Category Archives: #kids story

କାଇଁଚ ବୁଢ଼ୀ ( kaincha budhi)

କାଇଁଚ ବୁଢ଼ୀ ( kaincha budhi)
କାଇଁଚ ବୁଢ଼ୀ ( kaincha budhi)
ମାଧବପୁର ଗ୍ରାମରେ ଗୋଟିଏ ବୁଢ଼ୀ ରହୁଥିଲା । ବୟସ ପାଖାପାଖି ୬୫ ବର୍ଷ, ନାମ ହେଲା କାଇଁଚ , ମାନେ କାଇଁଚ ବୁଢ଼ୀ । ତାର ଦୁଇ ପୁଅ, ଦୁଇ ବୋହୂ ଆଉ ନାତି ନାତୁଣୀ କୁ ନେଇ ଛୋଟ ପରିବାର ଏବଂ ଗୋଟିଏ ଝିଅ ସେ ତା ଶାଶୁ ଘରେ ରହୁଥାଏ । ବେଳେବେଳେ ଆସି ବୁଲି କରି ଯାଏ । ବୁଢ଼ୀ କୁ ପରିବାର ଭିତରେ ତାକୁ ଟିକେ ବି କାମ କରିବା କୁ ଇଛା ନୁହେଁ । କୌଣସି କାମ ପଡିଲେ ବାହାନା ଖୋଜେ କହିବାକୁ ଗଲେ ବଡ଼ ଅଳସେଇ। ଭଲ ଖାଇବା, ଭଲ ପିନ୍ଧିବା, ଆଇନା ଦେଖିବା ଆଉ ଲୋକ ଙ୍କ ସହ ଭଲ ଗପ ଜମେଇବା ବହୁତ ପସନ୍ଦ ଥିଲା । ତା ପୁଅ ବୋହୂ ଯେତେବେଳେ କାମରେ ଲାଗିଯାଆନ୍ତି । ବୁଢ଼ୀ ଏତେ ଅଳସେଇ ଯେ ଜାଣିଶୁଣି କି ବୋହୂ ମାନକୁ ହଇରାଣ କରିବା ପାଇଁ ଟେବୁଲ ଉପରୁ ପାଣି ଗ୍ଲାସ ବି ଉଠେଇକି ନିଏ ନାହିଁ । ବୋହୂ କୁ ବାରମ୍ବାର ଡାକୁଥାଏ । ସବୁବେଳେ କାହା କୁ ନା କାହାକୁ ଡାକି ହଇରାଣ କରୁଥାଏ । ବୋହୂ ମାନେ ବୁଢ଼ୀ ର କଥା ଶୁଣନ୍ତି କିନ୍ତୁ ଦୁଃଖି ହେଇଯାଆନ୍ତି । ବୁଢ଼ୀ କୁ ଭଲ ଏବଂ ସ୍ଵାଦିଷ୍ଟ ଭୋଜନ ଖାଇବାକୁ ବହୁତ ପସନ୍ଦ । ଯେତେବେଳେ ସ୍ୱାଦିଷ୍ଟ ଖାଇବା ରୋଷେଇ ହେଇଥିବ ସେ ନିଜେ ରୋଷେଇ ଘରକୁ ଯାଇ ବୋହୂ କୁ ବାରମ୍ବାର ପଚାରୁ ଥାଏ ‘ ବୋହୂ କଣ ରାନ୍ଧିଚ ବହୁତ ଭଲ ବାସ୍ନା ଆସୁଛି। ରୋଷେଇ ସରିବା ପର୍ଯ୍ୟନ୍ତ ଆଉ ଅପେକ୍ଷା କରିପାରେ ନାହିଁ । ସେ ନିଜେ ଲୁଚିକି ରୋଷେଇ ଘରକୁ ଯାଇ ଖାଇବା ଖାଏ ଏବଂ ସେଥିରୁ ବାହାର କରିକି କିଛି ତା ରୁମ୍ କୁ ନେଇ ଚାଲିଯାଏ । ଖାଇବା ସମୟରେ ବୋହୂ ମାନେ ସମସ୍ତ ଙ୍କୁ ଖାଇବା ବାଢିଦିଅନ୍ତି ଆଉ ନିଜେ ଖାଇଲା ବେଳକୁ କିଛି ବି ନଥାଏ । ପୁଅମାନେ ବୋହୂ ମାନକୁ ଗାଳି ଗୁଲଜ କରିଲେ ବୁଢ଼ୀ ବସି ଖୁସିହେଉ ଥାଏ । ଗୋଟିଏ ଦିନ ବଡ଼ପୁଅ ବଜାରରୁ ମିଠା ନେଇକି ଆସିଲା । ମିଠାକୁ ନେଇ ପିଲାମାନଙ୍କୁ ଦେଲା । ବୁଢ଼ୀ ମିଠା ଦେଖି ପାଟିରୁ ଲାଳ ଗଡି ଯାଉଥାଏ। ବୁଢ଼ୀ କୁ ମିଠା ଖାଇବାକୁ ଇଛା ହେଇଗଲା, ଏମିତି ରେ ବୁଢ଼ୀ କୁ ମିଠା ବହୁତ ପସନ୍ଦ । ବୁଢ଼ୀ ଯାଇ ପିଲାମାନ ଙ୍କୁ କହିଲା । ପିଲାମାନେ ଆଜି ମୁଁ ତମକୁ ମିଠା ଖାଇବାକୁ ଦେବି । ଶୁଣ ଆଖି ବନ୍ଦ କର!! ହାତ ଆଗକୁ ଆଣ!! ମୁଁ ବାଣ୍ଟିକରି ଦେବି ।ପିଲାମାନେ ବୁଢ଼ୀ ର କଥା ମାନି ଆଖି ବନ୍ଦ କରି ହାତ ଆଗକୁ କରିଲେ । ସେଇ ସମୟରେ ବୁଢ଼ୀ କିଛି ମିଠା ସେ ତା ନିଜ ପାଖରେ ରଖିଦେଲା । ଆଉ ଯୋଉ ମିଠା ରହିଲା ସେଗୁଡ଼ିକ ପିଲାମାନଙ୍କୁ ବାଣ୍ଟି ଦେଲା । ବୁଢ଼ୀ କୁ ଲାଲ୍ ରଙ୍ଗର ଲୁଗା ବହୁତ ପସନ୍ଦ ଥିଲା । ଦିନେ ବୋହୁ ବାହାରେ ଲୁଗା ସୁଖେଇଥିଲା ସେ ସମୟରେ ସେ ତା ବୋହୂର ଲୁଗାକୁ ନେଇ ଲୁଚେଇ ଦେଲା । ନିଜ ଝିଅ କୁ ଦେବା ପାଇଁ ରଖିଦେଲା ।ଦୁଇ ବୋହୂ ଭାବିଲେ ଆମ ଲୁଗା ନେଲା କିଏ ?? ଆସିକି ବୁଢ଼ୀ ପାଖରେ ପଚାରି ବୁଝିଲେ । ବୁଢ଼ୀ କହିଲା ପଡ଼ିଶା ଘର ରାଣୀ ନେଇଥିବ । ଏହା ଶୁଣି ଦୁଇ ବୋହୂ ରାଗ ତମ ତମ ହେଇ ପଡ଼ୋଶୀ ଘରକୁ ଗଲେ । ରାଣୀକୁ ବହୁତ ଗାଳି ଦେଲେ କିନ୍ତୁ ରାଣୀ ମୁଣ୍ଡ ଛୁଇଁ ଶପଥ କରି କହିଲା ମୁଁ ତୁମର ଶାଢ଼ୀ କି ଲୁଗା ଚୋରି କରିନି। ରାତିରେ ସ୍ବାମୀ ଆସିଲା , ବୋହୂ ସ୍ବାମୀ କୁ କହିଲା ଆମ ବାହାଘର ର ବର୍ଷେ ପରେ ମୋତେ ଯୋଉ ସୁନ୍ଦର ଲୁଗା ଟି ଉପହାର ଦେଇଥିଲ ସେଇଟା ଆଜି ସୁଖେଇଥିଲି କିନ୍ତୁ ମୋତେ ମିଳୁନି । ପୁଅ କହିଲା ଏଠି କୋଉଠି ଥିବ ଖୋଜିଲେ ମିଳିଯିବ । ଏ ସବୁ ଦେଖିକି ବୁଢ଼ୀ ବହୁତ ଖୁସିଥିଲା । ଯେମିତି ବୁଢ଼ୀକୁ ଖାଇବା ପିନ୍ଧିବା ବହୁତ ପସନ୍ଦ ସେ ଭାବିଲା ଆଗକୁ ଦୁର୍ଗା ପୂଜା ଆସୁଛି କିଛି