ମଧୁ ଝରା ତୁମ ନାଆଁ

ମଧୁ ଝରା ତୁମ ନାଆଁ


ଚୋରା ଚାହାଣିରେ ଚାହିଁ ଦେଲେ ତୁମେ
ମନ ମୋର ଝୁମି ଯାଏ,
ତୁମେ ବୋଲି ଯେଉଁ, ତୁମ ମିଠା ଡାକ
ଆନ ମନା କରି ଦିଏ।।


କେରି କେରି ହୋଇ କଳା କୁନ୍ତଳ ରେ
ମାଦକ ରହିଛି ଭରି,
ସେ ମାଦକ ଗନ୍ଧ ରସିକ ମନକୁ
ନେଉ ଥାଏ ଚୋରି କରି ।।


ଗୋଲାପୀ ଓଠର ନିରି ମାଖି ହସ
ମିଳନ ର କଥା କହେ,
ମିଠା ମିଠା ତୁମ ରୂପ ପସରା ରେ
ପ୍ରେମ ମନ୍ଦାକିନୀ ବହେ ।।


ଗୋରା ଗୋରା ପାଦେ ରୂପେଲି ଝୁଣ୍ଟିଆ
ଅଳତା ରଙ୍ଗର ଗାର,
ମନ ଲୋଭା ଛନ୍ଦେ ରୁଣୁ ଝୁଣୁ ଶୁଭେ 
ପାଉଁଚି ର ମିଠା ସ୍ୱର ।।


ତୁମରି ହସରେ ଚୋରା ଚାହାଣି ରେ
ଲେଖା ହୋଇ ଅଛି ଯାହା,
ପଢିଲା ପରେ ମୁଁ ପରିଚୟ ପାଏ
ମଧୁ ଝରା ତୁମ ନାଆଁ।।


ଶ୍ରୀ ଲୋକନାଥ ନାୟକ (ଅଧ୍ୟାପକ, ଓଡ଼ିଆ ବିଭାଗ)
କବିସୂର୍ଯ୍ୟ ନଗର, ମହାବିଦ୍ୟାଳୟ, ଗଞ୍ଜାମ ।



If the contents are helpful to share them with your friends, Thanking You.