Category Archives: puja swain

ପାଣି ନୁହଁ ସେ ଗଙ୍ଗା ପାଣି

ଓଡ଼ିଆ କାହାଣୀ

ଜୀବନରେ ମଣିଷ ତାର ବହୁତ କଷ୍ଟ ଓ ନିଷ୍ଠାର ସହ କାମ କରି ତା ଜୀବନ ଶୈଳୀକୁ ଛୋଟ ରୁ ବଡ଼ କରି ଥାଏ । ତେବେ କାହାଣୀ ଆରମ୍ଭ ହୁଏ ମାଣିକପୁର ନାମକ ଛୋଟିଆ ଗାଁ ରୁ । ମହେନ୍ଦ୍ର ବାବୁ ଙ୍କ ଛୋଟ ପରିବାର, ମୂରବୀ ରୂପରେ ଘରକୁ ଦୃଢ଼ କରି ରଖିଥିଲେ। ପରିବାର ରେ ସ୍ତ୍ରୀ ମିରା, ପୁଅ ଲିଟୁ ଓ ଝିଅ ଲିପ୍ସା । ମହେନ୍ଦ୍ର ବାବୁ ଜଣେ କୃଷକ ତାଙ୍କ ସହ ତାଙ୍କ ପରିବାର ମଧ୍ୟ କାମରେ ହାତ ବଢ଼ାଉ ଥିଲେ।

ସାନ ଭାଇ ସୁରେନ୍ଦ୍ର ବିଦେଶରେ ରହୁଥାଏ। ଖରା ଛୁଟି ଯୋଗୁଁ ସେ ବହୁତ ଦିନ ପରେ ଗାଁ କୁ ଆସିବାକୁ ଇଚ୍ଛା କରିଛନ୍ତି ବୋଲି ମହେନ୍ଦ୍ର କୁ ଜଣାଇଲେ। ଏହା ଶୁଣି ମିରା ଓ ଲିପ୍ସା ବହୁତ ଖୁସି ଥିଲେ କାରଣ ବହୁତ୍ ଦିନ ପରେ ସେମାନେ ଗାଁ କୁ ଆସୁଛନ୍ତି। ସୁରେନ୍ଦ୍ର ଙ୍କ ସ୍ତ୍ରୀ ସୁଷମା ଏବଂ ଝିଅ ଲୋରି।

କିନ୍ତୁ ଲିଟୁ କୁ ଦାଦା ଙ୍କ ଗାଁ କୁ ଆସିବା ପସନ୍ଦ ନଥିଲା। ସେ ନିଜ ଦାଦାଙ୍କ ଉପରେ ବହୁତ୍ ରାଗେ କାରଣ ସୁରେନ୍ଦ୍ର ଜଣେ ଗର୍ବ ଓ ଅହଂକାରୀ ପ୍ରକୃତିର।

ସେମାନେ ଗାଁ ରେ ଆସି ପହଞ୍ଚିଲେ । ଲୋରୀ ଓ ସୁରେନ୍ଦ୍ର ବାବୁଙ୍କୁ ଗାଁ ପରିବେଶ ଭଲ ଲାଗେନୀ କିନ୍ତୁ ସୁଷମା ଦେବୀ ଙ୍କୁ ବହୁତ୍ ଭଲ ଲାଗେ । ଲୋରି ଗାଁ କୁ ଆସି ଗୋଟିଏ ମିନିଟ୍ ହୋଇନି ସେ ତା ବାବା ଙ୍କୁ କହିଲା ମୋତେ ଏଠି କିଛି ଭଲ ଲାଗୁନି। ଆମେ ଏହି ସ୍ଥାନ ରୁ କେବେ ଫେରିବା ? ମୋତେ ରହିବା ପାଇଁ ନା ଭଲ ଘର, ନା ଭଲ ବାଥ୍ ରୁମ୍ ଅଛି । ଏହା ଶୁଣି ସୁଷମା ଦେବୀ ରାଗରେ ପାଟି କରି କହିଲେ ଆରେ ତୁ କଣ ପାଗଳ ଭଳି ହଉଛୁ ? ତୁ ଆସିବା ଖୁସିରେ ତୋ ଭଉଣୀ କେତେ ଖୁସି ଅଛି ତୁ କଣ ଅନୁଭବ କରି ପାରୁନୁ? ଆସୁ ଆସୁ ଯିବା କଥା କହୁଛୁ । ଏହା ଶୁଣି ଲୋରୀ ରାଗି ଯାଏ।

