ନାଗମଣି


ନାଗମଣି snake diamond
ନାଗମଣି


ଗୋଟିଏ ଦେଶରେ ରାଜା ଥିଲେ ସେ ତାଙ୍କ ରାଜ୍ୟ କୁ ବହୁତ ସୁରକ୍ଷା ଦେଉଥିଲେ ଏବଂ ପ୍ରଜା ମାନେ ମଧ୍ୟ ରାଜା ଙ୍କ ଉପରେ ବହୁତ ଖୁସିଥିଲେ ରାଜାଙ୍କ ର ଏକ ମାତ୍ର ପୁତ୍ର ଥିଲା । ସେ ମଧ୍ୟ ଚାହୁଁଥିଲେ ପୁତ୍ର ମଧ୍ୟ ପ୍ରଜା ମାନଙ୍କର ସେବା କରୁ । ରାଜକୁମାର ପାଈଁ ଉଚିତ ଶିକ୍ଷା ର ନିହାତି ଦରକାର । ସେ ନିଜ ପୁତ୍ରର ଶିକ୍ଷା ନିମନ୍ତେ ଗୁରୁ ଙ୍କ ପାଖକୁ ପଠେଇବା ପାଇଁ ଭାବିଲେ ଏବଂ ଏହି କଥାକୁ ମନ୍ତ୍ରୀ ଙ୍କୁ କହିଲେ । ମନ୍ତ୍ରୀ ମଧ୍ୟ କହିଲେ ଠିକ୍ ଅଛି । ମହାରାଜା ରାଜକୁମାର ଙ୍କ ସହ ମୋ ପୁତ୍ର କୁ ମଧ୍ୟ ଶିକ୍ଷା ପାଈଁ ପଠେଇଦେବି । ଏହା ଶୁଣି ରାଜା ବହୁତ ଖୁସି ହେଲେ ଏବଂ ଦୁଇଜଣଙ୍କୁ ଡାକି ଶିକ୍ଷା ପାଇଁ ଗୋଟିଏ ଆଶ୍ରମକୁ ନେବାପାଇଁ ଘୋଡ଼ା ଏବଂ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସବୁ ସାଜ କରି ରଖାଗଲା । ଦୁଇଘୋଡା ସହ ସାମଗ୍ରୀ ମଧ୍ୟ ଧରି ବାହାରିଲେ ଯିବାପାଇଁ । ଯିବା ସମୟରେ ସନ୍ଧ୍ୟା ହୋଇ ରାତ୍ର ଆସିଲା ସେ ଯିବା ସମୟରେ ଗୋଟିଏ ବିରାଟ ବଡ଼ ଜଙ୍ଗଲ ପଡିଲା ସେ ଜଙ୍ଗଲରେ ଦୁଇଜଣ ବିଶ୍ରାମ ନେବାକୁ ଭାବିଲେ କିନ୍ତୁ ଉପଯୁକ୍ତ ଶୟନ ନିମନ୍ତେ ବ୍ୟବସ୍ଥା ହୋଇପାରିନଥିଲା । ଶେଷରେ ସେ ଦୁଇଜଣ ଗୋଟିଏ ଗଛର ତଳେ ଶୟନ କରିଲେ ଏବଂ ଘୋଡା ଦୁଇଟି କୁ ଗଛର ଚେର ରେ ବାନ୍ଧି ଦେଲେ । ମଧ୍ୟ ରାତ୍ର ରେ ଗୋଟିଏ ସାପ ଆସିଲା । ବହୁତ୍ ବଡ ସାପ ଏବଂ ମଣି ସଦୃଶ୍ୟ ତା ମଥାରେ ଚମକୁ ଥାଏ । ଏତିକିବେଳେ ମନ୍ତ୍ରୀ ପୁଅ ଉଠିଗଲା ଏବଂ ସେ ଦେଖିଲା ରାଜକୁମାର ଶୋଇଛନ୍ତି । ସେ ଜାଣିଛି ଯେ ରାଜକୁମାର ଥରେ ଶୋଇଲେ ଶୀଘ୍ର ନିଦ ଭାଙ୍ଗେ ନାହିଁ । ସେ ଦେଖିଲେ ସେହି