Tag Archives: #solandi

ଉତ୍ତମ ବନ୍ଧୁ

ଉତ୍ତମ ବନ୍ଧୁ
ଅର୍ଜୁନ ପୁର ନାମକ ଗ୍ରାମରେ ଦୁଇ ସାଙ୍ଗ ଆଉ ତାଙ୍କ ପରିବାର ରହୁଥିଲେ । ସେମାନେ ଚାଷ କରି ପେଟ ପୋଷୁଥିଲେ । ଦୁହିଁଙ୍କ ନାମ ସୋନୁ ଆଉ ଗୋପାଳ । ଦୁହିଙ୍କ ବୟସ ପାଖାପାଖି ୯ ରୁ ୧୦ ବର୍ଷ। ସୋନୁ ପଢ଼ା ରେ ଯେମିତି ଚଞ୍ଚଳ କାର୍ଯ୍ୟ ରେ ମଧ୍ୟ ବହୁତ୍ ସାହସୀ କିନ୍ତୁ ଗୋପାଳ ଟିକେ ଶାନ୍ତ ସେ ଚୁପ୍ ଚାପ୍ ରୁହେ । କାହାକୁ କିଛି କୁହେନା । ସୋନୁ ସବୁବେଳେ ବୁଝାଏ ଯେ ଟିକେ ଚାଲାକ୍ ହେ । ନହେଲେ ତୋତେ କେହି ପସନ୍ଦ କରିବେ ନାହିଁ। ସୋନୁ ର କଥାରେ ଗୋପାଳ କହେ ତୁ ତ ମୋ ସହିତ ଅଛୁ ମୋତେ ଅବା କାହାକୁ ଭୟ, ମୋତେ କେହି ପସନ୍ଦ କରନ୍ତୁ ଅବା ନାହିଁ ମୋର କିଛି ଦୁଃଖ ନାହିଁ। ଏତିକି କଥା ପରେ ସୋନୁ ଆଉ ଗୋପାଳ କୁଣ୍ଢେଇ ହୋଇ କହିଲେ ଆମେ ସବୁବେଳେ ଏମିତି ସାଙ୍ଗ ହୋଇ ରହିବା ।
କିଛି ଦିନ ପରେ ସୋନୁ ର ବାପା ଏବଂ ଗୋପାଳ ର ବାପା ନିଜ କ୍ଷେତକୁ ପାଣି ମୁହାଇଁ ସୋନୁ ର ବାପାଙ୍କ ବିଲ କୁ ପାଣି ଛାଡ଼ି ନଥିଲେ । ସୋନୁ ର ବାପା କହିବାରୁ ଗୋପାଳ ର ବାପା ପ୍ରତିବାଦ କରିଲେ ଏବଂ ଝଗଡ଼ା ଏତେ ଅଧିକ ହେଲା ଯେ ଦୁଇ ପରିବାର କଥା ବାର୍ତ୍ତା ବନ୍ଦ କରିଦେଲେ କିନ୍ତୁ ଦୁଇ ସାଙ୍ଗ କେହି କାହାକୁ ଛାଡ଼ି ରହି ପାରୁ ନଥିଲେ । ସ୍କୁଲ୍ ଆଉ ଖେଳ ରେ ମଧ୍ୟ ମିଶି ରହୁ ଥିଲେ । ଏମିତି ଘଟଣା ଗୋପାଳ ର ବାପା ଦେଖି ଗୋପାଳ କୁ ଚେତାବନୀ ଦେଇ କହିଲେ ତୁ ଯଦି ବାରମ୍ବାର ମିଶିବୁ ତେବେ ତୋତେ ମୁଁ ହଷ୍ଟେଲ ରେ ଛାଡି ଦେବୀ । ଏହି କଥା ଗୋପାଳ ତା ପର ଦିନ ସ୍କୁଲ୍ ରେ ସୋନୁ କୁ ଯାଇ କହିଲା ଯେ ବାପା ମୋତେ ଏମିତି କହିଛନ୍ତି । ସୋନୁ ବୁଝେଇଲା । କିଛି ଅସୁବିଧା ନାହିଁ ତୁ ମୋର ସାଙ୍ଗ ନା, ତୁ ଯୋଉଠି ଥିବୁ ମୋତେ ସେଠୀ ପାଇବୁ କିନ୍ତୁ ଦୂରରେ ଦୂରରେ ରହିବା କିଛି ଅସୁବିଧା ହେଲେ ମୁଁ ତୋ ପାଖରେ ଥିବା, ତୁ ଚିନ୍ତା କର ନାହିଁ। ଯଦି ଭଗବାନ ଚାହିଁବେ ଆମ ଦୁଇ ପରିବାର ପୁଣି ଥରେ ଏକାଠି ହେବ। ଗୋପାଳ ସୋନୁ ର କଥା କୁ ରଖି ସେମିତି କରିଲେ । ପ୍ରାୟ ୧୫ ଦିନ ପରେ ହୋଲି ପର୍ବ ଆସିଲା । ଗୋପାଳ ର ଇଚ୍ଛା ଥାଏ ଦୁହେଁ ମିଶି ଖେଳିବା ପାଇଁ କିନ୍ତୁ ସେମିତି ସେ କରିଲେ ନାହିଁ କିନ୍ତୁ ସୋନୁ ସବୁବେଳେ ଦୂରରେ ରହୁଥାଏ ।
ହୋଲି ଦିନ ସକାଳେ ସମସ୍ତେ ବାରିପଟେ ଏକାଠି ହେଲେ, ଯିଏ ଯାହାର ପିଚକାରୀ ଆଉ ଫଗୁ ସହିତ ଅଳତା ରଙ୍ଗ ର ବୋତଲ ନେଇ ପହଞ୍ଚିଲେ । ହୋଲି ଖେଳ ଆରମ୍ଭ ହେଲା । ସମସ୍ତେ ଏକାଠି ଖେଳିଲେ । ଗୋପାଳ ମଧ୍ୟ ସୋନୁ କୁ ଛାଡ଼ି ଅନ୍ୟ ସାଙ୍ଗ ମାନଙ୍କ ସହ ହୋଲି ଖେଳିଲା କିନ୍ତୁ କିଛି ସମୟ ପରେ ଗୋପାଳ ର ଗୋଟିଏ ସାଙ୍ଗ ଗୋପାଳ କୁ ରଙ୍ଗ ପିଚକାରୀ ମାରିବା ଦ୍ଵାରା ଗୋପାଳ ର ଆଖିରେ ପଡ଼ିଲା ଏବଂ ଗୋପାଳ ର ଆଖିରେ ଯନ୍ତ୍ରଣା ଅନୁଭବ ହେଲା । ତାକୁ କିଛି ଦେଖାଯାଉ ନଥିଲା । ଗୋପାଳ କୁ ଅନ୍ଧ ଭଳି ଅନୁଭବ ହେଲା ଏବଂ ତାକୁ ଦେଖା ନ ଯିବା ଫଳରେ ପାଖରେ ଥିବା ପଥର କୂଅ ପାଖରେ ତାର ଗୋଡ ଖସିବା ଫଳରେ ସେ କୂଅ ଭିତରେ ପଡ଼ିଗଲା । ଗୋପାଳ କୂଅ ଭିତରେ ପଡ଼ିବା ପରେ ବାକି ସାଙ୍ଗ ମାନେ ଡରରେ ଗୋପାଳ କୁ କୂଅ ରୁ ବାହାର ନ କରି ଦୌଡ଼ି ଚାଲି ଗଲେ ।
ଗୋପାଳ କୂଅ ଭିତରେ ପଡିଗଲା କିନ୍ତୁ କୋଉଠି ମାଡ ଅବା କ୍ଷତ ହୋଇନଥିଲା ସେ ଚିତ୍କାର କରିଲା, ବଞ୍ଚାଅ ବଞ୍ଚାଅ ଏବଂ ତାକୁ ପହଁରା ଆସେ ନାହିଁ । ଏହି ଘଟଣା ଘଟିବା ପୂର୍ବରୁ ସୋନୁ ଘରକୁ ଯାଇଥାଏ ରଙ୍ଗ ଆଣିବା ପାଇଁ । ସୋନୁ ଯେତେବେଳେ ରଙ୍ଗ ନେଇ ବାରିପଟେ ପହଞ୍ଚିଲା ଦେଖିଲା ସବୁ ସୁନ୍ ସାନ । ସେ ଭାବିଲା ସମସ୍ତେ ଗଲେ କୁଆଡେ । ସେ ଭାବିଲା ବୋଧେ ସମସ୍ତେ ନିଜ ନିଜ ଘରକୁ ଚାଲିଗଲେ । କହି ସେ ମଧ୍ୟ ଫେରିବାକୁ ଲାଗିଲା ବେଳେ ହଠାତ୍ କୂଅ ଭିତରୁ ଗୋପାଳ ର ପାଟି ଶୁଣି ଦଉଡ଼ି ଗଲା । ଦେଖିଲା ବେଳକୁ ଗୋପାଳ ପାଣି ଭିତରେ ଉବୁ ଟୁବୁ ହୋଇ ଅଧା ପାଣି ପିଇ ହନ୍ତସନ୍ତ ଅବସ୍ଥାରେ ବଞ୍ଚାଅ ବଞ୍ଚାଅ ଡାକୁ ଥାଏ ।
ସୋନୁ ଏତିକି ଦେଖି କଣ କରିବ କିଛି ନ ଭାବି ପାଖ ତାରରେ ସୋନୁ ମା ର ଲୁଗା ଶୁଖୁଥାଏ। ସେ ଲୁଗାକୁ କୂଅ ଭିତରକୁ ଛାଡ଼ି ଗୋପାଳ କୁ ଲୁଗାକୁ ଧରିବାକୁ କହିଲା ଏବଂ ଲୁଗା ର ଅନ୍ୟ ପଟ କୁ କୂଅ ର ଉପର ପଥରରେ ବାନ୍ଧି ଦେଲା । ଗୋପାଳ ସୋନୁ କୁ ଦେଖି ତାର ସାହସ ଆସିଲା ଏବଂ ଲୁଗାକୁ ଧରି ରହିଲା। ସୋନୁ କହିଲା ତୁ ଲୁଗା କୁ ଧରି ରହି ଥା ମୁଁ କିଛି ବ୍ୟବସ୍ଥା କରୁଛି । ସେ ଦଉଡ଼ି ଗଲା ଘରକୁ । ଘରେ ସୋନୁ ମା ରୋଷେଇ କରୁଥିଲେ। ସୋନୁ ମା କୁ କହିଲା ମା ମା, ଗୋପାଳ କୂଅରେ ପଡ଼ି ଯାଇଛି ଚାଲନ୍ତୁ ବାହାର କରିବା । ସୋନୁ ମା ଗୋପାଳ ନାମ ଶୁଣି ଟିକେ ଧୀର ରହିଲେ ପୁଣି ଭାବିଲେ ରାଗ ରୋଷ ପଛେ ଥାଉ ପ୍ରଥମେ ଜୀବନ ବଞ୍ଚିଯାଉ । ଦୁହେଁ ଦଉଡ଼ି ଗଲେ କୂଅ ପାଖକୁ ଏବଂ ଗୋପାଳ କୂଅ ଭିତରେ ଲୁଗାକୁ ଧରି ଥରୁଥାଏ । ସୋନୁ ମା, ସୋନୁ କୁ କହିଲେ, ଘରକୁ ଯା ମୋର ଆଉ ଗୋଟିଏ ଲୁଗା ଏବଂ ବାଲଟି ନେଇ ଆସିବୁ । ସୋନୁ ଦଉଡ଼ି ଯାଇ ନେଇ ଆସିଲା । ସୋନୁ ମା ବାଲଟି ଏବଂ ଲୁଗାକୁ ବାନ୍ଧି ତଳକୁ ଛାଡ଼ିଲେ ଏବଂ ଗୋପାଳ କୁ କହିଲେ ଏହି ବାଲଟି ରେ ବସି ଯା ଏବଂ ପ୍ରଥମ ଲୁଗା କୁ ଧରି ରହି ଥିବୁ। ଆମେ ଧୀରେ ଧୀରେ ଉପରକୁ ଟାଣିବୁ ଏବଂ ତୁ ଉପରକୁ ଆସି ପାରିବୁ। ଗୋପାଳ ସେମିତି