Category Archives: #kids story

Homework

ସେଦିନ ଗୋବିନ୍ଦ ଆଜ୍ଞା ଙ୍କ ଟିଉସନ ରେ ସଂଧ୍ୟା ରେ ସମସ୍ତଙ୍କୁ ପ୍ରବଳ ମାଡ଼ । କେତେଟା ବାଡି ଭାଙ୍ଗିଛି ତାର ହିସାବ ନାହିଁ। କେତେ ପିଲା ଭାବିଲେ ଯେ କାଲି ଠାରୁ ଆଉ ଟିଉସନ ଆସିବି ନାହିଁ । କିନ୍ତୁ ଗୋବିନ୍ଦ ଆଜ୍ଞା ଆଉ କାଶୀନାଥ ଆଜ୍ଞା ଙ୍କ ନୀତି ଏକ ସମାନ। ଯଦି ପିଲା ନ ଆସିଲା। ତେବେ ଆଜ୍ଞା ଙ୍କ ସହିତ ଦୁଇଟି ପିଲା ଯିବେ ଯେମିତି ସେ ଦୁଇଟି ପିଲା , ଆସି ନଥିବା ପିଲା କୁ ଟେକି ଆଣି ପାରୁଥିବେ। କିନ୍ତୁ ଏହି କାହାଣୀ ରେ ସେମିତି କିଛି ନାହିଁ ବିଷୟ ଟିକେ ଅଲଗା, କାଶୀନାଥ ଆଜ୍ଞା ଙ୍କ ବିଷୟରେ ଅନ୍ୟ ଏକ କାହାଣୀରେ ପୁଣି କେବେ ପଢ଼ିବା ବର୍ତ୍ତମାନ ପଢ଼ିବା ଗୋବିନ୍ଦ ଆଜ୍ଞା ଙ୍କ କଥା ।

ଟିଉସନ ରେ ପ୍ରତିଦିନ ଲେଖା ଦିଆଯାଏ ମାନେ ହୋମୱର୍କ । ଘରୁ ଲେଖି ଆଣିବାକୁ ପଡେ ଆଉ ମୁଁ ଥିଲି ତଣ୍ଡିପ ଗୋଷ୍ଠୀ ରୁ । ସିଲଟରେ ଖଡ଼ି ଦ୍ଵାରା ଛୋଟ ଛୋଟ କରି ଲେଖିବାକୁ ପଡୁଥିଲା। ମୋ କ୍ଲାସ ର ସମସ୍ତଙ୍କୁ କୁହା ଯାଇଥିଲା । ଆ’ କାର ଠାରୁ ଆରମ୍ଭ କରି ଔ’ କାର ପର୍ଯ୍ୟନ୍ତ ଲେଖି ଆଣିବାର ଥିଲା । ମୁଁ ଏତେ ତଣ୍ଡିପ ଯେ ଟିଉସନ ଯିବା ପୂର୍ବରୁ ହିଁ ଲେଖେ । ତାହା ପୁଣି ଘଣ୍ଟାଏ ପୂର୍ବରୁ ।

ହେଲେ ଭାଗ୍ୟ ର ବିଡମ୍ବନା। ସେଦିନ ସକାଳେ ଘରେ ଛୋଟ ମାଛ ଅଣା ଯାଇଥିଲା । ତାହା ପୁଣି ସହଦେବ ଦାଦା ଆଣି ଦେଇ ଯାଇଥିଲେ । ବୋଉ କଣ କରିଲେ ଯେ ସେ ଛୋଟ ମାଛ ଗୁଡିକୁ ଦୁଇ ଭାଗ କରିଦେଲେ। ଗୋଟିଏ ଭାଗ ତରକାରୀ ହେଲା ଆଉ ଅନ୍ୟ ଭାଗ ଟିକୁ ଭାଜି କରି ରଖା ଗଲା କାରଣ ତାକୁ ସଂଧ୍ୟାରେ  ତରକାରୀ ହେବ । ଘରେ ଭାଇ ଭଉଣୀ ଏବଂ ବୋଉ, ଆମେ ତିନି ଜଣ ମାତ୍ର ସେଦିନ ମୋ ଭଉଣୀ ଯାଇଥାଏ ମାମୁଁ ଘରକୁ । ବୋଉ ତରକାରୀ କରିବା ପରେ ବୋଉ ଙ୍କୁ  ପଡୋଶୀ ଘର ଖୁଡି କିଛି କାମ ପାଇଁ ଡାକିଲେ । ବୋଉ ମୋତେ କହିଲେ ଯେ ମୁଁ ଖୁଡ଼ି ଘରକୁ ଯାଉଛି , ଘଂଟାଏ ଲାଗିବ । ଆସିଲେ ଦୁହେଁ ଖାଇବା। କିନ୍ତୁ ମାଛ କୁ ଦେଖୁଥିବୁ ବିଲେଇ ଖାଇଦେବ। 

ଏତିକି କହି ଚାଲିଗଲେ। ଛୁଟି ଯୋଗୁ ସ୍କୁଲ ବନ୍ଦ ଥିଲା । ବୋଉ ଗଲା ପରେ ମୋର ମନ ଟା ଟିଭି ରେ ଲାଗିଗଲା । ଟିଭି ଲଗେଇ ଦେଖିଲି । ସେପଟେ ବାରି କବାଟ ଖୋଲା ଅଛି ଆଉ ମୁଁ ବାରି କବାଟ ସିଧା ଟିଭି ଆଗରେ ଗୋଟିଏ ଚେୟାର ପକେଇ ଟିଭି ଦେଖୁଥାଏ ଆଉ ବେଳେବେଳେ ବାରି ପଟକୁ ଦେଖୁଥାଏ କାରଣ ବିଲେଇ କାଳେ ଆସିଯିବ । ଟିଭି ଦେଖୁ ଦେଖୁ ମୋତେ କେତେବେଳେ ନିଦ ଆସି ଯାଇଛି ମୁଁ ଜାଣିନି ।

