Category Archives: story

ଗାଁ କୁ ବାଘ ଆସିଛି…

ଓଡ଼ିଆ କାହାଣୀ , ଗାଁ କୁ ବାଘ ଆସିଛି

କାହାଣୀ ଟି ୨୫ ବର୍ଷ ତଳର। ଗାଁ ରେ କୋକୁଆ ଭୟ ଆରମ୍ଭ ହୋଇଛି । କିଏ କହେ ଗଧିଆ ବାଘ ଆଉ କିଏ କହେ ଚିତା ତ ଆଉ କିଏ ମହାବଳ ବାଘ ବୋଲି । ସମସ୍ତଙ୍କ ମନରେ ସେହି କଥା ଯେ “ଗାଁ କୁ ବାଘ ଆସିଛି” । ହେଲେ ସମସ୍ତଙ୍କୁ ଅଜଣା । ପ୍ରତ୍ୟେକ ରାତିରେ କାହାର ବାଛୁରୀ ନହେଲେ କାହାର ଗାଇ ଗାୟବ୍ ହେଉଥିଲା ।

କିନ୍ତୁ ଗତ ରାତିରେ ମୁଖିଆ ଘର ଙ୍କ ଗୁହାଳ ରୁ ଗୋଟିଏ ମଇଁଷି ଉପରେ ଆକ୍ରମଣ ହୋଇଛି । ପାହାନ୍ତି ସମୟ 50 ରୁ ଅଧିକ ଲୋକ ମୁଖିଆ ଙ୍କ ଗୁହାଳ ଆଡ଼କୁ ଅନେଇ ରହିଥାନ୍ତି । ଗୁହାଳ ରେ ମଇଁଷି ବନ୍ଧା ହୋଇଛି ସତ ମାତ୍ର ପଛ ପଟ ଦୁଇ ଗୋଡ଼ ଏବଂ ପେଟ ଆଡୁ ଅଧା ବାଘ ଖାଇ ଦେଇଛି। ଗୁହାଳ ସାରା ରକ୍ତ ମାତ୍ର ମଇଁଷି ସେତେବେଳ ପର୍ଯ୍ୟନ୍ତ ମରଣ ସହ ଲଢେଇ କରୁଛି ଏବଂ ପ୍ରାୟ ଗୋଟିଏ ଘଣ୍ଟା ପରେ ତାର ଜୀବନ ଚାଲିଗଲା।

ଗାଁ ରେ ଏହି ଘଟଣା କୁ ମିଶେଇ ୮ ନମ୍ବର୍ ଘଟଣା । ଗାଁ ରେ ସଭା ବସିଲା ଏବଂ ରାତିରେ ସମସ୍ତେ ଠେଙ୍ଗା, ଟାଙ୍ଗିଆ ଆଉ କାତି ଧରି ଏକାଠି ହୋଇ ଗାଁ ସାରା କିଛି କିଛି ସ୍ଥାନରେ ଲୁଚି ବସିଲେ। ହେଲେ ସମସ୍ତଙ୍କ ମନରେ ଭୟ ଥାଏ ପ୍ରକୃତ ସେୟା କଣ ??