କିଛି ସମୟ ପରେ ଲିପ୍ସା ଆସି ଲୋରି କୁ ପାଣି ଗ୍ଲାସ ଟିଏ ଦିଏ। ସେହି ପାଣି କୁ ଅଳ୍ପ ପିଇବା ମାତ୍ରେ ଲୋରୀ ଗ୍ଲାସ କୁ ଫୋପାଡ଼ି ଦିଏ। ଆଉ ଲିପ୍ସା କୁ କୁହେ ଇଏ କଣ ପିଇବା ପାଣି ୟାକୁ ଆମେ ୱାସ୍ ରୁମ୍ ରେ ବି ୟୁଜ କରୁନାହୁଁ। ଲିପ୍ସା ବହୁତ୍ ଶାନ୍ତ ଓ ସରଳ ଝିଅ ଟିଏ ସେ କିଛି ନ କହି ଧୀରେ ରହିଗଲା। ସୁଷମା ଦେବୀ ଏହା ଦେଖି ପୁଣି ଗାଳି ଦିଅନ୍ତି। ସେ ଚାହୁଁ ଥିଲେ ତାଙ୍କ ଝିଅ ଲୋରୀ ମଧ୍ୟ ଲିପ୍ସା ପରି ଶାନ୍ତ ଆଉ ସରଳ ହେଉ ବୋଲି । କିନ୍ତୁ ଲୋରୀ ଲିପ୍ସା ର ଓଲଟା।

ତା ପର ଦିନ ସୁଷମା ଲିପ୍ସା କୁ କୁହେ ମାଆ ଲିପ୍ସା ତୁ ମୋ ସୁନା ଝିଅ, ତୁ ଟିକେ ତୋ ସାନ ଭଉଣୀ ଲୋରୀକୁ ଟିକେ ବଦଳାଇ ଦେ। ଲିପ୍ସା କୁହେ, ଖୁଡି ତୁମେ ଚିନ୍ତା କରନି ଲୋରୀ ବହୁତ୍ ଭଲ ତାକୁ ଗାଁ ପରିବେଶ ମଧ୍ୟ ଧୀରେ ଧୀରେ ଭଲ ଲାଗିବ । ତାକୁ ଏଠୀ କା ପାଣି ଭଲ ଲାଗୁନି ସେଥି ପାଇଁ ଟିକେ ଅସୁବିଧା ହେଉଛି। କିନ୍ତୁ ଆପଣ ଚିନ୍ତା କରନ୍ତୁ ନାହିଁ । ମୁଁ ତା ପାଇଁ ପାଖ ଗାଁ ରୁ ମିଠା ପାଣି ଆଣି ଦେବୀ। ଲିପ୍ସା ଯାଇ ସବୁ ଦିନେ ଲୋରୀ ପାଇ ଅନ୍ୟ ଗାଁ ରୁ ପାଣି ଆଣି ଦିଏ ଆଉ ଲୋରୀ ଲିପ୍ସା ଉପରେ ଧିରେ ଧିରେ ପସନ୍ଦ କରିବାକୁ ଲାଗିଲା।

ଦିନେ ଲିପ୍ସା ପାଣି ଆଣି ବାକୁ ଯିବାକୁ ବାହାରିଲା ଲୋରୀ କହିଲା ଦିଦି ମୁଁ ମଧ୍ୟ ତୁମ ସହ ଯିବି । ତାପରେ ଦୁଇଭଉଣୀ ମିଶି ପାଣି ପାଇଁ ବାହାରିଲେ । ସବୁ ଜାଗା ଦେଖି ଲୋରୀ ପଚାରୁ ଥାଏ, ଇଏ କଣ ଦିଦି ? ସବୁ ନଦୀ ନାଳ ଶୁଖିଲା ! କେଉଁଠାରେ ମଧ୍ଯ ପାଣି ନାହିଁ ! ଲୋକ ପାଣି ପାଉଛନ୍ତି କେଉଁଠାରୁ ? ଲିପ୍ସା କହେ ଖରା ଦିନ ସମୟରେ ପାଣି ପାଇଁ ଆମ ଗାଁ ରେ ଅସୁବିଧା ହୁଏ । ସେଥିପାଇଁ ପାଣି ଅଭାବ ହୁଏ ଆଉ ଯେଉଁଠି ଭଲ ପାଣି ମିଳେ ସେଇ “ପାଣି ଆମ ଗାଁ ଲୋକଙ୍କ ପାଇଁ ଗଙ୍ଗା ପାଣି ଠାରୁ କମ ନୁହଁ”

ଲୋରୀ କିଛି ଦିନ ପୂର୍ବ କଥା ଭାବେ ସେ ତା ଭଉଣୀ ହାତରୁ ପାଣି ଗ୍ଲାସ୍ ଟିକୁ କିପରି ଫୋପାଡି ଦେଇ ଥିଲା ତାର ମୂଲ୍ୟ ଏଠି କାର ଲୋକ ପାଇଁ କେତେ ମହତ୍ତ୍ୱ ପୂର୍ଣ୍ଣ ସେ ନିଜ ଭୁଲ୍ ସେତେବେଳେ ବୁଝିପାରିଲା। ଲିପ୍ସା କୁ ମଧ୍ୟ କ୍ଷମା ମାଗିଲା। କଥାରେ କଥାରେ ପାଖ ଗାଁ ରେ ପହଞ୍ଚିଲେ। ସେଠୀ ପାଣି ନେବା ପାଈ ବହୁତ୍ ଲୋକ ଧାଡ଼ି ବାନ୍ଧିଛନ୍ତି। ଏହା ଦେଖି ଲୋରୀ ପଚାରେ ଦିଦି ଏଠାରେ ବହୁତ୍ ଲୋକ ଅଛନ୍ତି ପାଣି ଆମକୁ କେତେବେଳେ ମିଳିବ ? ଲିପ୍ସା କୁହେ କଣ କରିବା ଏହି ଗାଁ ରେ ମଧ୍ୟ ସେହି ଅସୁବିଧା। ଏଠାରେ ମଧ୍ୟ ପାଣି ମିଳେ ନାହିଁ ତେଣୁ ଲୋକ ଏମିତି ହିଁ ସକାଳୁ ଧାଡ଼ି ରେ ଠିଆ ହୋଇ ପାଣି ନିଅନ୍ତି।

ତୁ ସେଠୀ ଗଛ ପାଖରେ ବସିଥାଆ ମୁ ପାଣି ଆଣିଲା ପରେ ଯିବା। ବହୁତ୍ ସମୟ ଅପେକ୍ଷା ପରେ ଲିପ୍ସା ପାଣି ଆଣେ ଏଵଂ ଦୁହେଁ ଘରକୁ ଫେରି ଆସିଲେ । ଏଠି ପାଣି ର ମୂଲ୍ୟ କେତେ ଅଧିକା, ଲୋରୀ ନିଜ ବାବାଙ୍କୁ କହେ ଏବଂ ନିଜ ଭୁଲ କୁ ମଧ୍ୟ ମାନି ନିଏ। ତା ପର ଦିନ ଠାରୁ ଲିପ୍ସା କୁ ପାଣି ଆଣି ଯିବାକୁ ମନା କରେ ଆଉ ସେ ମଧ୍ୟ ଘର ର ସେହି ପାଣି କୁ ପିଏ। କିଛି ଦିନ ପରେ ଲୋରୀ ର ଖରା ଛୁଟି ଶେଷ ହେବାକୁ ଲାଗିଲା। ସେତିକି ଦିନ ଭିତରେ ଦୁଇ ଭଉଣୀ ଏକାଠି ଖାଆନ୍ତି, ଏକାଠି ଶୁଅନ୍ତି ଏକାଠି ରୁହନ୍ତି । ହେଲେ ଲୋରୀ ଫେରି ଯିବା ପାଇଁ ବିଲ୍ କୁଲ୍ ଇଚ୍ଛା ନ ଥାଏ। ସେ ବାବା ଙ୍କୁ କହେ। ବାବା ମୁଁ ଗାଁ ରେ ଆଉ କିଛି ଦିନ ରହିବି। ସୁରେନ୍ଦ୍ର ବାବୁ କହିଲେ ପରେ ପୁଣି ଆସିବା। ଦୁଇ ଭଉଣୀ ଙ୍କ ଭଲ ପାଇବା ଦେଖି ଦୁଇ ପରିବାର ଖୁସି ଥିଲେ।

