Attempt to suicide (ଓଡ଼ିଆ ଗଳ୍ପ)

Attempt to suicide

ପ୍ରିୟ ସୁନୀତା, ଏହା ମୋର ଶେଷ ଚିଠି ରୂପରେ ତୁମକୁ ପ୍ରଥମ ଥର ପାଇଁ ଲେଖୁଛି । ଜୀବନରେ ବହୁତ୍ କଷ୍ଟ ଦେଖିଲି । ବଞ୍ଚିବାକୁ ଇଚ୍ଛା ଥିଲେ ମଧ୍ୟ ଏହି ଜୀବନକୁ ଉପଭୋଗ କରିବା ମୋ ଭାଗ୍ୟରେ ନାହିଁ । ତମେ ଭଲ ଭାବରେ ଜାଣିଛ ମୁଁ କେବେ ଭୁଲ କରିନି ଏବଂ ଅନ୍ୟାୟ କୁ ଦେଖି ମୁଁ ରହି ପାରେନା । କେବଳ ଅନ୍ୟାୟ କୁ ବିରୋଧ କରିବା ହିଁ ମୋର ଭୁଲ ଥିଲା । ସତ୍ ପଥରେ ରହିଛି ଏବଂ ଏହି ସତ୍ ପଥରେ ରହି ମୁଁ ଆଜି ଗୋଟିଏ ଏମିତି କାମ କରି ବସୁଛି ଯାହା ସମସ୍ତେ ମୋତେ ମୂର୍ଖ ଏବଂ କା-ପୁରୁଷ ର ପରିଚୟ ଦେବେ କିନ୍ତୁ ତମ ପାଇଁ ଆଗରୁ ଯେମିତି ଆଶାର ଆଲୋକ ହୋଇ ରହିଥିଲି ଠିକ୍ ସେମିତି ତୁମର ଭାଗ୍ୟ ଆକାଶରେ ସଦା ଝଟକୁ ଥିବି ।

ମୋର ଏହି ମୂର୍ଖାମି / ଆତ୍ମହତ୍ୟା ପାଇଁ କେହି ଦାୟୀ ନୁହନ୍ତି। ଯିଏ ମଧ୍ୟ ଏହି ଚିଠି କୁ ପାଇବେ ମୋର ପତ୍ନୀ ସୁନୀତା କୁ ଏହି ଚିଠି ଟିକୁ ଦେବାକୁ ଅନୁରୋଧ । 

ମୋର ସବୁ କାଗଜ ପତ୍ର ଏବଂ ଟଙ୍କା ର ହିସାବ କିତାବ ସବୁ ଆଲମାରୀ ର ଦ୍ଵିତୀୟ କଲମ ର ମିଡିଲ ଡ୍ର ରେ ଅଛି । ତାର ଗୋଟିଏ ଚାବି, ଘର ଚାବିର ଗୁନ୍ଥା ରେ ଲାଗିଛି । ତାକୁ ଖୋଲି ସବୁ ଟଙ୍କା କୁ ଉଠେଇ ବାକି ଜୀବନ ଖୁସିରେ ବିତେଇବ ।

ବେଶୀ କିଛି ଲେଖୁ ନାହିଁ , ଏତିକି କହି ରଖୁଛି। 

ତୁମର ଆକାଶ…

.

.

.

.

.

ଆକାଶ ର ମୁଣ୍ଡ କିଛି କାମ କରୁ ନଥାଏ।  ହଠାତ୍ ଯମ ଦୂତ ଟିଏ ଆକାଶ ର ଆଖି ସାମ୍ନାରେ ଦୃଶ୍ୟମାନ ହେଲା ଏବଂ ସେ ଆକାଶ ର ହାତକୁ ଧରି ତାକୁ ଖଟ ରୁ ଉଠେଇ ଆଣିଲା ଏବଂ କହିଲା ଯାହା କରିବୁ ଶୀଘ୍ର କର। ଏହି ସମୟ ଟି ତୋର ଜୀବନରୁ ମୁକ୍ତି ପାଇବାର ଉଚିତ୍ ସମୟ। ସେ ତାର ହାତ ଧରି ଉଠେଇ ଝରକା ପାଖରେ ଆଣି ଠିଆ କରି ଦେଲା । ସେ କହୁଥାଏ ଶେଷ ଥର ପାଇଁ ବାହାର ଦୁନିଆ କୁ ଦେଖି ନେ। କାଲି ଏ ଦୁନିଆ ତୋ ପାଇଁ ପର ହୋଇଯିବ । ଆକାଶ, ବାହାର ଦୁନିଆ କୁ ଦେଖୁଥାଏ, ବହୁତ୍ ଅନ୍ଧାର ଥାଏ ଏଵଂ ତାକୁ ଇଚ୍ଛା ହେଉଥାଏ ଯେ, ସେ କାଳିମା ଭିତରେ ସେ କିଛି ସମୟ ଭିତରେ ଯେମିତି ଲିନ ହୋଇଯିବ। 