ସାପ ରାଜକୁମାର କୁ ଚୋଟ ମାରିବାକୁ ଆସିଲା । ଏତିକିବେଳେ ମନ୍ତ୍ରୀ ପୁଅ ସାପ କୁ ଆଦେଶ ଦେଲା । ତମେ ବିନା କାରଣରେ ଆମର କ୍ଷତି କରିପାରିବ ନାହିଁ । ସାପ କହିଲା ଏ ଜଙ୍ଗଲ ହେଉଛି ଆମ ଭ୍ରମଣ ସ୍ଥଳୀ ଏଠି ସାପ ଛଡ଼ା ଅନ୍ୟ କେହି ଆସିପାରିବ ନାହିଁ । ସେଥିପାଇଁ ତୁମ୍ଭ ମାନଙ୍କୁ ଆଜି ମୃତ୍ୟୁ ମୁଖକୁ ଯିବାକୁ ହେବ । ମନ୍ତ୍ରୀ ପୁଅ କହିଲା ଏ ହେଉଛି ଆମ ରାଜ୍ୟର ରାଜକୁମାର । ଏ ଜଙ୍ଗଲ ମଧ୍ୟ ଆମ ରାଜାଙ୍କର । ରାଜକୁମାର କୁ କିଛି କ୍ଷତି କରିବା ପୂର୍ବରୁ ତୁମକୁ ପ୍ରଥମେ ମୋ ତଲବାର୍ ର ସାମ୍ନା କରିବାକୁ ପଡ଼ିବ । ମନ୍ତ୍ରୀ ପୁଅ ର କଥା କୁ ସାପ ଖାତିର ନ କରି ଆଗକୁ ମାଡ଼ି ଆସିଲା ପରେ ଦୁଇ ଜଣଙ୍କ ମଧ୍ୟରେ ଯୁଦ୍ଧ ହେଲା ଶେଷରେ ସାପ କୁ ହାରିବାକୁ ପଡ଼ିଲା । ଏବଂ ସାପ ର ଅହଙ୍କାର ଭାଙ୍ଗିଗଲା । ମନ୍ତ୍ରୀ ପୁଅ ସାପକୁ ମୃତ୍ୟୁ ଦଣ୍ଡ ଦେବା ପୂର୍ବରୁ ସାପ ଭୁଲ ମାଗିଲା ଏବଂ ନିଜ ଜୀବନ ଭିକ୍ଷା ମାଗି ତାର ଅସଲ ରୂପକୁ ଆସି ଗୋଟିଏ ନାଗ କନ୍ୟାରେ ପରିଣତ ହେଲା। ନାଗକନ୍ୟା କୁ ଦେଖି ମନ୍ତ୍ରୀ ପୁଅ ପସନ୍ଦ କରିବାକୁ ଲାଗିଲା । ନାଗକନ୍ୟା ମଧ୍ୟ ମନ୍ତ୍ରୀ ପୁଅ ର ସାହସୀ କାର୍ଯ୍ୟ ଦେଖି ସେ ମନ୍ତ୍ରୀ ପୁଅ ଉପରେ ମୋହ ହୋଇଗଲା ଏବଂ ବିବାହ ପାଇଁ ପ୍ରସ୍ତାବ ଦେଲା । ସେହି କନ୍ୟା ଜଣକ ତାକୁ ନାଗ ବଂଶ ବିଷୟରେ କହିଲେ ଏବଂ ତାକୁ ଜଙ୍ଗଲ ମଝିରେ ଥିବା ଗୋଟିଏ ପଦ୍ମ ପୋଖରୀ ର ଭିତରକୁ ନେଇଗଲେ ସେଠି ବହୁତ ସୁନ୍ଦରୀ ନାଗ କନ୍ୟା ମାନେ ଥିଲେ । ନାଗବଂଶ ର ସଦସ୍ୟ ମାନେ ଏହି ପୁଅ ଦେଖି ପସନ୍ଦ କରିଲେ ଏବଂ ସେମାନେ ଏହି ପୁଅକୁ ଦେଖି ତାଙ୍କ ନାଗରାଜ ଦରବାର ରେ ଉପସ୍ଥିତ କରିଲେ । ନାଗରାଜ ନା କୁ ପଚାରିଲେ ଏହି ପୁଅ କୁ ଆମ ସାମ୍ରାଜ୍ୟକୁ କାହିଁକି ଆଣିଛୁ । ନାଗକନ୍ୟା ହେଉଛି ରାଜା ଙ୍କ ଝିଅ । ନାଗକନ୍ୟା କୁହେ ମା, ଆମେ ଦୁହେଁ ଦୁହିଁଙ୍କୁ ପ୍ରେମ କରୁଛୁ ଏବଂ ବାହା ହେବାକୁ ଚାହୁଁଚୁ । ନାଗରାଜ ସେହି ପୁଅ କୁ ମଧ୍ୟ ପଚାରିଲେ। ମନ୍ତ୍ରୀ ପୁଅ କହିଲା ମୁଁ ମଧ୍ୟ ଆପଣଙ୍କ ଝିଅ କୁ ପ୍ରେମ କରେ ତାକୁ ବିବାହ କରିବାକୁ ଚାହେଁ । ଏହା ଶୁଣି ମା କହିଲେ ଯଦି ଏଇ ତୁମକୁ ବିବାହ କରିବ ତେବେ ସେ ତାଙ୍କ ରାଜ୍ୟକୁ ଯିବନି ଆମ ନାଗ ସାମ୍ରାଜ୍ୟ ରେ ହିଁ ରହିବ ତୁମ ସହ । ଏହା ଶୁଣି ମନ୍ତ୍ରୀ ଙ୍କ ପୁଅ ବ୍ୟସ୍ତ ହେଇଗଲେ । କାରଣ ସେ ଜଣେ ମନ୍ତ୍ରୀଙ୍କ ପୁଅ ଶିକ୍ଷା ଗ୍ରହଣ ନିମନ୍ତେ ଆସି ଏଠି ରହିଗଲେ । ଯଦି ରାଜା ଜାଣିବେ ତେବେ ତାଙ୍କ ପିତାଙ୍କ ମନ୍ତ୍ରୀ ପଦ ଚାଲିଯିବ ଏବଂ ରାଜାଙ୍କ ଆଗରେ ମଧ୍ୟ ଛୋଟ ହେଇଯିବେ ଭାବି ଚିନ୍ତାରେ ରହିଲା। ନାଗରାଜ ଙ୍କ ଆଦେଶାନୁଶାର ବିବାହ କାର୍ଯ୍ୟ ଆରମ୍ଭ ହେଲା । ନାଗକନ୍ୟା ମାନେ ବିବାହ ପ୍ରସ୍ତୁତି ରେ ଲାଗି ପଡ଼ିଲେ। ବିବାହ ମଧ୍ୟ ସରିଲା । ମନ୍ତ୍ରୀ ପୁଅ ଚିନ୍ତାରେ ରହିବା ଦେଖି ନାଗକନ୍ୟା ଚିନ୍ତାର କାରଣ ପଚାରିଲା । ମନ୍ତ୍ରୀ ପୁଅ ସ୍ତ୍ରୀ ନାଗକନ୍ୟା କୁ ସବୁକଥା କହିଲେ। ସ୍ତ୍ରୀ ସବୁ କଥା ବୁଝି କିଛି ଯୋଜନା ଭାବି ମନ୍ତ୍ରୀ ପୁଅ କୁ କହିଲା। ନାଗକନ୍ୟା ଚିନ୍ତାର କାରଣ ତାଙ୍କ ନାଗରଜ କୁ ଜଣାଇଲେ। ନାଗରାଜ ନିଜ କନ୍ୟା ର ଉତ୍ତମ ଭବିଷ୍ୟତ ପାଇଁ ତାଙ୍କୁ ସେଠୁ ଆସିବାର ଉପାୟ ମଧ କହିଲେ।ପାଖରେ ଥିବା ନାଗମଣି ମଧ୍ୟ ଦେଲେ । ଆଉ କହିଲା କି ତୁମେ ତୁମ ସାଙ୍ଗରେ ୟାକୁ ନେବ ଆଉ ତୁମ ରାଜ୍ୟକୁ ଫେରିଯିବ । ଏହା ଶୁଣି ମନ୍ତ୍ରୀ ପୁଅ କୁହେ ଯଦି ମୋତେ ପୁଣି ଖୋଜି ନାଗରାଜ ପଛେ ପଛେ ଆସିଯିବେ ତେବେ? ଏହା ଶୁଣି ନାଗକନ୍ୟା ଜଣକ କୁହନ୍ତି । ଆମ ମଥାରେ ଥିବା ମଣି କେବଳ ଆମ ସାମ୍ରାଜ୍ୟର ସନ୍ତକ । କିନ୍ତୁ ଏ ହେଉଛି ରାଜା ଙ୍କ ନାଗ ମଣି ପୁରା ଅସଲି । ଆମ ସୁରକ୍ଷିତ ପାଇଁ ଏହି ମଣି କୁ ଆମକୁ ଦେଲେ ।ରାଜା ଯାହାକୁ ଏହି ମଣି ଦେଉଥିଲେ ସେ କେବଳ ଏହି ମଣି ସାହାଯ୍ୟରେ ନାଗ ସାମ୍ରାଜ୍ୟ ରୁ ବାହାରକୁ ଆସି ପାରୁ ଥିଲେ । ବର୍ତ୍ତମାନ ଏହି ମଣି ଆମକୁ ଦେଇ ଦେଲେ। ଏହି ମଣି ବିନା ଏହି ସ୍ଥାନରୁ କେହି ମଧ୍ୟ ବାହାରକୁ ଯାଇପାରିବେ ନାହିଁ କି ତୁମକୁ ଖୋଜି ପାରିବେ ନାହିଁ ।ଏହା ଶୁଣି ମନ୍ତ୍ରୀ ପୁଅ ବହୁତ ଖୁସି ହେଲା ଆଉ ସେ ନାଗ କନ୍ୟାକୁ ବି ସାଙ୍ଗରେ ନେବା ପାଇଁ କହିଲା । ଦୁହେଁ ମିଶି ପୁଣି ସେହି ପଦ୍ମ ପୋଖରୀ ବାହାରକୁ ଆସିଲେ ଏବଂ ରାଜାଙ୍କ ପୁତ୍ର କୁ ଖୋଜିଲେ ରାଜାଙ୍କ ପୁତ୍ର ବି ସେହି ଦିନ ଠାରୁ ବହୁତ ଖୋଜୁଥାନ୍ତି । ମନ୍ତ୍ରୀ ଙ୍କ ପୁଅ ନିଜ ସାଥି ଆଉ ଘୋଡାକୁ ନ ପାଇ ବହୁତ ଚିନ୍ତିତ ହେଇଗଲେ । ରାଜକୁମାର ଗୋଟିଏ ଝରଣା ପାଖରେ ଗୋଟାଏ ପଥର ଉପରେ ବସି ଭାବୁଥାନ୍ତି । ସେହି ସମୟରେ ମନ୍ତ୍ରୀ ପୁଅ ନାଗକନ୍ୟା ଆସି ଭେଟିଲେ ତାଙ୍କୁ ଦେଖି ମନ୍ତ୍ରୀ ପୁଅ କୁ ରାଜକୁମାର କୁଣ୍ଢେଇ ପକେଇ କହିଲେ ମୋତେ ଛାଡ଼ି ତମେ କୁଆଡେ ଯାଇଥିଲ । ସେହି ସମୟରେ ମନ୍ତ୍ରୀ ପୁଅ ସବୁକଥା କୁ ବୁଝେଇ କୁହେ । ରାଜ କୁମାର ସବୁ ଶୁଣି ଆଶ୍ଚର୍ଯ୍ୟ ହେଇଗଲେ ଏବେ ଆଉ କଣ କରିବା ସେହି ସମୟରେ ମନ୍ତ୍ରୀ ପୁଅ କୁହନ୍ତି କି ମୁଁ ସବୁକଥା ନାଗକନ୍ୟା କୁ ବୁଝେଇ ଦେଇଛି ସେ ମଧ୍ୟ ବୁଝିଯାଇଛନ୍ତି ଆଉ ମୋତେ ସୁରକ୍ଷିତ ରେ ତୁମ ପାଖରେ ପହଞ୍ଚାଇ ଦେଇଛନ୍ତି । ତାହା ଶୁଣି ରାଜ କୁମାର ବହୁତ ଖୁସି ହେଲେ ଆଉ ତାଙ୍କୁ ରାଜ ମହଲକୁ ନେଇଗଲେ ଏବଂ ରାଜାଙ୍କୁ ସବୁକଥା କହିଲେ । ରାଜା ମଧ୍ୟ ନାଗକନ୍ୟା