ରାତି ପ୍ରାୟ ୨ଟା ଜହ୍ନ ଆଲୁଅ ପଡ଼ିଥାଏ। ବାଘ ପଶୁ ମାନଙ୍କୁ ଖାଏ ଯଦି ସେହି ଜାଗାରେ ମଣିଷ ମିଳେ ସେ ମଣିଷ କୁ ମଧ୍ୟ ଛାଡ଼ିବ ନାହିଁ । ନଦୀ ପଠା ପାଖରେ କିଛି ଲୋକ ଲୁଚି ବସିଥିଲେ । ଜଙ୍ଗଲ ଆଡୁ ନଦୀ ପଠା ହୋଇ ଦୁଇଟି ଛୋଟ ମହାବଳ ବାଘ ଗାଁ ଭିତରକୁ ପଶି ଆସିଲେ। ଉଚ୍ଚତା ଛୋଟ ଥିଲା ଭଳି ଲାଗୁଥିଲା। ବାଘ ମୁହଁରେ ରକ୍ତ ଲାଗିଛି। ଲୁଚି ଥିବା ଲୋକେ ବାଘ ଉପରକୁ ପ୍ରହାର କରିବା ପାଇଁ ପଛ ଘୁଞ୍ଚା ଦେଲେ। କିନ୍ତୁ ସେଥିରେ ଜଣେ ସାହାସୀ ବ୍ୟକ୍ତି ବାଘ ଆଡକୁ ଟାଙ୍ଗିଆ ପ୍ରହାର କରିବା ପାଇଁ ଆଗକୁ ମାଡ଼ି ଆସିଲା। କିନ୍ତୁ ବାଘ ଏକୁଟିଆ ବ୍ୟକ୍ତି ଦେଖି ସେ ଲୋକ କୁ ବାଘ ଓଲଟା ଆକ୍ରମଣ କରିଲା। ବ୍ୟକ୍ତି ଜଣଙ୍କ ବାଘ ଆକ୍ରମଣରେ ଖଣ୍ଡିଆ ଖାବରା ହୋଇ ପଡ଼ି ରହିଥାଏ। ସେପଟେ ବାଘକୁ ମଧ୍ୟ ଟାଙ୍ଗିଆ ର ଚୋଟ ଲାଗିଛି ସେ ପ୍ରାଣ ବିକଳରେ ଫେରିଗଲା ଜଙ୍ଗଲ କୁ। ବ୍ୟକ୍ତି ଜଣଙ୍କ ଖଣ୍ଡିଆ ଖାବରା ହୋଇ କଷ୍ଟରେ ପାଟି କରୁଥାଏ। ବାଘ ଗଲା ପରେ ଗାଁ ଲୋକ ଦଉଡି ଆସିଲେ। ତାକୁ ଉଠେଇ ନେଲେ ଗାଁ ଭିତରକୁ । ଗାଁ ବଇଦ ତାକୁ ଚିକିତ୍ସା କରିବାକୁ ଲାଗିଲେ ।

ସେଦିନ ରାତିରେ ପୁଣି ସଭା ବସିଲା । ସମସ୍ତେ ଏକାଠି ହୋଇ ଆଜି ବାଘ କୁ ଉଚିତ୍ ପାନେ ଦେବେ ବୋଲି ସମସ୍ତେ ପୁଣି ଲୁଚି ବସିଲେ। ରାତି ଧୀରେ ଧୀରେ ବଢ଼ି ଚାଲିଲା । ଦେଖୁ ଦେଖୁ ପାହାନ୍ତି ହେବାକୁ ବସିଲା । କିନ୍ତୁ ବାଘ ର ଦେଖା ନାହିଁ । ସକାଳେ ସମସ୍ତେ ଭାବିଲେ ଯେ ବାଘ ବୋଧେ ଡରିଗଲା ।

ଗାଁ ଲୋକ ଙ୍କ କଥା ମଧ୍ୟ ସତ ହେବାକୁ ଲାଗିଲା। ଦେଖୁ ଦେଖୁ ୫ ଦିନ ପର୍ଯ୍ୟନ୍ତ ସମସ୍ତେ ଜଗି ବସିଲେ ମାତ୍ର ବାଘ ର ଦେଖା ନାହିଁ । ହେଲେ ବାଘ ମଧ୍ୟ ଲୋକ ମାନଙ୍କ ଗତିବିଧି କୁ ନଜର ରଖୁଥିଲା । ଲୋକେ ମଧ୍ୟ ଆଉ ଜଗି ବସିଲେ ନାହିଁ। ବାଘ ମଧ୍ୟ ଅପେକ୍ଷା କରି ରହିଥାଏ କୋଉ ଦିନ ଲୋକେ ଆସିବେ ନାହିଁ ସେଦିନ ଦେଖି ସେ ପୁଣି ଥରେ ଗାଁ ଭିତରେ ପଶି ଗୋଟିଏ ବାଛୁରୀ କୁ ନେଇଗଲା। ଏଥର ଲୋକେ ଜଙ୍ଗଲ ବିଭାଗ ଅଫିସର ଙ୍କୁ ପୂର୍ବରୁ ଜଣେଇ ରଖିଲେ। ଜଙ୍ଗଲ ବିଭାଗ ଅଧିକାରୀ ସହିତ ୫ ରୁ ୭ ଜଣ ଜଙ୍ଗଲ ବିଭାଗ ର ଲୋକ ବାଘ ଗାଁ ଭିତରେ ପ୍ରବେଶ କରୁଥାଏ ରାସ୍ତାରେ ଜାଲ ଲଗେଇ ଲୁଚି ବସିଲେ ।