ହଠାତ୍ ମୋ ନିଦ ଭାଙ୍ଗିଲା ଦେଖିଲି ମୋ ସାମ୍ନାରେ ବୋଉ ଠିଆ ହୋଇଛନ୍ତି । ହାତରେ ଗୋଟିଏ ବାଡ଼ି, ଚାଇଁ କରି ମୋ ହାତକୁ ଗୋଟିଏ ବାଜିଲା, ବୋଉ କୁ ପଚାରିଲି କଣ ହେଲା ମୋତେ କାହିଁକି ମାରୁଛ ? ବୋଉ କହିଲେ ଚାଲ ସେ ଘରକୁ ଦେଖିବୁ ତା ପରେ ମୋତେ ପଚାରିବୁ , ମନେ ପଡିଗଲା ମାଛ ତରକାରୀ କଥା ମୁଣ୍ଡରେ ହାତ ଦେଲି । ଦୌଡ଼ି ଗଲି ରୋଷେଇ ଘରକୁ ଦେଖିଲା ବେଳକୁ ତରକାରୀ କଡେଇ ରେ ଗୋଟିଏ ମଧ୍ୟ ମାଛ ନାହିଁ ଖାଲି ସେତିକି ନୁହଁ । କଣ୍ଟା ରେ ଓହଳି ଥିବା ପଲିଥିନ ଭିତରେ ରଖା ଯାଇଥିବା ଭଜା ମାଛ ମଧ୍ୟ ନାହିଁ । ବୋଉ କୁ ଚାହିଁଲି । ଆଉ ଗୋଟିଏ ପାହାର ପଡିଲା ମୋ ଉପରେ, କାନ୍ଦ ବାହାରିଲା ନାହିଁ କାରଣ ଭୁଲ ହୋଇଛି ପରା, ମନ ଭିତରେ କାନ୍ଦି ଦେଲି ଆଉ ପାଟି ଚୁପ୍ । ବୋଉ ରାଗରେ କହିଲେ ଏବେ ଖାଲି ଭାତ ଖାଇବୁ । ଆଉ ସେମିତି ହିଁ ହେଲା ସେଦିନ ଆଚାର ଆଉ ଲୁଣ ମରିଚ ସହିତ ପିଆଜ ଖାଇଲୁ । ଖାଇବା ସମୟରେ ବୋଉ ର ରାଗ ଚେହେରା ମୋତେ ଏବେ ମଧ୍ୟ ମନେ ପଡ଼ିଯାଏ ।

ଏତିକି ଥିଲା ଦିନ ବେଳ ର କଥା । ମାଛ ର ମାଡ଼ ସରିଲା ଏବେ ସଂଧ୍ୟା ମାଡ଼ ବାକି ଅଛି । ସଂଧ୍ୟା ଛଅ ଟା ରେ ଟିଉସନ ଅଛି । ନିଦ ଭାଙ୍ଗିଲା ଚାରି ଟାରେ ଏପଟ ସେପଟ ହେଉ ହେଉ ପାଞ୍ଚଟା ବାଜିଲା । ମନେ ପଡିଗଲା ଯେ ହୋମୱର୍କ କରିବାର ଅଛି, ମୁଁ ବାରି ପିଣ୍ଡା ରେ ଲେଖିବାକୁ ବସିଲି । ଲେଖା ମଧ୍ୟ ସରିଲା । ଠିକ୍ ସେତିକି ବେଳେ ସେ ଚୋର ବିଲେଇ ଆମ ଘରକୁ ଆସିବାକୁ ଲାଗିଲା । ସେ ବିଲେଇ ଆମ ସାହିର ସମସ୍ତଙ୍କ ଘରକୁ ଯାଏ ଆଉ ତାକୁ ସମସ୍ତେ ଭଲ ଭାବରେ ଜାଣିଛନ୍ତି ମଧ୍ୟ । ଦିନ ବେଳର ମାଡ଼ କଥା ମନେ ପଡିଗଲା, ଆରେ ଏଇ ବିଲେଇ ଯୋଗୁ ଆଜି ମୁଁ ମାଡ଼ ଖାଇଛି ତେବେ ୟାକୁ ପାନେ ଦେବାକୁ ପଡିବ ଭାବି ହାତରେ ସିଲଟ ଟା ଥିଲା ତା ଉପରକୁ ଫୋପାଡ଼ି ଦେଲି । ଆଉ ତାପରେ କଣ ହେବ ?? ବିଲେଇ କୁ ତ ବାଜିଲା ନାହିଁ ମୋ ସିଲଟ ଯାଇ ସିଧା ପଡିଲା ଡ୍ରେନ ଭିତରେ ( ଘରୁ ପାଣି ଆସି ଜମା ହେଉଥିବା ଗୋଟିଏ ଗାତରେ ) । ମୋ ମୁଣ୍ଡ ପୁଣି ଖରାପ । ବିଲେଇ ତ ଗଲା ହେଲେ ମୋ ହୋମୱର୍କ ମଧ୍ୟ ଗଲା (ପୁଣି ଟେନ୍ସନ ) ହୋମୱର୍କ ସବୁ ଲିଭି ଯାଇଥିଲା । କଷ୍ଟ ଲାଗିଲା, ସେପଟେ ଟିଉସନ ମାଡ଼ କଥା ଭାବି ଦୁଇ ଧାର ଲୁହ ଆସିଗଲା ମଧ୍ୟ । ମୋ ଦୁଃଖ ଏବେ କିଏ ଶୁଣିବ ? ଆଉ କାହାକୁ ଅବା କହିବି । ପାଞ୍ଚ ମିନିଟ୍ ବାକି ଅଛି ଟିଉସନ ଆରମ୍ଭ ହେବାକୁ, ଏବେ ଚାହିଁଲେ ମଧ୍ୟ ଲେଖି ହେବନି । ସିଲଟ କୁ ଆଣିଲି ପ୍ରାୟ ପାଞ୍ଚ ଥର ସାବୁନ ଲଗେଇ ଧୋଇଲି। ଗୋଟିଏ ବୋଲି ସିଲଟ ତାକୁ ଫୋପାଡ଼ି ପାରିବି ନାହିଁ । ମାତ୍ର ଅଳ୍ପ ଅଳ୍ପ ଗନ୍ଧ ବାହାରୁ ଥିଲା ମଧ୍ୟ…

