Category Archives: stories

କାଶତଣ୍ଡି

କାଶତଣ୍ଡି



ଗୋଟିଏ ଗାଁ ରେ ଛୋଟ ଜାତିର ପରିବାର ଟିଏ ରହୁଥିଲେ । ବାପା, ମା ଏବଂ ତାଙ୍କର ସୁନ୍ଦରୀ କନ୍ୟା ଟିଏ । ବାପା ଥିଲେ ସୁରଦେବ ଏବଂ ମା କନିକା ଓ କନ୍ୟା ଟିର ନାମ କାଶତଣ୍ଡି । କାଶତଣ୍ଡି ର ସୁନ୍ଦରତା ଝାଟି ମାଟି ଘରେ ଯେମିତି ହୀରା ର ଝଲକ ଝଲସି ଉଠୁଥିଲା । ସେମିତି ଥିଲା ସୁରଦେବ ର ଘରେ କାଶତଣ୍ଡି । ପିଲା ଦିନରୁ ହିଁ ସେ ଦେବୀ ଦୁର୍ଗାଙ୍କୁ ପୂଜା କରି ଆସୁଥିଲା ଏବଂ ପ୍ରତିଦିନ ସକାଳେ ନଦୀ କୁ ପାଣି ଆଣିବାକୁ ଯାଏ ଏବଂ ସେଠି ସେ ଦୁର୍ଗା ମା ଙ୍କୁ ପୂଜା କରି ଆସୁଥାଏ । ଘର ଅଳ୍ପ ଦୂରରେ ବହି ଯାଉଥାଏ ନଦୀ ଟିଏ । ବାପା, ମା ଦୁହେଁ ପ୍ରତିଦିନ କାଠ ସଂଗ୍ରହ ପାଇଁ ଜଙ୍ଗଲ କୁ ଯାଆନ୍ତି ଏବଂ କାଠ ସଂଗ୍ରହ ରେ ଯେତିକି ରୋଜଗାର ହେଉଥିଲା ସେଥିରେ ଘର ଟି ଠିକ୍ ଠାକ୍ ରେ ଚଳି ଯାଉଥିଲା। ଦେଖୁ ଦେଖୁ କାଶତଣ୍ଡି ସତର ବର୍ଷ ରେ ଆସି ପଦାର୍ପଣ ହେଲା ।



ସେଦିନ ମଧ୍ୟ ସେ ପାଣି ଆଣିବାକୁ ନଦୀକୁ ଯାଇଥାଏ। ହଠାତ୍ ସେହି ରାଜ୍ୟର ରାଜକୁମାରଙ୍କ ସହ ତାଙ୍କର ଦେଖା ହୋଇଗଲା । ରାଜକୁମାର କାଶତଣ୍ଡି ର ସୁନ୍ଦରତା ରେ ମୋହିତ ହୋଇଗଲେ। ରାଜକୁମାର ରାଜ ମହଲ କୁ ଫେରି ଆସିଲେ ସେଠି ମଧ୍ୟ ରାଜକୁମାର କେବଳ କାଶତଣ୍ଡି କଥା ହିଁ ଭାବୁଥିଲେ । ରାଜକୁମାର ଭାବିଲେ ଯେତେବେଳେ ମୁଁ ପୁଣିଥରେ ତାକୁ ଦେଖା କରିବି ସେତେବେଳେ ମୋ ମନ କଥା ତାଙ୍କୁ ପ୍ରକାଶ କରିବି। ଠିକ୍ ତାର ପର ଦିନ ସକାଳୁ ଉଠି ରାଜକୁମାର କାହାକୁ କିଛି ନ କହି ସେ ନଦୀ ଆର ପାରି ରେ କାଶତଣ୍ଡି ର ଅପେକ୍ଷାରେ ବସି ରହିଲେ । କାଶତଣ୍ଡି ଯେତେ ବେଳେ ପାଣି ପାଇଁ ନଦୀକୁ ଆସିଲା। ରାଜ କୁମାର କାଶତଣ୍ଡି କୁ ନିଜ ମନ ର ଭାବନା କୁ ପରିପ୍ରକାଶ କରିଲେ। କିନ୍ତୁ କାଶତଣ୍ଡି ରାଜ କୁମାର ଙ୍କୁ କିଛି ଉତ୍ତର ନ ଦେଇ ଧୀର ରହିଲା ଏବଂ ନିଜ ଘରକୁ ଫେରି ଗଲା ।



ପୁଣି ପର ଦିନ ସକାଳୁ କାଶତଣ୍ଡି ପାଣି ଆଣିବାକୁ ଆସିଲା ରାଜକୁମାର ସେମିତି ଏବଂ ସେହି ସ୍ଥାନରେ ଅପେକ୍ଷା କରିଥିଲେ । ପ୍ରାୟ ପାଞ୍ଚ ଦିନ ପର୍ଯ୍ୟନ୍ତ ରାଜକୁମାର ଙ୍କ ଏମିତି ଅପେକ୍ଷା ରତ ଏବଂ ତାଙ୍କର ପ୍ରେମ ଭାବନା କୁ ବାରମ୍ବାର ପ୍ରକାଶ କରିବା ପରେ କାଶତଣ୍ଡି ରାଜକୁମାର ଙ୍କ କଥାରେ ହଁ ଭରି ଦେଲା । ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଲେ । କାଶତଣ୍ଡି ମା ଦୂର୍ଗା ଙ୍କର ପରମ ଭକ୍ତ ଥିଲା କିନ୍ତୁ ରାଜକୁମାର ଙ୍କ ସହ ପ୍ରେମ କରିବା ଦିନ ଠାରୁ ସେ ଦୁର୍ଗା ମା ଙ୍କୁ ପୂଜା କରିବା ରେ ଅବହେଳା କରିଲା ଏବଂ ପ୍ରାୟତଃ ସମୟ ରାଜକୁମାର ସହିତ ରୁହେ ।

ପୂଜା ସ୍ୱାଇଁ ଙ୍କ ଦ୍ଵାରା ଲିଖିତ ଶିଶୁ ଗଳ୍ପ ଟିଏ…



କିଛି ଦିନ ପରେ ଦିନେ ରାଜକୁମାର ଓ କାଶତଣ୍ଡି ର ପ୍ରେମ ସମ୍ପର୍କ ବିଷୟରେ ମହାରାଜା ଜାଣିବାକୁ ପାଇଲେ ଏବଂ ରାଗିଯାଇ ରାଜକୁମାର କୁ କାଶତଣ୍ଡି ସହ ଦେଖା କରିବାକୁ ମନା କରିଲେ କିନ୍ତୁ ରାଜକୁମାର ଏହା ସ୍ଵତେ ମଧ୍ୟ ସେ କାଶତଣ୍ଡି ସହ ଦେଖା କରିବାକୁ ଯାଆନ୍ତି କିନ୍ତୁ ଏହା ମହାରାଜା ସହ୍ୟ କରି ପାରିଲେ ନାହିଁ।

ଦିନେ ସୁରଦେବ କୁ ମହାରାଜା ନିଜ ମହଲ କୁ ଡାକି ବୁଝାଇ କହିଲେ ଯେ ତୋ ଝିଅକୁ ରାଜକୁମାର ଠାରୁ ଦୂରେଇ ରଖ ଅନ୍ୟଥା ତୁମ୍ଭ ତିନି ଜଣକୁ ମୃତ୍ୟୁ ଦଣ୍ଡ ରେ ଦଣ୍ଡିତ କରାଯିବ । ତୁମ୍ଭେ ଛୋଟ ଜାତି ଏବଂ ଅସ୍ପୃଶ୍ୟ ଲୋକ। ଏତେ ଛୋଟ ଜାତିର ହୋଇ ତୁମେ ମୋ ପୁତ୍ର ସହ ନିଜ ଝିଅକୁ ବିବାହ କରିବାକୁ କେମିତି ଭାବି ପାରୁଛ। ସୁରଦେବ କହିଲା ମହିମା କ୍ଷମା କରନ୍ତୁ, ଆମ୍ଭର ବହୁତ ବଡ଼ ଭୁଲ ହୋଇଯାଇଛି । ମହାରାଜ ଏହି ସବୁ କଥା ପ୍ରତି ମୁଁ ଏବଂ ମୋ ସ୍ତ୍ରୀ ଅବଗତ ନଥିଲୁ । ମୁଁ ଆଜି ହିଁ ମୋର କନ୍ୟା କୁ ଏହି ବିଷୟରେ ପ୍ରଶ୍ନ କରିବି ଏବଂ ରାଜକୁମାର ସହ ସମ୍ପର୍କ ରଖିବା ପାଇଁ ମନା କରିବି। ମୋତେ ଆପଣ କିଛି ସମୟ ଦିଅନ୍ତୁ। ମହାରାଜ ଙ୍କ ଠାରୁ ସୁରଦେବ ବିଦାୟ ନେଇ ଘରେ ପହଞ୍ଚିଲେ।

