Leave ( ଛୁଟି ଦିନ, ସତରେ କଣ ଦୁଃଖ ଦିଏ ??? )

Leave ( ଛୁଟି ଦିନ,  ସତରେ କଣ ଦୁଃଖ ଦିଏ ??? )
ଛୁଟି ଦିନ,  ସତରେ କଣ ଦୁଃଖ ଦିଏ ??? 
            ପିଲା ଦିନେ ପଢିଥିଲେ ଛୁଟି ଦିନ ବହୁତ୍ ଆନନ୍ଦ ଦାୟକ ଅଟେ । ଆଉ ତାହା ଆନନ୍ଦ ଦାୟକ ଥିଲା ମଧ୍ୟ । ସୋମବାର ଠାରୁ ମାନେ ସପ୍ତାହ ର ପଢା ଆରମ୍ଭରୁ ଭାବି ଥାଉଁ କି ରବିବାର ଟା କେବେ ଆସିବ ?? ପୁଣି ଖାଲି ରବିବାର ନୁହେଁ ଏମିତି କି ପର୍ବ ପର୍ବାଣୀ ଛୁଟି ମଧ୍ୟ କେବେ ଆସିବ ସେ ଦିନ ପାଇଁ ବହୁତ୍ ଚିନ୍ତା ଥିଲା ।

                ସତରେ ଛୁଟି ଏତେ ଖୁସି କାହିଁକି ଦେଉଥିଲା କେବେ ଆପଣ ଭାବିଛନ୍ତି କି ?? ଉତ୍ତରରେ ଆପଣ କହିପାରନ୍ତି , କି ଛୁଟି ରେ ଖେଳିବା, ବୁଲିବା ଆଉ ତଥା ମନୋରଞ୍ଜନ କରିବା ଇତ୍ୟାଦି କରିବା ପାଇଁ ସମୟ ମିଳୁଥିଲା । ପ୍ରକୃତ କହିବାକୁ ଗଲେ ଛୁଟି ଆମର ଏମିତି ଏକ ସମୟ , କି ସେ ଦିନ କେବେ ଆସିବ ତାହା ପାଇଁ ଚିନ୍ତା କରି ଦୁଃଖୀ ହୋଇଥାଉ ଏବଂ ଯେବେ ଛୁଟି ସରିଯାଏ ତେବେ ମଧ୍ୟ ଦୁଃଖୀ ହେଇଥାଉ । ପ୍ରକୃତରେ ଛୁଟି କଣ ଦୁଃଖ ଦିଏ ?? ମୋ ମତରେ , ବହୁତ ଦୁଃଖ ଦିଏ । କାହିଁକି ଏବଂ କେମିତି ସବୁ ଆପଣଙ୍କୁ କହିବି ପ୍ରଥମେ ମୁଁ ମୋ ବିଷୟରେ ଆପଣଙ୍କୁ କିଛି କହିଦିଏ ତାପରେ ଆରମ୍ଭ କରିବା । 

              ମୁଁ ଏକ ମଧ୍ୟମ ବର୍ଗ ପରିବାର ରେ ଜନ୍ମିତ ସନ୍ତାନ । ପିଲାଦିନ ବହୁତ୍ ଖୁସିରେ କଟିଲା । ମନେ ପଡେ ଘରର କ୍ୟାଲେଣ୍ଡର ମୋ ପାଇଁ ଗୋଟିଏ ଛୁଟି ଦିନ ର ପୋଥି ହୋଇଯାଇଥିଲା । ସ୍କୁଲ ପାଇଁ କେବେ ଅଝଟ ନଥିଲା କିନ୍ତୁ ଟିଉସନ୍ ପାଇଁ ଟିକେ ଅଝଟ ଥିଲି । କାହିଁକି ନା ପିଲା ଦିନେ ସମସ୍ତେ ଚାହାନ୍ତି କି ଅଳ୍ପ କାମ ଦିଅନ୍ତୁ । କିନ୍ତୁ ଟିଉସନ ର ଲେଖା ଲେଖି କାମ ବହୁତ୍ ହୋଇ ଯାଉଥାଏ । ମାତ୍ର କେବେ ମଧ୍ୟ ଅବହେଳା ନଥିଲା , ଯେବେ ଯାହା ଲେଖା ପଢା ଦିଆଯାଏ ସବୁ ଲେଖିକି ଘୋଶିକି ପାଣି କରି ଦେଉଥିଲି । ହଉ ଯେତେ ଯାହା ହେଉ ଛୁଟି ସମୟ ଆସିଲେ , ଆମକୁ ଟିକିଏ ମନୋରଞ୍ଜନ ତ କରିବାକୁ ଦିଅ ? ନା ତାହା ହେଇ ପାରିବନି !! ସ୍କୁଲ ଛୁଟି ହେଲେ ଘରେ ପାଠ ପଢ । ହଉ ଯଦି ଅବା ଖେଳିବାକୁ ସମୟ ଦେଲେ ତାହା ମଧ୍ୟ ସମୟ ସୀମା ଭିତରେ ଖେଳି ସମୟ ଭିତରେ ଆସି ଘରେ ପହଞ୍ଚିବାକୁ ପଡ଼ିବ । ଛୁଟି ଟିକକ ମଧ୍ୟ ଭଲରେ ଉପଭୋଗ କରିବାକୁ ଦେବେ ନାହିଁ । ଏଇ ସବୁ କେବଳ ମୋ ସାଙ୍ଗରେ ନୁହଁ ଆପଣଙ୍କ ସାଙ୍ଗରେ ମଧ୍ୟ ହେଉଥିଲା । ଠିକ୍ କହିଲି ନା?? ଶୁଣି କେତେ ଦୁଃଖ ଲାଗୁଛି । କାଳେ ସେ ସମୟ ଫେରି ଆସନ୍ତା କି ପୁଣି ଥରେ ?? ହଉ ଶୁଣ ଦୁଃଖ କରି କିଛି ଫାଇଦା ନାହିଁ ଏବେ ଯିବା ଆଗକୁ । ଛୋଟ ବେଳ ଟିକିଏ ଅଲଗା ଥିଲା କିନ୍ତୁ ଯେତେବଳେ କ୍ଲାସ୍ ବଢ଼ି ବଢ଼ି ଚାଲିଲା ଛୁଟି ର ସ୍ଥିତି ଅଳ୍ପ କମିଗଲା । ଦେଖୁ ଦେଖୁ ଦଶମ ଶ୍ରେଣୀ ପାର ହେଇଗଲା ।   

              କଲେଜ ସମୟ ଆସି ପହଁଚିଲା ଏଠି କିଛି ରୋକ୍ ଠୋକ୍ ନାହିଁ ନିଜ ଇଚ୍ଛା ର ନିଜେ ମାଲିକ । ଏମିତି ନୁହଁ ଯେ କଲେଜ ନ ଯାଇ ଘରେ ଶୋଇବା । କିନ୍ତୁ କଲେଜ ର ଛୁଟି କେବଳ କଲେଜ କ୍ୟାମ୍ପସ ଭିତରେ ଥିଲା । କ୍ଲାସ୍ କୁ ନା ଯାଇ , କମନ୍ ରୁମ୍ ରେ ମସ୍ତି କରିବା , କ୍ଲାସ୍ ସେତେ ଜରୁରୀ ନଥିଲା ଜରୁରୀ ଥିଲା ସାଙ୍ଗ ମାନଙ୍କ ସହିତ ଗୁଲି ଖଟି କରିବା । ଏଇ ସମୟ ଟା କେବଳ ମୋ ଭଳି କିଛି ଭଲ ଛାତ୍ର ମାନଙ୍କର ଥିଲା ଆଉ ବାକି ଖରାପ ଛାତ୍ର ମାନେ କ୍ଲାସ୍ କୁ ଯାଉଥିଲେ । ଭାବୁଥିବେ ଖରାପ ଛାତ୍ର ମାନେ କ୍ଲାସ୍ ଯାଉଥିଲେ ??? ମାନେ ମୋ ପାଇଁ ମୁଁ ଭଲ ନା ?? ନିଜକୁ କେବେ ଖରାପ କହିବିନି , ମୋତେ ପାପ ଲାଗିବ । ସେଥିପାଇଁ ଆପଣ ବୁଝିଯାଇଥିବେ । ଆପଣ ସାଙ୍ଗରେ ହୋଇଥାଇପାରେ । ଆପଣ ମାନଙ୍କ ମଧ୍ୟରୁ କେତେ ଜଣ ଥିବେ କେବଳ କଲେଜ ଯିବେ ଆଉ କଲେଜ ରୁ ସିଧା ଘରକୁ ଆସିବେ । ଅଛନ୍ତି କେତେଜଣ । କେମିତି 05 ବର୍ଷ କଟିଗଲା ଜଣାପଡ଼ିଲା ନାହିଁ । କଲେଜ ସମୟ ମଧ୍ୟରେ ମୁଁ ଗୋଟିଏ କଥା ଅନୁଭବ କରୁଥିଲି , କଲେଜ ଛୁଟି କାହିଁକି ହେଉଛି କେଜାଣି ?? ସବୁବେଳେ କଲେଜ ଖୋଲି ଥାନ୍ତା କି ?? କିନ୍ତୁ ଅବାନ୍ତର ପ୍ରଶ୍ନ ହେଇ ରହିଗଲା । ଚାଲ ଆଗକୁ ବଢିବା । 
କଲେଜ ପଢ଼ା ପରେ ଚାକିରି ରେ ଯୋଗ ଦେଲି । ତାହା ପୁଣି ଭାରତୀୟ ଯବାନ ହିସାବରେ । କାହିଁକି କେଜାଣି ମନ ଆଉ କିଛି ଚାହୁଁଥିଲା କିନ୍ତୁ ସ୍ବପ୍ନ ଆଉ କିଛି ଉଦ୍ଦେଶ୍ୟ ନେଇ ମୋ ଜୀବନ ଗଢିବାରେ ଲାଗିଲା । ଯାହା ହେଉ ଚାକିରି ଖଣ୍ଡେ ମିଳିଲା । ସେଥିପାଇଁ ଭଗଵାନ ଙ୍କୁ ଧନ୍ୟବାଦ ଦେଲି । ମୋର ଚାକିରି ର କିଛି ଦିନ ପରେ ଛୁଟି ଯିବା ପାଇଁ ଇଚ୍ଛା କରିଲି । ଯାହା ମୁଁ ଅନୁଭବ କରୁଥିଲି ମୋ ପିଲାଦିନେ କିମ୍ବା କଲେଜ ସମୟରେ ତାହା ସମ୍ପୂର୍ଣ ଓଲଟା । ସାଙ୍ଗମାନେ ଏଠି ଛୁଟି ପାଇଁ ବେଳେବେଳେ କାନ୍ଦିବାକୁ ପଡ଼ିଥାଏ । ଆଉ ଏହା ହେଉଛି ନିରାଟ ସତ୍ୟ । ସମସ୍ତେ ତ କହି ନଥାନ୍ତି । କିନ୍ତୁ ସବୁ ଭାରତୀୟ ଯବାନ ଙ୍କ ଅବସ୍ଥା ସେମିତିକା । ପିଲାଦିନେ ଛୁଟି ଗୋଟିଏ ଦିନ ବୋଲି ଧାର୍ଯ୍ୟ ଥିଲା । ଆଜି ସୋମବାର କାଲି ମଙ୍ଗଳବାର ବୋଲି ମନେ ରହୁଥିଲା ଏଠି