ପର ଦିନ ଲୋରୀ ବ୍ୟାଗ୍ ସାଇତି କରି ବାହାରିଲା। ଦୁଇ ଭଉଣୀ ଙ୍କ ଆଖିରେ ଲୁହ ଥିଲା। ଲୋରୀ ଲିପ୍ସା କୁ କୁଣ୍ଢେଇ କହିଲା ଦିଦି ମୋତେ କ୍ଷମା କରିଦେବ ମୁଁ ସେଦିନ ତୁମ ପାଣି କୁ ଫୋପାଡି ଦେଇଥିଲି ସେଥିପାଇଁ ମୁଁ ନିଜକୁ ଲଜ୍ଜିତ ମନେ କରୁଛି। ଲିପ୍ସା କହିଲା ଆରେ ପାଗେଳି ମୁଁ ତୋ ଭଉଣୀ, ବଡ ଭଉଣୀ ସାନ ଭଉଣୀ ର କୌଣସି କଥା କୁ କେବେ ଭୁଲ ଭାବେ ନାହିଁ। ଲୋରୀ କହିଲା, ପ୍ରକୃତରେ ଏହି ଗାଁ ପାଇଁ “ଅଳ୍ପ ଟିକେ ପାଣି ମଧ୍ୟ ଗଙ୍ଗା ପାଣି ସହ ସମାନ”। ଦୁଇ ଭଉଣୀ ପୁଣି କୁଣ୍ଢେଇ ହୋଇ ଦୁହେଁ ଦୁହିଁଙ୍କୁ ବିଦାୟ ଦେଲେ।

ତେବେ ଏହି କାହାଣୀ ରେ ପାଣି ର ମହତ୍ତ୍ୱ କୁ ଦର୍ଶାଇ ବର୍ଣ୍ଣନା କରାଯାଇଛି । ତେବେ ଏହି ଗ୍ରୀଷ୍ମ ଋତୁରେ ଏବଂ ଆଗକୁ ମଧ୍ୟ ପାଣି କୁ କମ୍ ବ୍ୟବହାର କରି ତାକୁ ସାଇତି ରଖିବା ଦରକାର । ତେବେ ପାଠକ ବନ୍ଧୁ ମାନଙ୍କୁ ମୋର ଅନୁରୋଧ ଯେ ସେମାନେ ନିଜ କୁନି ଭାଇ ଭଉଣୀ ମାନଙ୍କୁ ଏହି କାହାଣୀ କୁ ପଢାନ୍ତୁ ଏବଂ ଏମିତି ଅନ୍ୟ ମନଛୁଆଁ ଶିଶୁ ଗଳ୍ପ ପଢ଼ିବା ପାଇଁ ତଳେ ଥିବା ମୋ ପେଜ ରେ କ୍ଲିକ୍ କରି ପଢନ୍ତୁ ।

କାହାଣୀ ଟି କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ମଧ୍ୟ ଜଣେଇବାକୁ ଅନୁରୋଧ ।

ମୁଖ୍ୟ ବିନ୍ଦୁ

୧. ଭବିଷ୍ୟତ ରେ ପାଣିର ସଙ୍କଟାପନ୍ନ ସ୍ଥିତି ଆସିପାରେ ସେଥିପାଇଁ ପାଣି କୁ ସଞ୍ଚୟ କରିବା ଅତି ଜରୁରୀ ଅଟେ ।

୨. ପାଣି କୁ ଅନାବରତ ନଷ୍ଟ କରନ୍ତୁ ନାହିଁ ଏବଂ ଘରକୁ ଆସୁଥିବା ସମସ୍ତ ଅତିଥି ଙ୍କୁ ପାଣି ପ୍ରଦାନ କରିବା ଉତ୍ତମ ବ୍ୟବହାର ଅଟେ ।

୩. ଆଜିକାଲି ର ତାପମାନ ବୃଦ୍ଧି କେବଳ ଏହି ମାନବ ଜାତି ପାଇଁ ହୋଇଛି ତେଣୁ ସମସ୍ତ ଛୋଟ ବଡ ପାଠକ ବନ୍ଧୁ ମାନଙ୍କୁ ଅନୁରୋଧ ଆଗାମୀ ବର୍ଷା ଋତୁରେ ଅଧିକ ରୁ ଅଧିକ ଗଛ ଲଗେଇବା ପାଇଁ ଚେଷ୍ଟା କରନ୍ତୁ ।