ସୁରଦେବ କାଶତଣ୍ଡି କୁ ପଚାରିଲେ ତୁ ଏମିତି ପଦକ୍ଷେପ ନେବା ପୂର୍ବରୁ ଆମ୍ଭ କଥା କେମିତି ଭାବିଲୁ ନାହିଁ ? ଆମେ ଦୁହେଁ ତୋ ପାଇଁ ସବୁ କରି ଆସିଛୁ ??? କିନ୍ତୁ ଏବେ ତୁ ଭୁଲ କରିଛୁ ଏବଂ ମୋ ଆଦେଶ ଯେ ଏବେ ତୁ ରାଜକୁମାରଙ୍କୁ ଭୁଲି ଯାଆ । ନ ହେଲେ ମହାରାଜା ଆମ୍ଭ ତିନି ଜଣଙ୍କୁ ମୃତ୍ୟୁ ଦଣ୍ଡ ଦେବେ ବୋଲି କହିଛନ୍ତି। ଏହା ଶୁଣି ସେ ସେଦିନ ସେ ନଦୀକୁ ପାଣି ଆଣିବାକୁ ଗଲା ନାହିଁ କିନ୍ତୁ ସେପଟେ ରାଜକୁମାର କାଶତଣ୍ଡି କୁ ଅପେକ୍ଷା କରି କରି ଫେରିଗଲେ । ଦ୍ଵିତୀୟ ଦିନ ମଧ୍ୟ ଠିକ୍ ସେମିତି କିନ୍ତୁ ସେଦିନ ମଧ୍ୟ କାଶତଣ୍ଡି ଘରୁ ବାହାରିଲା ନାହିଁ ।


ରାଜକୁମାର କାଶତଣ୍ଡି କୁ ନ ଦେଖି ରହି ପାରିଲେ ନାହିଁ ଏବଂ ସେ ତତ୍ କ୍ଷଣାତ୍ କାଶତଣ୍ଡି ଘରେ ଆସି ପହଁଚିଲେ । କାଶତଣ୍ଡି ର ପରିବାର ରାଜକୁମାର ଦେଖି ଆଶ୍ଚର୍ୟ୍ଯ ହେଲେ କିନ୍ତୁ କାଶତଣ୍ଡି ଚୁପ୍ ରହିଲା । ରାଜକୁମାର କାଶତଣ୍ଡି କୁ କହିଲେ ତୁମେ ଯଦି କିଛି ନ କହିବ ତେବେ ଆମ ନିବିଡ ପ୍ରେମ ପାଇଁ ମୁଁ ଏହି କ୍ଷଣି ଏହି ନଦୀରେ ନିଜ ଜୀବନ ତ୍ୟାଗ କରି ଦେବି । ଏହା ଶୁଣି କାଶତଣ୍ଡି ଆଉ ମୁକ ପରି ନ ରହି ରାଜ କୁମାର ଆଗକୁ ଆସି ଅଟକେଇ ତାଙ୍କ ପାଦ ତଳେ ମୁଣ୍ଡ ରଖି କାନ୍ଦିବାକୁ ଲାଗିଲା । ହେ କୁମାର ମୁଁ ନିରୁପାୟ। ମୁଁ କଣ ଅବା କରି ପାରିବି । ତୁମେ ଉତ୍ତର ଦିଅ କୁମାର ?? ଆମ ପ୍ରେମ ପାଇଁ ମୁଁ ମୋ ବାପା ମା ଙ୍କ ଜୀବନ କୁ ବଳି ପକେଇ ପାରିବି ନାହିଁ । ଉତ୍ତମ ରାସ୍ତା ଏହା ଯେ, କୁମାର ତମେ ମୋତେ ଭୁଲି ଯାଇ ଅନ୍ୟ କେଉଁ ରାଜକନ୍ୟା ସହିତ ବିବାହ କରନ୍ତୁ ।