ନୂଆ ଶାଢ଼ୀ ଆଣିବ । ବଡ଼ ପୁଅ କୁ କହିଲା ମୋ ପାଇଁ ଶାଢ଼ୀ ଆଉ ପିଲାମାନଙ୍କ ପାଇଁ ଡ୍ରେସ ନେଇ ଆଣିବୁ। ସେ ସମୟରେ ପୁଅ କହିଲା ମୋ ଶାଶୁ ମଧ୍ୟ ଆସୁଛନ୍ତି ତାଙ୍କ ପାଇଁ ବି ଗୋଟେ ଶାଢ଼ୀ ନେଇ ଆସିବି । ବୁଢ଼ୀ ସେ ସବୁ ଶୁଣି ରାଗରେ ପଞ୍ଚମ । ମନରେ ଭାବିଲା ମୋ ପାଇଁ ତ କେବେ ନିଜ ମା ବୋଲି ଶାଢ଼ୀ ଖଣ୍ଡେ ଆଣିଦେଇନି ଆଜି ଶାଶୂ ପ୍ରେମ ଉଛୁଳି ପଡୁଛି। ସକାଳ ହେଲାପରେ ସମସ୍ତେ ବଡ଼ ବୋହୁ ର ମା ଆସିବେ ବୋଲି ଅପେକ୍ଷା କରି ଥାନ୍ତି । ସେତେବେଳେ ବୁଢ଼ୀ ମନେ ମନେ ଭାବୁଥାଏ, ମୁଁ କେତେବେଳେ ବାହାରକୁ ଯାଇଥିଲେ କାଇଁ ମୋ ପାଇଁ ତ ଏମିତି ଅପେକ୍ଷା କରନ୍ତି ନି ।କିଛି ସମୟ ପରେ ଗାଡ଼ି ପହଁଚିଲା । ବଡ଼ ପୁଅ ର ଶାଶୁ ଆସିକି ପହଂଚିଲେ । ପିଲାମାନେ ଆଇ ଆଇ କହିକି ଆଇ ପାଖକୁ ଦୌଡ଼ି ଗଲେ । ପିଲାମାନଙ୍କ ପାଇଁ ଖେଳନା କାହା ପାଇଁ କଣ ସବୁ ନେଇକି ଆସିଛନ୍ତି । ବଡ ବୋହୂ ର ମା ବୁଢ଼ୀ ପାଇଁ ସିନ୍ଦୁକ ଟେ ଆଣିଥିଲେ ତାକୁ ଧରି ନିଜ ରୂମ କୁ ଚାଲିଗଲା, ଆଉ ଯାହା ଲୁଚେଇକି ରଖିଥଲା ସେ ସବୁ ସିନ୍ଦୁକ ଭିତରେ ରଖିଦେଲା । ଘରକୁ ଅତିଥି ଆସିଛନ୍ତି ମାନେ ଭଲ ରୋଷେଇ ନିହାତି ହେବ । ରୋଷେଇ ର ମହକ ରେ ସେ ଜାଣିଗଲା କଣ ରୋଷେଇ ହେଇଛି । ମନରେ ଚିନ୍ତା କଲା ମୋ ପାଇଁ ଏମିତି ଭଲ ଖାଇବା ରାନ୍ଧନ୍ତିନି, ତାଙ୍କ ମା ଆସିଛି ବୋଲି ଏତେ ଭଲ ରୋଷେଇ ହୋଇଛି । କିଛି ଗୋଟେ ଉପାୟ କରି ଭଲ ରୋଷେଇ କୁ ଖରାପ କରିବାକୁ ପଡ଼ିବ। ଯେତେବେଳେ ବୋହୂ ମାନେ ରୋଷେଇ ସାରିକି ରୋଷେଇ ଘରୁ ବାହାରି ଗଲେ ସେତେବେଳେ ବୁଢ଼ୀ ଯାଇ ଖାଇବାରେ ଲଙ୍କା ଗୁଣ୍ଡ ପକେଇ ଚୁପ୍ କରି ନିଜ ରୁମ୍ କୁ ଆସିଗଲା। ସମସ୍ତେ ଖାଇବାକୁ ବସିଲେ, ଭୋଜନ ଅଧା ହୋଇଛି ସମସ୍ତ ଙ୍କ ପାଟି ଜଳିଲା ସମସ୍ତେ ପାଣି ପାଣି ହେଲେ କିନ୍ତୁ ବୁଢ଼ୀ ବହୁତ ଚାଲାକ ଥିଲା ସେ ଖାଇବା ନ ଖାଇ ସମସ୍ତ ଙ୍କୁ କଣେଇ କଣେଇ ଦେଖୁଥିଲା । ସେ କେବଳ ଖାଇବା ର ନାଟକ କରୁଥିଲା । ଏ ସବୁ ବଡ଼ ବୋହୂର ମା ଦେଖିଦେଲେ । ଖାଇବା ସରିବା ପରେ ବଡ ବୋହୂ ର ମା ଆସି ନିଜ ଝିଅ କୁ କହିଲା ଯେ ତୋ ଶାଶୂ ଉପରେ ନଜର ରଖିବୁ । ସେଦିନ ଠୁ ବୁଢ଼ୀ ଉପରେ ସମସ୍ତେ ନଜର ରଖିଲେ । ଗୋଟିଏ ଦିନ ଖାଇବା ରେ ପୁଣି ଲଙ୍କା ଗୁଣ୍ଡ ମିଶେଇ ସେମିତି କରିଲା । ଏବଂ ସମସ୍ତେ ଲୁଚି ଲୁଚି ଦେଖୁଥିଲେ। ସଂଧ୍ୟା ବେଳେ ବୁଢ଼ୀ ର ପୁଅ କୁ ବୋହୂ ମାନେ କହିଲେ କିନ୍ତୁ କେହି ବିଶ୍ବାସ କରିଲେ ନାହିଁ । ଓଲଟା ବୋହୂ ମାନଙ୍କୁ ବୁଢ଼ୀ ଆଗରେ ଖରାପ ହେବାକୁ ପଡ଼ିଲା। ବୋହୂ ମାନେ ଭାବିଲେ କିଛି ଗୋଟିଏ ଉପାୟ କରି ସ୍ବାମୀ ମାନଙ୍କୁ ନିଜ ମା ର କାମ କୁ ଦେଖାଇବାକୁ ପଡ଼ିବ। ୩ ଦିନ ପରେ ବୁଢ଼ୀ କହିଲା ମୁଁ ମୋ ଝିଅ ପାଖକୁ ଯିବି। ପୁଅ ମାନେ କହିଲେ ଯିବୁ ଯଦି ଆଉ ଦୁଇ ଦିନ ପରେ ରବିବାର ଆସିବ ସେ ଦିନ ତୋତେ ନେଇକି ଯିବି। ବୁଢ଼ୀ ଖୁସି ହେଇଗଲା ସେ ଲୁଚେଇ ରଖିଥିବା ଜିନିଷ ସଜେଇବାକୁ ଲାଗିଲା । ତାହା ପୁଣି ରାତିରେ ସମସ୍ତେ ଶୋଇଲା ପରେ ସେ ଧିରେ ଉଠି ସଜାଇବା ଆରମ୍ଭ କରେ। ରବିବାର ସକାଳେ ପୁଅ ସାଙ୍ଗରେ ଝିଅ ଘରକୁ ଯିବାକୁ ବାହାରିଲା । ବଡ ବୋହୂ ଉପାୟ କରି ବୁଢ଼ୀ ର ବ୍ୟାଗ୍ କୁ ଲୁଚେଇ ଦେଲା । ବୁଢ଼ୀ ସଜବାଜ ହୋଇ ବ୍ୟାଗ୍ ଖୋଜିଲା କିନ୍ତୁ ସେ ପାଇଲା ନାହିଁ । ସେ ବିରକ୍ତ ହୋଇ କହିଲା ମୋ ବ୍ୟାଗ୍ କିଏ ରଖିଛି ମୋତେ ଦିଅ। ଦୁଇ ବୋହୂ ଚୁପ୍ ରହିଲେ । ବୁଢ଼ୀ ର ସନ୍ଦେହ ଯେ ଏହି ବୋହୂ ମାନେ ରଖିଥିବେ । ସେ ପୁଅ କୁ କହିଲା ମୋ ବ୍ୟାଗ୍ ତୋ ସ୍ତ୍ରୀ ଲୁଚେଇ ରଖିଛି ତାକୁ ପଚାର ସେ କାହିଁକି ଏମିତି କରୁଛି। ବଡ ବୋହୂ କହିଲା ମା ତମେ ଖାଲି ହାତରେ ଯାଅ । ବ୍ୟାଗ୍ ନେଇ କଣ କରିବ । ବୁଢ଼ୀ କହିଲା ମୋ ଝିଅ ର କିଛି ସାମାନ ରହିଯାଇଥିଲା ସେଗୁଡ଼ାକ ଦେବା ପାଇଁ ଯିବି । ବଡ ବୋହୂ କହିଲା ହଉ କୋଉ ଜିନିଷ ଆମେ ସମସ୍ତେ ଦେଖିବୁ । ୦୫ ଦିନ ପୂର୍ବରୁ ତମ ଝିଅ ଆସିଥିଲା ସେ ତା ଶାଶୁ ଘରେ ପହଞ୍ଚିଲା ପରେ ତମ ପୁଅ ହାତରେ ଖବର ଦେଲା ଯେ ତାର ଏବଂ ଛୁଆ ମାନଙ୍କର କିଛି କପଡା ରହିଯାଇଛି ସେ ଗୁଡ଼ିକ ଫେରାଇ ଦେବାକୁ । ଆଉ ସେ ଜିନିଷ ସବୁ ମୁଁ ତମ ପୁଅ ହାତରେ ଦେଇଛି । ତମେ କଣ ନେଉଛ ମୁଁ ଦେଖିବି । ବୁଢ଼ୀ କହିଲା ନା ନା ମୋ ଝିଅ ର ଜିନିଷ ତମେ କଣ ପାଇଁ ଦେଖିବ। ଏମିତି କହି ମିଛ ରେ କାନ୍ଦିବାକୁ ଆରମ୍ଭ କରିଲା , କହିଲା ,” ମୋତେ ଏ ଦୁଇ ଅଲକ୍ଷଣି ମିଶି ମୋତେ ହଇରାଣ କରୁଛନ୍ତି” ପୁଅ କୁ ବୋହୂ ଆଗରୁ କହି ରଖିଥିଲା ଯେ ମୁଁ ଯାହା କରିବି ସେଥିରେ କେବଳ ହଁ କରିବ । ପୁଅ କହିଲା ଏଥିରେ କାନ୍ଦିବାର କଣ ଅଛି ତୁ ବ୍ୟାଗ୍ ଖୋଲିକି ଦେଖାଇ ଦେ । ବୁଢ଼ୀ ବ୍ୟାଗ୍ କୁ ଛାତିରେ ଜାବୁଡି ଧରି ଦେବ ନାହିଁ ବୋଲି କହିଲା କିନ୍ତୁ ପୁଅ ର ଅନୁରୋଧ ରେ ଶେଷରେ ବ୍ୟାଗ୍ କୁ ଖୋଲାଗଲା । ସେଥିରୁ ବଡ ବୋହୂ ର ଲୁଗା ଏବଂ ଗ୍ଲାସ୍ ତାଟିଆ, ପିଲା ମାନଙ୍କ ଖେଳନା, ବହୁତ୍ ଲୁଗା ଏମିତି ବହୁତ୍ କିଛି ସେ ବ୍ୟାଗ୍ ରୁ ବାହାରିଲା । ଏ ସବୁ ଦେଖି ପୁଅ ର ମୁଣ୍ଡ ଗରମ। ରାଗରେ କହିଲା , ” ମା ଏସବୁ କଣ” ବୁଢ଼ୀ ପୁଣି ମିଛ କହିବାକୁ ଲାଗିଲା ଏ ବିଷୟରେ ମୁଁ କିଛି ଜାଣିନି , କିଏ ରଖିଛି। କିନ୍ତୁ ବୁଢ଼ୀ ର ଅସଲି ରୂପ ଜଣା ପଡିଗଲା । ପୁଅ ମା କୁ ଘର ଭିତରକୁ ନେଇ ବୁଝେଇ କହିଲା , ଏମିତି କାହିଁକି କରୁଛୁ , ଘର ଭିତରେ ଅସନ୍ତୋଷ ସୃଷ୍ଟି ହେଉଛି । ତାର କାରଣ ତୁ କାହିଁକି ହେବାକୁ ଚାହୁଁଛୁ । ତା ପରେ ବୁଢ଼ୀର ମନରେ ଅଳ୍ପ ପରିବର୍ତ୍ତନ ଆସିଲା ଏବଂ ଧିରେ ଧୀରେ ନିଜକୁ ପରିବର୍ତ୍ତନ କରି ଭଲ ଶାଶୂ ହେବାକୁ ଚେଷ୍ଟା କରିଲା ଏବଂ ତାଙ୍କ ପରିବାର ବହୁତ୍ ଖୁସିରେ ଚାଲିଲା।
ଏଥିରୁ କଣ ଶିଖିଲ?