ଉପରେ ବହୁତ ଖୁସି ହେଇ ମନ୍ତ୍ରୀ ପୁଅ କୁ ନାଗକନ୍ୟା ସହ ପୁଣି ବିବାହ କରେଇଲେ । ପୁଣି ନାଗକନ୍ୟା ମଣି କୁ ରାଜାଙ୍କୁ ଦେଇ ଦେଲେ । ପ୍ରଜା ମାନଙ୍କର ସେବା କରିବା ଲାଗି ଆଉ ସେହି ମଣି କୁ କେବଳ ଥରେ ହିଁ ଆପଣ ବ୍ୟବହାର କରିପାରିବ ବୋଲି ନାଗକନ୍ୟା ରାଜାକୁ କହିଲେ । ଏହି ମଣି କୁ ଆପଣ ନିଜ ସ୍ବାର୍ଥ ପାଇଁ ବ୍ୟବହାର କରିପାରିବେ ନାହିଁ । ଅନ୍ୟମାନଙ୍କ ସେବାରେ ସେହିଦିନଠାରୁ ରାଜା ମଣି କୁ ବହୁତ ଦାଇତ୍ଵ ରେ ରଖିଥାନ୍ତି ।

ଏମିତି ବହୁତ୍ ବର୍ଷ ପରେ ଥରେ ତାଙ୍କ ରାଜ୍ୟ ରେ ବର୍ଷା ନ ହେବା ଫଳରେ ସାରା ରାଜ୍ୟ ରେ ମରୁଡି ପଡ଼ିଗଲା। ବହୁତ୍ ଖରା ଯୋଗୁ ସବୁ ଫସଲ ନଷ୍ଟ ହୋଇଗଲା । ପାଣି ଟୋପେ ପାଇଁ ରାଜ୍ୟରେ ହାହାକାର ହେବାକୁ ଲାଗିଲା। ଏହା ଦେଖି ରାଜା ବହୁତ ଚିନ୍ତିତ ଥିଲେ । ହଠାତ୍ ରାଜା ଙ୍କ ମନ ପଡ଼ିଲା ଯେ ମୁ ସେ ମୂଲ୍ୟବାନ ମଣି କୁ ସାହାଯ୍ୟ ମାଗିବି ଏବଂ ରାଜା ସେହି ମଣି କୁ ସାହାଯ୍ୟ ମାଗିବା ପରେ ମଣି ର ଚମତ୍କାର ରେ ପୁରା ରାଜ୍ୟରେ ବର୍ଷା ହେଲା । ବର୍ଷା ପରେ ମଣି ର ଚମକ କମ୍ ପଡ଼ିଗଲା କିନ୍ତୁ ମଣି ଦ୍ଵାରା ରାଜ୍ୟର ଉପକାର ହୋଇଛି ବୋଲି ରାଜା ସେ ମଣି କୁ ପୂର୍ବ ଭଳି ସମ୍ମାନ ଦେଇ ଦାୟିତ୍ୱରେ ରଖିଲେ । ଲୋକେ ପୂର୍ବ ଭଳି ଚାଷ କାର୍ଯ୍ୟ କରି ନିଜ ଜୀବନ ଯାପନ କରିଲେ । ରାଜା ମଧ୍ୟ ନିଜ ପ୍ରଜା ମାନଙ୍କ ଖୁସି ପାଇଁ ଉତ୍ତମ ଶାସନ କରୁଥିଲେ ।


ଏଥିରୁ କଣ ଶିଖିଲ ?

୧. କେବେ ମଧ୍ୟ ଅନ୍ୟକୁ ଅହଙ୍କାର ଦେଖାଇବା ଅନୁଚିତ୍ ।

୨. ମୂଲ୍ୟବାନ ଜିନିଷ କୁ ଉପଯୁକ୍ତ ସମୟରେ ବ୍ୟବହାର କରିବା ଉଚିତ୍ ।

୩. ସର୍ବଦା ଅନ୍ୟ ର ଭଲ ପାଇଁ ଚିନ୍ତା କରିବା ଉଚିତ୍ ।


ଲେଖିକା. ପୂଜା ସ୍ୱାଇଁ

ବୁଗୁଡ଼ା, ଗଞ୍ଜାମ.  