ଜଙ୍ଗଲ ବିଭାଗ ଅଧିକାରୀ ମଧ୍ୟ ରାତି ସାରା ବସି ରହିଲେ ମାତ୍ର ବାଘ ର ଦେଖା ନାହିଁ। ବାଘ ର ଚତୁରତା କୁ ଗାଁ ଲୋକେ ଅଳ୍ପ ବୁଝି ବାଘ ଯେମିତି ନ ଜାଣି ପାରିବ ସେଭଳି ଭାବେ ଲୁଚି ରହିଲେ। ହେଲେ ଏମିତି ପୁଣି ୩ ଦିନ ବିତିଗଲା । ଏଥର ଜଙ୍ଗଲ ବିଭାଗ ଅଧିକାରୀ କହିବାକୁ ଲାଗିଲେ ଯେ ତୁମେ ଗାଁ ଲୋକ ସମସ୍ତେ ମିଶି ଆମକୁ ବୋକା ବନାଉଛ ନା କଣ? ଗାଁ ଲୋକଙ୍କ ପାଖେ କିଛି ଉତ୍ତର ନଥିଲା । ଗାଁ ଲୋକେ ବୁଝେଇ ବାକୁ ଯାଇ କହିବାକୁ ଲାଗିଲେ। ଏହା ସତ ଯେ ବାଘ ଆସୁଛି କିନ୍ତୁ ଏହି ୩ ଦିନ ହେଲା ସେ ଆସୁନି ତେବେ ଆମେ ଆପଣଙ୍କୁ କେମିତି ପ୍ରମାଣ ଦେବୁ ।

ସମସ୍ତ ଗାଁ ଲୋକ ଙ୍କ ଅନୁରୋଧ କ୍ରମେ ଜଙ୍ଗଲ ଅଧିକାରୀ ଆଉ ଗୋଟିଏ ରାତି ଜଗି ବସିବେ ବୋଲି କହିଲେ ଏବଂ ସର୍ତ୍ତ ଅନୁଯାୟୀ ଯଦି ଆଜି ରାତିରେ ବାଘ ଯଦି ନ ଆସେ ତେବେ ତୁମ ଗାଁ ର ମୁଖିଆ କୁ ଆମ ର ସମୟ ଖରାପ କରିଥିବା ଅଭିଯୋଗ ରେ ଜେଲ୍ ରେ ଦେବୁ। ଗାଁ ମୁଖିଆ ମଧ୍ୟ ଆଶ୍ଚର୍ୟ୍ଯ । ସେ ଜଙ୍ଗଲ ଅଧିକାରୀ କୁ ଏହା କହିଲା ଯେ। ଅଧିକାରୀ ବାବୁ ମୁଁ କଥା ଦେଉଛି ଯଦି ଆଜି ନ ଆସିଲା ତେବେ ଆମେ ମିଥ୍ୟା ପ୍ରମାଣିତ ହେବୁ ଏବଂ ମୋତେ ଆପଣ ଜେଲ ରେ ଦେଇ ପାରନ୍ତି କିନ୍ତୁ ଆଜି ରାତିକ ଅପେକ୍ଷା କରନ୍ତୁ।
ଜଙ୍ଗଲ ଅଧିକାରୀ ଗାଁ ମୁଖିଆ ଙ୍କ କଥା ରେ ରାଜି ହୋଇ ରାତିରେ ପୁଣି ଜଗି ବସିଲେ। ରାତିରେ ଜହ୍ନ ଆଲୁଅ ରେ ଚାରିଆଡ଼େ ସଫା ଦେଖାଯାଉଥାଏ।

