ଭଲ ସାଙ୍ଗ (Good Friends)

 
ଭଲ ସାଙ୍ଗ (Good Friends)
ଭଲ ସାଙ୍ଗ (Good Friends)
 
ଗୋଟିଏ ଗାଁ ରେ ଦୁଇଟି ସାଙ୍ଗ ରହୁଥିଲେ । ସେମାନେ ଅତି ଘନିଷ୍ଠ ବନ୍ଧୁ ଥିଲେ। ଜଣେ ଆକାଶ ତ ଆଉ ଜଣେ ରାଜା । ଦିନେ କିଏ କାହାକୁ ନ ଦେଖିଲେ ରହିପାରୁନଥିଲେ । ପ୍ରତିଦିନ ସାଥୀ ହୋଇ ସ୍କୁଲ୍ ଯିବା ଆସିବା, ଏକା ସାଙ୍ଗରେ ବସିବା ଏକା ସାଙ୍ଗରେ ଖେଳା ବୁଲା କରନ୍ତି । ରାଜା ଦୁଷ୍ଟାମୀ କରେ କିନ୍ତୁ ଆକାଶ ସବୁବେଳେ ତାକୁ ବୁଝାଏ, “ଏମିତି କରେ ନାହିଁ ରାଜା” କହି ସବୁବେଳେ ଆକାଶ ବାରଣ କରେ । ରାଜା ଆକାଶ କଥା କେବେ ଶୁଣେ ନାହିଁ ଏବଂ କିଛି ଅସୁବିଧା ହେଲେ ଆକାଶ କୁ ରାଜା ସାହାଯ୍ୟ କରେ ନାହିଁ । ଆକାଶ ଥିଲା ବହୁତ୍ ସାହସୀ । ପଞ୍ଚମ ଶ୍ରେଣୀ ର ବାର୍ଷିକ ପରୀକ୍ଷା ପରେ ଖରା ଛୁଟି ରେ ମିଳି ମିଶି ବୁଲୁଥାନ୍ତି । ଆକାଶ କୁ ପାଣିରେ ପହଁରା ଆସେନି କିନ୍ତୁ ରାଜା ସବୁବେଳେ କହେ ଆରେ ତୁ ଡର ନାହିଁ, ପାଣି ମଝିକୁ ଆସ ମୁଁ ତୋତେ ଶିଖେଇ ଦେବୀ । ଆକାଶ ଭାବେ ସେ ଯଦି ମୋତେ ନ ଶିଖେଇ ପାଣି ମଝିରେ ଛାଡି ଚାଲିଯିବ ତେବେ ମୁଁ ବୁଡ଼ିଯିବି, ସେ ଏ ଭୟରେ କେବେ ଯାଉ ନଥାଏ । ଗୋଟିଏ ଦିନ ରାଜା କଥା ମାନି ଆକାଶ ପାଣି ଭିତରକୁ ଗଲା । ରାଜା ପ୍ରଥମେ ପ୍ରଥମେ ତାର ହାତ ଧରି ସିଖେଇଲା କିନ୍ତୁ ପରେ ତାକୁ ଗଭୀର ପାଣିରେ ନେଇ ଛାଡ଼ି ଦେଲା।  ଆକାଶ ର ଗୋଡ଼ ପାଉ ନଥାଏ । ରାଜା ପୋଖରୀ କୂଳକୁ ଆସି ନିଜ କପଡ଼ା ବଦଳେଇ ଘରକୁ ଯିବାକୁ ବାହାରିଲା ସେପଟେ ଆକାଶ ଚିତ୍କାର କରୁଥାଏ ମୋତେ ବଞ୍ଚାଅ ବଞ୍ଚାଅ କିନ୍ତୁ ରାଜା ପଛକୁ ବୁଲି ନ ଦେଖି ଘର ମୁହାଁ ହୋଇ ଚାଲି ଆସିଲା । କିଛି ସମୟ ପରେ ବହୁତ ଚେଷ୍ଟା କରି ପାଣି ପେଟେ ପିଇ ଆକାଶ ପୋଖରୀ ତୁଠ ରେ ପହଞ୍ଚିଲା । ଏହି କାମ ପାଇଁ ଆକାଶ ରାଜା ଉପରେ ରାଗିଲା