ଯାଦୁ ଗଛ (Magic Tree)

ଯାଦୁ ଗଛ (Magic Tree)
ଯାଦୁ ଗଛ (Magic Tree)
ରାମନଗର ଗୋଟିଏ ଗ୍ରାମ ଥିଲା । ସେ ଗ୍ରାମରେ ଦାମ ବାସ କରୁଥିଲା । ଦାମ ର ବାପା ବହୁତ ଦିନ ପୂର୍ବେ ଚାଲିଯାଇଥିଲେ । ଦାମ ଏକା ହିଁ ତା ମା ର ଆଶା ବାଡି ଥିଲା ଆଉ ବହୁତ ପରିଶ୍ରମୀ ମଧ୍ୟ ଥିଲା । ଦିନେ ଦାମ ର ମା ଙ୍କ ଦେହ ବହୁତ ଖରାପ ହେଇଗଲା, ମା ର ଦେହ ଖରାପ ହେଇଯିବା ଦେଖି ଦାମ ବହୁତ ଚିନ୍ତିତ ହେଇଗଲା । ଡାକ୍ତର ଙ୍କୁ ଘରକୁ ଡାକିଲା । ଡାକ୍ତର ଦାମ କୁ କହିଲେ ମା ର ଯତ୍ନ ତଥା ଭଲ ଖାଦ୍ୟ ଖାଇବାକୁ ଦେବ ଆଉ ଠିକ ସମୟରେ ମେଡ଼ିସିନ ଦେଲେ ବହୁତ ଶୀଘ୍ର ଠିକ୍ ହେଇଯିବେ, ଚିନ୍ତା କରନି । ଦାମ ଚିନ୍ତା ରେ ପଡିଗଲା ଔଷଧ ଆଉ ଭଲ ଖାଦ୍ୟ ପାଇଁ ଟଙ୍କା ଦରକାର ହେଲେ ଟଙ୍କା କୋଉଠୁ ଆଣିବ । ଦୁଃଖ ରେ କୋଉଠି କାମ ଖୋଜିବା କୁ ବାହାରି ଗଲା । ବହୁତ ବୁଲିଲା ଆଉ ଲୋକଙ୍କୁ ପଚାରି ବୁଲିଲା । ବୁଲି ବୁଲି ଗୋଟିଏ ସାହୁକାର ମିଳିଗଲା । ସାହୁକାର ଙ୍କୁ ପଚାରିଲା ବହୁତ ବୁଲିଲି କୋଉଠି କାମ ମିଳିଲାନି ସମସ୍ତେ ଆପଣଙ୍କ ଠିକଣା କହିଲେ । ମୋ ମା ଙ୍କ ଦେହ ବହୁତ ଖରାପ ଔଷଧ ପାଈଁ ବହୁତ ଟଙ୍କା ଦରକାର । ଆପଣଙ୍କ ପାଖରେ ଯଦି କୌଣସି କାମ ମିଳିଯାଇଥାନ୍ତା ତାହେଲେ ଭଲ ହେଇଥାନ୍ତା । ଦାମ ର କଥା ଶୁଣି ସାହୁକାର ଜଣକ ଯଥା ଶୀଘ୍ର କାମ ଦେଇଦେଲେ । ଦିନ ସାରା ଦାମ ସାହୁକାର ପାଖରେ କାମ କରୁଥିଲା ଆଉ ସନ୍ଧ୍ୟାରେ ମା ଙ୍କ ପାଇଁ ଔଷଧ ଆଉ ଖାଇବା ନେଇ ଆସୁଥିଲା ଆଉ ମା ଙ୍କର ସେବା ଯତ୍ନ କରୁଥିଲା । ଏମିତି ଦିନ ପରେ ଦିନ ବିତି ଚାଲିଲା । ଦିନେ ଦାମ କାମରେ ଲେଟ ରେ ପହଂଚିଲା ସାହୁକାର ବାହାନା ବନେଇ ଦାମ କୁ କାମ ରୁ ବାହାର କରିଦେଲା ଆଉ ଟଙ୍କା ବି ଦେଲାନି । ବହୁତ କ୍ଷମା ବି ମାଗିଲା ସାହୁକାର ଜମା ବି ଶୁଣିଲାନି । ଶେଷରେ ଦାମ ମନ ଦୁଃଖ ରେ ସେଠୁ ଚାଲିଆସିଲା । ରାସ୍ତା ରେ ଆସୁ ଆସୁ ବହୁତ ଖରା ହେଲା ସେ ଗୋଟିଏ ବଡ଼ ବର ଗଛ ଦେଖିଲା । ସେ ବର ଗଛ ଛାଇରେ ବସିଲା ଆଉ ଭୋ ଭୋ ହେଇ କାନ୍ଦିବାକୁ ଲାଗିଲା । ସେ ବର ଗଛ ଛାଇରେ ବୁଢ଼ୀ ଆଇ ଟିଏ ବସିଥିଲା । ଦାମ କୁ କାନ୍ଦିବାର ଦେଖି ଦାମ ପାଖକୁ ଆସିଲା ଆଉ କହିଲା ଆରେ ପୁଅ କଣ ହେଲା କାହିଁକି କାନ୍ଦୁଛୁ ତୁ । ବୁଢ଼ୀ ଆଇ କୁ ଦାମ ସବୁ କଥା କହିଲା । ସେ ବୁଢ଼ୀ ଆଇ କହିଲା ଆରେ ପୁଅ ମୁଁ ତ ତୋତେ ବେଶୀ ଟଙ୍କା ସାହାଯ୍ୟ କରିପାରିବି ନାହିଁ କାରଣ ମୁଁ ଅନ୍ୟ ଲୋକଙ୍କ ଟଙ୍କାରେ ଚଳେ କିନ୍ତୁ ମୋ ପାଖରେ କଛି ଟଙ୍କା ଅଛି ଏବଂ ଏଇ ଟଙ୍କା ରଖ ତୋର କିଛି କାମରେ ଆସିପାରେ ବାକି ତୁ ଯୋଗାଡ କର। । ବୁଢ଼ୀ ଆଇ ର ଦୟା ଦେଖି ଦାମ ବହୁତ ଖୁସି ହେଇଗଲା ଆଉ କହିଲା ମୁଁ ବହୁତ ପରିଶ୍ରମ କରିବି ଆଉ ଏ ଟଙ୍କା ବହୁତ ଶୀଘ୍ର ଫେରେଇ ଦେବୀ । ବୁଢ଼ୀ ଆଇ ଦାମ ର ମନୋବଳ ଦୃଢ଼ ଦେଖି ଖୁସି ହେଇଗଲେ ଆଉ ତାକୁ ଆଶୀର୍ବାଦ ଦେଲେ । ସେ ଟଙ୍କା ରେ ଦାମ ତା ମା ପାଇଁ ଔଷଧ କିଣିଲା ଆଉ ବାକି ଟଙ୍କା ରୁ କିଛି ଖାଇବା ଖର୍ଚ୍ଚ ରଖି ଆଉ କିଛି ଟଙ୍କା ଦୋକାନରୁ ପନିପରିବା ଫଳ ମଞ୍ଜି କିଣିନେଲା । ନିଜ ଘର ବାହାରେ କିଛି ଜମି ଥିଲା ସେହି ଜମିରେ ମଞ୍ଜି ବୁଣିଦେଲା । ପ୍ରତିଦିନ ସକାଳେ ପାଣି ଦେବାକୁ ଲାଗିଲା ଆଉ ତା ସହିତ କାମକୁ ବି ଗଲା ଆଉ ବହୁତ ପରିଶ୍ରମ କରିବା କୁ ଲାଗିଲା । ଦେଖୁ ଦେଖୁ ସେ ଗଛରେ ଫଳ ହେବାକୁ ଲାଗିଲା ଏବଂ ସେ ଫଳ କୁ ବଜାରରେ ବିକ୍ରି କରିଲା ।