ରାତି ପ୍ରାୟ ଦୁଇଟା ହେବାକୁ କିଛି ସମୟ ବାକି ଥାଏ। ଗୋଟିଏ ବାଘ ଗାଁ ଭିତରକୁ ପଶି ଆସିଲା ଏବଂ ଯୋଜନା ଅନୁସାରେ ଗାଁ ମଝିରେ ବାଘ ପହଞ୍ଚିଲା ପରେ ଗାଁ ର ସମସ୍ତ ଲୋକେ ନିଆଁ ଧରି ବାଘକୁ ଚାରିପଟେ ଘେରି ଗଲେ । କିନ୍ତୁ ସମସ୍ତଙ୍କ ମନରେ ଭୟ ଥାଏ । ତଥାପି ସାହସ କରି ନିଆଁ କୁ ଧରି ବାଘ କୁ ଡରେଇ ଡରେଇ ଜାଲ ଲଗା ଯାଇଥିବା ସ୍ଥାନକୁ ନେବାକୁ ଲାଗିଲା । ଜାଲ ଭିତରେ ବାଘ ପଡ଼ିବାକୁ ଯାଉଥିଲା। ଜାଲ ଧରି ଥିବା ଦୁଇ ଜଣ ଜଙ୍ଗଲ ଅଧିକାରୀ ଥିଲେ। ବାଘ ନିଜ ଜୀବନ ବଞ୍ଚାଇବା ପାଇଁ ସେ ଦୁଇ ଜଣ ଅଧିକାରୀ ଉପରେ ପୁନଃ ଆକ୍ରମଣ କରିଲା। ଏଥିରେ ଜଣେ ଅଧିକାରୀ ଙ୍କ ହାତ କୁ କାମୁଡି ଏବଂ ଅନ୍ୟ ଜଣଙ୍କ ଛାତି କୁ ରାମ୍ପି ବାଘ ପୁଣି ଜଙ୍ଗଲ ରେ ଲୁଚିଗଲା।

ଗାଁ ଲୋକେ ପୁଣି ନିରାଶ ହୋଇଗଲେ। ଆଜି ମଧ୍ୟ ବାଘ ଆମ ହାତ ପାହାନ୍ତରୁ ବଞ୍ଚି ଚାଲିଗଲା। କିନ୍ତୁ ଜଙ୍ଗଲ ଅଧିକାରୀ ହାର ମାନିଲେ ନାହିଁ । ସେ ଅନ୍ୟ କେତେଜଣ ଜଙ୍ଗଲ ଅଧିକାରୀ ଙ୍କୁ ଡକେଇ ସକାଳୁ ସକାଳୁ ବାଘ ର ସନ୍ଧାନ ରେ ଲାଗି ପଡ଼ିଲେ। ରାତିର ଜଳନ୍ତା ନିଆଁ କୁ ଦେଖି ବାଘ ମନରେ ମଧ୍ୟ ଭୟ ସୃଷ୍ଟି ହୋଇଯାଇଥିଲା। ବାଘ ମଧ୍ୟ ଜଙ୍ଗଲ ଛାଡ଼ି ପାଖରେ ଥିବା ପର୍ବତ ଉପରକୁ ଚାଲିଗଲା ବୋଲି ଜଙ୍ଗଲ ଅଧିକାରୀ କହିଲେ। କିନ୍ତୁ ଏପଟେ ଗାଁ ଲୋକଙ୍କ ମନରେ ଭୟ ପୁଣି ରହିଲା। କିଛି ଦିନ ସଚେତ ରହିଲେ। ମାତ୍ର ସେଦିନ ରାତିରେ ଗାଁ ରେ ସବୁ ଲୋକଙ୍କ ଏକ ଜୁଟ ଦେଖି ବାଘ ମଧ୍ୟ ସବୁଦିନ ପାଇଁ ସେ ଗାଁ ଆଉ ସେ ଜଙ୍ଗଲ କୁ ସବୁଦିନ ପାଇଁ ବିଦାୟ ଦେଇ ସାରିଥିଲା। ସେଦିନ ଠାରୁ ଗାଁ ରେ ଆଉ ବାଘ ର ଦେଖା ନଥିଲା।

ତେବେ କାହାଣୀ ଟି କିଛି ସତ୍ୟ ଘଟଣା ଉପରେ ଆଧାରିତ । ତେବେ ମୋର ଆଶା ଯେ କାହାଣୀ ଟି ଆପଣଙ୍କ ମନ କୁ ନିଶ୍ଚୟ ଛୁଇଁଥିବ ।

ଯଦି ଭଲ ଲାଗିଛି ତେବେ ଅନ୍ୟ ମାନଙ୍କୁ ସେୟାର କରିବାକୁ ଭୁଲିବେ ନାହିଁ।

ନୀଳମାଧବ ଭୂୟାଁ ଙ୍କ ଦ୍ଵାରା ଲିଖିତ….