ଉପାୟ ଶୂନ୍ୟ ଟିଉସନ ସେମିତି ଗଲି । ଟିଉସନ ରେ ସିଲଟ ପକେଇବାକୁ ପଡେ ମାତ୍ର ମୁଁ ଲେଖିନି ପକେଇବି କଣ । ସେମିତି ବସିଥାଏ । ଗୋବିନ୍ଦ ଆଜ୍ଞା କାହାକୁ ପଚାରିବା ପୂର୍ବରୁ ମୋତେ ପଚାରିଲେ ସନ୍ତୋଷ ତୁମର ସିଲଟ କାହିଁକି ରଖି ନାହଁ। ଏତିକି ପ୍ରଶ୍ନରେ ମୋ ଆଖିରୁ ପୁଣି ଲୁହ ବାହାରି ଗଲା । ଦିନରେ ମାଡ଼ ପଡିଥିଲା ଆଉ ଏବେ ପୁଣି ମାଡ଼ ହେବ ଏତିକି ଭାବି ଭାବି ମୋ ଲୁହ ବାହାରି ଗଲା ।  ଗୋବିନ୍ଦ ଆଜ୍ଞା କହିଲେ ମୁଁ ଜାଣିଛି ତମେ ଆଜି ଲେଖି ନାହଁ ନା । ମୁଁ ମୁଣ୍ଡ ହଲେଇ ହଁ କରିଲି। ଗୋବିନ୍ଦ ଆଜ୍ଞା ମୋତେ ପାଖକୁ ଆଣି ଡାକି ବସେଇଲେ ଆଉ କାହଁକି ଲେଖିନ ? ବୋଲି ପଚାରିବା ପରେ ମୁଁ ସକାଳ ଠାରୁ ଆରମ୍ଭ କରି ଘରେ ଘଟିଥିବା ସବୁ ଘଟଣା କୁ ସତ ସତ କହିଲି, ବାକି ସବୁ ପିଲା ମାନେ ମୋ କାହାଣୀ କୁ ମନ ଧ୍ୟାନ ଦେଇ ଶୁଣୁ ଥିଲେ, ଯେମିତି ମୁଁ ବୁଢ଼ୀ ଅସୁରୁଣୀ ର ଗପ କହୁଥିଲି… ଆଉ ଶେଷରେ ଯେତେବେଳେ ସିଲଟ ଡ୍ରେନ ର ପଡିବା କଥା ଶୁଣିବା ପରେ ଗୋବିନ୍ଦ ଆଜ୍ଞା ସହିତ ସବୁ ପିଲା ହସିବାକୁ ଲାଗିଲେ । ମୋତେ ସେତେବେଳେ ଅଳ୍ପ ଲାଜ ଲାଗିଲା । 

ଗୋବିନ୍ଦ ଆଜ୍ଞା କହିଲେ ହଉ ଯାହା ହେଲା ତ ହେଲା, ଏବେ ଯିଏ ନ ଲେଖିକି ଆଣିଛି ସେ ତ ମାଡ଼ ଖାଇବ, ମୁଁ ମନେ ମନେ ସେୟା ହିଁ ଭାବୁଥିଲି, ଆଉ ତାହା ଗୋବିନ୍ଦ ଆଜ୍ଞା ମଧ୍ୟ କହିଦେଲେ । କିନ୍ତୁ ସେମିତି କିଛି ହେଲା ନାହିଁ । ମାନେ ଗୋବିନ୍ଦ ଆଜ୍ଞା କହିଲେ ଯେ ସନ୍ତୋଷ ଆଜି ତମେ ସବୁ ସତ ସତ କହିଦେଲ ସେଥିପାଇଁ ତମକୁ ମାଡ଼ ବାଜିବ ନାହିଁ ମାତ୍ର ତମେ ଏବେ ସଙ୍ଗେ ସଙ୍ଗେ ସବୁ ହୋମୱର୍କ୍ ଏଠି ଲେଖି ମୋତେ ଦେଖାଇବ । ମୁଁ ପୁରା ଖୁସି, ଆଉ ବାକି ପିଲା ମାନେ ମୋ ଉପରେ ଜଳିବାକୁ ଲାଗିଲେ ।