ମନେ ରହେନି କିଛି । ଖାଲି ମନେ ରହେ ତାରିଖ ଆଉ ଡିଉଟି କଣ ଅଛି । କେତେ ପର୍ବ ପର୍ବାଣୀ ଚାଲିଯାଏ କେବଳ ମନେ ରହିଯାଏ ଆଜିକ ଦିନରେ ମୁଁ ଘରେ କେତେ ମଜା କରୁଥିଲି , ଭାବନରେ ଆସିଲେ କେବଳ ଦୁଃଖ ଦେଇଯାଏ । କିନ୍ତୁ ଏଠି ସମୟ ଅଭାବ ହୋଇଯାଏ। ମନୋରଞ୍ଜନ ତ ଦୂରର କଥା । ଘରେ ଦେହ ଖରାପ୍ କହି ମା ପାଖକୁ ଗଲେ , ମା କୋଳେଇ ପକାଇ କହିଦିଏ ହଉ ବାବୁ ଆଜି ସ୍କୁଲ ନଯାଇ ଘରେ ପଢେ କିନ୍ତୁ ଏଠି ଜ୍ଵର ହେଲେ ନିଜେ ନିଜକୁ ଯତ୍ନ ନେବାକୁ ପଡେ । ନିଜେ ଡାକ୍ତର ଖାନା ଯିବାକୁ ପଡ଼େ । ମନରେ ଇଚ୍ଛା ହୁଏ ଛୁଟି ନେଇ ଘରେ ବିଶ୍ରାମ କରନ୍ତି କି ?? ତାହା ଭାବିବା ଭୁଲ । ଯଦି ଛୁଟି ପାଇଁ ଦରଖାସ୍ତ ଦିଆଯାଏ ଉତ୍ତରରେ ଆସେ । ଏବେ ଏଠି ଡିଉଟି କରିବାକୁ ଲୋକେ ନାହାନ୍ତି । କିଛି ଦିନ ପରେ ଛୁଟି ଦରଖାସ୍ତ ଦିଅ ସେ ସମୟରେ ଦେଖିବା । ବେଳେବେଳେ ଇଚ୍ଛା ହୁଏ ଚାକିରି ଛାଡ଼ି ଘରେ ବିଶ୍ରାମ ନିଅନ୍ତି କି । କିନ୍ତୁ ମନେ ପଡ଼ିଯାଏ ସେମାନଙ୍କ କଥା ଯେଉଁମାନେ ମୋ ଉପରେ ନିର୍ଭରଶୀଳ। ବେଳେ ବେଳେ କଷ୍ଟେ ମଷ୍ଟେ ଛୁଟି ହୋଇଯାଏ । ତାହା କେବଳ ପନ୍ଦର ଦିନ ପାଇଁ । ଯିବା ଆସିବା ରେ ଦୁଇ ଦିନ ଆଉ ଯଦି ଘରଠୁ ବେଶୀ ଦୂର ହୁଏ ତେବେ ଚାରି ଦିନ ଲାଗିଯାଏ । ଆଉ ବାକି ରହେ ଏଗାର ଦିନ । ଘରେ ପହଞ୍ଚିଲା ପରେ ଘରେ ଆପଣଙ୍କ ପାଇଁ ଗୋଟିଏ ଟାଇମ୍ ଟେବୁଲ୍ ବନେଇ ଆପଣଙ୍କ ହାତରେ ଦେଇ ଦିଅନ୍ତି କି ଆଜି ତାର ବାହାଘର , କାଲି ତାଙ୍କ ପୁଅ ର ଜନ୍ମ ଦିନ ଆଉ ପହର ଦିନ ଅନ୍ୟାନ୍ୟ କିଛି କାମ । ଘର ର ଟାଇମ ଟେବୁଲ୍ ହିସାବରେ କାମ କରୁ କରୁ ବଞ୍ଚି ରହିଯାଏ 5-6 ଦିନ ମାତ୍ର । ଛୁଟି ଆସିବା ପୂର୍ବରୁ ମନରେ କେତେ ଆଶା ନେଇ ଆସିଥାଉ କି ଘରକୁ ଗଲେ ଗୋଟିଏ ଦିନ ପୁରା ଶୋଇବି । କିନ୍ତୁ ଦେଖୁ ଦେଖୁ ସମୟ ଚାଲିଯାଇଥାଏ । ଆଉ ସେଇ ଚିନ୍ତାରେ ରାତିରେ ନିଦ ହୁଏନି । ବେଳେବେଳେ ସ୍ବପ୍ନ ହୁଏ କି ଲାଗେ ଯେମିତି ମୋର ତ ଛୁଟି ସରିଗଲାଣି, ମୁଁ ଏବେ ପର୍ଯ୍ୟନ୍ତ ମୋ ୟୁନିଟ୍ ରେ ପହଞ୍ଚିଁ ନାହିଁ ଏବେ ପହଞ୍ଚିବି କେମିତି, ମୋତେ ତ ତାହା ପାଇଁଁ ଦଣ୍ଡ ଭୋଗିବାକୁ ପଡ଼ିବ, ହଠାତ୍ ନିଦ ଭାଙ୍ଗି ଯାଏ ଆଉ ସ୍ବପ୍ନ ଡରାଇ ଦେଇ ନିଦକୁ ଉଡେଇ ନେଇ ଯାଏ । ଏହି ଛୁଟି ଭିତରେ ଯଦି କୋଉ ସମ୍ପର୍କ ଘରକୁ ଯିବ ନାହିଁ ତେବେ ସେ ରାଗିବ ଆଉ କହିବେ, ହଁ କଣ ପାଇଁ ଆସିବୁ ତୁ ତ ଏବେ ଚାକିରି କରି ବଡ଼ ଲୋକ ହୋଇଗଲୁଣି । ଆମେ ଗରିବ ଘରକୁ ଆସିଲେ ତୋର ଇଜ୍ଜତ ଚାଲିଯିବ ନା ?? ଛୁଟି ର ଅନ୍ତିମ ଦିନରେ ପହଞ୍ଚିବା ପୂର୍ବରୁ ସେମାନଙ୍କ ଘରକୁ ମଧ୍ୟ ବୁଲି ଆସିବାକୁ ପଡେ । ବଡ଼ ଦୁଃଖ ସେତେବେଳେ ଲାଗେ ଯେବେ ଆସିବାର ଗୋଟିଏ ଦିନ ହୋଇ ନଥିବ । ଗାଁ ଲୋକେ ପଚାରିଥାନ୍ତି ଆଉ “କେବେ ଯିବୁ? ତୋର ଛୁଟି କେବେ ସରିବ ??? ” ସତ କହେ ମନରେ ବହୁତ୍ ରାଗ ଜନ୍ମ ନେଇଯାଏ , ଭାବେ ଆରେ କାଲି ଆସି ପହଞ୍ଚିଲି ଆଉ ୟାଙ୍କୁ ଯିବାର ଚିନ୍ତା ପଡ଼ିଛି । ଆଉ ଏଇ ଶବ୍ଦ ଟା ଆଜି ପର୍ଯ୍ୟନ୍ତ କିମ୍ବା ଯେବେ ମୁଁ ଛୁଟିରେ ଥାଏ ମୋତେ ଏହି ପ୍ରଶ୍ନ କେହି କେହି କରି ଦିଅନ୍ତି, ତା ଉପରେ ବହୁତ୍ ରାଗ ହୁଏ କିନ୍ତୁ କହିବା ଅସମ୍ଭବ । ଆଉ କିଛି ଲୋକ ତମକୁ ଚିହ୍ନି ନଥିବେ ଅବା ଯଦି ଚିହ୍ନି ଥିବେ ଗାଁ ରେ ଥିଲା ବେଳେ ବାପ ଧନ କହି କେବେ ପଚାରିନଥିବେ ସେମାନେ ଯେମିତି ଅତି ନିଜର ହୋଇ ଗୋଟିଏ ପ୍ରଶ୍ନ କରନ୍ତି କି “ଆରେ ବାବୁ ସେ ପଟୁ କିଛି ମାଲ୍ (ମିଲିଟାରୀ ମଦ) ଆଣିଛୁ କି, ଯଦି ଆଣିଛୁ ଗୋଟେ ଦେ ” ମୋତେ ଲାଗେ ସେମାନେ ମୋ ସାଙ୍ଗରେ ନୁହଁ ମଦ ପାଇଁ ମୋ ସାଙ୍ଗରେ ସମ୍ପର୍କ ଯୋଡିବାକୁ ଚେଷ୍ଟା କରିଥାନ୍ତି । 