୧. ଚୋରି କରିବା ଅନୁଚିତ୍।
୨. କାହା ପ୍ରତି ଖରାପ ମନୋଭାବ ରଖିବା ଅନୁଚିତ୍।
୩. ସତ ଦିନେ ନା ଦିନ ବାହାରକୁ ଆସିବ ସେଥିପାଇଁ ସବୁବେଳେ ସତ କହିବା ଉଚିତ୍ ।
 ରୁବି ନାହାକ ଙ୍କ କଲମରୁ
ବୁଗୁଡ଼ା , ଗଞ୍ଜାମ।
Kids Story  👈👈👈 Click Here

ସଚ୍ଚୋଟ ପଣ

ସଚ୍ଚୋଟ ପଣ
ସଚ୍ଚୋଟ ପଣ 
ହରିଶରଣ ପୁରା ନାମକ ଗୋଟିଏ ଗ୍ରାମ ଥିଲେ । ସେହି ଗ୍ରାମରେ ଗୋଟିଏ ଚକୁଳିଆ ପଣ୍ଡା ରହୁଥିଲା । ଗରିବ ଯୋଗୁ ଦିନସାରା ଗାଁ ଗଳିରେ ବୁଲି ବୁଲି ମାଗି ଯାହା ମିଳୁଥିଲା ସେଥିରେ ସେ ପେଟ ପୋଷୁଥିଲା । ତାଙ୍କର ଦୁଇଟି ସୁନ୍ଦରୀ କନ୍ୟା ଏବଂ ସ୍ତ୍ରୀ ଥିଲା । ଦିନେ ଦୁଇ ଝିଅ ଜଙ୍ଗଲ ଭିତରକୁ କାଠ ଆଣିବାକୁ ଯାଇଥାନ୍ତି । ଜଙ୍ଗଲରେ କାଠ ହାଣୁଥିବା ସମୟରେ ଗୋଟିଏ ସୁନ୍ଦର ଫୁଲ ଗଛ ଦେଖିଲେ । ଦୁଇଭଉଣୀ ସୁନ୍ଦର ଫୁଲ ଦେଖି ସେଠି ଅଟକି ଗଲେ ଏବଂ ଫୁଲର ସୁନ୍ଦରତାରେ ଏତେ ପାଗଳ ହୋଇଗଲେ ଯେ ସେହି ଗଛର ଫୁଲକୁ ତୋଳିବା ପାଇଁ ଗଲେ । ସେହି ଫୁଲକୁ ତୋଳିବା କୁ ଯାଇ ଥିବା କନ୍ୟା ଟି ଫୁଲକୁ ଧରୁ ଧରୁ ସେ ପଥର ରେ ପରିଣତ ହେଇଗଲା ।ଏହା ଦେଖି ଅନ୍ୟ କନ୍ୟା ଜଣକ ଆଶ୍ଚର୍ଯ୍ୟ ହେଇଗଲା ଏବଂ କଣ କରିବ ଭାବି ପାରିଲେ ନାହିଁ । ଆଉ ସେଠି ବସି ବହୁତ କାନ୍ଦିଲା । ସେହି ସମୟରେ ଜଣେ ସାଧୁ ଜଙ୍ଗଲ ରାସ୍ତା ଦେଇ ଯାଉଥିଲେ। କନ୍ୟା ଜଣଙ୍କର କାନ୍ଦ ଶୁଣି ସେ ସେଠାକୁ ଆସିଲେ । କଣ ହୋଇଛି ବୋଲି କନ୍ୟା ଜଣକୁ ପଚାରିଲେ? ଏହା ଶୁଣି କନ୍ୟାଟି କହିଲା ମୋ ଭଉଣୀ ଆଉ ମୁଁ ବଣ କୁ କାଠ ନିମନ୍ତେ ଆସିଥିଲୁ କିନ୍ତୁ ଏପରି ସୁନ୍ଦର ଫୁଲକୁ ଦେଖି ଅଟକି ଗଲୁ । ଫୁଲକୁ ତୋଳିବାକୁ ଯିବା ସମୟରେ ଫୁଲକୁ ଧରୁ ଧରୁ ତାର ଏମିତି ଅବସ୍ଥା ହେଲା। ଏବେ ମୁଁ କଣ କରିବି ଆଉ ଘରେ ମା ଚାହିଁକି ବସିଥିବେ ? ମା ବହୁତ ବ୍ୟସ୍ତ ହେଉଥିବେ ଆଉ ଏପଟେ ଭଉଣୀର ଏପରି ଅବସ୍ଥା । ଏହା