ପାଣି ନୁହଁ ସେ ଗଙ୍ଗା ପାଣି

ଓଡ଼ିଆ କାହାଣୀ

ଜୀବନରେ ମଣିଷ ତାର ବହୁତ କଷ୍ଟ ଓ ନିଷ୍ଠାର ସହ କାମ କରି ତା ଜୀବନ ଶୈଳୀକୁ ଛୋଟ ରୁ ବଡ଼ କରି ଥାଏ । ତେବେ କାହାଣୀ ଆରମ୍ଭ ହୁଏ ମାଣିକପୁର ନାମକ ଛୋଟିଆ ଗାଁ ରୁ । ମହେନ୍ଦ୍ର ବାବୁ ଙ୍କ ଛୋଟ ପରିବାର, ମୂରବୀ ରୂପରେ ଘରକୁ ଦୃଢ଼ କରି ରଖିଥିଲେ। ପରିବାର ରେ ସ୍ତ୍ରୀ ମିରା, ପୁଅ ଲିଟୁ ଓ ଝିଅ ଲିପ୍ସା । ମହେନ୍ଦ୍ର ବାବୁ ଜଣେ କୃଷକ ତାଙ୍କ ସହ ତାଙ୍କ ପରିବାର ମଧ୍ୟ କାମରେ ହାତ ବଢ଼ାଉ ଥିଲେ।

ସାନ ଭାଇ ସୁରେନ୍ଦ୍ର ବିଦେଶରେ ରହୁଥାଏ। ଖରା ଛୁଟି ଯୋଗୁଁ ସେ ବହୁତ ଦିନ ପରେ ଗାଁ କୁ ଆସିବାକୁ ଇଚ୍ଛା କରିଛନ୍ତି ବୋଲି ମହେନ୍ଦ୍ର କୁ ଜଣାଇଲେ। ଏହା ଶୁଣି ମିରା ଓ ଲିପ୍ସା ବହୁତ ଖୁସି ଥିଲେ କାରଣ ବହୁତ୍ ଦିନ ପରେ ସେମାନେ ଗାଁ କୁ ଆସୁଛନ୍ତି। ସୁରେନ୍ଦ୍ର ଙ୍କ ସ୍ତ୍ରୀ ସୁଷମା ଏବଂ ଝିଅ ଲୋରି।

କିନ୍ତୁ ଲିଟୁ କୁ ଦାଦା ଙ୍କ ଗାଁ କୁ ଆସିବା ପସନ୍ଦ ନଥିଲା। ସେ ନିଜ ଦାଦାଙ୍କ ଉପରେ ବହୁତ୍ ରାଗେ କାରଣ ସୁରେନ୍ଦ୍ର ଜଣେ ଗର୍ବ ଓ ଅହଂକାରୀ ପ୍ରକୃତିର।

ସେମାନେ ଗାଁ ରେ ଆସି ପହଞ୍ଚିଲେ । ଲୋରୀ ଓ ସୁରେନ୍ଦ୍ର ବାବୁଙ୍କୁ ଗାଁ ପରିବେଶ ଭଲ ଲାଗେନୀ କିନ୍ତୁ ସୁଷମା ଦେବୀ ଙ୍କୁ ବହୁତ୍ ଭଲ ଲାଗେ । ଲୋରି ଗାଁ କୁ ଆସି ଗୋଟିଏ ମିନିଟ୍ ହୋଇନି ସେ ତା ବାବା ଙ୍କୁ କହିଲା ମୋତେ ଏଠି କିଛି ଭଲ ଲାଗୁନି। ଆମେ ଏହି ସ୍ଥାନ ରୁ କେବେ ଫେରିବା ? ମୋତେ ରହିବା ପାଇଁ ନା ଭଲ ଘର, ନା ଭଲ ବାଥ୍ ରୁମ୍ ଅଛି । ଏହା ଶୁଣି ସୁଷମା ଦେବୀ ରାଗରେ ପାଟି କରି କହିଲେ ଆରେ ତୁ କଣ ପାଗଳ ଭଳି ହଉଛୁ ? ତୁ ଆସିବା ଖୁସିରେ ତୋ ଭଉଣୀ କେତେ ଖୁସି ଅଛି ତୁ କଣ ଅନୁଭବ କରି ପାରୁନୁ? ଆସୁ ଆସୁ ଯିବା କଥା କହୁଛୁ । ଏହା ଶୁଣି ଲୋରୀ ରାଗି ଯାଏ।