ସୁରଦେବ ମଧ୍ୟ ଏହା କହି ରାଜକୁମାର ଙ୍କୁ ବୁଝାଇ କହିଲେ କିନ୍ତୁ ରାଜକୁମାର ବୁଝିବାକୁ ନାରାଜ । ସେ କାଶତଣ୍ଡି କୁ ଭୁଲି ପାରିବେ ନାହିଁ ବୋଲି କହି କାଶତଣ୍ଡି ର ହାତ କୁ ଧରି କହିଲେ ଯେ ମୁ ତୁମ୍ଭକୁ ଏହି କ୍ଷଣି ବିବାହ କରିବି । ତୁମକୁ ମୋ ଠାରୁ କିଏ ଅଲଗା କରୁଛି ମୁଁ ମଧ୍ୟ ଦେଖିବି !! ଠିକ୍ ଏହି ସମୟରେ ରାଜକୁମାର ଓ କାଶତଣ୍ଡି କଥା ଗୋଟିଏ ଗୁପ୍ତଚର ଶୁଣୁଥାଏ। ସେ ସଙ୍ଗେ ସଙ୍ଗେ ରାଜାଙ୍କୁ ଯାଇ ଏହି ଖବର ଦେଲା । ରାଜା ନିଜ ଦୂତ ମାନଙ୍କୁ ସାଙ୍ଗରେ ନେଇ ସୁରଦେବ ଘରେ ପହଞ୍ଚିଲେ ।

ପୁଜା ସ୍ଵାଇଁ ଙ୍କ ଦ୍ଵାରା ଲିଖିତ ଶିଶୁ ଗଳ୍ପ ଟିଏ



ରାଜାଙ୍କର କଥାକୁ ନ ମାନି ପୁଣି ଝିଅ କୁ ରାଜକୁମାର ସହ ଦେଖା କରି ଥିବା ଦୋଷରେ ରାଜା ସୂରଦେବ ଓ ତାଙ୍କ ପତ୍ନି ଙ୍କୁ ବନ୍ଧକ କରିଲେ ଏବଂ ରାଜକୁମାର ଠାରୁ କାଶତଣ୍ଡି କୁ ଅଲଗା କରି କାଶତଣ୍ଡିକୁ ମୃତ୍ୟୁ ଦଣ୍ଡ ଦେବା ପାଇଁ ଆଦେଶ ଦେଲେ । ଏହା ଦେଖି ରାଜକୁମାର ମଧ୍ୟ ନିଜ ପ୍ରାଣ ତ୍ୟାଗ କରିବାକୁ ଚେଷ୍ଟା କରିଲେ । କାଶତଣ୍ଡି କୁମାର ଙ୍କୁ ରାଣ ପକେଇ ମନା କରି କହିଲା ଯେ ଆମ ଅମର ପ୍ରେମ ପାଇଁ ତୁମକୁ ବଞ୍ଚିବାକୁ ହେବ କୁମାର ଏବଂ ଆମ ପ୍ରେମ ର ସନ୍ତକ ରୂପକ ମୁଁ ଏହି ନଦୀ ତଟରେ ପୁଷ୍ପ ରୂପରେ ପ୍ରତି ବର୍ଷ ମା ଦୁର୍ଗାଙ୍କ ପୂଜା ସମୟରେ ଆସିବି । ଏତିକି କହିବା ପରେ କାଶତଣ୍ଡି କୁ ମୃତ୍ୟୁ ଦଣ୍ଡ ଦିଆଗଲା ।