            ଛୁଟି ସରିଲା ପରେ ୟୁନିଟ୍ ଆସିବାକୁ ବେଳ ହେଲେ ଯେମିତି ମନରେ ଗୋଟିଏ ଦୁଃଖ ଆସିଯାଏ । ଆପେ ଆପେ ଆଖିରୁ ଲୁହ ବାହାରି ଯାଏ । କାହିଁକି କେଜାଣି , ସେ ଲୁହ କଣ କହିବାକୁ ଚାହେଁ ମୁଁ ତାକୁ ବହୁତ୍ ଥର ପ୍ରଶ୍ନ କରିଛି କିନ୍ତୁ ଆଜି ପର୍ଯ୍ୟନ୍ତ ତାର ଉତ୍ତର ପାଇନି । ନିଜକୁ ସମ୍ଭାଳି ବ୍ୟାଗ୍ ନେଇ ବାହାରି ଆସେ । ପଛକୁ ବୁଲି ଦେଖିବାକୁ ସାହସ କରେ ନାହିଁ । ବେଳେ ବେଳେ ଇଚ୍ଛା ହେଉଥାଏ କିଛି ବାହାନା କରି ଘରକୁ ଫେରିଯିବାକୁ ମନ କରେ । କିନ୍ତୁ ବାହାନା କରି ମିଛ କହିବାକୁ ପସନ୍ଦ କରେ ନାହିଁ । ନିଜକୁ ଧର୍ଯ୍ୟବାନ୍ ମଣିଷ ରୂପେ ଫେରିଯାଏ ନିଜ ୟୁନିଟ୍ କୁ । ଥରେ ଅଧେ ରେଳ ଷ୍ଟେସନ ରୁ ଘରକୁ ଫେରିବାକୁ ଇଚ୍ଛା କରିଥିଲି । କିନ୍ତୁ ମୋ ଦ୍ଵାରା ସମ୍ଭବ ହେଲା ନାହିଁ । ଘର କଥା ମନେ ପଡିଲେ ମଧ୍ୟ କାହାକୁ କହିବାକୁ ସାହସ ପାଏ ନାହିଁ । ମନରେ କେତେ ଆଶା ନେଇ ଆସିଲେ ମଧ୍ୟ ଏହି ଛୁଟି ଭିତରେ କିଛି ପୁରା ହୁଏ ତ ଆଉ କିଛି ପୁରା ହୁଏନି । ପ୍ରତିଥର ଗାଁ ର ଧୂଳି ଆଉ ଗାଁ ର ଲୋକ ମାନେ ଯେମିତି ନୂଆଁ ହୋଇଯାନ୍ତି । ଚାକିରି ଟା ମିଳିଛି କିନ୍ତୁ ଛୁଟି ର ଅଧିକାର ଆମ ପାଖରେ ନାହିଁ । ପୁଣି ୟୁନିଟ୍ ରେ ପହଞ୍ଚିଲା ପରେ ସପ୍ତାହ ଦୁଇ ସପ୍ତାହ ପର୍ଯ୍ୟନ୍ତ ମନ ଲାଗେ ନାହିଁ । ଘର କଥା ସାଙ୍ଗ ମାନଙ୍କ କଥା ବହୁତ୍ ମନେ ପଡେ ଏବଂ ପରେ  ନିଜକୁ ବୁଝାଇ ମନ କୁ ବୁଝାଏ ଆଉ ଆର ଥର ଛୁଟି ଯିବା ପାଇଁ ମନରେ ଆଶା ବାନ୍ଧି ବସେ । ଆଉ ନିଜ ଅଧିକାର ପାଇଁ ଛୁଟି ପାଇଁ ପୁଣି ଥରେ କାହା ପାଖରେ ମୁଣ୍ଡ ନୁଆଇଁ ଗ୍ରାମକୁ ଯିବା ପାଇଁ ଇଚ୍ଛା କରେ । ଏମିତି ଥରେ ନୁହେଁ , ବହୁତ୍ ଥର ମୋ ସାଙ୍ଗରେ ଘଟିଛି ଆଉ ଆଗକୁ ମଧ୍ୟ ଘଟିବ ।
ବର୍ଷ ରେ ବାର ମାସରେ ତେର ପର୍ବ ର ମଜା ଆଉ ଉପଭୋଗ ଆମ ପାଇଁ କେବଳ ସ୍ମୃତି ହେଇ ରହିଯାଏ । ଇଚ୍ଛା ତ ହୁଏ ଏହି ପର୍ବ ରେ ଘରକୁ ଯିବି ମୋ ପରିବାର ସାଙ୍ଗରେ ଖୁସି ମନେଇ ପର୍ବ କୁ ଉପଭୋଗ କରିବି କିନ୍ତୁ ତାହା ସମ୍ଭବ ହୋଇ ପାରେନା ।

                ଏହା କେବଳ ମୋ ସାଙ୍ଗରେ ହୁଏ ନାହିଁ , ସେମାନଙ୍କ ସାଙ୍ଗରେ ମଧ୍ୟ ହୁଏ ଯିଏ ଘରୁ ବାହାର ରାଜ୍ୟ କୁ ଯାଇ ବେସରକାରୀ ଶ୍ରମିକ, ଡ୍ରାଇଭର, ଯନ୍ତ୍ରୀ , ଡାକ୍ତର ସାଙ୍ଗରେ ହୁଏ । ରାଜ୍ୟ ଭିତରେ ଥିବା ଅନ୍ୟାନ୍ୟ ସରକାରୀ ଅଥବା ବେସରକାରୀ ଯେଉଁମାନେ ନିଜ ଘର ଠାରୁ ଦୂରରେ ରହି କାର୍ଯ୍ୟରତ ପୋଲିସ ଏବଂ ଅନ୍ୟ ପଦବୀରେ ଅବସ୍ଥାରେ କାମ କରିଥାନ୍ତି । ସେମାନଙ୍କ ସାଙ୍ଗରେ ମଧ୍ୟ ଏହା ଘଟେ ଆଉ ମୋର କାହାଣୀ କିଛି କିଛି ତାଙ୍କ ଜୀବନରେ ସମାନତା ଦେଖାଏ । 

ଏବେ ଆପଣ କୁହନ୍ତୁ , ଛୁଟି ଦିନ ସତରେ କଣ ଦୁଃଖ ଦିଏ ???

             ଗଳ୍ପ ଟି ଯଦି ଭଲ ଲାଗେ ତେବେ Like କରିବେ ଆଉ କମେଣ୍ଟ୍ କରି ନିଜ ଛୁଟି ର ଅନୁଭୂତି ବିଷୟରେ ସେୟାର କରିବେ ।

Select => Stories => Gapa Hele bi Sata => Leave ( ଛୁଟି ଦିନ ସତରେ କଣ ଦୁଃଖ ଦିଏ )
By. Nilamadhab…

Leave a Reply

Your email address will not be published. Required fields are marked *