କିଛି ସମୟ ପରେ ଲିପ୍ସା ଆସି ଲୋରି କୁ ପାଣି ଗ୍ଲାସ ଟିଏ ଦିଏ। ସେହି ପାଣି କୁ ଅଳ୍ପ ପିଇବା ମାତ୍ରେ ଲୋରୀ ଗ୍ଲାସ କୁ ଫୋପାଡ଼ି ଦିଏ। ଆଉ ଲିପ୍ସା କୁ କୁହେ ଇଏ କଣ ପିଇବା ପାଣି ୟାକୁ ଆମେ ୱାସ୍ ରୁମ୍ ରେ ବି ୟୁଜ କରୁନାହୁଁ। ଲିପ୍ସା ବହୁତ୍ ଶାନ୍ତ ଓ ସରଳ ଝିଅ ଟିଏ ସେ କିଛି ନ କହି ଧୀରେ ରହିଗଲା। ସୁଷମା ଦେବୀ ଏହା ଦେଖି ପୁଣି ଗାଳି ଦିଅନ୍ତି। ସେ ଚାହୁଁ ଥିଲେ ତାଙ୍କ ଝିଅ ଲୋରୀ ମଧ୍ୟ ଲିପ୍ସା ପରି ଶାନ୍ତ ଆଉ ସରଳ ହେଉ ବୋଲି । କିନ୍ତୁ ଲୋରୀ ଲିପ୍ସା ର ଓଲଟା।

ତା ପର ଦିନ ସୁଷମା ଲିପ୍ସା କୁ କୁହେ ମାଆ ଲିପ୍ସା ତୁ ମୋ ସୁନା ଝିଅ, ତୁ ଟିକେ ତୋ ସାନ ଭଉଣୀ ଲୋରୀକୁ ଟିକେ ବଦଳାଇ ଦେ। ଲିପ୍ସା କୁହେ, ଖୁଡି ତୁମେ ଚିନ୍ତା କରନି ଲୋରୀ ବହୁତ୍ ଭଲ ତାକୁ ଗାଁ ପରିବେଶ ମଧ୍ୟ ଧୀରେ ଧୀରେ ଭଲ ଲାଗିବ । ତାକୁ ଏଠୀ କା ପାଣି ଭଲ ଲାଗୁନି ସେଥି ପାଇଁ ଟିକେ ଅସୁବିଧା ହେଉଛି। କିନ୍ତୁ ଆପଣ ଚିନ୍ତା କରନ୍ତୁ ନାହିଁ । ମୁଁ ତା ପାଇଁ ପାଖ ଗାଁ ରୁ ମିଠା ପାଣି ଆଣି ଦେବୀ। ଲିପ୍ସା ଯାଇ ସବୁ ଦିନେ ଲୋରୀ ପାଇ ଅନ୍ୟ ଗାଁ ରୁ ପାଣି ଆଣି ଦିଏ ଆଉ ଲୋରୀ ଲିପ୍ସା ଉପରେ ଧିରେ ଧିରେ ପସନ୍ଦ କରିବାକୁ ଲାଗିଲା।

ଦିନେ ଲିପ୍ସା ପାଣି ଆଣି ବାକୁ ଯିବାକୁ ବାହାରିଲା ଲୋରୀ କହିଲା ଦିଦି ମୁଁ ମଧ୍ୟ ତୁମ ସହ ଯିବି । ତାପରେ ଦୁଇଭଉଣୀ ମିଶି ପାଣି ପାଇଁ ବାହାରିଲେ । ସବୁ ଜାଗା ଦେଖି ଲୋରୀ ପଚାରୁ ଥାଏ, ଇଏ କଣ ଦିଦି ? ସବୁ ନଦୀ ନାଳ ଶୁଖିଲା ! କେଉଁଠାରେ ମଧ୍ଯ ପାଣି ନାହିଁ ! ଲୋକ ପାଣି ପାଉଛନ୍ତି କେଉଁଠାରୁ ? ଲିପ୍ସା କହେ ଖରା ଦିନ ସମୟରେ ପାଣି ପାଇଁ ଆମ ଗାଁ ରେ ଅସୁବିଧା ହୁଏ । ସେଥିପାଇଁ ପାଣି ଅଭାବ ହୁଏ ଆଉ ଯେଉଁଠି ଭଲ ପାଣି ମିଳେ ସେଇ “ପାଣି ଆମ ଗାଁ ଲୋକଙ୍କ ପାଇଁ ଗଙ୍ଗା ପାଣି ଠାରୁ କମ ନୁହଁ”

