ରାମନଗର ଗୋଟିଏ ଗ୍ରାମ ଥିଲା । ସେ ଗ୍ରାମରେ ଦାମ ବାସ କରୁଥିଲା । ଦାମ ର ବାପା ବହୁତ ଦିନ ପୂର୍ବେ ଚାଲିଯାଇଥିଲେ । ଦାମ ଏକା ହିଁ ତା ମା ର ଆଶା ବାଡି ଥିଲା ଆଉ ବହୁତ ପରିଶ୍ରମୀ ମଧ୍ୟ ଥିଲା । ଦିନେ ଦାମ ର ମା ଙ୍କ ଦେହ ବହୁତ ଖରାପ ହେଇଗଲା, ମା ର ଦେହ ଖରାପ ହେଇଯିବା ଦେଖି ଦାମ ବହୁତ ଚିନ୍ତିତ ହେଇଗଲା । ଡାକ୍ତର ଙ୍କୁ ଘରକୁ ଡାକିଲା । ଡାକ୍ତର ଦାମ କୁ କହିଲେ ମା ର ଯତ୍ନ ତଥା ଭଲ ଖାଦ୍ୟ ଖାଇବାକୁ ଦେବ ଆଉ ଠିକ ସମୟରେ ମେଡ଼ିସିନ ଦେଲେ ବହୁତ ଶୀଘ୍ର ଠିକ୍ ହେଇଯିବେ, ଚିନ୍ତା କରନି । ଦାମ ଚିନ୍ତା ରେ ପଡିଗଲା ଔଷଧ ଆଉ ଭଲ ଖାଦ୍ୟ ପାଇଁ ଟଙ୍କା ଦରକାର ହେଲେ ଟଙ୍କା କୋଉଠୁ ଆଣିବ । ଦୁଃଖ ରେ କୋଉଠି କାମ ଖୋଜିବା କୁ ବାହାରି ଗଲା । ବହୁତ ବୁଲିଲା ଆଉ ଲୋକଙ୍କୁ ପଚାରି ବୁଲିଲା । ବୁଲି ବୁଲି ଗୋଟିଏ ସାହୁକାର ମିଳିଗଲା । ସାହୁକାର ଙ୍କୁ ପଚାରିଲା ବହୁତ ବୁଲିଲି କୋଉଠି କାମ ମିଳିଲାନି ସମସ୍ତେ ଆପଣଙ୍କ ଠିକଣା କହିଲେ । ମୋ ମା ଙ୍କ ଦେହ ବହୁତ ଖରାପ ଔଷଧ ପାଈଁ ବହୁତ ଟଙ୍କା ଦରକାର । ଆପଣଙ୍କ ପାଖରେ ଯଦି କୌଣସି କାମ ମିଳିଯାଇଥାନ୍ତା ତାହେଲେ ଭଲ ହେଇଥାନ୍ତା । ଦାମ ର କଥା ଶୁଣି ସାହୁକାର ଜଣକ ଯଥା ଶୀଘ୍ର କାମ ଦେଇଦେଲେ । ଦିନ ସାରା ଦାମ ସାହୁକାର ପାଖରେ କାମ କରୁଥିଲା ଆଉ ସନ୍ଧ୍ୟାରେ ମା ଙ୍କ ପାଇଁ ଔଷଧ ଆଉ ଖାଇବା ନେଇ ଆସୁଥିଲା ଆଉ ମା ଙ୍କର ସେବା ଯତ୍ନ କରୁଥିଲା । ଏମିତି ଦିନ ପରେ ଦିନ ବିତି ଚାଲିଲା । ଦିନେ ଦାମ କାମରେ ଲେଟ ରେ ପହଂଚିଲା ସାହୁକାର ବାହାନା ବନେଇ ଦାମ କୁ କାମ ରୁ ବାହାର କରିଦେଲା ଆଉ ଟଙ୍କା ବି ଦେଲାନି । ବହୁତ କ୍ଷମା ବି ମାଗିଲା ସାହୁକାର ଜମା ବି ଶୁଣିଲାନି । ଶେଷରେ ଦାମ ମନ ଦୁଃଖ ରେ ସେଠୁ ଚାଲିଆସିଲା । ରାସ୍ତା ରେ ଆସୁ ଆସୁ ବହୁତ ଖରା ହେଲା ସେ ଗୋଟିଏ ବଡ଼ ବର ଗଛ ଦେଖିଲା । ସେ ବର ଗଛ ଛାଇରେ ବସିଲା ଆଉ ଭୋ ଭୋ ହେଇ କାନ୍ଦିବାକୁ ଲାଗିଲା । ସେ ବର ଗଛ ଛାଇରେ ବୁଢ଼ୀ ଆଇ ଟିଏ ବସିଥିଲା । ଦାମ କୁ କାନ୍ଦିବାର ଦେଖି ଦାମ ପାଖକୁ ଆସିଲା ଆଉ କହିଲା ଆରେ ପୁଅ କଣ ହେଲା କାହିଁକି କାନ୍ଦୁଛୁ ତୁ । ବୁଢ଼ୀ ଆଇ କୁ ଦାମ ସବୁ କଥା କହିଲା । ସେ ବୁଢ଼ୀ ଆଇ କହିଲା ଆରେ ପୁଅ ମୁଁ ତ ତୋତେ ବେଶୀ ଟଙ୍କା ସାହାଯ୍ୟ କରିପାରିବି ନାହିଁ କାରଣ ମୁଁ ଅନ୍ୟ ଲୋକଙ୍କ ଟଙ୍କାରେ ଚଳେ କିନ୍ତୁ ମୋ ପାଖରେ କଛି ଟଙ୍କା ଅଛି ଏବଂ ଏଇ ଟଙ୍କା ରଖ ତୋର କିଛି କାମରେ ଆସିପାରେ ବାକି ତୁ ଯୋଗାଡ କର। । ବୁଢ଼ୀ ଆଇ ର ଦୟା ଦେଖି ଦାମ ବହୁତ ଖୁସି ହେଇଗଲା ଆଉ କହିଲା ମୁଁ ବହୁତ ପରିଶ୍ରମ କରିବି ଆଉ ଏ ଟଙ୍କା ବହୁତ ଶୀଘ୍ର ଫେରେଇ ଦେବୀ । ବୁଢ଼ୀ ଆଇ ଦାମ ର ମନୋବଳ ଦୃଢ଼ ଦେଖି ଖୁସି ହେଇଗଲେ ଆଉ ତାକୁ ଆଶୀର୍ବାଦ ଦେଲେ । ସେ ଟଙ୍କା ରେ ଦାମ ତା ମା ପାଇଁ ଔଷଧ କିଣିଲା ଆଉ ବାକି ଟଙ୍କା ରୁ କିଛି ଖାଇବା ଖର୍ଚ୍ଚ ରଖି ଆଉ କିଛି ଟଙ୍କା ଦୋକାନରୁ ପନିପରିବା ଫଳ ମଞ୍ଜି କିଣିନେଲା । ନିଜ ଘର ବାହାରେ କିଛି ଜମି ଥିଲା ସେହି ଜମିରେ ମଞ୍ଜି ବୁଣିଦେଲା । ପ୍ରତିଦିନ ସକାଳେ ପାଣି ଦେବାକୁ ଲାଗିଲା ଆଉ ତା ସହିତ କାମକୁ ବି ଗଲା ଆଉ ବହୁତ ପରିଶ୍ରମ କରିବା କୁ ଲାଗିଲା । ଦେଖୁ ଦେଖୁ ସେ ଗଛରେ ଫଳ ହେବାକୁ ଲାଗିଲା ଏବଂ ସେ ଫଳ କୁ ବଜାରରେ ବିକ୍ରି କରିଲା ।ଆଉ ଯେତିକି ଲାଭ ମିଳିଲା ସେତିକି ରେ ଜମି କିଣିନେଲା ଏବଂ ସେଥିରେ ପୁଣି ପନିପରିବା ଫଳ ମଞ୍ଜି ଲଗେଇଲା । ଏମିତି ଦିନ ପରେ ଦିନ ବିତି ଚାଲିଲା ଆଉ ବେପାର ବି ବଢ଼ି ଚାଲିଲା । ଦାମ ର ମା ଭଲ ଚିକିତ୍ସା ଆଉ ସେବା ଯତ୍ନ ପାଇଁ ଠିକ୍ ହୋଇଗଲେ । ଆଉ ସବୁକିଛି ଠିକ୍ ଭାବେ ଚାଲିବାକୁ ଲାଗିଲା । ଦିନେ ତାଙ୍କ ପଡ଼ୋଶୀ ଘର ସ୍ତ୍ରୀ ଲୋକ ଦାମ ର ମା ଙ୍କ ଠାରୁ ଚାଉଳ ମାଗି କହିଲା ମାଉସୀ ମୋତେ ଚାଉଳ ଅଳ୍ପ ଦେବ ମୁଁ ତମ କୁ ଦୁଇ ତିନି ଦିନ ମଧ୍ୟରେ ଫେରେଇ ଦେବି । ମାଉସୀ କହିଲେ ହଉ ଠିକ୍ ଅଛି ଭିତରକୁ ଆସ ନିଅ ଏବଂ ଫେରେଇବା ର କିଛି ଆବଶ୍ୟକ ନାହିଁ । ସେ ଭିତରକୁ ଯେମିତି ଗଲା ଦେଖିଲା ସବୁ ଦାମୀ ଦାମୀ ଜିନିଷ ଦାମ ଘରେ ଅଛି । ଘରକୁ ଫେରି ତା ସ୍ବାମୀ କୁ ସବୁକିଛି କହିଲା ଏବଂ ସ୍ବାମୀ କୁ ଗାଳି କରି କହିଲା ତମେ କୋଉ କାମକୁ ନୁହଁ । ଦାମ ଆମ ଠାରୁ କେତେ ଗରିବ ଥିଲେ ଯେ ଏବେ ଦେଖ ସେମାନେ ରାଜା ଭଳି ରହୁଛନ୍ତି । ଆଉ ତୁମେ ସବୁ ଟଙ୍କା ଜୁଆ ଖେଳରେ ସାରିଦଉଛ ତମେ ଯଦି ଭଲ ରାସ୍ତା ବାଛିବ ନାହିଁ ତେବେ ମୁଁ ଏଠୁ ଚାଲିଯିବି ।
ସ୍ୱାମୀ ରାଗ ତମ ତମ ହୋଇ ସେଠୁ ଉଠି ଚାଲିଗଲା ଆଉ ଯେମିତି ରାତି ହେଲା ସେ ଲୁଚି ଲୁଚି ଯାଇ ଦାମ ର ସବୁ ଗଛ ଉପାଡ଼ି ଦେଲା ତାପରେ ନିଜ ଘର ଆଡ଼କୁ ଦୌଡ଼ି ଆସିଗଲା। ଦାମ ଶବ୍ଦ ଶୁଣି ଉଠିକି ଯାଇ ଦେଖିଲା ବେଳକୁ ସବୁ ଗଛ ନଷ୍ଟ ହେଇଯାଇଛି । ଗଛ ସବୁ ନଷ୍ଟ ହେବା ର ଦେଖି ମନ ଭାଙ୍ଗିଗଲା ଆଉ ସେ କାନ୍ଦିବାକୁ ଲାଗିଲା । ସେତେବେଳେ ଗୋଟିଏ ପରି ସେହି ଜାଗାରେ ବୁଲୁଥିଲା । ଦାମ କୁ ଦେଖି ତା ପାଖକୁ ଆସି ପଚାରିଲା କଣ ହେଲା ? ଦାମ କହିଲା ମୋର ସବୁ ଗଛ କିଏ ଜଣେ ନଷ୍ଟ କରିଦେଇଛି । ବହୁତ ବର୍ଷ ରୁ ଛୋଟ ଛୋଟ ଜମି କିଣି ମଞ୍ଜି ବୁଣିଥିଲି ସବୁବେଳେ ଦେଖାରଖା କରୁଥିଲି କିନ୍ତୁ ସବୁ ସରିଗଲା । ମୁଁ କେବେ କାହାର କିଛି କ୍ଷତି କରିନି ମୋର ଏମିତି କାହିଁକି ହେଲା । ପରି କହିଲା ମୁଁ ଜାଣିଛି ତୁ କେବେ କାହାର କ୍ଷତି କରିନୁ, ତୁ ପରିଶ୍ରମ କରି ନିଜ ମା ଙ୍କ ସେବା ଯତ୍ନ କରିଛୁ ଆଉ ତାଙ୍କର ବହୁତ ଭଲ ଭାବେ ଯତ୍ନ ନେଲୁ । ତୋ ଭଳି ଦୟାଳୁ ପିଲା କୋଉଠି ଦେଖିନି ।