Ruchi's Rakhi-3 (ରୁଚି ର ରାକ୍ଷୀ)

ନୂତନ ବର୍ଷ ର ପାଠ୍ୟକ୍ରମ ଆରମ୍ଭ ହେଲା ଏବଂ ପୂର୍ବ ଭଳି କ୍ଲାସ୍ ଚାଲିଲା କିନ୍ତୁ କିଛି ଦିନ ପର୍ଯ୍ୟନ୍ତ ଯେମିତି ସେ ଦୁଇ ଜଣ ଙ୍କୁ ମୁଁ ଦେଖି ପାରୁ ନଥାଏ । ଏବଂ ଯେବେ ଦେଖେ ସେତେବେଳେ ସେମାନେ ସାଇକେଲ ନେଇ ବାହାରି ଯାଉଥିଲେ । ମନେ ଭାବିଲି ହଉ କିଛି ଦିନ ଯାଉ, ତାପରେ କଥା ହେବା । ଦିନେ କ୍ଲାସ୍ ରେ ବସି ବସି ଭାବୁଥାଏ ଏବଂ ଶେଷ ଶବ୍ଦ ଟି ଶୁଣା ଗଲା କି ” ବାକି କ୍ଲାସ୍ ଆସନ୍ତା କାଲି କରିବା” ଦେଖୁ ଦେଖୁ କ୍ଲାସ୍ କେତେବେଳେ ସରିଗଲା ମୁଁ ଜାଣି ପାରିଲି ନାହିଁ ଏବଂ ମୁଁ ପୁରୁଣା ସ୍ମୃତି ରୁ ବର୍ତ୍ତମାନ କୁ ଫେରି ଆସି ଦେଖିଲା ବେଳକୁ ଅର୍ଥଶାସ୍ତ୍ର ଲେକ୍ଚର କ୍ଲାସ୍ ଛାଡ଼ି ଚାଲିଗଲେଣି । କ୍ଲାସ୍ ସରିଲା ବାହାରକୁ ଗଲି ଏବଂ ବାକି ସାଙ୍ଗ ମାନେ ମଧ୍ୟ ଆସିଲେ । ସମସ୍ତଙ୍କ କ୍ଲାସ୍ ସରିଗଲା। ସାଙ୍ଗ ମାନଙ୍କୁ କହିଲି ଆଉ ଗୋଟିଏ କ୍ଲାସ୍ ଅଛି ତମେ ଯାଅ କିନ୍ତୁ ମୁଁ ରୁଚି କୁ ଅପେକ୍ଷା କରିଥିଲି। ସାଙ୍ଗ ମାନେ ଚାଲିଗଲେ ଏବଂ ମୁଁ ରୁଚି କୁ ଗେଟ୍ ପାଖରେ ଅପେକ୍ଷା କରିଲି। କିଛି ସମୟ ପରେ ଦୁହେଁ ସାଇକେଲ କୁ ଗଡ଼େଇ ଗଡ଼େଇ ଗେଟ୍ ପାଖରେ ପହଞ୍ଚିଲେ । ମୁଁ ଅଳ୍ପ ମୁରୁକି ହସ ଦେଲି । କାବେରୀ ଅଳ୍ପ ହସି ଚାଲିଗଲା କିନ୍ତୁ ରୁଚି ମୋ ମୁହଁକୁ ମଧ୍ୟ ଚାହିଁଲା ନାହିଁ ।
ଦୁଇ ଦିନ ପରେ ରବିବାର, ପରିବା ମାର୍କେଟ ରେ କାବେରୀ ସହ ଦେଖା ହେଲା। ସେଠୀ ଅଳ୍ପ କଥା ହେଲୁ ଏବଂ ମୁଁ ପଚାରିଲି ରୁଚି କୁ କଣ ହୋଇଛି । କାବେରୀ କହିଲା ତାର ଘରେ କଣ ଅସୁବିଧା ଅଛି ସେଥିପାଇଁ ସେ ମୁଡ ଅଫ୍ ରେ ରହୁଛି । କିଛି ସମୟ କଥା ପରେ ମୁଁ ଫେରି ଆସିଲି ଘର କୁ।
ଗୋଟିଏ ଦିନ ପରେ ମଙ୍ଗଳ ବାର ଏବଂ ସେଦିନ ଟି ମୋ ପାଇଁ ବୋଧେ ଅଶୁଭ ଦିନ ଥିଲା । କଲେଜ୍ ଗାର୍ଡେନ ପାଖରେ ମୁଁ ମୋ ସାଙ୍ଗ ମାନଙ୍କ ସହ କଥା ହେଉଥିଲି । ସେତେବେଳେ ଆମର କ୍ଲାସ୍ ସରିଯାଇଥିଲା ଏବଂ ଆଉ ଗୋଟିଏ କ୍ଲାସ୍ କୁ ଅପେକ୍ଷା କରିଥିଲୁ । ସେ ଦୁହେଁ କ୍ଲାସ୍ ସାରି ମହିଳା କମନ୍ ରୁମ୍ ଭିତରକୁ ଗଲେ । ଆମେ ଠିଆ ହୋଇଥିଲୁ, ସେମାନଙ୍କ କିଛି ହସ ନାହିଁ କିଛି ଇଶାରା ନାହିଁ । ମୁଁ ମଧ୍ୟ ସେଦିନ ଭାବିଥିଲି ଯେ ଆଜି ଯାହା ହେଉ ପଛେ ମୁଁ ଆଜି ରୁଚି କୁ ମୋ ମନ କଥା କହିବି ଏବଂ ମୋ ସାଙ୍ଗ ମାନେ ମଧ୍ଯ ମୋତେ ସାହାସ ଦେଉଥିଲେ। ଯାହା ହେବ ପଛେ ଆଜି ପ୍ରୋପୋଜ୍ କରିଦିଅ । ଠିକ୍ ୦୨ ମିନିଟ୍ ପରେ ଦୁହେଁ କମନ୍ ରୁମ୍ ରୁ ବାହାରି କ୍ଲାସ୍ ରୁମ୍ ଭିତରେ ପଶିଲେ ଏବଂ ମୋତେ କାବେରୀ ଅଳ୍ପ ବାହାରି ଆସି ଡାକିଲା କି କ୍ଲାସ୍ କୁ ଆସ କିଛି କଥା ଅଛି । ଏତିକି ଶୁଣି ମୁଁ ମଧ୍ୟ ଖୁସି । ମୋ ସାଙ୍ଗ ମାନେ ମୋତେ ଶୁଭେଚ୍ଛା ଜଣାଇ ପଠେଇଲେ । କ୍ଲାସ୍ ରୁମ୍ ଭିତରକୁ। ବହୁତ୍ ଦିନ ପରେ ପୁଣି କ୍ଲାସ୍ ଭିତରେ ରୁଚି ସହ ପ୍ରଥମ ଦେଖା ହେବ । ରୁମ୍ ରେ କେବଳ କାବେରୀ ଏବଂ ରୁଚି ଥିଲେ ।
ରୁଚି: ଆସ ଭିତରକୁ ଆସ!
(ମୁଁ ମନେ ମନେ ଭାବିଲି ରୁଚି କେବେ ମୁହଁ ଖୋଲି କହେ ନି ଆଜି କେମିତି କହିଦେଲା )
ମନୁ: ଆଉ କେମିତି ଅଛ? ପଢା ପଢ଼ି କେମିତି ଚାଲିଛି ?
ରୁଚି: ସବୁ ଠିକ୍ ଠାକ୍।
ମନୁ: ଆଉ କଣ କୁହ?
ରୁଚି: କିଛି ବିଶେଷ କଥା ଅଛି??
ମନୁ: କୁହ କଣ??
(କାବେରୀ ମୁଣ୍ଡ ତଳକୁ କରି ବସିଥାଏ)
ମନୁ: କଣ ହେଇଛି କୁହ, ( ମୁଁ ଭାବୁଥାଏ କେତେବେଳେ ମୁଁ ତାକୁ ପ୍ରପୋଜ୍ କରିବି ଆଉ କେମିତି କହିଁବି )
ରୁଚି: ତମେ ଯାହା ଭାବୁଛ ସେମିତି କିଛି କଥା ନାହିଁ ।
ଏତିକି କହି ରୁଚି ଚେୟାର ରୁ ଉଠି ଆସି ମୋ ପାଖରେ ପହଞ୍ଚିଲା ଏବଂ ତା ହେଣ୍ଡ ବ୍ୟାଗ୍ ରୁ ଗୋଟିଏ ରାକ୍ଷୀ ବାହାର କରି ମୋ ହାତରେ ବାନ୍ଧି ଦେଲା ।
ମୋତେ ଯେମିତି ଶକ୍ତ ବିଜୁଳି ଝଟକା ଲାଗିଲା ।
କଣ କହିବି ମୋ ପାଖରେ କିଛି ଉତ୍ତର ନଥିଲା ।
ରୁଚି କହିଲା ମୋ ମନରେ ତମ ପାଇଁ କେବେ ଭଲ ପାଇବା ସୃଷ୍ଟି ହୋଇନି ଏବଂ ତମେ ଆଜି ପର୍ଯ୍ୟନ୍ତ ମୋ ସାଙ୍ଗରେ ଯାହା କଥା ହୋଇଛ ସେଥିରେ ତମ ପାଖରେ ମୁଁ କେବଳ ଭାଇ ର ପରିଚୟ ଦେଖିଛି ।
ଆଜି ଠୁ ମୁଁ ତୁମର ଭଉଣୀ ହୋଇ ଏ କଲେଜ୍ ରେ ରହିବାକୁ ଚାହୁଁଛି କଣ ତମେ ମୋତେ ଭାଇ ଭଳି ସବୁ ବିପଦ ରୁ ରକ୍ଷା କରିବ ??