କାରଣ ସନ୍ଧ୍ୟା ଠାରୁ ସେ ଖଟ ଉପରେ ବସି ବସି ଚାରି ଘଣ୍ଟା ବିତି ଗଲାଣି। ରୁମ୍ ଭିତରେ ଲକ ହୋଇ ବ୍ୟସ୍ତ ବିବ୍ରତ ହୋଇ ସାରିଲାଣି । ସେ ଭାବିଲା ଶେଷ ସମୟ ମୋର ଆସିଗଲାଣି।ଏତିକି ଭାବି ପୁଣି ଯାଇ ମୋବାଇଲ କୁ ଥରେ ଦେଖିଲା। ଭାବିଲା ଥରେ ସୁନୀତା ସହ କଥା ହୋଇଯିବି।  କାରଣ ସନ୍ଧ୍ୟା ଠାରୁ ପ୍ରାୟ ୨୦ ଥର ସୁନୀତା ର ଫୋନ୍ ବାଜି ବାଜି ମିସ୍ କାଲ ରେ ପରିଣତ ହୋଇ ଯାଉଛି । ଫୋନ କୁ ଧରିବାକୁ ଯାଉଥିଲି, ଯମ ଦୂତ ଆକାଶ କୁ ପାଟି କରି କହିଲା, ନା ଏବେ ତୋର ମୁକ୍ତି ପାଇବା ର ସମୟ । କାହାର ଫୋନ୍ ଉଠେଇବୁ ନାହିଁ, କେହି ତୋର ନିଜର ନୁହେଁ।  ଏଠି ସମସ୍ତେ ସ୍ବାର୍ଥ ପର। ଆଜି ତୁ ଯେଉଁ କର୍ମ କରିବାକୁ ଯାଉଛୁ, ତାହା ତୋର ଅସଲ ମୁକ୍ତି ପାଇବା ର ରାସ୍ତା।  

ତା କଥା ଶୁଣି, ପୁଣି ଆକାଶ ର ମନରେ ପରିବର୍ତ୍ତନ ଦେଖା ଦେଲା ଏଵଂ ଫୋନ୍ କୁ ଓଲଟା କରି ରଖି ଦେଲା ଏଵଂ ଖଟ ଉପରେ ପଡ଼ି ଥିବା ବେଡ୍ ସିଟ କୁ ଉଠେଇ ତାକୁ ମୋଡ଼ି ମୋଡ଼ି ଗୋଟିଏ ଦଉଡ଼ି ଭଳି କରିଲା । ଖଟ ସାଇଡ ରେ ଥିବା ଷ୍ଟୁଲ୍ କୁ ଆଣି ଠିକ୍ ଫେନ୍ ତଳେ ରଖିଲା।  ସେପଟେ ଯମ ଦୂତ ବାଧ୍ୟ କରୁ ଥାଏ।  ଆରେ ଶୀଘ୍ର କର, ସମୟ ଗଡି ଯାଉଛି । ଆକାଶ ତା କଥା ଶୁଣି ସେ ଯେମିତି ପାଗଳ ହୋଇ ଗଲାଣି । ସମୟ ନଷ୍ଟ ନ କରି ସେ ପ୍ରଥମେ ପଙ୍ଖା ରେ ବେଡ୍ ସିଟ କୁ ବାନ୍ଧିଲା ଏବଂ ଏବଂ ଅନ୍ୟ ଭାଗ ଟି ଆକାଶ ନିଜ ଗଳାରେ ରେ ବାନ୍ଧିଲା।  ସେପଟେ ଯମ ଦୁତ କହୁଥାଏ, ଆଜି ତୋର ମୁକ୍ତି ନିଶ୍ଚିତ ହେବ, ତୁ ଠିକ୍ କରୁଛୁ । ଏବେ ଗଳାରେ ଥିବା ବେଡ୍ ସିଟ କୁ ଟାଇଟ୍ ରେ ଗଣ୍ଠି ପକେଇ ଦେ ଏବଂ ଷ୍ଟୁଲ କୁ ଠେଲି ଦେ । 

ତା କଥା ରେ ଆକାଶ ତାର ନିଜ ଗଳା କୁ ଟାଇଟ୍ କରିବାରେ ଲାଗିଲା । ଆଖି ଧୀରେ ଧୀରେ ବନ୍ଦ ହେବାକୁ ଲାଗିଲା। ଷ୍ଟୁଲ କୁ ଠେଲି ବାକୁ ଗୋଡ କୁ ଉଠେଇ ବାକୁ ଚେଷ୍ଟା କରିଲା । ଠିକ୍ ସେ ସମୟରେ ଆକାଶ ର ଫୋନ୍ ବାଜି ଉଠିଲା । ଦେଖି ପାରୁ ନଥାଏ କାରଣ ମୋବାଇଲ ର ସ୍କ୍ରିନ ଓଲଟା ଥାଏ । ଆକାଶ ମନ ବଦଳେଇ ଦେଲା ଏବଂ ଚୁପ୍ ରହିଲା। ଗୋଟିଏ ଲମ୍ବା ରିଙ୍ଗ ହୋଇ ରହିଲା, ପୁଣି ବାଜିବାରେ ଲାଗିଲା । ପୁଣି ଅଣଦେଖା କରି ଗଳା କୁ ଟାଇଟ୍ କରିବାରେ ଲାଗିଲା । ସେପଟେ ଯମ ଦୂତ କଣ ମନ୍ତ୍ର ଫୁଙ୍କିଲା କେଜାଣି ତାର ନିଶ୍ବାସ ଅବରୁଦ୍ଧ ହେବାକୁ ଲାଗିଲା । ଆଖି ମଳିନ ପଡ଼ି ଧୀରେ ଧୀରେ ବନ୍ଦ ହେବାକୁ ଲାଗିଲା।  