ସେଦିନ ସେମାନେ ଅଧିକ ମାଡ଼ ଖାଇଲେ ଯେଉଁମାନେ ଲେଖି ଆଣି ନଥିଲେ । ସେମାନେ ମଧ୍ୟ କିଛି କିଛି ବାହାନା କରିବାକୁ ଲାଗିଲେ କିନ୍ତୁ ସବୁ ମିଛ ଥିଲା ଆଉ ତାପରେ ଆରମ୍ଭ ହୋଇଗଲା ନିର୍ଦ୍ଧୁମ ମାଡ଼ ର କାର୍ଯ୍ୟକ୍ରମ । ଯେଉଁମାନେ ସେଦିନ ମାଡ଼ ଖାଇଲେ ସେ ସାଙ୍ଗ ମାନେ ମୋ ବିରୁଦ୍ଧରେ କେତେ କଣ ଭାବିଲେ । ମୋତେ କିଛି ଦିନ ପାଇଁ ଅଲଗା ରହିବାକୁ ପଡ଼ିଲା, ସବୁ କଥା ରେ ମୋତେ ଅଣଦେଖା କରା ଯାଉଥିଲା । କିନ୍ତୁ କିଛି ଦିନ ପରେ ସବୁ ଠିକ୍ ହୋଇଗଲା । (ଏଇଟା ପିଲା ଦିନେ ସମସ୍ତଙ୍କ ସହିତ ହୋଇଛି ନା ନାହିଁ ମୁଁ ଜାଣିନି କିନ୍ତୁ ଆମ ବ୍ୟାଚ୍ ର କୋଉ ପିଲା ଯଦି କଣ ଖରପ କରିଲା ତାକୁ ସାଙ୍ଗ ଗୋଷ୍ଠୀ ରୁ କିଛି ଦିନ ପାଇଁ ବାଛନ୍ଦ କରାଯାଉଥିଲା ) ମାତ୍ର ଗୋଟିଏ ଚମତ୍କାର ହୋଇଗଲା ସେଦିନ , କଣ ହେଲା କେଜାଣି ସେଦିନ ଗୋବିନ୍ଦ ଆଜ୍ଞା ମୋ କଥା ଶୁଣି ବହୁତ୍ ଖୁସି ହୋଇଗଲେ ଆଉ ମୁଁ ସବୁ ସତ ସତ କହିଥିବାରୁ ସେ ମୋତେ ବିଶ୍ୱାସ କରିଲେ ଏବଂ ମୋତେ ସମସ୍ତଙ୍କ ଆଗରେ ଗୋଟିଏ ଉଦାହରଣ ସଜେଇ ଦେଇ କହିଲେ ଯେ ଦେଖ ସେ ହୋମୱର୍କ କରିନି ମାତ୍ର ସବୁ ସତ ସତ କହିଥିବାରୁ ତାକୁ ଏମିତି ସୁଯୋଗ ଦିଆଗଲା । 

ସେଦିନ ସବୁଠୁ ବଡ଼ ଉପଲବ୍ଧି ହୋଇଥିଲା ଯେ ସେଦିନ ଠାରୁ ମୁଁ ଗୋବିନ୍ଦ ଆଜ୍ଞା ଙ୍କ ପ୍ରିୟ ଛାତ୍ର ହୋଇ ଯାଇଥିଲି । ଯଦି କେବେ କେବେ ମୁଁ ମିଛ କହେ ତେବେ ମଧ୍ୟ ଗୋବିନ୍ଦ ଆଜ୍ଞା ତାକୁ ସତ ବୋଲି ଭାବୁଥିଲେ । ସେ ବିଶ୍ୱାସ ରେ ସେ ମୋତେ ସଦାବେଳେ ତାଙ୍କ ପାଖରେ ବସିବାକୁ ସୁଯୋଗ ମଧ୍ୟ ଦେଇଥିଲେ । 

ତେବେ ଏତିକି ଥିଲା, ଗଳ୍ପ ଟି, ଆଶା କରୁଛି, ନିଜର ପିଲା ଦିନ କଥା ମଧ୍ୟ ମନେ ପଡ଼ି ଯାଇଥିବ । ଦୁଃଖ କରନି । ଯଦି କିଛି ଅଛି ମୋତେ କୁହ , ତୁମ ପିଲା ଦିନ କାଠ ମଧ୍ୟ ଏଠି ଲେଖି ଦେବା । ହଁ ପିଲା ଦିନ କଥା ଆଜି ମଧ୍ୟ ଅମର ହୋଇ ରହି ଯାଇଛି । ଆଉ

ଆଜି ମଧ୍ୟ ମନେ ପଡେ ସେ ପିଲା ଦିନ ର କିଛି ମୁହୁର୍ତ । କିନ୍ତୁ ଭାଗ୍ୟ ର ବିଡମ୍ବନା ଯେ ଆଜି ଗୋବିନ୍ଦ ଆଜ୍ଞା ଏ ଦୁନିଆରେ ନାହାନ୍ତି କିନ୍ତୁ ତାଙ୍କ କଥା ଗୁଡିକ ଆଜି ମଧ୍ୟ ମନେ ପଡ଼ିଯାଏ ଏବଂ ତାଙ୍କ ଶ୍ରଦ୍ଧାଞ୍ଜଳିର ସମର୍ପଣ  ରୂପରେ ତାଙ୍କ ପାଇଁ ଦୁଇ ଧାର ଲୁହ ବହିଯାଏ  । 

।।ଧନ୍ୟବାଦ ।।

ନୀଳମାଧଵ ଭୂୟାଁ ଙ୍କ ଦ୍ୱାରା ଲିଖିତ……..

ଜଙ୍ଗଲ ରେ ଗୋଟେ ରାତି

ଜଙ୍ଗଲ ରେ ଗୋଟେ ରାତି

ପ୍ରଧାନ ବୁଢ଼ା ଭାରି ଚାଲାକ୍ ବୋଲି ଲୋକେ କୁହନ୍ତି । ପିଲା ବେଳ ର କଥା । କୁହନ୍ତି ତାଙ୍କ ପାଖରେ ସବୁ ପ୍ରଶ୍ନର ଉତ୍ତର ଥାଏ। ସେ ସବୁବେଳେ ଚୁପ୍ ରହିବାକୁ ପସନ୍ଦ କରନ୍ତି ନାହିଁ। କାରଣ ସେ ହେଉଛନ୍ତି ଏକ ନମ୍ୱର୍ ବାଲୁରା ବୁଢ଼ା । କୌଣସି ଗୋଟିଏ ଲୋକ ମଧ୍ୟ ତାଙ୍କ ପାଖରେ ବସନ୍ତି ନାହିଁ । ସବୁବେଳେ ମିଛ ସତ କୁହନ୍ତି ବୋଲି ଗାଁ ଟି ଯାକ ଚର୍ଚ୍ଚା । ତାଙ୍କ କାହାଣୀ କୁ ସମସ୍ତେ ଶୁଣନ୍ତି ଏବଂ ଶେଷରେ କୁହନ୍ତି ,ଧେତ୍ ବେକାର କଥା ଗୁଡାକ କାହିଁକି କହୁଚ କହି ଲୋକେ ଉଠି ଚାଲି ଯାଆନ୍ତି କିନ୍ତୁ ସେ କାହାଣୀ ମଧ୍ୟରୁ ଆଜି ଗୋଟିଏ କାହାଣୀ ଆପଣଙ୍କ ପାଇଁ ଯାହା ମୁଁ ପିଲା ଦିନେ ଶୁଣିଛି ଏବଂ ଆଜି ଆପଣ ପଢ଼ିବେ ।

ତେବେ କୁହନ୍ତୁ ତ କାହାଣୀ ଶୁଣିବାକୁ କାହାକୁ ପସନ୍ଦ ନୁହଁ ତାହା ପୁଣି ରାତିରେ । ମୋ ଭଳି ସମସ୍ତେ କାହାଣୀ ଶୁଣିବାକୁ ପସନ୍ଦ କରନ୍ତି ଏବଂ କାହାଣୀ ଯଦି ବହୁତ୍ ଭଲ ହୋଇଥାଏ ତେବେ ପ୍ରଶ୍ନ ଉପରେ ପ୍ରଶ୍ନ ଆଉ ଯଦି ଅତି ଭଲ ହୁଏ ତେବେ ନିଦ ଆସିବା ସୁନିଶ୍ଚିତ । କଣ ଠିକ୍ କହିଲି ନା?? ଟିକେ ହସି ଦିଅ ?? କିଛି କିଛି କାହାଣୀ ବହୁତ୍ ବୋରୀଙ୍ଗ ଥାଏ । ଆଉ କିଛି କାହାଣୀ ଅଜଣା ଦୁନିଆ ରେ ପହଞ୍ଚେଇ ଦିଏ । ତେବେ ବେଶୀ ଭାଷଣ ନାହିଁ ।

କାହାଣୀ ଆରମ୍ଭ……

( ପ୍ରତ୍ୟେକ ସ୍ଥାନରେ ବୟସ୍କ ଲୋକଙ୍କୁ ସମ୍ମାନ ଦେବା ଉଚିତ୍ କିନ୍ତୁ କାହାଣୀ କୁ ମଜାଳିଆ ଢଙ୍ଗରେ ନ ପଢ଼ିଲେ ମଜା ଆସିବ ନାହିଁ । ତେବେ ବହୁତ୍ ସ୍ଥାନରେ ସମ୍ମାନ ଜନିତ ଶବ୍ଦ କୁ ବ୍ୟବହାର କରା ଯାଇ ନାହିଁ । )

ଦିନ ୧୦ ଟା ରେ ଜାଉ ଭାତ ସହିତ ଲୁଣ ମରିଚ ଆଉ କୁଜି ପିଆଜ ଖାଇବା ପରେ ପେଟ କୁ ଅଣ୍ଡାଳି ପ୍ରଧାନ ବୁଢ଼ା ଦାଣ୍ଡ ରେ ଆସି ବସିଲା । ଦୁଆର ମୁହଁରେ ଧୂପ କାଠି ଡାଙ୍ଗ ଟିକୁ ଆଣି କଷା ଦାନ୍ତ ରୁ କଣ ଗୋଟିଏ ବାହାର କରିବାକୁ ଲାଗିଲା । ହଠାତ୍ ମନେ ପଡିଗଲା । ଆଜି ପାଗ ଟିକେ କୋହଲା ଅଛି ଜଙ୍ଗଲ ଆଡେ ଯାଇ ଟିକେ ବୁଲି ଆସିବା।



ବୟସ ଆସି ୭୦ ଛୁଇଁଲାଣି କିନ୍ତୁ ପ୍ରଧାନ ବୁଢ଼ା ସହିତ କେହି ଚାଲି ପାରିବ ନାହିଁ । ବୁଢ଼ୀ ୫ ବର୍ଷ ତଳୁ ଚାଲି ଗଲାଣି। କିଛି ହୋଇ ନଥିଲା, ଶୀତ ଅଧିକ ଯୋଗୁ ରାତିରୁ ବୁଢ଼ୀ ର ଦେହ ରୁ ପ୍ରାଣ ଚାଲି ଯାଇଥିଲା କୁହନ୍ତି।

ବୁଢ଼ା ଚାଲି ଚାଲି ରେଙ୍ଗୁନ ଯାଇଥିଲା ବୋଲି ମଧ୍ୟ ଲୋକେ କୁହନ୍ତି । ସେଠି କେତେବର୍ଷ ରହି ଚାକିରୀ କରି ପୁଣି ଫେରିଥିଲା । ଆଉ ଯିଏ ରେଙ୍ଗୁନ୍ ଯାଇଛି ତା ସହିତ କିଏ ଅବା ଚାଲି ପାରିବ । ଛୋଟ କାତୀ ଟିଏ ଧରି ବାହାରିଲା ବୁଢ଼ା ଜଙ୍ଗଲ କୁ ।