ପୂଜା ସ୍ୱାଇଁ ଙ୍କ ଦ୍ଵାରା ଲିଖିତ
ସୋଲଣ୍ଡି, ଗଞ୍ଜାମ ।

କାଶତଣ୍ଡି

କାଶତଣ୍ଡି



ଗୋଟିଏ ଗାଁ ରେ ଛୋଟ ଜାତିର ପରିବାର ଟିଏ ରହୁଥିଲେ । ବାପା, ମା ଏବଂ ତାଙ୍କର ସୁନ୍ଦରୀ କନ୍ୟା ଟିଏ । ବାପା ଥିଲେ ସୁରଦେବ ଏବଂ ମା କନିକା ଓ କନ୍ୟା ଟିର ନାମ କାଶତଣ୍ଡି । କାଶତଣ୍ଡି ର ସୁନ୍ଦରତା ଝାଟି ମାଟି ଘରେ ଯେମିତି ହୀରା ର ଝଲକ ଝଲସି ଉଠୁଥିଲା । ସେମିତି ଥିଲା ସୁରଦେବ ର ଘରେ କାଶତଣ୍ଡି । ପିଲା ଦିନରୁ ହିଁ ସେ ଦେବୀ ଦୁର୍ଗାଙ୍କୁ ପୂଜା କରି ଆସୁଥିଲା ଏବଂ ପ୍ରତିଦିନ ସକାଳେ ନଦୀ କୁ ପାଣି ଆଣିବାକୁ ଯାଏ ଏବଂ ସେଠି ସେ ଦୁର୍ଗା ମା ଙ୍କୁ ପୂଜା କରି ଆସୁଥାଏ । ଘର ଅଳ୍ପ ଦୂରରେ ବହି ଯାଉଥାଏ ନଦୀ ଟିଏ । ବାପା, ମା ଦୁହେଁ ପ୍ରତିଦିନ କାଠ ସଂଗ୍ରହ ପାଇଁ ଜଙ୍ଗଲ କୁ ଯାଆନ୍ତି ଏବଂ କାଠ ସଂଗ୍ରହ ରେ ଯେତିକି ରୋଜଗାର ହେଉଥିଲା ସେଥିରେ ଘର ଟି ଠିକ୍ ଠାକ୍ ରେ ଚଳି ଯାଉଥିଲା। ଦେଖୁ ଦେଖୁ କାଶତଣ୍ଡି ସତର ବର୍ଷ ରେ ଆସି ପଦାର୍ପଣ ହେଲା ।



ସେଦିନ ମଧ୍ୟ ସେ ପାଣି ଆଣିବାକୁ ନଦୀକୁ ଯାଇଥାଏ। ହଠାତ୍ ସେହି ରାଜ୍ୟର ରାଜକୁମାରଙ୍କ ସହ ତାଙ୍କର ଦେଖା ହୋଇଗଲା । ରାଜକୁମାର କାଶତଣ୍ଡି ର ସୁନ୍ଦରତା ରେ ମୋହିତ ହୋଇଗଲେ। ରାଜକୁମାର ରାଜ ମହଲ କୁ ଫେରି ଆସିଲେ ସେଠି ମଧ୍ୟ ରାଜକୁମାର କେବଳ କାଶତଣ୍ଡି କଥା ହିଁ ଭାବୁଥିଲେ । ରାଜକୁମାର ଭାବିଲେ ଯେତେବେଳେ ମୁଁ ପୁଣିଥରେ ତାକୁ ଦେଖା କରିବି ସେତେବେଳେ ମୋ ମନ କଥା ତାଙ୍କୁ ପ୍ରକାଶ କରିବି। ଠିକ୍ ତାର ପର ଦିନ ସକାଳୁ ଉଠି ରାଜକୁମାର କାହାକୁ କିଛି ନ କହି ସେ ନଦୀ ଆର ପାରି ରେ କାଶତଣ୍ଡି ର ଅପେକ୍ଷାରେ ବସି ରହିଲେ । କାଶତଣ୍ଡି ଯେତେ ବେଳେ ପାଣି ପାଇଁ ନଦୀକୁ ଆସିଲା। ରାଜ କୁମାର କାଶତଣ୍ଡି କୁ ନିଜ ମନ ର ଭାବନା କୁ ପରିପ୍ରକାଶ କରିଲେ। କିନ୍ତୁ କାଶତଣ୍ଡି ରାଜ କୁମାର ଙ୍କୁ କିଛି ଉତ୍ତର ନ ଦେଇ ଧୀର ରହିଲା ଏବଂ ନିଜ ଘରକୁ ଫେରି ଗଲା ।



ପୁଣି ପର ଦିନ ସକାଳୁ କାଶତଣ୍ଡି ପାଣି ଆଣିବାକୁ ଆସିଲା ରାଜକୁମାର ସେମିତି ଏବଂ ସେହି ସ୍ଥାନରେ ଅପେକ୍ଷା କରିଥିଲେ । ପ୍ରାୟ ପାଞ୍ଚ ଦିନ ପର୍ଯ୍ୟନ୍ତ ରାଜକୁମାର ଙ୍କ ଏମିତି ଅପେକ୍ଷା ରତ ଏବଂ ତାଙ୍କର ପ୍ରେମ ଭାବନା କୁ ବାରମ୍ବାର ପ୍ରକାଶ କରିବା ପରେ କାଶତଣ୍ଡି ରାଜକୁମାର ଙ୍କ କଥାରେ ହଁ ଭରି ଦେଲା । ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଲେ । କାଶତଣ୍ଡି ମା ଦୂର୍ଗା ଙ୍କର ପରମ ଭକ୍ତ ଥିଲା କିନ୍ତୁ ରାଜକୁମାର ଙ୍କ ସହ ପ୍ରେମ କରିବା ଦିନ ଠାରୁ ସେ ଦୁର୍ଗା ମା ଙ୍କୁ ପୂଜା କରିବା ରେ ଅବହେଳା କରିଲା ଏବଂ ପ୍ରାୟତଃ ସମୟ ରାଜକୁମାର ସହିତ ରୁହେ ।

ପୂଜା ସ୍ୱାଇଁ ଙ୍କ ଦ୍ଵାରା ଲିଖିତ ଶିଶୁ ଗଳ୍ପ ଟିଏ…



କିଛି ଦିନ ପରେ ଦିନେ ରାଜକୁମାର ଓ କାଶତଣ୍ଡି ର ପ୍ରେମ ସମ୍ପର୍କ ବିଷୟରେ ମହାରାଜା ଜାଣିବାକୁ ପାଇଲେ ଏବଂ ରାଗିଯାଇ ରାଜକୁମାର କୁ କାଶତଣ୍ଡି ସହ ଦେଖା କରିବାକୁ ମନା କରିଲେ କିନ୍ତୁ ରାଜକୁମାର ଏହା ସ୍ଵତେ ମଧ୍ୟ ସେ କାଶତଣ୍ଡି ସହ ଦେଖା କରିବାକୁ ଯାଆନ୍ତି କିନ୍ତୁ ଏହା ମହାରାଜା ସହ୍ୟ କରି ପାରିଲେ ନାହିଁ।

ଦିନେ ସୁରଦେବ କୁ ମହାରାଜା ନିଜ ମହଲ କୁ ଡାକି ବୁଝାଇ କହିଲେ ଯେ ତୋ ଝିଅକୁ ରାଜକୁମାର ଠାରୁ ଦୂରେଇ ରଖ ଅନ୍ୟଥା ତୁମ୍ଭ ତିନି ଜଣକୁ ମୃତ୍ୟୁ ଦଣ୍ଡ ରେ ଦଣ୍ଡିତ କରାଯିବ । ତୁମ୍ଭେ ଛୋଟ ଜାତି ଏବଂ ଅସ୍ପୃଶ୍ୟ ଲୋକ। ଏତେ ଛୋଟ ଜାତିର ହୋଇ ତୁମେ ମୋ ପୁତ୍ର ସହ ନିଜ ଝିଅକୁ ବିବାହ କରିବାକୁ କେମିତି ଭାବି ପାରୁଛ। ସୁରଦେବ କହିଲା ମହିମା କ୍ଷମା କରନ୍ତୁ, ଆମ୍ଭର ବହୁତ ବଡ଼ ଭୁଲ ହୋଇଯାଇଛି । ମହାରାଜ ଏହି ସବୁ କଥା ପ୍ରତି ମୁଁ ଏବଂ ମୋ ସ୍ତ୍ରୀ ଅବଗତ ନଥିଲୁ । ମୁଁ ଆଜି ହିଁ ମୋର କନ୍ୟା କୁ ଏହି ବିଷୟରେ ପ୍ରଶ୍ନ କରିବି ଏବଂ ରାଜକୁମାର ସହ ସମ୍ପର୍କ ରଖିବା ପାଇଁ ମନା କରିବି। ମୋତେ ଆପଣ କିଛି ସମୟ ଦିଅନ୍ତୁ। ମହାରାଜ ଙ୍କ ଠାରୁ ସୁରଦେବ ବିଦାୟ ନେଇ ଘରେ ପହଞ୍ଚିଲେ।