ଷ୍ଟୁଲ କୁ ଠେଲିବାକୁ ଗୋଡ ଉଠେଇଲା ଏବଂ ଠେଲି ବାକୁ ପ୍ରୟାସ କରୁ କରୁ ତୃତୀୟ ଥର ପାଇଁ ଫୋନ୍ ବାଜି ଉଠିଲା । ଫୋନ ର ରିଙ୍ଗ ତାକୁ ଯେମିତି ବିବ୍ରତ କରୁଥାଏ । ରାଗରେ ଲମ୍ବା ନିଶ୍ବାସ ନେଇ ମଳିନ ଆଖିକୁ ଖୋଲି ଭାବିଲା, କିଏ ସେ ଲୋକ ଯିଏ ବାରମ୍ବାର ଫୋନ୍ କରୁଛି । ଯାଏ ଫୋନ୍ କୁ ସ୍ୱିଚ ଅଫ କରି ଦିଏ । ସେପଟେ ଯମ ଦୂତ କହିଲା, ନା ନା, ଏବେ ତୋର ମୁକ୍ତି ପାଇବାର ସମୟ, ଆଉ ଏହି ସମୟକୁ ବେକାର ରେ ଯିବାକୁ ଦିଅ ନାହିଁ । ଯମ ଦୂତ ର କଥା କୁ ମାନିବି ନା ନିଜ ମନ କଥା କୁ ଗ୍ରହଣ କରିବି, ଆକାଶ ଭାବୁଥାଏ।  ଶେଷରେ ସ୍ଥିର କରିଲା।  ଯେ ନା, ଏବେ ପର୍ଯ୍ୟନ୍ତ ଯମ ଦୂତ କଥା ଶୁଣି ଆସୁଥିଲି । ଏବେ ମୋ ମନ କଥା ଶୁଣିବି। ବେଡ୍ ସିଟ ର ଗଣ୍ଠି କୁ କୋହଳ କରି ଖଟ ଉପରେ ଚଢ଼ି ଆସିଲା। ଫୋନ କୁ ଉଠେଇ ସାଇଲେଣ୍ଟ କରିବାକୁ ଯାଉଥିଲା । ଚତୁର୍ଥ ଥର ପାଇଁ ବାଜିବାକୁ ଲାଗିଲା। ନୂଆ ନମ୍ବର ଟିଏ।  ନମ୍ବର୍ ଟି ଅଳ୍ପ ଚିହ୍ନା ଚିହ୍ନା ଲାଗୁଥିଲା । ଫୋନ କୁ ଶାଇଲେଣ୍ଟ କରିବ କଣ ଫୋନ୍ କୁ ଉଠେଇ ଦେଲା ଏବଂ ଭାବିଲା ଏହି ଫୋନ୍ କଲ୍ ମୋ ପାଇଁ ମୋ ଜୀବନର ଶେଷ କଲ୍ କହି କଥା ହେବାକୁ ଲାଗିଲା ।  

ହାଲୋ, କିଏ କହୁଛନ୍ତି ବୋଲି ପଚାରିଲା ? ସେପଟୁ ହସ ଭରା ଶବ୍ଦ ରେ ଗୋଟିଏ ଗୋଟିଏ ସ୍ୱର କହିବାକୁ ଲାଗିଲା, ଆରେ ଭାଇ ଆକାଶ, କେମିତି ଅଛୁ ତୁ?

 ମୁଁ ଚିହ୍ନି ପାରିଲି ନାହିଁ । ପୁଣି ପଚାରିଲା କିଏ କହୁଛ?? ସେପଟୁ ପୁଣି ଉତ୍ତର ଆସିଲା, ଆରେ ଭାଇ ମୁଁ ଦୀପ୍ତି କହୁଛି, ଆରେ ଦୀପ୍ତି ରଞ୍ଜନ, କଣ ଯେ ଚିହ୍ନି ପାରୁନୁ ? ?? ଆକାଶ ଅଳ୍ପ ଭାବିବାକୁ ଲାଗିଲା । ଆରେ ଭାଇ ଆମେ ଦୁହେଁ ମିଶି ପୋଲିସ୍ ଟ୍ରେନିଂ କରି ଥିଲେ ଭୁବନେଶ୍ୱର ରେ ଏବେ ମନେ ପଡ଼ିଲା ?? ଆକାଶ ର ମନେ ପଡିଗଲା । ସେ କହି ଉଠିଲା, ଆରେ ଭାଇ କହ, କହ କେମିତି ଅଛୁ ? ସେପଟୁ ଦୀପ୍ତି ପଚାରିଲା, ପ୍ରଥମେ ତୁ କହ, କେମିତି ଅଛୁ ?? ଆକାଶ କହିଲା, ନା ରେ ଭାଇ ଭଲ ନାହିଁ । ଦୀପ୍ତି ପୁଣି ପଚାରିଲା, ହଁ ମୁଁ ମଧ୍ୟ ଖବର ପାଇଲି, ତୋ ସହିତ ଅନ୍ୟାୟ ହୋଇଛି ଏବଂ ସବୁ କାହାଣୀ ତୋ ଠାରୁ ଶୁଣିବାକୁ ଚାହୁଁଛି।  କହ ମୋତେ, ଆକାଶ କହିଲା ନା, ରେ ଭାଇ, କହି ପାରିବି ନାହିଁ, ସମୟ ନାହିଁ ମୋ ପାଖରେ।

  ସେପଟେ ଯମ ଦୂତ ରାଗରେ ଚାହିଁ ଡାକୁଥାଏ ଏବଂ କହିବାକୁ ଲାଗିଲା, ଶୀଘ୍ର ଆସେ ଷ୍ଟୁଲ ଉପରକୁ।  ସେପଟୁ ପୁଣି ସ୍ୱର ଆସିଲା। 

ଭାଇ କଣ ହେଲା ରେ, ଚୁପ୍ ରହିଲୁ ଯେ, ଆରେ ମୋତେ ତୋର କ୍ଲୋଜ ଫ୍ରେଣ୍ଡ୍ ବୋଲି କହୁଥିଲୁ କିନ୍ତୁ ଏବେ କହୁଛୁ ଯେ, ସମୟ ନାହିଁ ମୋ ପାଖରେ। 

ନା ରେ ଭାଇ, ମୋର ଟିକେ ମନ ଭଲ ନାହିଁ, ଗୋଟିଏ ବଡ କାମ ଟେ କରିବାକୁ ଯାଉଛି। ସେପଟେ ଦୀପ୍ତି କହିଲା, ତୋର କଣ ଏମିତି ବଡ କାମ ଯେ ମୋତେ କହି ପାରିବୁ ନାହିଁ। ଏତିକି ଶୁଣି ଆକାଶ ର ମନରେ ଅଳ୍ପ ରାଗ ହେଲା, ଏବଂ ଗାଢ଼ ସ୍ଵରରେ କହିଲା, ମୁଁ ଆତ୍ମହତ୍ୟା କରିବାକୁ ଯାଉଛି । ଦୀପ୍ତି କହିଲା, ଆଉ କଣ ଟା ତୁ କରି ପାରିବୁ କହ ?? ଯା ଯା, ସେଠୁ କରି ଆସିଲା ପରେ ମୋ ସହିତ କଥା ହେବୁ ।

 ଆକାଶ ର ପୁଣି ରାଗ ଚଢ଼ିଲା । ଆରେ ତୋତେ କଣ ମଜା ଲାଗୁଛି ନା କଣ ?? ସତରେ ମୁଁ ଆତ୍ମହତ୍ୟା କରିବାକୁ ଯାଉଛି । ତୋର ଯଦି ବିଶ୍ବାସ ହେଉନି ଭିଡିଓ କଲ୍ କରେ, ତୋତେ ଦେଖେଇ ଦେବୀ।  ସେପଟେ ଦୀପ୍ତି କହିଲା, ନା ନା ଥାଉ, ମୋତେ ତୋ ଆତ୍ମହତ୍ୟା ସେଟ୍ ଅପ୍ ଦେଖେଇବା ଦରକାର ନାହିଁ । ତୋର ସେଟ୍ ଅପ୍ ଦେଖି ଯଦି ମୋର ଇଚ୍ଛା ହୋଇଗଲା ତେବେ ମୁଁ ମଧ୍ୟ କରିଦେବି। ଏତିକି କହୁ କହୁ ଆକାଶ ଭିଡିଓ କଲ୍ ପାଇଁ ରିକ୍ୱେଷ୍ଟ ଦେଲା । ଦୀପ୍ତି ତାକୁ ରିଜେକ୍ଟ କରି କହିଲା । ଆରେ ନାଇଟ୍ ଡିଉଟି ରେ ଅଛି । ଟାୱାର ଉପରେ ବସିଛି । ଲାଇଟ୍ ପଡ଼ିଲେ INT ବାଲା ଜାଣି ଯିବେ । 

ଭଏସ୍ କଲ୍ ରେ କଥା ହେବା। ସେପଟୁ ଆକାଶ ରାଗରେ କହିଲା। ତୋତେ ମଜା ଲାଗୁଛି ନା । ରଖ୍ ଫୋନ୍ । ମୁଁ ଯାଉଛି ଆତ୍ମହତ୍ୟା କରିବି । ଦୀପ୍ତି କହିଲା। ରହିଯା ଭାଇ, ତୁ ଗୋଟିଏ କାମ କର ତୋର ଆତ୍ମହତ୍ୟା ପୋଷ୍ଟ ପନ୍ କରିଦେ।  ଆର ମାସରେ ମୁଁ ଛୁଟି ଆସିବି । ତୁ ମଧ୍ୟ ଆସେ । କଟକ ରେ ଦେଖା କରିବା, ସେଠି ଗୋଟିଏ ଯାଗା ଦେଖି ଆତ୍ମହତ୍ୟା କରିବା। ଏତିକି ଶୁଣି, ଆକାଶ ଚୁପ୍ ରହିଲା ଏବଂ ରାଗରେ ଜଳୁଥାଏ । ସେପଟେ ଯମ ଦୂତ ତାକୁ ରାଗରେ ଚାହିଁ ରହିଥାଏ ଏବଂ ଈଶାରା କରୁଥାଏ ଆସିବା ପାଇଁ । ସେପଟୁ ପୁଣି ସ୍ୱର ଆସିଲା । ଆରେ ଭାଇ ରାଗିଲୁ କି ?? ହଉ ଶୁଣ ରାଗିବା ଦରକାର ନାହିଁ । ପ୍ରଥମେ ମୋତେ ତୋ କାହାଣୀ ଟା କହ, ତାପରେ ତୁ ଯଦି ଆତ୍ମହତ୍ୟା କରିବାକୁ ଚାହିଁବୁ କରିବୁ ତୋତେ ମୁଁ ମନା କରିବି ନାହିଁ । ଆକାଶ କହିଲା ନା ରେ ଭାଇ କହି ପାରିବି ନାହିଁ । 

