ଦାବନ ବାବୁ କୁ କହିଲେ । ଏଠି ମୁଁ ଆଉ ଗୋଟିଏ କ୍ଷଣ ମଧ୍ୟ ରହିବି ନାହିଁ । ତମ ପୁଅ କୁ ମୁଁ କହିଥିଲି କି। ଗୋଟିଏ ଦିନ ରହିବି, ଗୋଟିଏ ଦିନ ହୋଇଗଲା, ବାସ୍ ଏବେ ମୁଁ ଯାଉଛି । ରାଣୀ, ଭାଉଜ ର ହାତ ଧରି କହିଲା, ଭାଉଜ, କିଛି ଅସୁବିଧା ଅଛି କି ?? ରୋମା ରାଗରେ କହିବାକୁ ଲାଗିଲେ। ମୋତେ କେହି ପଚାର ନାହିଁ !! ମୁଁ ଚାଲିଲି, ମୋତେ କେହି ରୋକିବାକୁ ମଧ୍ୟ ଚେଷ୍ଟା କର ନାହିଁ । ପ୍ରାୟ ଗୋଟିଏ ଘଣ୍ଟା ର ଝଗଡ଼ା ଏବଂ ବୁଝାମଣା ପରେ । ରୋମା ଗାଧୋଇବାକୁ ଗଲା । ସେଠି ମଧ୍ୟ ଅସୁବିଧା । ଖୋଲା କୂଅ ପାଖରେ ଗାଧୋଇବ କେମିତି ? ରାଗରେ ଘରକୁ ଆସିଗଲା। ରାଜୁ ଉପରେ ସବୁ ରାଗ । ରାଗରେ କାହା କଥା ନ ଶୁଣି ରାଜୁ କୁ ଏଣୁ ତେଣୁ କହିବାକୁ ଲାଗିଲା । ରାଜୁ, ରୋମାକୁ ବୁଝାଇବାକୁ ଲାଗିଲା ମାତ୍ର ସେ ଶୁଣିବା ପାଇଁ ଇଚ୍ଛା ରଖୁ ନଥାଏ।
ରୋମା ରାଜୁ କୁ ପଚାରିଲା, ତମେ କହୁଥିଲ ନା, ଆମ ଘର କୋଉ ରାଜ ଉଆସ ଠାରୁ କମ୍ ନୁହଁ। ଏ କଣ ? ୟାକୁ ରାଜ ଉଆସ କୁହାଯାଏ। ଯେଉଁଠି Privacy ବୋଲି କିଛି ନାହିଁ । ସବୁବେଳେ ଶାଢ଼ୀ ପିନ୍ଧି ରହି ପାରିବି ନାହିଁ। ଘର ର ବୋହୂ ବୋଲି ମୋର ମଧ୍ୟ ସ୍ଵାଧୀନତା ଅଛି । ଏଠି ଶାଶୁ କୁ ପାଟି ଖୋଲି କହି ପାରିବ ନାହିଁ ଶଶୁର ଆଗରେ ସର୍ବଦା ମୁଣ୍ଡ ନୁଆଇଁ ରହିବାକୁ ପଡିବ । ଗାଧୋଇବା ପାଇଁ ବାଥ୍ ରୁମ୍ ନାହିଁ । ନିଜ ଇଚ୍ଛା ରେ କିଛି ଖାଇ ପାରିବ ନାହିଁ। ମୋ ଛୁଆ କୁ ଏମାନେ ତଳେ ଏମିତି ଖେଳିବାକୁ ଛାଡ଼ି ଦେଉଛନ୍ତି ଦେଖୁଛ ତ ନା ତମ ଆଖିକୁ ଦେଖା ଯାଉନି । ଆଉ ତମେ ମଳି ମୁଣ୍ଡିଆ ଭଳି ବିଲ କୁ ଯାଇଥିଲ ?? ମୁଁ ଆଉ କିଛି ସମୟ ଏହି ଘରେ ରହିବି ନା, ମୁଁ ସତରେ ପାଗଳ ହେଇଯିବି । ମୋତେ ଏବେ ହିଁ ଟ୍ରେନ ରେ ବସେଇ ଆସ । ଆଉ ଯଦି ଆସି ପାରିବ ନାହିଁ ତେବେ ମୁଁ ନିଜେ ଚାଲି ଯାଉଛି ।
ରାଜୁ , ରୋମା ର ହାତକୁ ଧରି ଅନୁରୋଧ କରିଲା । ପାଟି କର ନାହିଁ । ସାହି ପଡିଶା ଲୋକେ ଦେଖିବେ। ଆମ ଇଜ୍ଜତ ମାଟିରେ ମିଶି ଯିବ । ରୋମା, ଇଜ୍ଜତ କଣ ? ମୋତେ ଭଲ ପାଇ ବିବାହ କରିବା ପରେ କହୁଥିଲ ନା, ମୁଁ ଗାଁ କୁ କେବେ ଯିବି ନାହିଁ କାରଣ ମୁଁ ଗାଁ କୁ ଗଲେ ମୋ ପରିବାର ର ଇଜ୍ଜତ ଚାଲିଯିବ କାରଣ ତମେ ଗୋଟିଏ ବିଦେଶିନୀ ଝିଅ କୁ ବିବାହ କରିଛ ବୋଲି । କାହିଁ, କାଲି ଠାରୁ ଆସିଲଣି ଏବେ ପର୍ଯ୍ୟନ୍ତ ତମର ଇଜ୍ଜତ ଯାଇନି ?? ଆଜି ମୁଁ କଣ ଏମିତି କହିଦେଲି ଯେ ତୁମର ଇଜ୍ଜତ ଚାଲି ଯାଉଛି ।
ଦାଣ୍ଡ ପଟୁ ଶଶୁର ଆସି ପଚାରିଲେ କଣ ହେଲା ବୋହୂ ମା ?? ରୋମା କହିଲା, ମୁଁ ଏଠି ରହିବି ନାହିଁ। ତମ ପୁଅ ମୋତେ ଗୋଟିଏ ଦିନ କହି ଆସିଥିଲେ । ଗୋଟିଏ ଦିନ ହୋଇଗଲା ଆଉ ଯାହା ଦେଖିଲି, ମୋର ମନ ଭରିଗଲା । ଆଉ ଇଚ୍ଛା ନାହିଁ ଏଠି ରହିବାକୁ ।
ଶଶୁର କହିଲେ, ବୋହୂ ମା, ଆମେ ଚାଷୀ ଲୋକ । ରହଣି ସହଣୀ ସହରୀ ଭଳି ହୋଇ ପାରିବ ନାହିଁ । ଘର ର ମୂରବୀ ହିଁ ଘର କୁ ସମ୍ଭାଳି ଥାଏ । ଯଦି ସେ ଘର ସମ୍ଭାଳି ପାରେ ନାହିଁ ତେବେ ଘର ର ମେରୁଦଣ୍ଡ ଭାଙ୍ଗି ଯାଏ। ଆଜ କୁ ୬ ବର୍ଷ ହେଲା ପୋଷ୍ଟ ମାଷ୍ଟର ଚାକିରି ଛାଡି ଆସି ଘରେ ରହିଲି । ପ୍ରଥମ ବର୍ଷ ଠିକ୍ ରେ ଚାଲିଲା ସେପଟେ ରାଜୁ ମଧ୍ୟ ଟଙ୍କା ପଠାଉ ଥାଏ । ମାତ୍ର ଯେବେ ଠାରୁ ରାଜୁ ଟଙ୍କା ପଠେଇବା ବନ୍ଦ କରିଦେଲା। ସେଦିନ ଠାରୁ ମୋର ପେନସନ ରେ ହିଁ ଘର ଚାଲେ। 