ଦେଖି ସାଧୁ ଜଣକ ନିଜ ମନ୍ତ୍ର ବଳରେ ଜାଣିପାରି କନ୍ୟା ଜଣକୁ ସେହି ଫୁଲ ଗଛର ପୁରୁଣା ରହସ୍ୟ କହିଲେ । ସେହି ଗଛ ହେଉଛି ଗୋଟିଏ ବିରାଟ ବଡ଼ ସାମ୍ରାଜ୍ୟ ର ରାଜା ସେ ଅଭିଶାପ ପାଇଁ ଏମିତି ଗଛରେ ପରିଣତ ହୋଇଛନ୍ତି । ଏହା ଶୁଣି କନ୍ୟା କୁହନ୍ତି କାହିଁକି ଅଭିଶାପ ପାଇଛନ୍ତି । ସାଧୁ କହିଲେ ସେ ଦିନ ଶିକାର ପାଈଁ ବନକୁ ଆସିଥାନ୍ତି ସେହି ସମୟରେ ସେ ତାଙ୍କର ଶିକାର ଯୋଗୁ ଗୋଟିଏ ହରିଣ ଛୁଆ ର ହତ୍ୟା ହୋଇଥିଲା । ସେହି ହରିଣ କୁ ଜଣେ ସ୍ତ୍ରୀ ଲୋକ ପାଳନ କରୁଥିଲେ ଏବଂ ଘାସ ଖାଇବାକୁ ଜଙ୍ଗଲ କୁ ଛାଡ଼ି ଥିଲା କିନ୍ତୁ ରାଜାଙ୍କ ଶିକାର ରେ ସେ ମରିଗଲା । ସେହି ସମୟରେ ସେ ସ୍ତ୍ରୀ ଜଣକ ବହୁତ କାନ୍ଦିଲେ କାରଣ ତାଙ୍କର ଆଉ କେହି ନଥିଲା । ସେ ହରିଣ ଛୁଆକୁ ନିଜ ଛୁଆ ପରି ପାଳନ କରୁଥିଲେ । ତେଣୁ ସେ ମରିବା ର କଷ୍ଟ ସହି ପାରିଲେ ନାହିଁ । ରାଗିଯାଇ ସେ ରାଜାଙ୍କୁ ଅଭିଶାପ ଦେଇଥିଲେ କି ତୁମେ ଗୋଟିଏ ଫୁଲଗଛ ହେଇ ରହିବ । ଏଠି ତୁମକୁ ଯିଏ ବି ଛୁଇଁବ ସେ ପଥର ହେଇଯିବ । ଏହାପରେ ରାଜା ସେବେ ଠାରୁ ସେମିତି ହିଁ ଗଛ ହେଇ ରହିଯାଇଛନ୍ତି । ରାଜା ନିଜର ପୁରୁଣା ରୂପ କୁ କେମିତି ଆସିବେ କନ୍ୟା ଜଣକ ସାଧୁଙ୍କୁ ପଚାରିଲେ । ସାଧୁ ଜଣକ କହିଲେ ସେ ସ୍ତ୍ରୀ ଜଣକ ସେହି ପାହାଡ ଉପରେ ବାସ କରୁଛନ୍ତି ତୁମେ ଯାଇ ପଚାରି ଆସ । ଏହା ଶୁଣି କନ୍ୟା ଜଣକ ସେ ସ୍ତ୍ରୀ ଙ୍କୁ ପାହାଡ଼ ଉପରକୁ ଦେଖା କରିବାକୁ ଗଲେ। ସେଠି ଯାଇ ସବୁ କଥା କହିଲେ ସ୍ତ୍ରୀ ଜଣଙ୍କ କହିଲେ। ତମ ଭଉଣୀ ଯଦି ସେଠାରୁ ମୁକ୍ତ ହେବେ ତାହା ହେଲେ ସେ ରାଜାଙ୍କୁ ବିବାହ କରିବାକୁ ପଡିବ । ଆଉ ତାଙ୍କର ପ୍ରଥମ ସନ୍ତାନ କୁ ମୋତେ ଦେବାକୁ ପଡିବ। ତେବେ ଯାଇ ମୁଁ ତୁମ ଭଉଣୀ କୁ ସେଠାରୁ ମୁକ୍ତ କରିବି । ସନ୍ତାନ ଜନ୍ମ ହେବାର ମାସ ମଧ୍ୟରେ ମୋତେ ଦେବେ । ଯଦି ଦେବେ ନାହିଁ ତେବେ ତମ ଭଉଣୀ ସହିତ ତାର ସ୍ବାମୀ ର ମୃତ୍ୟୁ ଘଟିବ। ଏହା ଶୁଣି ସେ କିଛି ନ ବୁଝି ଆଉ କିଛି ନ ଭାବି ହଁ କରିଦେଲା । ସ୍ତ୍ରୀ ଜଣକ ନିଜ ଅଭିଶାପ କୁ ଫେରାଇ ନେଲେ ଏବଂ କନ୍ୟା ଜଣକ ମୁକ୍ତ ହେବା ସହ ରାଜା ମଧ୍ୟ ମୁକ୍ତ ହେଲେ ଏବଂ କନ୍ୟା ଜଣକୁ ଦେଖି ପସନ୍ଦ କଲେ ଆଉ ବିବାହ ମଧ୍ୟ କଲେ ଏବଂ ଅଭିଶାପ ରୁ ମୁକ୍ତି ହେବା ପରେ ଭଉଣୀ ସ୍ତ୍ରୀ ଜଣଙ୍କ ରଖିଥିବା ସର୍ତ୍ତ ମଧ୍ୟ କହିଲା କିନ୍ତୁ ଜୀବନ ଦାନ ପାଇଁ ରାଜା ସେ ସର୍ତ୍ତ କୁ ମଧ୍ୟ ଗ୍ରହଣ କରି ନିଜ ରାଜ ଦରବାର କୁ ଆସିଲେ । ଏପଟେ ବାପା ଙ୍କୁ ରାଜ ଦରବାର ରେ ମୁଖ୍ୟ ବକ୍ତା ରୂପରେ ପଦସ୍ଥ କରିଲେ ଏବଂ ଅନ୍ୟ ଜଣେ ଭଉଣୀ କୁ ସେ ରାଜ୍ୟର ମନ୍ତ୍ରୀ ଙ୍କୁ ବିବାହ କରେଇଲ । ଦୁଇ ବର୍ଷ ପରେ ରାଣୀ ଗୋଟିଏ ସୁନ୍ଦର ରାଜକୁମାର କୁ ଜନ୍ମ ଦେଲେ । ମନ୍ତ୍ରୀ ଙ୍କ ସ୍ତ୍ରୀ ପୁରୁଣା ସର୍ତ୍ତ କୁ ଅନୁସାରେ ନିଜ ଭଉଣୀ କୁ କହିଲେ। ମାସକ ମଧ୍ୟରେ ରାଜା ରାଣୀ ଦୁହେଁ ରାଜକୁମାର କୁ ଦାନ କରିବାକୁ ପାହାଡ ଉପରେ ରହୁଥିବା ସେ ସ୍ତ୍ରୀ ପାଖକୁ ଗଲେ କିନ୍ତୁ ରାଜା ଏବଂ ରାଣୀ ର ସଚ୍ଚୋଟ ଏବଂ ଦାନ କରିବାର ମହତ୍ତ୍ୱ କୁ ଦେଖି ସେ ସ୍ତ୍ରୀ ଜଣକ ବହୁତ ଖୁସି ହେଲେ ଏବଂ ସେହି ପିଲାକୁ ଦୀର୍ଘ ଆୟୁଷ ଦେଇ ଆଶ୍ରିବାଦ ଦେଲେ । ରାଜାଙ୍କୁ ତାଙ୍କ ରାଜକୁମାର କୁ ଫେରାଇ ଦେଲେ ଏବଂ ରାଜା ସ୍ତ୍ରୀ କୁ ନିଜ ରାଜ ଉଆସ କୁ ନେଇଗଲେ ଏବଂ ନିଜ ମା ପରି ସେବା କରିଲେ । ନିଜର ସଚ୍ଚୋଟ ପଣିଆ ଯୋଗୁ ସାରା ରାଜ୍ୟରେ ରାଜା ଙ୍କର ଜୟ ଜୟ କାର ହେଲା ।
ଏଥିରୁ କଣ ଶିଖିଲ?
୧. ସବୁବେଳେ ଅନ୍ୟର ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା କରିବା ଉଚିତ୍ ।
୨. ସଚ୍ଚୋଟ ପଣ ଦେଖାଇବା ଉଚିତ୍।
୩. ସୁନ୍ଦର ଜିନିଷ ଉପରେ ଲୋଭ କରିବା ଅନୁଚିତ୍ ।
ଲେଖିକା. ପୂଜା ସ୍ୱାଇଁ
ବୁଗୁଡ଼ା, ଗଞ୍ଜାମ।