ନାହିଁ  ନା କାହାକୁ କହିଲା । ଏମିତି କିଛି ଦିନ ବିତିଗଲା । କିଛି ଦିନ ପରେ ରବି ବାର ଆସିଲା। ରାଜା କହିଲା ଆକାଶ ଚାଲ ବଣ ପାଖରେ ଜାମ କୋଳି ଗଛ ଅଛି ସେଠୀ ଯାଇ ଖାଇବା। ଆକାଶ ମନା କରିବା ସତ୍ତ୍ୱେ ରାଜା ତାକୁ ଟାଣି ଟାଣି ନେଇ ଗଲା । ଉଦୁଉଦିଆ ଖରା ବେଳ ସମସ୍ତେ ନିଜ ଘରେ ଥାଆନ୍ତି।  ଦୁହେଁ ବଣ ପାଖ ଜାମ କୋଳି ଗଛ ପାଖରେ ପହଞ୍ଚିଲେ । ଜାମ କୋଳି ତ ଅଛି କିନ୍ତୁ ବହୁତ୍ ଉପରେ । କିଛି କୋଳି ତଳେ ପଡି ଥାଏ ସେଗୁଡ଼ାକ ଗୋଟାଇ ଖାଇଲେ କିନ୍ତୁ ତାଙ୍କର ଇଛା ଥାଏ ବହୁତ୍ ଖାଈବା ପାଇଁ, ରାଜା ଦେଖିଲା ପାଖରେ କିଛି ପଥର ପଡ଼ିଛି , ସେ ପଥର ଉଠେଇ ଗଛକୁ ମାରିଲା , କିଛି ପଡ଼ିଲା ତ ଆଉ କିଛି ନାହିଁ।  ଏହି ସମୟରେ ରାଜା ମାରୁଥିବା ପଥର ଗୁଡ଼ିକ ପାଖ ବୁଦା ରେ ପଡେ ତ କେତେବେଳେ ଜଙ୍ଗଲ ଭିତରକୁ ଯାଉଥାଏ । କିଛି ସମୟ ପରେ ଏମାନଙ୍କ ଶବ୍ଦ ତଥା ପଥର ପଡ଼ିବା ଶବ୍ଦ ଶୁଣି ଦୁଇଟି ଗଧିଆ ଆସିଗଲେ । ଗଧିଆ କୁ ଦେଖି ଦୁହେଁ ଡରିଗଲେ, ପ୍ରାଣ ବିକଳରେ ଦୁହେଁ ଦୌଡ଼ିବାକୁ ଲାଗିଲେ । ଗଧିଆ ମାନେ ମଧ୍ୟ ତାଙ୍କୁ ଗୋଡେଇବାକୁ ଲାଗିଲେ । ଅଳ୍ପ ଦୂର ପରେ ରାଜା ପଥର ଝୁଣ୍ଟି ତଳେ ପଡ଼ିଗଲା ଏବଂ ତାର ମୁଣ୍ଡ ମାଡ ଯୋଗୁ ସେ ସେଠୀ ବେହୋସ୍ ହୋଇଗଲା । ଆକାଶ ଆଗରେ ଦୌଡୁଥାଏ ସେ ରାଜା ବେହୋସ୍ ହେବା କଥା ଜାଣି ନଥାଏ। ହଠାତ୍ ରାଜା ର ପାଟି ଶବ୍ଦ ନ ଶୁଣି ପଛକୁ ବୁଲି ଦେଖିଲା ବେଳକୁ ରାଜା ତ ବହୁତ୍ ଦୂରରେ ଏବଂ ତାର ଚାରିପାଖେ ଗଧିଆ ଘେରି ରାଜା ର ଗୋଡ଼ ହାତ କୁ କାମୁଡିବାରେ ଲାଗିଛନ୍ତି । ଏହା ଦେଖି ଆକାଶ ବହୁତ୍ ଡରିଗଲା ସେ ଦଉଡ଼ି ଯିବା ପାଇଁ ବାହାରିଲା କିନ୍ତୁ ସେ ଦଉଡ଼ି ଯାଇ ପାରୁ ନଥାଏ।  ଏପଟେ ଗଧିଆ ଭୟ ଏବଂ ସେପଟେ ରାଜା ର ଜୀବନ । ସେ ସ୍ଥିର କରିଲା ନା ମୋତେ ରାଜା ର ଜୀବନ ବଞ୍ଚେଇ ବାକୁ ହେବ କିନ୍ତୁ ମନରେ ବହୁତ୍ ଡର ଥାଏ।  