7000 ଟଙ୍କା ପେନସନ ରେ ଘର କୁ ଚଲେଇ ଆସିଛି । ଏବେ ପୁଣି ଝିଅ ବାହାଘର ର ବୟସ ହେଲାଣି । ଟଙ୍କା ଯେତିକି ରଖିଥିଲି। ତାହା ତୋ ଶାଶୁ ର ଦେହ ଖରାପ ରେ ଖର୍ଚ୍ଚ ହୋଇଗଲା । ସେ ସମୟରେ ରାଜୁ କୁ ଖବର ଦେଲି କିନ୍ତୁ ସେ ପାଇଲା କି ନାଇଁ ଜାଣିନି । କିନ୍ତୁ ସେ ଆସିଲା ନାହିଁ । ଏବେ ତୁମେ ଦୁହେଁ ଆସିଲ। ଲାଗିଲା ଯେମିତି ମୋ ଘର ଏବେ ପୁରୀ ଉଠିବ। କିନ୍ତୁ ବୋହୁ ମା, ଯଦି ଏଠି ଭଲ ଲାଗୁନି, ତେବେ ମୁଁ ତୁମକୁ ବାଧ୍ୟ କରିବି ନାହିଁ । ତୁମେ ରାଜୁ କୁ ନେଇ ଚାଲି ଯାଅ। (ଏତିକି କହୁ କହୁ ବୃନ୍ଦାବନ ବାବୁ ଙ୍କ ଆଖିରୁ ଲୁହ ଝରି ପଡ଼ିଗଲା) କୁନି ନାତୁଣୀ ରୋମା କୋଳରୁ ଓହ୍ଲାଇ, ଜେଜେ ଜେଜେ ଡାକି ବୃନ୍ଦାବନ ବାବୁ ଙ୍କ କୋଳ କୁ ଗଲା । ନାତୁଣୀ ବୃନ୍ଦାବନ ବାବୁ ଙ୍କ ଲୁହ ପୋଛି ପଚାରିଲା ଆପଣ କାହିଁକି କାନ୍ଦୁଛନ୍ତି ? ବୃନ୍ଦାବନ ବାବୁ ମୁଣ୍ଡ ହଲେଇ କହିଲା , କିଛି ନାହିଁ ଲୋ ମା, ଏମିତି ବାହାରି ଗଲା । ଆଖିରେ କଣ ଗୋଟିଏ ଲାଗିଗଲା ସେଥିପାଇଁ ।
ବୃନ୍ଦାବନ ବାବୁ କହିଲେ : ରାଜୁ, ବୋହୁ ମା ଙ୍କ ଇଚ୍ଛା ଅନୁସାରେ ସେ ଯୋଉଠି ରହିବାକୁ ଚାହୁଁଛନ୍ତି ସେ ବ୍ୟବସ୍ଥା କର । ତୁ, ଯା , ତାଙ୍କୁ ନେଇ ବାଙ୍ଗାଲୋର ଚାଲି ଯାଆ। ଆମେ ଏଠି ଯେମିତି ଅଛୁ, ଖୁସିରେ ଅଛୁ। ତାପରେ ରୋମା କୁ ଛାଡ଼ି ସମସ୍ତେ ଭାବୁକ ହୋଇ ଗଲେ । ରାଜୁ କହିଲା, ବାପା, ମୁଁ ରୋମା ସହିତ କିଛି କଥା ହେବାକୁ ଚାହୁଁଛି । ତାପରେ ରାଜୁ , ରୋମା କୁ ବାରି ପଟ କୁ ଟାଣି ନେଇଗଲା । ସେଠି ବୁଝେଇ କହିଲା ଯେ , ରୋମା, ମୁଁ ତୁମକୁ ଆଗରୁ କହିଥିଲି ନା , ମୁଁ ଗରିବ ପରିବାର ରୁ ଆସିଛି । ତାହା ପୁଣି ତୁମ କଥାରେ ଆଜି ଗାଁ କୁ ଆସିଲେ। ପୁଣି ଏଠି ଆସି