ଲୋରୀ କିଛି ଦିନ ପୂର୍ବ କଥା ଭାବେ ସେ ତା ଭଉଣୀ ହାତରୁ ପାଣି ଗ୍ଲାସ୍ ଟିକୁ କିପରି ଫୋପାଡି ଦେଇ ଥିଲା ତାର ମୂଲ୍ୟ ଏଠି କାର ଲୋକ ପାଇଁ କେତେ ମହତ୍ତ୍ୱ ପୂର୍ଣ୍ଣ ସେ ନିଜ ଭୁଲ୍ ସେତେବେଳେ ବୁଝିପାରିଲା। ଲିପ୍ସା କୁ ମଧ୍ୟ କ୍ଷମା ମାଗିଲା। କଥାରେ କଥାରେ ପାଖ ଗାଁ ରେ ପହଞ୍ଚିଲେ। ସେଠୀ ପାଣି ନେବା ପାଈ ବହୁତ୍ ଲୋକ ଧାଡ଼ି ବାନ୍ଧିଛନ୍ତି। ଏହା ଦେଖି ଲୋରୀ ପଚାରେ ଦିଦି ଏଠାରେ ବହୁତ୍ ଲୋକ ଅଛନ୍ତି ପାଣି ଆମକୁ କେତେବେଳେ ମିଳିବ ? ଲିପ୍ସା କୁହେ କଣ କରିବା ଏହି ଗାଁ ରେ ମଧ୍ୟ ସେହି ଅସୁବିଧା। ଏଠାରେ ମଧ୍ୟ ପାଣି ମିଳେ ନାହିଁ ତେଣୁ ଲୋକ ଏମିତି ହିଁ ସକାଳୁ ଧାଡ଼ି ରେ ଠିଆ ହୋଇ ପାଣି ନିଅନ୍ତି।

ତୁ ସେଠୀ ଗଛ ପାଖରେ ବସିଥାଆ ମୁ ପାଣି ଆଣିଲା ପରେ ଯିବା। ବହୁତ୍ ସମୟ ଅପେକ୍ଷା ପରେ ଲିପ୍ସା ପାଣି ଆଣେ ଏଵଂ ଦୁହେଁ ଘରକୁ ଫେରି ଆସିଲେ । ଏଠି ପାଣି ର ମୂଲ୍ୟ କେତେ ଅଧିକା, ଲୋରୀ ନିଜ ବାବାଙ୍କୁ କହେ ଏବଂ ନିଜ ଭୁଲ କୁ ମଧ୍ୟ ମାନି ନିଏ। ତା ପର ଦିନ ଠାରୁ ଲିପ୍ସା କୁ ପାଣି ଆଣି ଯିବାକୁ ମନା କରେ ଆଉ ସେ ମଧ୍ୟ ଘର ର ସେହି ପାଣି କୁ ପିଏ। କିଛି ଦିନ ପରେ ଲୋରୀ ର ଖରା ଛୁଟି ଶେଷ ହେବାକୁ ଲାଗିଲା। ସେତିକି ଦିନ ଭିତରେ ଦୁଇ ଭଉଣୀ ଏକାଠି ଖାଆନ୍ତି, ଏକାଠି ଶୁଅନ୍ତି ଏକାଠି ରୁହନ୍ତି । ହେଲେ ଲୋରୀ ଫେରି ଯିବା ପାଇଁ ବିଲ୍ କୁଲ୍ ଇଚ୍ଛା ନ ଥାଏ। ସେ ବାବା ଙ୍କୁ କହେ। ବାବା ମୁଁ ଗାଁ ରେ ଆଉ କିଛି ଦିନ ରହିବି। ସୁରେନ୍ଦ୍ର ବାବୁ କହିଲେ ପରେ ପୁଣି ଆସିବା। ଦୁଇ ଭଉଣୀ ଙ୍କ ଭଲ ପାଇବା ଦେଖି ଦୁଇ ପରିବାର ଖୁସି ଥିଲେ।