ସେହି ସମୟରେ ମୋର ଶୁଣିବା ପାଇଁ ଧର୍ଯ୍ୟ ଶେଷ ହୋଇ ଆସୁଥିଲା । ସେପଟେ କାବେରୀ ଅଳ୍ପ ମୁରୁକି ହସ ଦେଇ ମୋତେ ହସେଇବାକୁ ପ୍ରେରଣା ଦେଉଥାଏ ।
ମୋ ପକେଟ୍ ରେ ଥିବା ଗୋଲାପ କଢ଼ ରେ ହଠାତ୍ ମୋତେ ଛୋଟ ଛୋଟ କଣ୍ଟା ଗୁଡ଼ିକ କଷ୍ଟ ଦେଲା ଭଳି ଅନୁଭବ ହେଲା ।
ହାତରେ ରାକ୍ଷୀ ବାନ୍ଧି ରୁଚି ମୁହଁ ରେ ହସ ଦେଖିଲି ମୁଁ ମଧ୍ୟ ବାଧ୍ୟ ହୋଇ ହସିବାକୁ ଚେଷ୍ଟା କରିଲି । ଯେଉଁ ହାତରେ ମୁଁ ଗୋଲାପ ଧରି ପ୍ରପୋଜ ପାଇଁ ଭାବୁଥିଲି ସେ ହାତରେ ଥିଲା ରାକ୍ଷୀ । ପକେଟ୍ ରେ ଥିବା ଚକୋଲେଟ୍ କୁ ବାହାର କରି ଦୁଇ ଜଣକୁ ଦେଲି ଏଵଂ ୨୦୦ ଟଙ୍କିଆ ନୋଟ୍ ଟେ ରୁଚି ହାତରେ ଧରେଇ କହି ଆସିଲି, ଏ ହେଉଛି ତୋ ରାକ୍ଷୀ ପାଉଣା ।
ତା ପରେ କଣ ହେବ!! ମୁଁହ ରେ ଭରଣେ ଲାଜ ଶରମ ଧରି ସାଙ୍ଗ ପାଖରେ ପହଞ୍ଚିଲି କିନ୍ତୁ ମୋ ସାଙ୍ଗ ମାନଙ୍କ ହୃଦୟ ଏତେ ବଡ ଯେ ସେ ସମୟରେ ମୋତେ ଆଶ୍ୱାସନା ଦେଇ କହିଲେ ” ହଉ ଛାଡ଼ ସେ କଥା, ରୁଚି ବୋଧେ ତମ ପାଇଁ ନଥିଲା” ।
ବେଳେବେଳେ ମୋତେ ରୁଚି କଥା ନେଇ ମୋ ସାଙ୍ଗ ମାନେ ମୋତେ ଚିଡ଼େଇ ଥାନ୍ତି କିନ୍ତୁ ସତ କଥା ହେଲା ସେ ଚିଡ଼େଇବା କ୍ଷଣ ମୋତେ ପୁଣି ଥରେ ରୁଚି ପାଖକୁ ନେଇଯାଏ ।
ଏବେ କିଛି ଦିନ ତଳେ କାବେରୀ ସହିତ ମୋର ଦେଖା ହେଲା ସେ ବିବାହ କରି ବହୁତ୍ ଖୁସି ରେ ଅଛି ଏବଂ କଥା ହେଲା ପରେ ଜାଣି ପାରିଲି ଯେ ରୁଚି ମଧ୍ୟ ମୋତେ ବହୁତ୍ ଭଲ ପାଉଥିଲା କିନ୍ତୁ କେବେ କହି ପାରିଲା ନାହିଁ । କାରଣ ତାଙ୍କ ଘରେ ବାହାଘର ପାଇଁ ଅନ୍ୟ ଏକ ସ୍ଥାନରେ ସ୍ଥିର କରିଥିଲେ। ଘର ର ବାଧ୍ୟକତା ଆଗରେ ସେ ଝୁକି ଯାଇ ନିଜ ପ୍ରେମ କୁ ବଳୀ ଦେଇ ଚାଲିଗଲା କିନ୍ତୁ ତା ପ୍ରେମ ର ସନ୍ତକ ଭାବେ ଆଜି ପର୍ଯ୍ୟନ୍ତ ତାର ରାକ୍ଷୀ କୁ ସାଇତି ରଖିଛି।
ମନୋଜ କୁମାର ବେହେରା ଙ୍କ ହୃଦୟରୁ……
By. Nilamadhab Bhuyan

One thought on “Ruchi's Rakhi-3 (ରୁଚି ର ରାକ୍ଷୀ)”

Leave a Reply

Your email address will not be published. Required fields are marked *