ଜଙ୍ଗଲ ରେ କିଛି ଶାଳୁଆ ଦାନ୍ତ କାଠି ହାଣି ଗୋଟିଏ ଗଛ ମୂଳେ ବସି ପଡିଲା। କେମିତି କଣ ଆଖି ଲାଗିଗଲା। ହଠାତ୍ ତିନି ଘଣ୍ଟା ପରେ ନିଦ ଭାଙ୍ଗି ଗଲା । ଦେଖିଲା ସଞ୍ଜ ମାଡ଼ି ଆସିଲାଣି। ମାତ୍ର ବୁଢ଼ା ରାସ୍ତା ଭୁଲିଗଲା। ଯୁଆଡ଼େ ଯାଉଛି ରାସ୍ତା ସରୁନି । ଏପଟେ ମେଘୁଆ ପାଗ । ଯଦି ସୂର୍ଯ୍ୟ କିରଣ ପଡି ଥାଆନ୍ତା ତେବେ ପୂର୍ବ ଆଡ଼କୁ ମୁହାଁଇ ଚାଲିଥିଲେ ଗାଁ ଆସି ଯାଆନ୍ତା କିନ୍ତୁ ବୁଢ଼ା ର ଭାଗ୍ୟ ଖରାପ। ସେ ପୁଣି ଫେରୁଛି ଆଉ ଗୋଟିଏ ରାସ୍ତାରେ, ସେ ରାସ୍ତା ମଧ୍ୟ ସରୁନି । ଶେଷରେ ରାସ୍ତା ଖୋଜି ଖୋଜି ୨ ଘଣ୍ଟା ରୁ ଅଧିକ ହୋଇଗଲା। ବୁଢ଼ା ଭାବିଲା । ଅନ୍ଧାର ହେଲାଣି । ଆଉ ପାରିବିନି କହି ଗୋଟିଏ ବଡ ଶାଳ ଗଛ ଉପରେ ଚଢି ପଡ଼ିଲା ଏଵଂ ଉପରେ ଚାଦର ରେ ଦୋଳି କରି ସେଠି ଶୋଇବା ପାଇଁ ବ୍ୟବସ୍ଥା କରିବାକୁ ଲାଗିଲା ।

ସାଙ୍ଗରେ କିଛି ଖଜୁରୀ କୋଳି ଆଉ କିଛି କନ୍ଧ ମୂଳ ମଧ୍ୟ ରଖିଥିଲା ଘରକୁ ନେବା ପାଇଁ । ମାତ୍ର ସେ କଣ ଜାଣିଥିଲା ଯେ ଆଜି ରାତିକ ତାର ଗଛ ଉପରେ କଟିବ ବୋଲି । ଦେଖୁ ଦେଖୁ ରାତି ବଢ଼ିବାକୁ ଲାଗିଲା । ସମୟ ବଢ଼ି ବଢ଼ି ଯାଉଥାଏ ।

ସେ ସମୟରେ ଗଧିଆ ବାଘ ଜଙ୍ଗଲରେ ରୁହନ୍ତି ଏବଂ ବେଳେବେଳେ ଭାଲୁ ମଧ୍ୟ ଆସନ୍ତି । ସେ ଭୟ ମଧ୍ୟ ଥିଲା । ଯଦି ଭାଲୁ ଜାଣେ ତେବେ ତାକୁ ମାରି ନିଶ୍ଚୟ ଖାଇ ଦେବ । କାରଣ ଭାଲୁ ସହଜରେ ଗଛ ଚଢି ପାରିବ । ଚୁପ୍ ଚାପ୍ ତଳକୁ ଅନେଇ ଶୋଇ ବାକୁ ଚେଷ୍ଟା କରିଲା । ଜହ୍ନ ଆଲୁଅ ପଡୁଥିଲା । ଗଛ ମୂଳ ଅଳ୍ପ ଅଳ୍ପ ଦେଖା ଯାଉଥିଲା ।

ଏମିତି ମନଛୁଆଁ ଗଳ୍ପ ପଢ଼ିବା ପାଇଁ ଏହି Channel ରେ ଜଏନ କରନ୍ତୁ ।



ସେଦିନ ରାତିରେ ପ୍ରଧାନ ବୁଢ଼ା ଯାହା ଦେଖିଲା ତା ଜୀବନରେ ଆଉ କେହି ଦେଖି ନଥିବେ । ସେ ଦେଖିଲା ଯେ ସେଦିନ ଜଙ୍ଗଲ ରେ କିଛି ଗୋଟିଏ ସଭା ହେଉଥିଲା । ସବୁ ପଶୁ ମାନେ ଗୋଟିଏ ପରେ ଗୋଟିଏ ଆସୁଥାନ୍ତି ଏବଂ ସେହି ଗଛ ପାଖରେ ହିଁ ସେମାନଙ୍କ ଭିଡ ଜମି ଥିଲା ।

ପ୍ରଥମେ କିଛି ବିଲୁଆ ଆସିଲେ । ପରେ ଦୁଇ ତିନିଟା ଗଧିଆ ବାଘ ଆସିଲେ । ଧିର ସ୍ୱର ରେ ସମସ୍ତେ ଆସି ସେଠି ଭିଡ ଜମାଇଥିଲେ । କିଛି ବଣୁଆ ଘୁଷୁରୀ(ବାରହା) ଆସିଲେ । ତାପରେ ଭାଲୁ ଆସିଲା ଏବଂ ଶେଷରେ ଚିତା ଭାଗ ଟିଏ ଆସିଲା । ଏତିକି ସବୁ ବୁଢ଼ା ଦେଖୁଥିଲା ଏପଟେ ତାକୁ ଡର ମଧ୍ୟ ମାଡୁ ଥିଲା । କାଳେ ଯଦି ଚାଦର ଛିଣ୍ଡି ଗଲା ତେବେ ଆଜି ସବୁ ପଶୁ ମାନେ ମିଶି ମୋର ରାତ୍ରି ଭୋଜନ କରି ଦେବେ କିନ୍ତୁ ତାହା ସମ୍ଭବ ନଥିଲା କାରଣ ଜୀବନକୁ କାହାର ଭୟ ନାହିଁ । ସେ ଆଗରୁ ଟାଣ କରି ବାନ୍ଧି ରଖିଥିଲା । ସମସ୍ତେ ଆସି ରୁଣ୍ଡ ହେଲେ ହେଲେ ଏମିତି ଲାଗୁଥିଲା ଯେ ତଥାପି ସେମାନେ ଆଉ କାହାକୁ ଅପେକ୍ଷା କରି ଥିଲେ ।