ଦୀପ୍ତି କହିଲା, ଦୁଇ ମିନିଟ ଲାଗିବ । କହିଦେ, ମୁଁ ତ ଜାଣିଥିବା ଦରକାର ନା, କାଲି ତୁ ଯଦି ଆତ୍ମହତ୍ୟା କରିବୁ ବାକି ଲୋକଙ୍କୁ ତ ମୋତେ କହିବାକୁ ପଡ଼ିବ ନା ?? ତୁ କୋଉ କାରଣ ପାଇଁ ଆତ୍ମହତ୍ୟା କରିଛୁ । ଏବେ ଆକାଶ ର ଅଳ୍ପ ରାଗ ଶାନ୍ତ ହେଲା । ହଉ ତୁ ଯଦି ପଚାରୁଛୁ ତେବେ ଶୁଣ କହୁଛି । ଆକାଶ ଭାବିଲା, ସେ ଯଦି ପଚାରୁଛି ତେବେ ତାକୁ କହିଦିଏ ତା ପରେ ଆତ୍ମହତ୍ୟା କରିବି। ଆକାଶ କହିଲା, ପୋଲିସ୍ ଟ୍ରେନିଂ ପରେ 2014 ରେ ଚାକିରି ଛାଡ଼ି ଫରେଷ୍ଟ ରେଞ୍ଜର ତ ହୋଇଗଲି କିନ୍ତୁ ଏଠି ମଧ୍ୟ ଶାନ୍ତି ନାହିଁ ରେ ଭାଇ।  ଚୋରି କରିଲା କିଏ ଆଉ ଫସିଲା କିଏ ? ଆଜି କୁ ଠିକ୍ 19 ଦିନ ପୂର୍ବରୁ, ଗୋଟିଏ ଶାଗୁଆନ ଟ୍ରକ୍ ଟିଏ ନାକା ରେ ଧରିଲି । ତାର ଠିକ୍ ଦୁଇ ମିନିଟ ପରେ ସେ ଅଞ୍ଚଳ ର ସଲୁ ଭାଇ ର ଫୋନ୍ ଆସିଲା ଯିଏ ଏହି ଅଞ୍ଚଳ ର ନାମୀ ଦାମୀ ମଦ ଭାଟି ର ମାଲିକ ଏବଂ ମୋତେ ଧମକ ଦେଇ କହିଲା ଯେ ସେ ଟ୍ରକ୍ କୁ ଛାଡି ଦିଅ ଅଫିସର୍। 

ମୁଁ କହିଲି, ଯଦି କିଛି ଧମକ ବାକି ଅଛି ତେବେ ତମେ ଆସି ପୋଲିସ୍ ଷ୍ଟେସନ ରେ କହିବ କହି ଫୋନ୍ କାଟିଦେଲି । ତା ପର ଦିନ ଠାରୁ ଯେମିତି ମୋ ପଛରେ ଶନି ଗ୍ରହ ଦୋଷ ଲାଗିଗଲା ଏବଂ ଦ୍ଵିତୀୟ ଦିନ ଅଫିସ ଯିବା ବାଟରେ ଗୋଟିଏ ସ୍ତ୍ରୀ ଲୋକ ମୋତେ ଆଗକୁ ଯିବା ପାଇଁ ସାହାଯ୍ୟ ମାଗିଲା। ମୁଁ ସାହାଯ୍ୟ କରିବା ପାଇଁ ଜିପ୍ ରୁ ତଳକୁ ଓହ୍ଲାଇଛି ସେ ପାଟି କରି ଆଖ ପାଖ ଲୋକଙ୍କୁ ଡାକିଲା ଏବଂ ସେ ସ୍ତ୍ରୀ ଲୋକ ନିଜ ଲୁଗା କୁ ନିଜେ ଚିରି ଏବଂ ଦେହରେ ନଖ ର ଚିହ୍ନ କରି ମୋ ଉପରେ ବଳାତ୍କାର ର ଦୋଷ ଲଗେଇ ଦେଲା ଏଵଂ ପାଖରେ ଥିବା ଲୋକ ମାନେ ମୋତେ ବହୁତ୍ ମାଡ ମାରିଲେ ଏବଂ ମୋ ବିରୁଦ୍ଧରେ ପୋଲିସ୍ ରେ ରିପୋର୍ଟ ଲେଖାଇଲେ।

 ସେ ଦିନ ଠାରୁ ସେ ସାଲୁ ଭାଇ ମୋତେ ଧମକ ଦେଉଛି ଏବଂ ଏହି ଏରିଆ ଛାଡି ଯିବାକୁ କହୁଛି ନହେଲେ ସେ ମୋତେ ଆଉ ମୋ ପରିବାର କୁ ଜୀବନରୁ ମାରି ଦେବ।  ଏହି ଚିନ୍ତାରେ ପୋଲିସ୍ ର ସାହାଯ୍ୟ ମାଗିଲି କିନ୍ତୁ ପୋଲିସ ମଧ୍ୟ ସାଲୁ ଭାଇ ସହିତ ମିଶି ମୋ ସହିତ ଓଲଟା କଥା କହିଲେ । ମୋ ଅଫିସର୍ କୁ କହିଲି ସେ ମଧ୍ୟ ହାତ ଟେକି ଦେଲେ ଏବଂ କହିଲେ ଯେ ତମ ସମସ୍ୟା ତମେ ସମାଧାନ କର ଆମକୁ ସେ ଭିତରକୁ ଟାଣ ନାହିଁ । ସବୁ ଆଡୁ ରାସ୍ତା ବନ୍ଦ ହୋଇଗଲା।  ଘରେ ସ୍ତ୍ରୀ କୁ କହିଲି ସେ ମୋତେ ବୁଝେଇଲା ଏବଂ ଆଶ୍ଵାସନା ଦେଉଛି ଯେ ସବୁ ଠିକ୍ ହୋଇଯିବ କିନ୍ତୁ ମୋ ପକ୍ଷେ ଏହା ଅସମ୍ଭବ ମୁଁ ଆଉ ବଞ୍ଚିବା ପାଇଁ ଚାହୁଁ ନାହିଁ ରେ ଭାଇ। କେହି ମୋର ନିଜର ନୁହେଁ ସମସ୍ତେ ଏଠି ସ୍ବାର୍ଥ ପର। ଖାଲି ସେତିକି ନୁହେଁ ସେ ସାଲୁ ଭାଇ ମୋତେ ୫୦ ଲକ୍ଷ ଟଙ୍କା ମଧ୍ୟ ମାଗୁଛି । 