ଆକାଶ ସାହସ ବାନ୍ଧି ଗଧିଆ ମାନଙ୍କ ପାଖକୁ ଚିତ୍କାର କରି ଦଉଡ଼ି ଆସିଲା , ପାଖରେ ଥିବା ପଥର ଉଠେଇ ମାରିବାକୁ ଲାଗିଲା । ସେତେ ପର୍ଯ୍ୟନ୍ତ ଗଧିଆ ମାନେ ସେଠୁ ଯାଉ ନଥିଲେ  କିନ୍ତୁ ପଥର ବାରମ୍ବାର ମାରିବାରୁ ଗଧିଆ ମାନେ ଡରରେ ଚାଲିଗଲେ । ଆକାଶ ରାଜା କୁ ଉଠେଇବାକୁ ଲାଗିଲା । କିଛି ମିନିଟ୍ ପରେ ରାଜା ର ହୋସ ଆସିଲା ଏବଂ ଗଧିଆ କଥା ମନେ ପକେଇ  ଡରିବାକୁ ଲାଗିଲା । ଆକାଶ କହିଲା ଗଧିଆ ମାନେ ଚାଲିଗଲେଣି । ରାଜା ଆକାଶ କୁ ପଚାରିଲା ତୁ ତ ଆଗରେ ଦୌଡୁଥିଲୁ ମୋତେ କେମିତି ଦେଖିଲୁ । ଆକାଶ କହିଲା ତୁ ବେହୋସ୍ ହେଲା ପରେ ଗଧିଆ ମାନେ ତୋତେ କାମୁଡିବାରେ ଲାଗିଲେ । ମୋତେ ଡର ମାଡୁ ଥାଏ କିନ୍ତୁ ତୋର ଜୀବନ ପାଇଁ ପୁଣି ଆସିଲି କାରଣ ତୁ ମୋ ଭଲ ସାଙ୍ଗ।  ଏହା ଶୁଣି ରାଜା ଆକାଶ କୁ ଭୁଲ ମାଗିଲା , ତୁ ମୋର ପ୍ରକୃତ ସାଙ୍ଗ । ରାଜା କହିଲା ତୁ ଚାହିଁଥିଲେ ମୋତେ ଛାଡ଼ି ଯାଇ ପାରିଥାନ୍ତୁ ଏବଂ ଆଜି ତୋ ପାଇଁ ମୋ ଜୀବନ ବଞ୍ଚିଗଲା । ତାପରେ ଦୁହେଁ ଗାଁ କୁ ଆସିଲେ ରାଜା ର ବାପା ଏକଥା ଶୁଣି ଆକାଶ କୁ ଧନ୍ୟବାଦ ଦେଲେ ଏବଂ ରାଜା  ମେଡ଼ିସିନ୍ ଏବଂ ଇଞ୍ଜେକ୍ସନ ଖାଇ କିଛି ଦିନ ପରେ ଠିକ୍ ହୋଇଗଲା।  ପରେ ଦୁହିଁଙ୍କର ପରିବାର ର ସମ୍ପର୍କ ଅତି ନିବିଡ଼ ହୋଇଗଲା । ରାଜା କେବେ ଆକାଶ କୁ ଏକା ଛାଡି ନଥାଏ।  ସବୁ ସମୟରେ ଏକା ସାଙ୍ଗରେ ରହୁଥିଲେ। ସବୁବେଳେ ପରସ୍ପର କୁ ସାହାଯ୍ୟ କରୁଥିଲେ ।
 
ଏହି ଗଳ୍ପ ରୁ କଣ ଶିଖିବାକୁ ମିଳିଲା??
୧. କାହା ସାଙ୍ଗରେ ଦୁଷ୍ଟାମୀ କରିବା ଅନୁଚିତ୍ ଯାହା ଫଳରେ ଅନ୍ୟ ର କ୍ଷତି ହୁଏ ।
୨. ଅସୁବିଧା ସମୟରେ ସବୁବେଳେ ସାହାଯ୍ୟ କରିବା ଉଚିତ୍ ।
୩. କାହା ପ୍ରତି ଖରାପ ଭାବ ରଖିବା ଅନୁଚିତ୍ ।
 
ନୀଳମାଧବ ଭୂୟାଁ ଙ୍କ କଲମରୁ…