ଏମିତି ପାଲା କାହିଁକି କରୁଛ। ତମ କଥାରେ ପଡ଼ି ମୁଁ ଗତ ଚାରି ବର୍ଷ ହେଲା ମୋ ପରିବାର ଠାରୁ ଦୂରରେ ଥିଲି ନା ? ଏଠି ଆସିବା ପୂର୍ବରୁ ମୁଁ ଭାବିଥିଲି ତମେ ବଦଳି ଯାଇଥିବ। କିନ୍ତୁ ତୁମର ଗର୍ବ, ଯେମିତି କି ସେମିତି । ତମେ ଏଠି ମୋ ବାପା ମା ଙ୍କୁ ଦେଖିବାକୁ ଆସି ନଥିଲ ଯେ ତମେ ମୋ ବାପା, ମା ଙ୍କୁ ଅପମାନ କରିବାକୁ ଆସିଥିଲ । ରୋମା ଚୁପ୍ ଥାଏ ଏବଂ ସେ ବୁଝି ପାରିଲା ଯେ ପ୍ରକୃତ ଗରିବ କଣ ?? ସହର ର ଚାଲି ଚଳନ ଅପେକ୍ଷା ଗୋଟିଏ ଗରିବ ପରିବାର ର ଚାଲି ଚଳନ ସବୁଠୁ ଅଲଗା ।
ତମେ ଯିବାକୁ ଚାହୁଁଛ ନା, ଚାଲ ମୁଁ ତୁମକୁ ଛାଡ଼ି ଆସିବି ବାଙ୍ଗାଲୋର ରେ। କିନ୍ତୁ ସେତେବେଳକୁ ରୋମା ର ମନରେ ଅଳ୍ପ ପରିବର୍ତ୍ତନ ଦେଖା ଦେଇଥିଲା । ସେ ଘର ଭିତରକୁ ଆସିଲା । ପଛେ ପଛେ ରାଜୁ ଆସି ପହଁଚିଲା। ସେ ଶଶୁର ଙ୍କ ଆଗରେ ହାତ ଯୋଡ଼ି କହିଲା ବାପା ମୋତେ କ୍ଷମା କରିବେ । ବର୍ତମାନ ମୁଁ ବୁଝି ପାରିଛି। ଚାରି ବର୍ଷ ତଳେ ମୋ ଯୋଗୁଁ ହିଁ ତୁମ ପୁଅ ତୁମ ପାଖରୁ ଦୂରେଇ ରହିଥିଲା । କିନ୍ତୁ ସେମିତି ପରିସ୍ଥିତି ପୁଣି ଥରେ ମୁଁ ହେବାକୁ ଦେବୀ ନାହିଁ । ମାତ୍ର ବାପା ମୋର କିଛି ସର୍ତ୍ତ ଏବଂ ସେହି ସର୍ତ୍ତ କୁ ଯଦି ଆପଣ ମାନିବେ ତେବେ ମୁଁ ଏହି ଘରେ ରହିବି । ବୃନ୍ଦାବନ ବାବୁ କିଛି ନ କହି ଚୁପ୍ ରହିଲେ । ରାଜୁ (ଅଳ୍ପ ରାଗରେ ) କଣ କହିବାର ଅଛି କହିଦିଅ। ବାପା ଙ୍କୁ କାହିଁକି ପ୍ରଶ୍ନ କରୁଛ। ରୋମା, ତେବେ ମୋର ସର୍ତ୍ତ ଗୁଡ଼ିକ ଏହା ଯେ । ଯେତେ ଶୀଘ୍ର ହେବ, ଘର ବାରି ପଟେ ଗୋଟିଏ ଶୌଚାଳୟ ସହିତ ଗାଧୁଆ ଘର ତିଆରି ହେବ ଏବଂ ମୋର ଦ୍ବିତୀୟ ସର୍ତ୍ତ ଏହା ଯେ ଗୋଟିଏ ମାସ ଭିତରେ ରାଣୀ ପାଇଁ ପୁଅ ଦେଖା ଯିବ ଏବଂ ବିବାହ ମଧ୍ୟ କରା ଯିବ ଏବଂ ଶେଷ ସର୍ତ୍ତ କୁ ଆପଣ ଯଦି ମାନିବେ ତେବେ ମୁଁ ଖୁସି ହେବି ନ ମାନିଲେ ମଧ୍ୟ ମୋର କିଛି ଆପତ୍ତି ନାହିଁ । ତାହା ହେଲା, ଏହି ଘର ଉପରେ ଆଉ ଦୁଇଟି ବଖରା ହେବ ଗୋଟିଏ ଘରେ ଘର ର ଅଦରକାରୀ ଜିନିଷ କୁ ରଖା ଯିବ ଏବଂ ଅନ୍ୟ ରୁମ ଟିକୁ ଶୋଇବା ଘର ରୂପରେ ବ୍ୟବହାର କରା ଯିବ । ଏତିକି ସର୍ତ୍ତ ଶୁଣି ବୃନ୍ଦାବନ ବାବୁ ଙ୍କ ମୁଣ୍ଡରେ ଚଡ଼କ ପଶିଲା ।
ଏତେ କମ୍ ସମୟରେ ଏତେ ଟଙ୍କା ଆସିବ କୋଉଠୁ। ଏତିକି ଭାବୁ ଭାବୁ ରୋମା କହିଲା, ବାପା ଆପଣ କଣ ଭାବୁଛନ୍ତି ମୁଁ ଜାଣେ। ସେଥିପାଇଁ ଆପଣ ଚିନ୍ତା କରନ୍ତୁ ନାହିଁ । ଆପଣ ମିସ୍ତ୍ରୀ ଏବଂ କାମ କରିବା ଲୋକ ଠିକ୍ କରନ୍ତୁ। ବାକି ଟଙ୍କା ଯୋଗାଡ ଚିନ୍ତା ମୋ ଉପରେ ଛାଡ଼ି ଦିଅନ୍ତୁ । ବୃନ୍ଦାବନ ବାବୁ ଙ୍କ ମୁଖରେ ହସ ଫୁଟି ଉଠିଲା । ବୃନ୍ଦାବନ ବାବୁ କହିଲେ, ବୋହୂ ତୁମର ସବୁ ସର୍ତ୍ତରେ ମୁଁ ରାଜି ମାତ୍ର ମୋର ଗୋଟିଏ ଅନୁରୋଧ । ତମେ ଏ ଘର ଛାଡ଼ି ଯିବ ନାହିଁ। ରୋମା କହିଲା ବାପା, ନିଶ୍ଚୟ !! କିନ୍ତୁ ସବୁଦିନ ପାଇଁ ଆମେ ତ ରହି ପାରିବୁ ନାହିଁ। ମାତ୍ର ମୋ ସର୍ତ୍ତ ପୁରା ହେଲେ ମୁଁ ଅଧିକ ଦିନ ରହିବି।
ଏମିତି କଥା ଶୁଣି ରାଜୁ ମଧ୍ୟ ଆଶ୍ଚର୍ୟ୍ଯ, (ଚଣ୍ଡାଶୋକ ରୁ ଧର୍ମାଶୋକ) ସତରେ ଏ ଚଣ୍ଡୀ ଝିଅ ଏତେ ଶୀଘ୍ର ବଦଳି ଯିବ ବୋଲି କେହି ଆଶା କରି ନଥିଲେ। ରାଜୁ, ରୋମା କୁ ପଚାରିଲା, ତମେ ସତ କହୁଛ ନା ମଜା କରୁଛ। ରୋମା, ମୁଁ ସତ କହୁଛି ରାଜୁ, ଆମେ ଏଠି ଗୋଟିଏ ମାସ ରହିବା ଏବଂ ଏହି ମାସ ଭିତରେ ସବୁ କିଛି ଯେମିତି ଫଟାଫଟ୍ ହୋଇଯିବା ଦରକାର।