ସେପଟେ ଦୀପ୍ତି କହିଲା, ତୁ ଚାକିରି ଛାଡି ଦେଉନୁ କାହିଁକି। ଆକାଶ କହିଲା, ଚାକିରି ଛାଡ଼ିଲେ ମୋ ଘର କେମିତି ଚଳିବ? ଦୀପ୍ତି କହିଲା, ଆରେ ଭାଇ, ଆତ୍ମହତ୍ୟା କଣ ସମାଧାନ ର ଉତ୍ତମ ରାସ୍ତା କୀ କହ ? । ଯଦି ତୁ ଆତ୍ମହତ୍ୟା କରିବୁ ତେବେ ସେ ସାଲୁ ଭାଇ କଣ ତୋ ପରିବାର କୁ ଛାଡ଼ି ଦେବ ? ତୁ କରିବୁ ଯଦି କର, ତୋର ଗୋଟିଏ ଝିଅ ଅଛି, ସେ ଅନାଥ ହୋଇଯିବ, କେବେ ଭାବିଛୁ । ତୋତେ ବିଶ୍ବାସ କରୁଥିବା ତୋର ସ୍ତ୍ରୀ କେମିତି ବଞ୍ଚିବ। ସେ ତୋ ବିନା ବଞ୍ଚି ପାରିବ ନାହିଁ ରେ। ତୋର ଯିବା ଦୁଃଖରେ ସେ ମଧ୍ୟ ଆତ୍ମହତ୍ୟା କରି ପାରେ। ତୋର ଟଙ୍କା ପଇସା ର କଣ ହେବ। ତୋର ବାପା ମା ତୋ ଛୁଆ କୁ ନିଜର ବୋଲି ମାନୁ ନାହାନ୍ତି । ଏପଟେ ଶଶୁର ଘର ଲୋକଙ୍କ ବ୍ୟବହାର ମଧ୍ୟ ଠିକ୍ ନୁହଁ । କେମିତି ଏହି ସ୍ବାର୍ଥ ପର ଦୁନିଆ ରେ ସେମାନେ ଚଳିବେ, ତୁ କହ ?? 

ତୁ ଯଦି ସେମାନଙ୍କ ସହ ଲଢେ଼ଇ କରି ପାରିବୁ ନାହିଁ ତେବେ ସେ ସ୍ଥାନରୁ ଅନ୍ୟ ଯାଗା କୁ ପୋଷ୍ଟିଂ କରେଇ ଦେ। ଭଲ ଭାବରେ ଚିନ୍ତା କରେ । ଆତ୍ମହତ୍ୟା ସମାଧାନ ର ରାସ୍ତା ନୁହଁ । କଣ ଅସୁବିଧା ହେଉଛି ସବୁ ମୋତେ କହ । ତାର ସମାଧାନ ମୁଁ ତୋତେ ନିଶ୍ଚୟ କହିବି କିନ୍ତୁ ଆଜି ତୁ ଯଦି ଆତ୍ମହତ୍ୟା କରି ଦେବୁ ତେବେ ତୋତେ ତ ମୁକ୍ତି ମିଳିଯିବ  ଏବଂ ତୋତେ ମୁର୍ଖ ଆଉ କା-ପୁରୁଷ ର ଉପାଧି ମଧ୍ୟ ନିଶ୍ଚୟ ଦେବେ । ତୁ କହ ତୋ ଝିଅ କେମିତି ବଞ୍ଚିବ ଯିଏ ନିଜ ବାପା ନାମ ନେଇ ସବୁ ଜାଗାରେ ନିଜକୁ ଉଚ୍ଚ ମନେ କରୁଛି।  ତୋ ସ୍ତ୍ରୀ କେମିତି ବଞ୍ଚିବ ଯିଏ ନିଜ ସିନ୍ଦୂର ଓ ତୋର ସଚ୍ଚୋଟ ପଣିଆ ପାଇଁ ଗର୍ବ କରି ଆସିଛି । ସେ ବାପା ମା କେମିତି ବଞ୍ଚିବ ଯିଏ ନିଜ ର ମୃତ୍ୟୁ ପୂର୍ବରୁ ନିଜ ପୁଅ ର ମୂତ୍ୟୁ ଦେଖିବେ। ଥରେ ଚିନ୍ତା କରି ଦେଖେ ।

ଏତିକି ଶୁଣି ଆକାଶ ର ଆଖିରୁ ଦୁଇ ଟୋପା ଲୁହ ବାହାରି ଗଲା। ଆଖି ବନ୍ଦ କରି ଖଟ ଉପରେ ଅଚେତ୍ ଭାବେ ବସି ପଡ଼ିଲା । ସେପଟେ ଯମ ଦୂତ ଧୀରେ ଧୀରେ ଅଦୃଶ୍ୟ ମାନ ହେବାକୁ ଲାଗିଲା ଏବଂ ତାର ଶବ୍ଦ ଶୁଣା ଯିବା କମିଗଲା । ମୁଣ୍ଡରେ ହାତ ଦେଲା । ଆରେ ଭାଇ, ସତରେ ମୁଁ କଣ କରିବାକୁ ଯାଉଥିଲି ରେ। ପୁଣି ଦୁଇ ଟୋପା ଲୁହ ବାହାରି ଗଲା। ସତରେ ଦୀପ୍ତି, ତୋ ଯୋଗୁ ହିଁ ଆଜି ମୁଁ ଗୋଟିଏ ବହୁତ୍ ବଡ ଭୁଲ କରିବା ରୁ ବଞ୍ଚିଲି। ଦୀପ୍ତି ଅଳ୍ପ ହସି କହିଲା, ମୁଁ ପ୍ରଥମ ରୁ ଜାଣିଥିଲି ତୁ କିଛି ଗୋଟିଏ ଭୁଲ କାମ କରିବୁ ବୋଲି ଏବଂ ମୋତେ ଆଭାସ ହେଉଥିଲା । ଆଉ ତୁ ଆଜି ମୋ ପାଇଁ ବଞ୍ଚିନୁ ରେ ସେ ଝିଅ ପାଇଁ , ସେ ସ୍ତ୍ରୀ ପାଇଁ ଆଉ ସେ ବାପା ମା ପାଇଁ ବଞ୍ଚିଲୁ । ମୁଁ ତ କିଛି ନୁହଁ ରେ। ଆକାଶ ର ଆଖି ଓଦା ହୋଇ ସାରିଥିଲା । କହି ଉଠିଲା। ଭାଇ ମୁଁ ମୋର ସୁସାଇଡ ନୋଟ ମଧ୍ୟ ଲେଖି ରଖିଛି । ଦୀପ୍ତି କହିଲା, ଏବେ ତୁ ନିଷ୍ପତି ନେ ଏବଂ ସମାଧାନ ର ରାସ୍ତା ମୁଁ ତୋତେ ଦେଖେଇବି। ଯା ଫ୍ରେସ୍ ହୋଇ ଯା ଏଵଂ ଖାଇ ନଥିବୁ ମଧ୍ୟ।  ଆକାଶ ହଁ ମାରିଲା । 