ପରି ଗୋଟିଏ ଚକ୍ ଚକ୍ କରୁଥିବା ମଞ୍ଜି ଦେଇ କହିଲା ଏ ସାଧାରଣ ମଞ୍ଜି ନୁହେଁ । ଏଇ ମଞ୍ଜି କୁ ବୁଣିବା ଦ୍ବାରା ଗୋଟିଏ ଛୋଟ ଯାଦୁ ଗଛ ହେବ ଯାହା କି ତୋର ସବୁ ମନସ୍କାମନା ପୂରଣ କରିଦେବ । ଦାମ ମଞ୍ଜି କୁ ନେଇ ଜମିରେ ଲଗେଇଲା ସେଥିରେ ପାଣି ଦେଲା ସେଥିରୁ ଗୋଟିଏ ସୁନ୍ଦର ଗଛଟିଏ ହେଲା । ତାପରେ ସେ ଗଛ କୁ ଯାହା ବି କିଛି ମାଗିଲା ସବୁ ମିଳିଲା । ଦାମ ର ପଡ଼ୋଶୀ ଲୁଚି ସବୁକିଛି ଦେଖୁଥିଲା । ସେ ଘରକୁ ଚାଲିଗଲା ଏବଂ ମନେ ମନେ ଭାବିଲା ଯାଦୁ ଗଛଟିକୁ ଚୋରି କରିବାକୁ ପଡ଼ିବ । ଦିନେ ଦାମ ତା ମା କୁ ସହର କୁ ବୁଲେଇବା ଲାଗି ନେଇ ଯାଇଥାଏ। ସେତିକି ବେଳେ ତା ପଡ଼ୋଶୀ ସେଠାରୁ ଯାଦୁ ଗଛଟିକୁ ଉପାଡ଼ି ନେଇଗଲା ଏବଂ ନିଜ ଘର ଅଲମିରା ରେ ରଖିଦେଲା । ଦାମ ଫେରିବା ପରେ ଦେଖିଲା ଯେ ସେ ଗଛ ସେଠି ଆଉ ନାହିଁ । ସେ ବହୁତ ଦୁଃଖୀ ହେଇଗଲା ସେ ନିଜକୁ ବହୁତ୍ ଖରାପ୍ ମନେ କରି ଅନ୍ୟମନସ୍କ ହୋଇ ମନ ଦୁଃଖରେ ଜଙ୍ଗଲ ରାସ୍ତା ଆଡ଼କୁ ଯାଉଥାଏ । ବହୁତ ଦୂର ଗଲାପରେ ରାସ୍ତାରେ ସେ ବୁଢ଼ୀ ଆଇ ଜଣକ ଦେଖାହେଲା । ଦାମ ବୁଢ଼ୀ ଆଇ କୁ ଦେଖିଲା ପରେ ସେ ତାର ସବୁ ଦୁଃଖ ଭୁଲି ତା ସାଙ୍ଗରେ କଥା ହେଲା । ପ୍ୟାକେଟରେ ଥିବା ଟଙ୍କା କୁ ବାହାର କରି ବୁଢ଼ୀ ଆଇ କୁ ଦେଲା ଆଉ କହିଲା ତୁମ ଟଙ୍କା ନିଅ ତୁମକୁ ବହୁତ ଖୋଜିଲି ହେଲେ ପାଇ ନଥିଲି କିନ୍ତୁ ଆଜି ତମକୁ ଦେଖି ବହୁତ୍ ଖୁସି ଅନୁଭବ କରୁଛି । ଏଇ ନିଅ ଆପଣଙ୍କ ଟଙ୍କା। ଏବଂ ତମ କୁ ବହୁତ ବହୁତ୍ ଧନ୍ୟବାଦ ତମ ଆଶ୍ରିବାଦ ରୁ ମୁଁ ବହୁତ ଭଲରେ ଅଛି । ଏହା ଶୁଣି ବୁଢ଼ୀ ଆଇ ହସିଦେଲେ ଆଇ ହଠାତ୍ ପରି ରୂପରେ ପ୍ରକଟ ହେଇଗଲେ । ଦାମ ଆଶ୍ଚର୍ଯ୍ୟ ହେଇଗଲା । ପରି କହିଲା ତମେ ସବୁବେଳେ ସଚ୍ଚୋଟ ଏବଂ ପରିଶ୍ରମୀ ଅଟ । ମୁଁ ସବୁବେଳେ ତମ ପରି ଭଲ ଲୋକଙ୍କୁ ସାଧାରଣ ଲୋକ ରୂପରେ ଆସି ସାହାଯ୍ୟ କରେ । ହେଲେ ମୋତେ ଭେଟିବା ପୂର୍ବରୁ ଦୁଃଖି ଥିଲ, ସବୁ ଠିକ୍ ଅଛି ତ ? ଦାମ କହିଲା ତମେ ଦେଇଥିବା ଯାଦୁ ଗଛ କିଏ ଚୋରି କରି ନେଇଯାଇଛି । ପରି କହିଲା ଚିନ୍ତା କରନି ସେ ଗଛ କୁ ଯିଏ ଚୋରି କରି ନେଇଛି ସେ ସେଥିରୁ କିଛି ପାଇବ ନାହିଁ ଓଲଟା ତାର କ୍ଷତି ହେବ ଏବଂ ତୁ ଚିନ୍ତା କର ନାହିଁ ଚୋର ନିଜେ ଆସି ତୋ ଗୋଡ଼ ତଳେ ପଡି କ୍ଷମା ମାଗିବ। ଏ ଥିଲା ମୋର ଗୋଟିଏ ପରୀକ୍ଷା ସେଥିରେ ତୁ ପାସ୍ କରିଛୁ । ତୋର ପରିଶ୍ରମ ଏବଂ ମା କୁ ଯତ୍ନ କରିଥିବା ଯୋଗୁ ମୁଁ ତୋ ଉପରେ ବହୁତ ଖୁସି ଅଛି । ଆଜି ଠାରୁ ତୋର ଆଉ କିଛି ଅସୁବିଧା ହେବ ନାହିଁ। ଏତିକି କହି ପରି ଅଦୃଶ୍ୟ ହେଇଗଲା । ଦାମ ଘରକୁ ଚାଲିଗଲା । ଦାମ ର ପଡୋଶୀ ଲୁଚେଇ ଥିବା ଗଛ କୁ କିଛି ସମୟ ପରେ ଖୋଲି ଦେଖିଲା ବେଳକୁ ସେ ଗୋଟିଏ ଉଇ ହୁଙ୍କା ହୋଇ ତା ଚାରିପାଖେ ବହୁତ ସାପ ବେଙ୍ଗ ଥିଲେ ଏବଂ ସେହି ସାପ ମଧ୍ୟରୁ ଗୋଟିଏ ସାପ ତା ସ୍ତ୍ରୀ କୁ କାମୁଡି ଦେଲା । ସେ ସଙ୍ଗେ ସଙ୍ଗେ ବିଚଳିତ ହେଇ ଦାମ ଘରକୁ ଦୌଡ଼ିଲା । ଆଉ ତାକୁ ସବୁ ସତ କଥା କହିଲା ତା ପାଦ ତଳେ ପଡି କ୍ଷମା ମାଗିଲା । ଦାମ ତାର ଏ ଅବସ୍ଥା ଦେଖି ତାଙ୍କ ଘରକୁ ଗଲା ସେ ଉଇ ହୁଙ୍କା କୁ ଗୁହାରି କଲା ସବୁ ଠିକ କରିବା ପାଈଁ । ହଠାତ କୋଠରୀ ଆଲକିତ ହେଇଗଲା ସେଥିରୁ ବାହାରିଥବା ସାପ ବେଙ୍ଗ ସବୁ ଅଦୃଶ୍ୟ ହେଇଗଲେ। ଏବଂ କିଛି ସମୟ ପରେ ତା ସ୍ତ୍ରୀ ଠିକ୍ ହୋଇ ତାର ଚେତା ଆସିଗଲା । ଦାମ ର ପଡ଼ୋଶୀ ଦାମ କୁ କ୍ଷମା ମାଗିଲା ଏବଂ ସେ ଭୁଲ କରିଥିବା କଥା ମଧ୍ୟ କହିଲା । ଦାମ କୁ କହିଲା ଆଉ କେବେ ଆପଣଙ୍କୁ ହଇରାଣ କରିବି ନାହିଁ। ଆପଣ ଙ୍କୁ ଯେତେବେଳେ ଯାହା ସାହାଯ୍ୟ ଦରକାର ତାହା ସାହାଯ୍ୟ କରିବି। ଦାମ ମଧ୍ୟ ପଡୋଶୀ କୁ କ୍ଷମା କରିଦେଲା। ତା ପର ଠାରୁ ଦାମ ଫସଲ ଲଗେଇ ବେପାର କରି ଘର ଚଳାଉ ଥିଲା ଏବଂ ମା ସହିତ ଖୁସିରେ ରହିଲା ।
ଏଥିରୁ କଣ ଶିଖିଲ ?
୧. କେବେ କାହାର ଅନିଷ୍ଠ ଚିନ୍ତା କରିବା ଅନୁଚିତ୍।
୨. ଯିଏ ଅନିଷ୍ଠ କରେ ତାକୁ ଭଗଵାନ ଦଣ୍ଡ ଦିଅନ୍ତି ।
୩. ଅସୁବିଧା ସମୟରେ ଉଚିତ୍ ରାସ୍ତା ଖୋଜି ବାହାର କରିବା ଦରକାର ।
ଲେଖିକା. ରୁବି ନାହାକ
ବୁଗୁଡ଼ା, ଗଞ୍ଜାମ.
One thought on “ଯାଦୁ ଗଛ (Magic Tree)”