ପର ଦିନ ଲୋରୀ ବ୍ୟାଗ୍ ସାଇତି କରି ବାହାରିଲା। ଦୁଇ ଭଉଣୀ ଙ୍କ ଆଖିରେ ଲୁହ ଥିଲା। ଲୋରୀ ଲିପ୍ସା କୁ କୁଣ୍ଢେଇ କହିଲା ଦିଦି ମୋତେ କ୍ଷମା କରିଦେବ ମୁଁ ସେଦିନ ତୁମ ପାଣି କୁ ଫୋପାଡି ଦେଇଥିଲି ସେଥିପାଇଁ ମୁଁ ନିଜକୁ ଲଜ୍ଜିତ ମନେ କରୁଛି। ଲିପ୍ସା କହିଲା ଆରେ ପାଗେଳି ମୁଁ ତୋ ଭଉଣୀ, ବଡ ଭଉଣୀ ସାନ ଭଉଣୀ ର କୌଣସି କଥା କୁ କେବେ ଭୁଲ ଭାବେ ନାହିଁ। ଲୋରୀ କହିଲା, ପ୍ରକୃତରେ ଏହି ଗାଁ ପାଇଁ “ଅଳ୍ପ ଟିକେ ପାଣି ମଧ୍ୟ ଗଙ୍ଗା ପାଣି ସହ ସମାନ”। ଦୁଇ ଭଉଣୀ ପୁଣି କୁଣ୍ଢେଇ ହୋଇ ଦୁହେଁ ଦୁହିଁଙ୍କୁ ବିଦାୟ ଦେଲେ।

ତେବେ ଏହି କାହାଣୀ ରେ ପାଣି ର ମହତ୍ତ୍ୱ କୁ ଦର୍ଶାଇ ବର୍ଣ୍ଣନା କରାଯାଇଛି । ତେବେ ଏହି ଗ୍ରୀଷ୍ମ ଋତୁରେ ଏବଂ ଆଗକୁ ମଧ୍ୟ ପାଣି କୁ କମ୍ ବ୍ୟବହାର କରି ତାକୁ ସାଇତି ରଖିବା ଦରକାର । ତେବେ ପାଠକ ବନ୍ଧୁ ମାନଙ୍କୁ ମୋର ଅନୁରୋଧ ଯେ ସେମାନେ ନିଜ କୁନି ଭାଇ ଭଉଣୀ ମାନଙ୍କୁ ଏହି କାହାଣୀ କୁ ପଢାନ୍ତୁ ଏବଂ ଏମିତି ଅନ୍ୟ ମନଛୁଆଁ ଶିଶୁ ଗଳ୍ପ ପଢ଼ିବା ପାଇଁ ତଳେ ଥିବା ମୋ ପେଜ ରେ କ୍ଲିକ୍ କରି ପଢନ୍ତୁ ।

କାହାଣୀ ଟି କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ମଧ୍ୟ ଜଣେଇବାକୁ ଅନୁରୋଧ ।

ମୁଖ୍ୟ ବିନ୍ଦୁ

୧. ଭବିଷ୍ୟତ ରେ ପାଣିର ସଙ୍କଟାପନ୍ନ ସ୍ଥିତି ଆସିପାରେ ସେଥିପାଇଁ ପାଣି କୁ ସଞ୍ଚୟ କରିବା ଅତି ଜରୁରୀ ଅଟେ ।

୨. ପାଣି କୁ ଅନାବରତ ନଷ୍ଟ କରନ୍ତୁ ନାହିଁ ଏବଂ ଘରକୁ ଆସୁଥିବା ସମସ୍ତ ଅତିଥି ଙ୍କୁ ପାଣି ପ୍ରଦାନ କରିବା ଉତ୍ତମ ବ୍ୟବହାର ଅଟେ ।

୩. ଆଜିକାଲି ର ତାପମାନ ବୃଦ୍ଧି କେବଳ ଏହି ମାନବ ଜାତି ପାଇଁ ହୋଇଛି ତେଣୁ ସମସ୍ତ ଛୋଟ ବଡ ପାଠକ ବନ୍ଧୁ ମାନଙ୍କୁ ଅନୁରୋଧ ଆଗାମୀ ବର୍ଷା ଋତୁରେ ଅଧିକ ରୁ ଅଧିକ ଗଛ ଲଗେଇବା ପାଇଁ ଚେଷ୍ଟା କରନ୍ତୁ ।

ପୂଜା ସ୍ୱାଇଁ ଙ୍କ ଦ୍ଵାରା ଲିଖିତ
ସୋଲଣ୍ଡି, ଗଞ୍ଜାମ ।