ଦୀପ୍ତି କହିଲା, ଯା ବାହାର ହୋଟେଲ ରୁ କିଛି ଖାଇବା ଅର୍ଡର୍ କରେ, ନହେଲେ ଅନଲାଇନ୍ ରେ ଅର୍ଡର୍ କରେ। କାଲି ହିଁ ଭାଉଜ ଙ୍କୁ ନେଇ ଆସ । ଦୁହେଁ ମିଶି ରହିଲେ।  ମନ ଭଲ ରହିବ। ଏକା ରହିଲେ ଖରାପ ଚିନ୍ତା ମୁଣ୍ଡରେ ଆସିବ।  ଏବେ ମୁଁ ଫୋନ୍ ରଖୁଛି। ଥରେ ଭାଉଜ ଏବଂ ବାପା ମା ସହିତ କଥା ହୋଇ ଯା ମାତ୍ର ସେମାନଙ୍କୁ ତୋର ମୂର୍ଖାମୀ କାମ ବିଷୟରେ କହିବୁ ନାହିଁ। ଏବେ ମୁଁ ଫୋନ୍ ରଖୁଛି କହି ଦୀପ୍ତି ଫୋନ୍ କାଟି ଦେଲା ।

ଆକାଶ ଗୋଟିଏ ଲମ୍ବା ନିଶ୍ବାସ ନେଇ ଖଟ ଉପରେ ଶୋଇ ରହିଲା । ପ୍ରାୟ ଦୁଇ ମିନିଟ ପର୍ଯ୍ୟନ୍ତ ସେ ଫାଶୀ ବନେଇ ଥିବା ବେଡ୍ ସିଟ କୁ ଦେଖି ହସୁଥାଏ ଏବଂ ଅଳ୍ପ କାନ୍ଦୁଥାଏ । ସୁନୀତା ର ଫୋନ୍ ବାଜି ଉଠିଲା । ସୁନୀତା ନୀରବ ରେ ପଚାରିଲା, କଣ କରୁଛ ? ଫୋନ୍ କାହିଁକି ରିଶିଭ କରୁନ?  ମୁଁ ବହୁତ୍ ଚିନ୍ତାରେ ଅଛି । ଏପଟେ ଆକାଶ କହିଲା, ନା ମୁଁ ଠିକ୍ ଅଛି। ମୋର ଦେହ ଭଲ ନଥିଲା ସେଥିପାଇଁ ମୋବାଇଲ କୁ ଶାଇଲେଣ୍ଟ କରି ଶୋଇ ପଡ଼ି ଥିଲି।  ସୁନୀତା ପଚାରିଲା, କଣ ହୋଇଛି କି ? ଆକାଶ କହିଲା, ମୁଣ୍ଡ ଟିକେ ବ୍ୟଥା ହେଉଥିଲା ଏଵଂ ଅଳ୍ପ କଥା ହେଲା ପରେ ମା ଙ୍କୁ ଫୋନ୍ ଦେବା ପାଇଁ କହିଲା । ସୁନୀତା ମା ଙ୍କୁ ଫୋନ୍ ଦେଲେ, ମା ଙ୍କ ସହ ମଧ୍ୟ ଆକାଶ କଥା ହେଲା।  ନିଜକୁ ଖୁସି ମନେ କରିଲା । ବାପା କଥା ପଚାରି ବାରୁ। ମା କହିଲେ, ତାଙ୍କୁ ଅଳ୍ପ ଥଣ୍ଡା ହୋଇଯାଇଛି ସେଥିପାଇଁ ସେ ଖାଇ ଶୋଇ ପଡିଲେଣି । କାଲି କଥା ହେବୁ । ତାପରେ ଅଳ୍ପ କଥା ହୋଇ ଆକାଶ ଫୋନ୍ ରଖିଲା।  ଅନଲାଇନ୍ ଖାଇବା ମଧ୍ୟ ଅଳ୍ପ ସମୟରେ ପହଞ୍ଚି ଗଲା । ତା ପର ଦିନ ନିଜ ଗାଁ କୁ ଯାଇ । ପ୍ରାୟ ଚାରି ପାଞ୍ଚ ଦିନ ରହି ସୁନୀତା କୁ ନେଇ ଆସିଲା ।

 ବର୍ତମାନ ଆକାଶ ର ସମସ୍ୟା ଧୀରେ ଧୀରେ ସମାଧାନ ହେବାକୁ ଲାଗିଲାଣି ଏବଂ ତାହା କେବଳ ଦୀପ୍ତି ଭଳି ଗୋଟିଏ ଭଲ ସାଙ୍ଗ ପାଇଁ।  