କିଛି ସମୟ ପରେ ଆଉ ଜଣେ ଆସିଲା । ତାକୁ ଦେଖି ପ୍ରଧାନ ବୁଢ଼ା ର ଯେମିତି ଏକ ବାହାରି ଯିବ ଭଳି ଅନୁଭବ ହେଲା । ପ୍ରାୟ ୯ଫୁଟ ଉଚ୍ଚତା, ବାଘ ଛାଲର ବସ୍ତ୍ର, ଲମ୍ବା ବାଳ ଏବଂ ଗୋଟିଏ ସିଂହ ମୁଣ୍ଡ ର ମୁଖା ଟିଏ ପିନ୍ଧିଥିବା ଗୋଟିଏ ବିରାଟ ମଣିଷ ଟିଏ। ସେ ଆସିଲା ବେଳେ ଯେମିତି ତାର ପଛରେ କିଛି ଆଲୋକ ତାକୁ ଅନୁସରଣ କରୁଥିଲେ। ସେ ମଣିଷ ଟି ଯେମିତି ଚମକୁ ଥିଲା। ବୁଢ଼ା କୁ ଅଳ୍ପ ନିଦ ଆସୁଥିଲା । ତାକୁ ଦେଖି ତାର ସବୁ ନିଦ ଉଡିଗଲା । ସେ ବିରାଟ ମଣିଷ ଟି ଯେତେବେଳେ ଆସି ପହଞ୍ଚିଲା । ଜଙ୍ଗଲ ରେ ରୁଣ୍ଡ ହୋଇଥିବା ସମସ୍ତ ପଶୁ ମାନେ ମୁଣ୍ଡ ନୁଆଇଁ ପ୍ରଣାମ କରିଲେ । ବୁଢ଼ା ଭାବୁଥାଏ ଏ ଲୋକଟି କିଏ ? ପ୍ରଧାନ ବୁଢ଼ା ବହୁତ୍ ଚାଲାକ୍ ଥିଲେ ମଧ୍ୟ, ସେ ସେଠି ଚୁପ୍ ରହିବା ପାଇଁ ଉଚିତ୍ ମନେ କରିଲା। ତାର ଟିକେ ଚଗଲାମି ରେ ତାର ଜୀବନ ମଧ୍ୟ ଚାଲି ଯାଇ ପାରେ।

ବିରାଟ ମଣିଷ ଆସି ସମସ୍ତ ପଶୁ ମାନଙ୍କୁ କିଛି ଶବ୍ଦ ମାଧ୍ୟମରେ କହିବାକୁ ଲାଗିଲା । ବୁଢ଼ା ସେ ଶବ୍ଦ କୁ ପ୍ରଥମ କରି ଶୁଣୁ ଥିଲା । ମାତ୍ର ସେ ବୁଝି ପାରୁ ନଥିଲା । ପ୍ରାୟ ୪୦ ମିନିଟ୍ ପାଖାପାଖି ଏମିତି ସଭା ପରେ ସେ ବିରାଟ ମଣିଷ ଏତେ ଶୀଘ୍ର କୁଆଡେ ଚାଲିଗଲା, ପ୍ରଧାନ ବୁଢ଼ା ମଧ୍ୟ ଜାଣି ପାରିଲା ନାହିଁ । ତାପରେ ପଶୁ ମାନେ ଯିଏ ଯୁଆଡେ ଚାଲି ଗଲେ ।

ନୀଳମାଧବ ଭୂୟାଁ ଙ୍କ ଦ୍ଵାରା ଲିଖିତ



ପଶୁ ମାନଙ୍କ ସଭା ତ ସରିଗଲା ହେଲେ ପ୍ରଧାନ ବୁଢ଼ା ର କିଛି ସମୟ ପାଇଁ ନିଦ ହଜିଗଲା । ଅନେକ ପ୍ରଶ୍ନ ?? ସେ ଲୋକଟି କିଏ ?? ସେ ଏମିତି ମୁଖା ପିନ୍ଧି କାହିଁକି ଆସିଥିଲା ?? ସେ ପଶୁ ମାନଙ୍କୁ କଣ ଆଦେଶ ଦେଇ ଚାଲି ଗଲା ?? କଣ ସେ ଏହି ଜଙ୍ଗଲ ର ରାଜା ?? ନା ସର୍ଦାର?? ଏମିତି କେତେ ପ୍ରଶ୍ନ ? ଭାବି ଭାବି ବୁଢ଼ା କୁ କିଛି ଘଣ୍ଟା ପରେ ନିଦ ଆସିଗଲା।