ବୃନ୍ଦାବନ ବାବୁ ଙ୍କ ଖୁସି କହିଲେ ନ ସରେ। ସେ ସଙ୍ଗେ ସଙ୍ଗେ ମିସ୍ତ୍ରୀ ଏବଂ ଲେବର୍ ବୁଝି ଆସି ଦ୍ଵିତୀୟ ଦିନ ଠାରୁ କାମ ଆରମ୍ଭ କରିଦେଲେ। ରାଜୁ ପାଖରେ ବଞ୍ଚେଇ ରଖିଥିବା ଟଙ୍କା ଏବଂ ରୋମା ନାମରେ କିଛି ଫିକ୍ସ ଡିପୋଜିଟ ଥିବା ଟଙ୍କା କୁ ଉଠେଇ ବୃନ୍ଦାବନ ବାବୁ ଙ୍କ ହାତରେ ଦେଇ ଦେଲେ । ଦେଖୁ ଦେଖୁ ବହୁତ୍ କମ୍ ଦିନରେ ଉପରେ ଘର ସହିତ ଶୌଚାଳୟ ଏବଂ ଗାଧୁଆ ଘର ତିଆରି ହୋଇଗଲା । ଘରେ ଯେମିତି ଖୁସି ର ପରିବେଶ ଗଢି ଉଠିଲା । ତାହା କେବଳ ସମ୍ଭବ ହୋଇ ପାରିଥିଲା ବିଦେଶିନୀ ବୋହୂ ପାଇଁ ।
ବର୍ତ୍ତମାନ ଗୋଟିଏ ମାସ ପୁରି ଆସିଲାଣି। ପ୍ରଥମ ଏବଂ ଶେଷ ସର୍ତ୍ତ ପୁରା ହୋଇଗଲା ମାତ୍ର ଦ୍ଵିତୀୟ ସର୍ତ୍ତ ପୁରା ହେଲା ନାହିଁ । “ତାହା ଥିଲା ରାଣୀ ପାଇଁ ପୁଅ ଦେଖା ଆଉ ବାହାଘର ” ଏବେ ଗୋଟିଏ ମାସ ପରେ ରାଜୁ କୁ ପୁଣି କମ୍ପାନୀ କୁ ଫେରିବାକୁ ପଡ଼ିବ । ମାତ୍ର ସବୁଠୁ ବଡ ପରିବର୍ତ୍ତନ ପୁଣି ଦେଖିବାକୁ ମିଳିଥିଲା ଯେ । ରୋମା କହିଲା, ରାଜୁ ତମେ ଯାଅ, ମୁଁ ଏଠି ରହିବି । ଦ୍ଵିତୀୟ ସର୍ତ୍ତ ପୁରା ହେବ ତାପରେ ମୁଁ ଏହି ଘରୁ ଗୋଡ କାଢିବୀ । ଠିକ୍ ସେ କ୍ଷଣ ରେ ବୃନ୍ଦାବନ ବାବୁ ଙ୍କ ଆଖିରୁ ଖୁସିରେ ଦୁଇ ଧାର ଲୁହ ପୁଣି ଥରେ ବହି ଗଲା । କହି ଉଠିଲେ, ମା, ତୁ ମୋ ବୋହୂ ନୁହଁ ଆମ ଘର ର ଲକ୍ଷ୍ମୀ ଟିଏ । ଯେଉଁ ଦିନ ଠାରୁ ତୁମେ ଆସିଛ ଏହି ଘରେ ପରିବର୍ତ୍ତନ ଏବଂ ଯେମିତି ଏହି ଘରେ ମା ଲକ୍ଷ୍ମୀ ଙ୍କ ଶୁଭ ଦୃଷ୍ଟି ପଡ଼ିଛି । ବୃନ୍ଦାବନ ବାବୁ ନିଜ ବୋହୂ ପାଇଁ ନିଜକୁ ଧନ୍ୟ ମନେ କରିଲେ।