( ସେଦିନ ମଧ୍ୟ ଦୀପ୍ତି କୁ ଆକାଶ ର ସ୍ତ୍ରୀ ଫୋନ୍ କରି କହିଲା ଯେ, ମୁଁ ଆକାଶ କୁ ମୁଁ ବହୁତ୍ ଥର କଲ୍ କରିଲିଣୀ ସେ ଫୋନ୍ ଉଠୋଇ ନାହାନ୍ତି। ପ୍ଲିଜ୍ ତାଙ୍କୁ ଟିକେ ଫୋନ୍ କରି ପଚାରିବ କି ?? କାହିଁକି ନା, ସେ ତମ ବିଷୟରେ ମୋତେ ଆଗରୁ କହିଥିଲେ କି ତମେ ଦୁହେଁ ଭଲ ସାଙ୍ଗ ଥିଲ । ସେ ବହୁତ୍ ଚିନ୍ତାରେ ଅଛନ୍ତି ପ୍ଲିଜ୍ ତାଙ୍କୁ ଟିକେ କଲ୍ କରି ବୁଝେଇ ଦିଅ  । ମୋତେ କିଛି ରାସ୍ତା ଦେଖା ଗଲା ନାହିଁ । ସେଥିପାଇଁ ତମକୁ ଫେସବୁକ୍ ରେ ମେସେଜ କରି ତମ ନମ୍ବର୍ ମାଗିଲି । ମୋତେ କ୍ଷମା କରିବ ଯଦି ତମକୁ ଡିଷ୍ଟର୍ବ କରି ଥିବାରୁ। ଦୀପ୍ତି ମଧ୍ୟ କହିଲା ଯେ, କିଛି ନାହିଁ ଭାଉଜ, ମୁଁ ଏବେ ହିଁ ଫୋନ୍ କରି କଥା ହେଉଛି ଏବଂ ସେଦିନ ଆକାଶ ଦୀପ୍ତି ଯୋଗୁଁ ହିଁ ମରଣ ମୁହଁରୁ ଫେରି ଆସିଲା । 

ତାପରେ ଦୀପ୍ତି ଆକାଶ ର ସ୍ତ୍ରୀ କୁ ଫୋନ୍ କରି କହିଲା ଯେ ତମେ ଏବେ ଫୋନ୍ କରି କଥା ହୁଅ କିନ୍ତୁ ତାଙ୍କୁ ରାଗି କରି କିଛି କହିବ ନାହିଁ । ସେ ବହୁତ୍ ଚିନ୍ତାରେ ଅଛି। ତମେ ଭଲ ଭାବରେ କଥା ହେବ ବୋଲି ଦୀପ୍ତି ଆକାଶ ର ସ୍ତ୍ରୀ କୁ ବୁଝେଇ ଦେଇଥିଲା )

ତେବେ ଏମିତି ଘଟଣା ଆଜି କାଲି ଆପଣ ମାନେ ଦେଖୁଥିବେ । କାହାର କାହାର କେସ ଠିକ୍ ଏହି କାହାଣୀ ଭଳି ସମାନ ।  ଯାହା ପାଖରେ ଦୀପ୍ତି ଭଳି ଗୋଟିଏ ଭଲ ବିଚାର ଥିବା ସାଙ୍ଗ ଟିଏ ଥାଏ ସେ ତ ବଞ୍ଚି ଯାଏ କିନ୍ତୁ ଯାହା ପାଖରେ ନଥାଏ ସେ ଏ ଜୀବନରୁ ମୁକ୍ତି ପାଇଁ କା-ପୁରୁଷ ର ପରିଚୟ ନେଇ ଆରପାରି କୁ ଚାଲି ଯାଆନ୍ତି।  

ତେବେ ଆପଣ ମାନେ କଣ ସ୍ଥିର କରିଲେ । ଦୀପ୍ତି ଭଳି ସାଙ୍ଗ ଟିଏ ସମସ୍ତଙ୍କ ପାଖେ ରହିବା ଦରକାର ନା ? କମେଣ୍ଟ୍ ରେ ନିଶ୍ଚୟ ଜଣେଇବେ ଏଵଂ ଏହି ଗଳ୍ପ ଟି କେମିତି ଲାଗିଲା କମେଣ୍ଟ ବକ୍ସ ରେ ଶବ୍ଦ ଆପଣଙ୍କୁ ଅପେକ୍ଷା କରିଛି, ନିଶ୍ଚୟ କୁହନ୍ତୁ। 

ଏହି ଗଳ୍ପ ଗୋଟିଏ ସତ୍ୟ କାହାଣୀ ଉପରେ ଆଧାରିତ । କେବଳ ସ୍ଥାନ କାଳ ପାତ୍ରକୁ ପରିବର୍ତନ କରା ଯାଇଛି । ଏଠି କାହାକୁ ଇଙ୍ଗିତ କରା ଯାଇ ନାହିଁ। 

ଏହି କାହାଣୀ ଦୀପ୍ତି ରଞ୍ଜନ ଙ୍କ ମୁଖରୁ ଲେଖକ ଶୁଣି ଆପଣଙ୍କ ସାମନାରେ କାହାଣୀ ମାଧ୍ୟମରେ ପ୍ରସ୍ତୁତ କରିଛନ୍ତି। 

ତେଣୁ ଧନ୍ୟବାଦ ଦୀପ୍ତି ଭାଇ ।

ଆପଣଙ୍କ ପ୍ରିୟ ଲେଖକ 

ନୀଳମାଧବ ଭୂୟାଁ ।