ଆଖି ଖୋଲିଲା ବେଳକୁ ସକାଳ ହୋଇ ଯାଇ ଥାଏ। ଧୀରେ ଧୀରେ ତଳକୁ ଓହ୍ଲାଇଲା । ରାତିରେ ସେ ବିରାଟ ମଣିଷ ଟି ଧରିଥିବା ଲମ୍ବା ବାଡି ରଖିଥିବା ସ୍ଥାନକୁ ଗଲା । ସେଠି ବାଡି ରଖିବାର କିଛି ଚିହ୍ନ ଥିଲା । ବୁଢ଼ା ର ମନରେ ପୁଣି ଡର ମାଡ଼ି ବସିଲା । ବୁଢ଼ା ଯେତେ ଶିଘ୍ର ପାରିଲା ସେ ଜଙ୍ଗଲ ଛାଡ଼ି ସୂର୍ଯ୍ୟ କିରଣ କୁ ଅନୁସରଣ କରି ଗାଁ ରେ ଆସି ପହଞ୍ଚିଲା।

ସେଦିନ ବୁଢ଼ା କୁ ଭୀଷଣ ଜ୍ଵର। ବୁଢ଼ା ଗତ ରାତିରୁ କିଛି ଖାଇନି। ତୁଳସୀ ପତ୍ର ଆଉ କିଛି ମସଲା ଗୁଣ୍ଡ କରି ତାକୁ ସିଝାଇ ପିଇଲା। ରୋଷେଇ କରି ପାରିଲା ନାହିଁ । ସାଥିରେ ଆଣିଥିବା କନ୍ଧ ମୂଳ କୁ ଖାଇ ସେଦିନ ଶୋଇଲା ।

ତା ପର ଦିନ ବୁଢ଼ା ର ଜ୍ଵର ତ ଠିକ୍ ହୋଇଗଲା । ହେଲେ ସେ ପ୍ରଶ୍ନ ର ଉତ୍ତର ସେ କୋଉଠୁ ପାଇବ ?? କିଏ ଦେବ? ତାର ପ୍ରଶ୍ନ ର ଉତ୍ତର । ଏମିତି ରେ ଗାଁ ଲୋକେ କୁହନ୍ତି ଏ ତ ପାଗଳ ବୁଢ଼ା ଟା । ପୁଣି ଏହି କଥା କହିବି ତେବେ ମୋତେ ସତରେ ପାଗଳ କରି ରାଞ୍ଚି ପଠେଇ ଦେବେ ।

ତଥାପି ବୁଢ଼ା ପାଖରେ ଯେଉଁ ଲୋକ କଥା ହେବାକୁ ବସୁଥିଲେ ସେ ସମସ୍ତଙ୍କୁ ଏହି କଥା କହିଲା । ସମସ୍ତେ ହସିଲେ । ବେକାର କଥା ?? ବିରାଟ ମଣିଷ ?? ତାକୁ ପୁଣି ଚିତା ବାଘ, ଆଉ ଭାଲୁ ମୁଣ୍ଡିଆ ମାରୁଛି?? ହା ହା ହା, ହସି ହସି ଲୋକେ ତାର ମଜା ଉଡେଇ ବାକୁ ଲାଗିଲେ । କିନ୍ତୁ ପ୍ରକୃତରେ ବୁଢ଼ା ଉତ୍ତର ପାଇ ପାରିଲା ନାହିଁ । ଗାଁ ସାରା ସମସ୍ତ ଲୋକଙ୍କ ପାଖେ ଖବର ପହଞ୍ଚି ଗଲା ଯେ ବୁଢ଼ା ପୁଣି ଜଙ୍ଗଲ ର ସର୍ଦାର କୁ ଦେଖିଲା ସେ ପୁଣି ମଣିଷ ଟିଏ ??

କେହି ମଧ୍ୟ ବୁଢ଼ା ର କଥା କୁ ବିଶ୍ୱାସ କରିଲେ ନାହିଁ । ଶେଷରେ ବୁଢ଼ା ର ପ୍ରଶ୍ନ , ପ୍ରଶ୍ନ ରେ ହିଁ ରହିଗଲା । କିଛି ବର୍ଷ ପରେ ବୁଢ଼ା ମଧ୍ୟ ଆର ପାରି କୁ ଚାଲିଗଲା। ବୁଢ଼ା ର ପ୍ରଶ୍ନ ର ଉତ୍ତର କେହି ଦେଇ ପାରିଲେ ନାହିଁ ।

ହେଲେ ଏହି କାହାଣୀ କୁ ଗାଁ ର ସବୁ ଲୋକ ଶୁଣିଲେ କିଏ ବିଶ୍ୱାସ କରିଲା ତ କିଏ ନାହିଁ ?

ତେବେ ଏଠି ମୋର ପ୍ରଶ୍ନ ଯେ?? କଣ ସତରେ ଏମିତି ସମୟ ଥିଲା ?? ଆଉ ସେ ମୁଖା ପିନ୍ଧା, ବାଘ ଛାଲ ପିନ୍ଧା ବିରାଟ ମଣିଷ ଟା କିଏ ??


ଆଉ ଆଜି ପର୍ଯ୍ୟନ୍ତ ପ୍ରଧାନ ବୁଢ଼ା ର କଥା ଗୁଡାକ କାହାଣୀ ହୋଇ ରହିଗଲା । ସେ ପ୍ରଶ୍ନ ର ଉତ୍ତର ଆଜି ପର୍ଯ୍ୟନ୍ତ ମିଳିଲା ନାହିଁ ।

ଯଦି ଉତ୍ତର ଥାଏ ତେବେ କମେଣ୍ଟ ବକ୍ସ ରେ ଲେଖିବାକୁ ସଙ୍କୋଚ କରିବେ ନାହିଁ।


ଏହି କାହାଣୀ ଟି କେମିତି ଲାଗିଲା ଜଣାଇବାକୁ ଅନୁରୋଧ ।

ନୀଳମାଧବ ଭୂୟାଁ ଙ୍କ ଦ୍ଵାରା ଲିଖିତ…



@bhuyansblog