ରାଜୁ ବାହାରି ଗଲା ବାଙ୍ଗାଲୋର ଅଭିମୁଖେ। ଏପଟେ ବୃନ୍ଦାବନ ବାବୁ ଗୋଟିଏ ପରେ ଗୋଟିଏ ପ୍ରସ୍ତାବ ଙ୍କୁ ସ୍ଵାଗତ କରି ଶେଷରେ ଗୋଟିଏ ପ୍ରସ୍ତାବ ଠିକ୍ ହେଲା ଏବଂ ଆଗାମୀ ଗୋଟିଏ ମାସ ପରେ ବିବାହ ସ୍ଥିତି ଠିକ୍ ହେଲା । ରାଜୁ ଆସିଲା । ବିବାହ ମଧ୍ୟ ଠିକ୍ ଠାକ୍ ରେ ସମ୍ପନ୍ନ ହେଲା ।
ବିବାହ ପରେ, ରାଣୀ ତା ଶାଶୁ ଘର ଚାଲିଗଲା । ରୋମା, ବୃନ୍ଦାବନ ବାବୁ ପାଖରେ ପୁଣି ଗୋଟିଏ ସର୍ତ୍ତ ରଖିଲା । କହିଲା ବାପା, ମୋର ସବୁ ସର୍ତ୍ତ କୁ ତମେ ପୂରଣ କରିଛ । ମୋର ଆଉ ଗୋଟିଏ ସର୍ତ୍ତ ହେଲା ଯେ ତୁମେ ଦୁହେଁ ଆମ ସହିତ ବାଙ୍ଗାଲୋର ଆସିବ । ସେଠି କିଛି ଦିନ ବୁଲାବୁଲି କରିବ। ଆଉ ସେଠି ରହିବ। ଏହା ଶୁଣି ବୃନ୍ଦାବନ ଙ୍କ ମନରେ ଖୁସି କିନ୍ତୁ ସେ ମନା କରି କହିଲେ ଯେ । ଏତେ ବଡ ଘର କରି ଦେଲ । ୟାକୁ ଛାଡ଼ି କେମିତି ଯିବୁ କୁହ। ରୋମା କହିଲା, ବାପା ତୁମେ କିଛି ଦିନ ରହି ବୁଲାବୁଲି କର । ଯୋଉଦିନ ତୁମକୁ ବିରକ୍ତ ଲାଗିବ ସେଦିନ ତୁମ ପାଇଁ ଟିକେଟ କରିଦେବୁ ତୁମେ ଫେରି ଆସିବ ।
ଆଉ ଠିକ୍ ସେମିତି ହେଲା। ଦୁହେଁ ରୋମା ସହିତ ବାଙ୍ଗାଲୋର ଗଲେ । ସେଠି କିଛି ଦିନ ବୁଲାବୁଲି ପରେ ଗ୍ରାମ କୁ ଫେରି ଆସିଲେ ।
ବୃନ୍ଦାବନ ବାବୁ ଙ୍କ ଜିବନରେ କିଛି ଦିନ ପାଇଁ ଦୁଃଖ ର ସମୟ ଥିଲା । ମାତ୍ର ପରେ ପୁଣି ଠିକ୍ ହୋଇ ଯାଇଥିଲା ତାହା କେବଳ ବିଦେଶିନୀ ବୋହୂ ପାଇଁ ।
ଏହି କାହାଣୀ ଟି ଗୋଟିଏ ସତ୍ୟ ଘଟଣା କୁ ନେଇ ଜଡ଼ିତ। ଯାହା କିଛି ଦିନ ପୂର୍ବରୁ ଘଟିଥିଲା। ସେହି ଘଟଣା କୁ ଲେଖକ କାହାଣୀ ରୂପରେ ଆପଣଙ୍କୁ ପ୍ରସ୍ତୁତ କରିଛନ୍ତି। ଯଦି ଏହି କାହାଣୀ ଆପଣଙ୍କ ମନ କୁ ଛୁଇଁଛି ତେବେ ଅନ୍ୟ ମାନଙ୍କୁ ସେୟାର କରିବା ପାଇଁ ଭୁଲିବେ ନାହିଁ ।
ଧନ୍ୟବାଦ ।
ନୀଳମାଧବ ଭୂୟାଁ ଙ୍କ ଦ୍ଵାରା ଲିଖିତ…