କାଶତଣ୍ଡି ତ ଏହି ଦୁନିଆରେ ନାହିଁ ଏହା ସତ କିନ୍ତୁ ଆଜି ବି ସେ ବଞ୍ଚିଛି ସେଇ ନଦୀ ତଟ ରେ କାଶତଣ୍ଡି ଫୁଲ ରୂପରେ, ଆଜି ବି ସେ ହସୁଛି । ଯେମିତି ସେ ସୁନ୍ଦର ଥିଲା। ଏବେ ମଧ୍ୟ ସେ ସେମିତି ସୁନ୍ଦର ପୁଷ୍ପ ଟିଏ। ତାକୁ ଦେଖି ଲୋକେ ଅଧିର ହୋଇଯାଆନ୍ତି । ତେବେ ସେ ତା ପ୍ରେମ ର ସନ୍ତକ ରୂପରେ ଫେରି ଆସେ ପ୍ରତି ବର୍ଷ ଏବଂ ମା ଙ୍କ ପୂଜ୍ୟ ପାଇଁ ଶ୍ରେଷ୍ଠ ପୁଷ୍ପ ରୂପରେ ତାକୁ ଗ୍ରହଣ କରା ଯାଉ ଅଛି ।

କାହାଣୀ ଟି କେମିତି ଲାଗିଲା କମେଣ୍ଟ୍ କରିବାକୁ ଭୁଲିବେ ନାହିଁ ।

ପୂଜା ସ୍ୱାଇଁ ଙ୍କ ଦ୍ଵାରା ଲିଖିତ
ସୋଲଣ୍ଡି, ଗଞ୍ଜାମ ।

ଶେଷ ବିସର୍ଜନ (୩)

ଦ୍ଵିତୀୟ ପୃଷ୍ଠା କୁ କ୍ଲିକ୍ କରି ପଢ଼ନ୍ତୁ



ହେଲେ ମୁଁ ସିନା ବୁଝି ଯିବି ହେଲେ ଏ ମା ର ମନ କୁ କିଏ ବୁଝେଇବ ଯିଏ ତାକୁ ଦଶ ମାସ ଦଶ ଦିନ ଗର୍ଭରେ ରଖି ନାନା ଦିଅ ଦେବତାଙ୍କୁ ପୂଜା କରି ପାଇଥିଲା । ମୁଁ ଆଉ ସାଙ୍ଗ ମାନେ ପୁଣି ଖୋଜିବାକୁ ଲାଗିଲୁ । କେତେ ସାଙ୍ଗ ଖୋଜି ଖୋଜି କିଲୋମିଟର ରୁ ଅଧିକ ପାଣି ରେ ପାଣିରେ ଆଗକୁ ଗଲେ ହେଲେ ମଧ୍ଯ କିଛି ଖବର ପାଇଲେ ନାହିଁ । ମୁଁ ଏବଂ ଆମ ଗ୍ରୁପ୍ ର ଆଉ ୪ ଜଣ ସାଙ୍ଗ ସେହି ନଦୀ କୂଳରେ ବସି ରହିଲୁ। ସେଠି ରାଘବ ର ବାପା ମଧ୍ୟ ମୋ ପାଖେ ବସି ରହିଲେ ଯେମିତି ରାଘବ ର ଫେରନ୍ତା ବାଟ କୁ ଅନେଇ ବସିଥିଲୁ। ମନରେ ବିଶ୍ୱାସ ଥିଲା ଯେ ସେ ତ ଆଉ ନାହିଁ ଆଉ ଯଦି ଥାଆନ୍ତା ତେବେ ମୋତେ ଆସି କୁଣ୍ଢେଇ କୁହନ୍ତା ଆରେ ମୋର କିଛି ହେବନି ବୋଲି କିନ୍ତୁ ମୋର ତାହା ସ୍ବପ୍ନ ଥିଲା।