କରିଲା ଏବଂ ଯେତେବେଳେ ଗୋପାଳ ଉପରକୁ ପହଞ୍ଚିବାର ଥିଲା ଗୋପାଳ ର ଘର ଲୋକେ ଏବଂ ସୋନୁ ର ବାପା ଖବର ପାଇ ସେଠୀ ପହଞ୍ଚିଲେ ଏବଂ ସମସ୍ତଙ୍କ ହାତ ଦେଇ ଗୋପାଳ କୁ ଉପରକୁ ଆଣିଲେ। ଗୋପାଳ ଉପରକୁ ଆସିଲା ଏବଂ ପ୍ରଥମେ ସୋନୁ କୁ ଯାଇ କୁଣ୍ଢେଇ ଧରିଲା ଏବଂ କହିଲା ଆଜି ଯଦି ସୋନୁ ନଥାନ୍ତା ତେବେ ମୋ ଜୀବନ ଚାଲି ଯାଆନ୍ତା।

Order Now

ଗୋପାଳ ର ପରିବାର ମୁଣ୍ଡ ତଳକୁ ଥିଲା । ସୋନୁ ର ବାପା ସୋନୁ ର ମୁଣ୍ଡରେ ହାତ ବୁଲେଇ କହିଲେ ତୋର ଭଳି ସାହସୀ ସାଙ୍ଗ ଯଦି ଥିବ ତେବେ କୋଉ ସାଙ୍ଗ କେବେ ଅସୁବିଧାରେ ପଡ଼ିବ ନାହିଁ। ଗୋପାଳ ର ବାପା ସୋନୁ ର ବାପା ଙ୍କୁ ହାତ ଯୋଡ଼ି କହିଲା । ଭାଇ ମୋତେ କ୍ଷମା କରିବ ମୋର ଭୁଲ ଯୋଗୁ ଆମ ଦୁଇ ପରିବାର ଝଗଡ଼ା ହୋଇଥିଲେ। ଆଉ ଆଜି ମୋ ପୁଅ ର ଜୀବନ ବଞ୍ଚାଇବା ପାଇଁ ଆଜି ପୁଣି ଥରେ ମୁଁ ମୋର ପୁରୁଣା ଭୁଲ ଭୁଲି ଆପଣଙ୍କ ସହିତ ସମ୍ପର୍କ ର ଯୋଡ଼ିବାକୁ ଚାହୁଁଛି । ସୋନୁ ର ବାପା କହିଲେ ପୁରୁଣା ରାଗ ଭୁଲି ଯାଅ । ପିଲା ମାନେ ଖୁସିରେ ରହିଲେ ଆମେ ଖୁସିରେ ରହିବା। ତାପରେ ଦୁହେଁ ପରିବାର ମିଶି ଖୁସିରେ ଦିନ କାଟିଲେ ।
ଏଥିରୁ ଏହା ସ୍ପଷ୍ଟ ଯେ ଅସୁବିଧା ସମୟରେ ସବୁବେଳେ ଅନ୍ୟକୁ ସାହାଯ୍ୟ କରିବା ଦରକାର ଏବଂ ଉତ୍ତମ ବନ୍ଧୁ ଟେ ସମସ୍ତଙ୍କ ପାଖେ ରହିବା ଦରକାର। ଆପଣ ମଧ୍ୟ ଉତ୍ତମ ବନ୍ଧୁ ହୋଇ ପାରିବ। ସାହାଯ୍ୟ କରିବା ଫଳରେ ନୂତନ ସମ୍ପର୍କ ମଧ୍ୟ ଗଢି ଉଠେ। ତେବେ ଡେରି କାହିଁକି ଉତ୍ତମ ବନ୍ଧୁ ରଖନ୍ତୁ ଏବଂ ଉତ୍ତମ ବନ୍ଧୁ ଭାବରେ ସାହାଯ୍ୟ ପାଆନ୍ତୁ।
ପୂଜା ସ୍ୱାଇଁ
ସୋଲଣ୍ଡି, ଗଞ୍ଜାମ
If the contents are helpful to share them with your friends, Thanking You.