ସୁରଦେବ କାଶତଣ୍ଡି କୁ ପଚାରିଲେ ତୁ ଏମିତି ପଦକ୍ଷେପ ନେବା ପୂର୍ବରୁ ଆମ୍ଭ କଥା କେମିତି ଭାବିଲୁ ନାହିଁ ? ଆମେ ଦୁହେଁ ତୋ ପାଇଁ ସବୁ କରି ଆସିଛୁ ??? କିନ୍ତୁ ଏବେ ତୁ ଭୁଲ କରିଛୁ ଏବଂ ମୋ ଆଦେଶ ଯେ ଏବେ ତୁ ରାଜକୁମାରଙ୍କୁ ଭୁଲି ଯାଆ । ନ ହେଲେ ମହାରାଜା ଆମ୍ଭ ତିନି ଜଣଙ୍କୁ ମୃତ୍ୟୁ ଦଣ୍ଡ ଦେବେ ବୋଲି କହିଛନ୍ତି। ଏହା ଶୁଣି ସେ ସେଦିନ ସେ ନଦୀକୁ ପାଣି ଆଣିବାକୁ ଗଲା ନାହିଁ କିନ୍ତୁ ସେପଟେ ରାଜକୁମାର କାଶତଣ୍ଡି କୁ ଅପେକ୍ଷା କରି କରି ଫେରିଗଲେ । ଦ୍ଵିତୀୟ ଦିନ ମଧ୍ୟ ଠିକ୍ ସେମିତି କିନ୍ତୁ ସେଦିନ ମଧ୍ୟ କାଶତଣ୍ଡି ଘରୁ ବାହାରିଲା ନାହିଁ ।


ରାଜକୁମାର କାଶତଣ୍ଡି କୁ ନ ଦେଖି ରହି ପାରିଲେ ନାହିଁ ଏବଂ ସେ ତତ୍ କ୍ଷଣାତ୍ କାଶତଣ୍ଡି ଘରେ ଆସି ପହଁଚିଲେ । କାଶତଣ୍ଡି ର ପରିବାର ରାଜକୁମାର ଦେଖି ଆଶ୍ଚର୍ୟ୍ଯ ହେଲେ କିନ୍ତୁ କାଶତଣ୍ଡି ଚୁପ୍ ରହିଲା । ରାଜକୁମାର କାଶତଣ୍ଡି କୁ କହିଲେ ତୁମେ ଯଦି କିଛି ନ କହିବ ତେବେ ଆମ ନିବିଡ ପ୍ରେମ ପାଇଁ ମୁଁ ଏହି କ୍ଷଣି ଏହି ନଦୀରେ ନିଜ ଜୀବନ ତ୍ୟାଗ କରି ଦେବି । ଏହା ଶୁଣି କାଶତଣ୍ଡି ଆଉ ମୁକ ପରି ନ ରହି ରାଜ କୁମାର ଆଗକୁ ଆସି ଅଟକେଇ ତାଙ୍କ ପାଦ ତଳେ ମୁଣ୍ଡ ରଖି କାନ୍ଦିବାକୁ ଲାଗିଲା । ହେ କୁମାର ମୁଁ ନିରୁପାୟ। ମୁଁ କଣ ଅବା କରି ପାରିବି । ତୁମେ ଉତ୍ତର ଦିଅ କୁମାର ?? ଆମ ପ୍ରେମ ପାଇଁ ମୁଁ ମୋ ବାପା ମା ଙ୍କ ଜୀବନ କୁ ବଳି ପକେଇ ପାରିବି ନାହିଁ । ଉତ୍ତମ ରାସ୍ତା ଏହା ଯେ, କୁମାର ତମେ ମୋତେ ଭୁଲି ଯାଇ ଅନ୍ୟ କେଉଁ ରାଜକନ୍ୟା ସହିତ ବିବାହ କରନ୍ତୁ ।