ରାତି ୧୨ ଟା ରୁ ସକାଳ ୬ ଟା କେମିତି ବାଜିଗଲା ସମୟ ଜଣା ପଡିଲା ନାହିଁ। ଅଗ୍ନିଶମ ବିଭାଗ ପୁଣି ଆସି ପହଁଚିଲେ। ସେ ପୁଣି ଖୋଜିବାକୁ ଲାଗିଲେ । ପୁଣି ଚାଲିଲା ଖୋଜିବା ପ୍ରକ୍ରିୟା । ସମସ୍ତେ ନିରୁପାୟ ହେଲୁ। ପୋଲିସ ବାବୁ ସକାଳୁ ଆସି ପଚରା ଉଚରା ଆରମ୍ଭ କରିଦେଲେ। ସମସ୍ତ ସାଙ୍ଗ ଉପରେ ପୋଲିସ ଯେମିତି ସନ୍ଦେହ ଚକ୍ଷୁରେ ଦେଖିଥାନ୍ତି । ଘରେ ପହଞ୍ଚି ତାଙ୍କ ମା ଙ୍କୁ ପଚାରିବା ପରେ ସେ କହିଲେ ଯେ ଏହି ରାହୁଲ ହିଁ ମୋ ପୁଅ କୁ ମାରି ଦେଇଛି । ତାକୁ ହାଜତ କୁ ନିଅ। କଡ଼ା ରୁ କଡ଼ା ଦଣ୍ଡ ତାକୁ ଦିଅ, କହି ପୁଣି କାନ୍ଦିବାକୁ ଲାଗିଲେ । ପୋଲିସ ମଧ୍ୟ ରାଘବ ର ମା ଦୁଃଖରେ ଏମିତି କହୁଛନ୍ତି ବୋଲି ଜାଣି ତାଙ୍କ ଆଖି ଆଗରେ ମୋତେ ଗାଡ଼ିରେ ବସି ପୋଲିସ ଷ୍ଟେସନ ଆସିବାକୁ କହିଲେ । କିନ୍ତୁ ରାଘବ ର ବାପା ମନା କରିଲେ ଯେ ରାହୁଲ ର କିଛି ଭୁଲ ନାହିଁ । ସେ ନିଜେ ମଦ ପିଇ ବିସର୍ଜନ ପାଇଁ ଯାଇଥିଲା। ପୋଲିସ ତଥାପି କିଛି ପଚରା ଉଚରା ପାଇଁ ମୋତେ ଏବଂ ରାଘବ ର ବାପା ଙ୍କୁ ନେଇ ପହଞ୍ଚିଲେ। ପୋଲିସ ଷ୍ଟେସନ ରେ କେବଳ ଆମେ ଦୁହେଁ ନଥିଲୁ, ଆମ ସାହି ର ସହ ସହ ଲୋକ ଆସି ପହଁଚିଲେ। ଯେ ରାହୁଲ ର ଭୁଲ ନାହିଁ ବୋଲି କହିବାକୁ। କିନ୍ତୁ ପୋଲିସ କହିଲେ। ମୁଁ ଜାଣେ ରାହୁଲ ର ଭୁଲ ନାହିଁ କିନ୍ତୁ ମୋତେ ଅଳ୍ପ ଇନଭେଷ୍ଟିଗେସନ ତ କରିବାକୁ ହେବ ଏବଂ ଏହି ଇନଭେଷ୍ଟିଗେସନ ରେ ମୋତେ ରାହୁଲ ସାହାଯ୍ୟ କରି ପାରିବ ସେଥିପାଇଁ ତାକୁ ଏଠି ଅଣା ଯାଇଛି । ଏତିକି ଶୁଣି ଗାଁ ଲୋକ ଙ୍କ ପାଟି ତୁଣ୍ଡ କମି ବାରେ ଲାଗିଲା। ମୋତେ ପୋଲିସ ଯାହା ଯାହା ପଚାରିଲେ ମୁଁ ସବୁ ସତ ସତ କହିଲି ଏବଂ ପ୍ରାୟ ଅଧ ଘଣ୍ଟାଏ ପରେ ଆମ ଦୁଇ ଜଣଙ୍କୁ ପୋଲିସ୍ ବାବୁ ରାଘବ ନିଖୋଜ ବୋଲି ରିପୋର୍ଟ ଲେଖି ଆମକୁ ଛାଡ଼ିଦେଲେ ।

ସେ ଘଟଣା ର ଠିକ୍ ଦୁଇ ଦିନ ପରେ ସେଠୁ ପାଞ୍ଚ କିଲୋମିଟର ଦୂରରେ ନଦୀ କୂଳରେ ଥିବା ରାମଚନ୍ଦ୍ର ପୁର ଗାଁ ର ଲୋକ ଟିଏ ଆସି କହିଲା ଯେ ଗୋଟିଏ ୨୦ ରୁ ୨୫ ବର୍ଷ ବୟସ ହେବ ଗୋଟିଏ ଯୁବକ ନଦୀ ପଠାରେ ଲାଗିଛି । ଏକଥା ଶୁଣି ପ୍ରଥମେ ମୁଁ ଏବଂ ରାଘବ ର ବାପା ପୋଲିସ ଷ୍ଟେସନ୍ ଗଲୁ ସେଠୁ ପୋଲିସ୍ ଏବଂ ଅଗ୍ନିଶମ ବିଭାଗ ର ଅଫିସର ସହିତ ନଦୀ ପଠାରେ ପହଞ୍ଚିଲୁ। ମୋ ଛାତି ଭିତରଟା ଖାଲି ଜୋର ରେ ଧକ୍ ଧକ୍ ହେଉଥାଏ। ସଭିଏଁ ସେ ଜାଗା ରେ ପହଞ୍ଚିଲୁ । ବହୁତ ଭିଡ ଥାଏ। ଭିଡ ଭିତରକୁ ଯାଇ ଯାହା ଦେଖିଲି ମୋର ଆଖି ଲିଭିଗଲା। ସେ ଦୃଶ୍ୟ ମୋ ଆଖି ପଟଳରେ ସାରା ଜୀବନ ପାଇଁ ଛବି ହୋଇ ରହିଗଲା । ସେଠି ପଡିଥିଲା ରାଘବର ଶବ । ଶରୀର ର ୮୦ ପ୍ରତିଶତ ଫୁଲି ଯାଇଛି । କିଛି କିଛି ଜାଗାରେ କିଛି ଆଘାତ ଲାଗି ସେଠୁ କିଛି ମାଂସ ବାହାରି ଯାଇଛି । ଯେମିତି କି କୋଉ ମାଛ ଖାଇଲା ଭଳି ଚିହ୍ନ ଥିଲା । ମୁଖରେ ହସ ସ୍ବରୂପ ଏବଂ ଗୋଟିଏ ହାତରେ ଥିଲା ଗଣେଶଙ୍କ ଶୁଣ୍ଢ ଟିଏ । ତା ମୃତ ଦେହ କୁ ଦେଖି ମୁଁ ପାଗଳ ସ୍ବରୂପ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲି । ପ୍ରକୃତରେ ସେ ସମୟ ଟା ମୋ ପାଇଁ ଧର୍ଯ୍ୟହିନ ହୋଇ ପଡ଼ିଲା । ମୋ ପାଦ ତଳୁ ମାଟି ଖସିଗଲା। ଯେମିତି ମୁଁ ଅଚେତ୍ ହେବାକୁ ଲାଗିଲି। ରାଘବ କହେ ତୁ ମୋର ସାହସୀ ପିଲା ଟା ରେ। କିନ୍ତୁ ତାର ମୃତ ଦେହ ଦେଖି ମୋର ସାହସ ମାଟିରେ ଲୋଟି ପଡ଼ିଲା। ମୁଁ ଅଚେତ୍ ହୋଇ ପଡିଲି। ମୋତେ ପାଣି ଛିଟା ମାରି ହୋସ ରେ ଅଣା ଗଲା। ପୋଲିସ କହିଲା, ମୃତ ଦେହ କୁ ଶବ ବ୍ୟବଚ୍ଛେଦ ପାଇଁ ପଠା ଯିବ। କିନ୍ତୁ ରାଘବ ର ବାପା ଏଠି ପୂର୍ଣ୍ଣ ରୂପେ ମନା କରିଲେ ଯେ ମୁଁ ଶବ ବ୍ୟବଚ୍ଛେଦ ପାଇଁ ଅନୁମତି ଦେବାକୁ ଚାହୁଁ ନାହିଁ । ତାପରେ ପୋଲିସ କାଗଜରେ ଦସ୍ତଖତ କରି ଶବକୁ ରାଘବର ଘରେ ଆଣି ପହଞ୍ଚାଇ ଦେଲେ। ରାଘବର ମା’ ର ରାଗ ମୋ ଉପରେ ଥାଏ। ସେ ମୋତେ ଯେମିତି କଡ଼ା ନଜର ରେ ଦେଖୁଥିଲେ ଏବଂ କାନ୍ଦି କାନ୍ଦି କେତେ କଣ ଅଭିଶାପ ଦେଇ ଚାଲିଥିଲେ ।

ପରେ ରାଘବର ଶବ ସତ୍କାର କରାଗଲା । ସମସ୍ତେ ଚାଲିଗଲେ ହେଲେ ମୁଁ ସେମିତି ଠିଆ ହୋଇଥାଏ ତା ଜଳନ୍ତା ଶବ ପାଖରେ । ଆଖିରୁ ଲୁହ ନଦୀର ସୁଅ ଭଳି ଝରି ଯାଉଥାଏ। ସାରା ଜୀବନ ପାଖେ ପାଖେ ରହିବ ବୋଲି କଥା ଦେଇଥିଲା ହେଲେ ସେ ଯେମିତି ଦିନେ କହିଥିଲା ସେମିତି ସେହି ଶବ୍ଦ ଗୁଡ଼ିକ ମୋ କାନରେ ଗୁଞ୍ଜରୀ ଉଠୁଥିଲା ଯେ “ସାଙ୍ଗ ରେ ମରିବି ତ ତୋ ଆଖି ଆଗରେ ହିଁ ମରିବି ” ଆଉ ସେମିତି ହିଁ ହେଲା । ଆଉ ମୁଁ ଜାଣି ପାରିଲିନି ଯେ ମୁଁ ଯାହାକୁ ଅଧିକ ଭଲ ପାଉଥିଲି ଏବଂ ମୁଁ ଯାହାକୁ ମୋ ର ଆତ୍ମା ର ଦର୍ଜା ଦେଇଥିଲି ସେ ଏମିତି ଏକ ଅଙ୍ଗେ ନିଭା କାହାଣୀ ସଜେଇ ମୋ ସହିତ ଛଳ କରି ଚାଲିଯିବ ବୋଲି । ସତରେ ବଡ଼ ନିଃସ୍ଵାର୍ଥ ପର ଥିଲା ମୋ ରାଘବ। ଏ ଇର୍ଷାମୟ ଦୁନିଆରେ ମୋତେ ଏକା କରି ସବୁଦିନ ପାଇଁ ଚାଲିଗଲା । ଦେଖୁ ଦେଖୁ ପାଞ୍ଚ ବର୍ଷ ବିତିଗଲା ଏବଂ ମୁଁ ପ୍ରତିଦିନ ସନ୍ଧ୍ୟା ହେଲେ ସେ ନଦୀ କୂଳକୁ ଯାଏ । ଆଉ ପାଗଳ ପରି ତା ଫେରିବା ବାଟକୁ ଚାହିଁ ବସେ । ଏପଟ ସେପଟ ଖୋଜି ବୁଲେ । ପୁଣି ଆଣ୍ଠୁମାଡି ବସି ଭୋ ଭୋ ହୋଇ କାନ୍ଦିବାକୁ ଲାଗେ । ଆଉ ଠିକ୍ ସେତିକି ବେଳେ କଣ ହୁଏ ଜାଣିଛ???
ମୋତେ ଏମିତି ଲାଗେ ଯେ ରାଘବ ମୋ କାନ ପାଖକୁ ଆସି କହି ଦିଏ ” ଏ ସାଙ୍ଗ ତୁ ଡରନି ରେ, ମୁଁ ଶୀଘ୍ର ଆସିବି,,, ଆରେ କହ ? ଗଣେଶଙ୍କ ଠାରୁ ତୋ ପାଇଁ କଣ ଆଣିଦେବି? ଗଣେଶ ଙ୍କ ଶୁଣ୍ଢ ନା ଆଉ କିଛି……….”।

ନରେନ୍ଦ୍ର କୁମାର ସ୍ବାଇଁ ଙ୍କ ଦ୍ଵାରା ଲିଖିତ……

ଗୋଳାବନ୍ଧ, ଗଞ୍ଜାମ ।



କାହାଣୀ ଟି କେମିତି ଲାଗିଲା ମତାମତ ଦେବାକୁ ଭୁଲିବେ ନାହିଁ । ରହିଲି ସାଙ୍ଗ ମାନେ।