ସୁରଦେବ ମଧ୍ୟ ଏହା କହି ରାଜକୁମାର ଙ୍କୁ ବୁଝାଇ କହିଲେ କିନ୍ତୁ ରାଜକୁମାର ବୁଝିବାକୁ ନାରାଜ । ସେ କାଶତଣ୍ଡି କୁ ଭୁଲି ପାରିବେ ନାହିଁ ବୋଲି କହି କାଶତଣ୍ଡି ର ହାତ କୁ ଧରି କହିଲେ ଯେ ମୁ ତୁମ୍ଭକୁ ଏହି କ୍ଷଣି ବିବାହ କରିବି । ତୁମକୁ ମୋ ଠାରୁ କିଏ ଅଲଗା କରୁଛି ମୁଁ ମଧ୍ୟ ଦେଖିବି !! ଠିକ୍ ଏହି ସମୟରେ ରାଜକୁମାର ଓ କାଶତଣ୍ଡି କଥା ଗୋଟିଏ ଗୁପ୍ତଚର ଶୁଣୁଥାଏ। ସେ ସଙ୍ଗେ ସଙ୍ଗେ ରାଜାଙ୍କୁ ଯାଇ ଏହି ଖବର ଦେଲା । ରାଜା ନିଜ ଦୂତ ମାନଙ୍କୁ ସାଙ୍ଗରେ ନେଇ ସୁରଦେବ ଘରେ ପହଞ୍ଚିଲେ ।

ପୁଜା ସ୍ଵାଇଁ ଙ୍କ ଦ୍ଵାରା ଲିଖିତ ଶିଶୁ ଗଳ୍ପ ଟିଏ



ରାଜାଙ୍କର କଥାକୁ ନ ମାନି ପୁଣି ଝିଅ କୁ ରାଜକୁମାର ସହ ଦେଖା କରି ଥିବା ଦୋଷରେ ରାଜା ସୂରଦେବ ଓ ତାଙ୍କ ପତ୍ନି ଙ୍କୁ ବନ୍ଧକ କରିଲେ ଏବଂ ରାଜକୁମାର ଠାରୁ କାଶତଣ୍ଡି କୁ ଅଲଗା କରି କାଶତଣ୍ଡିକୁ ମୃତ୍ୟୁ ଦଣ୍ଡ ଦେବା ପାଇଁ ଆଦେଶ ଦେଲେ । ଏହା ଦେଖି ରାଜକୁମାର ମଧ୍ୟ ନିଜ ପ୍ରାଣ ତ୍ୟାଗ କରିବାକୁ ଚେଷ୍ଟା କରିଲେ । କାଶତଣ୍ଡି କୁମାର ଙ୍କୁ ରାଣ ପକେଇ ମନା କରି କହିଲା ଯେ ଆମ ଅମର ପ୍ରେମ ପାଇଁ ତୁମକୁ ବଞ୍ଚିବାକୁ ହେବ କୁମାର ଏବଂ ଆମ ପ୍ରେମ ର ସନ୍ତକ ରୂପକ ମୁଁ ଏହି ନଦୀ ତଟରେ ପୁଷ୍ପ ରୂପରେ ପ୍ରତି ବର୍ଷ ମା ଦୁର୍ଗାଙ୍କ ପୂଜା ସମୟରେ ଆସିବି । ଏତିକି କହିବା ପରେ କାଶତଣ୍ଡି କୁ ମୃତ୍ୟୁ ଦଣ୍ଡ ଦିଆଗଲା ।

କାଶତଣ୍ଡି ତ ଏହି ଦୁନିଆରେ ନାହିଁ ଏହା ସତ କିନ୍ତୁ ଆଜି ବି ସେ ବଞ୍ଚିଛି ସେଇ ନଦୀ ତଟ ରେ କାଶତଣ୍ଡି ଫୁଲ ରୂପରେ, ଆଜି ବି ସେ ହସୁଛି । ଯେମିତି ସେ ସୁନ୍ଦର ଥିଲା। ଏବେ ମଧ୍ୟ ସେ ସେମିତି ସୁନ୍ଦର ପୁଷ୍ପ ଟିଏ। ତାକୁ ଦେଖି ଲୋକେ ଅଧିର ହୋଇଯାଆନ୍ତି । ତେବେ ସେ ତା ପ୍ରେମ ର ସନ୍ତକ ରୂପରେ ଫେରି ଆସେ ପ୍ରତି ବର୍ଷ ଏବଂ ମା ଙ୍କ ପୂଜ୍ୟ ପାଇଁ ଶ୍ରେଷ୍ଠ ପୁଷ୍ପ ରୂପରେ ତାକୁ ଗ୍ରହଣ କରା ଯାଉ ଅଛି ।

କାହାଣୀ ଟି କେମିତି ଲାଗିଲା କମେଣ୍ଟ୍ କରିବାକୁ ଭୁଲିବେ ନାହିଁ ।

ପୂଜା ସ୍ୱାଇଁ ଙ୍କ ଦ୍ଵାରା ଲିଖିତ
ସୋଲଣ୍ଡି, ଗଞ୍ଜାମ ।