ଆଉ ଯେତିକି ଲାଭ ମିଳିଲା ସେତିକି ରେ ଜମି କିଣିନେଲା ଏବଂ ସେଥିରେ ପୁଣି ପନିପରିବା ଫଳ ମଞ୍ଜି ଲଗେଇଲା । ଏମିତି ଦିନ ପରେ ଦିନ ବିତି ଚାଲିଲା ଆଉ ବେପାର ବି ବଢ଼ି ଚାଲିଲା । ଦାମ ର ମା ଭଲ ଚିକିତ୍ସା ଆଉ ସେବା ଯତ୍ନ ପାଇଁ ଠିକ୍ ହୋଇଗଲେ । ଆଉ ସବୁକିଛି ଠିକ୍ ଭାବେ ଚାଲିବାକୁ ଲାଗିଲା । ଦିନେ ତାଙ୍କ ପଡ଼ୋଶୀ ଘର ସ୍ତ୍ରୀ ଲୋକ ଦାମ ର ମା ଙ୍କ ଠାରୁ ଚାଉଳ ମାଗି କହିଲା ମାଉସୀ ମୋତେ ଚାଉଳ ଅଳ୍ପ ଦେବ ମୁଁ ତମ କୁ ଦୁଇ ତିନି ଦିନ ମଧ୍ୟରେ ଫେରେଇ ଦେବି । ମାଉସୀ କହିଲେ ହଉ ଠିକ୍ ଅଛି ଭିତରକୁ ଆସ ନିଅ ଏବଂ ଫେରେଇବା ର କିଛି ଆବଶ୍ୟକ ନାହିଁ । ସେ ଭିତରକୁ ଯେମିତି ଗଲା ଦେଖିଲା ସବୁ ଦାମୀ ଦାମୀ ଜିନିଷ ଦାମ ଘରେ ଅଛି । ଘରକୁ ଫେରି ତା ସ୍ବାମୀ କୁ ସବୁକିଛି କହିଲା ଏବଂ ସ୍ବାମୀ କୁ ଗାଳି କରି କହିଲା ତମେ କୋଉ କାମକୁ ନୁହଁ । ଦାମ ଆମ ଠାରୁ କେତେ ଗରିବ ଥିଲେ ଯେ ଏବେ ଦେଖ ସେମାନେ ରାଜା ଭଳି ରହୁଛନ୍ତି । ଆଉ ତୁମେ ସବୁ ଟଙ୍କା ଜୁଆ ଖେଳରେ ସାରିଦଉଛ ତମେ ଯଦି ଭଲ ରାସ୍ତା ବାଛିବ ନାହିଁ ତେବେ ମୁଁ ଏଠୁ ଚାଲିଯିବି ।
ସ୍ୱାମୀ ରାଗ ତମ ତମ ହୋଇ ସେଠୁ ଉଠି ଚାଲିଗଲା ଆଉ ଯେମିତି ରାତି ହେଲା ସେ ଲୁଚି ଲୁଚି ଯାଇ ଦାମ ର ସବୁ ଗଛ ଉପାଡ଼ି ଦେଲା ତାପରେ ନିଜ ଘର ଆଡ଼କୁ ଦୌଡ଼ି ଆସିଗଲା। ଦାମ ଶବ୍ଦ ଶୁଣି ଉଠିକି ଯାଇ ଦେଖିଲା ବେଳକୁ ସବୁ ଗଛ ନଷ୍ଟ ହେଇଯାଇଛି । ଗଛ ସବୁ ନଷ୍ଟ ହେବା ର ଦେଖି ମନ ଭାଙ୍ଗିଗଲା ଆଉ ସେ କାନ୍ଦିବାକୁ ଲାଗିଲା । ସେତେବେଳେ ଗୋଟିଏ ପରି ସେହି ଜାଗାରେ ବୁଲୁଥିଲା । ଦାମ କୁ ଦେଖି ତା ପାଖକୁ ଆସି ପଚାରିଲା କଣ ହେଲା ? ଦାମ କହିଲା ମୋର ସବୁ ଗଛ କିଏ ଜଣେ ନଷ୍ଟ କରିଦେଇଛି । ବହୁତ ବର୍ଷ ରୁ ଛୋଟ ଛୋଟ ଜମି କିଣି ମଞ୍ଜି ବୁଣିଥିଲି ସବୁବେଳେ ଦେଖାରଖା କରୁଥିଲି କିନ୍ତୁ ସବୁ ସରିଗଲା । ମୁଁ କେବେ କାହାର କିଛି କ୍ଷତି କରିନି ମୋର ଏମିତି କାହିଁକି ହେଲା । ପରି କହିଲା ମୁଁ ଜାଣିଛି ତୁ କେବେ କାହାର କ୍ଷତି କରିନୁ, ତୁ ପରିଶ୍ରମ କରି ନିଜ ମା ଙ୍କ ସେବା ଯତ୍ନ କରିଛୁ ଆଉ ତାଙ୍କର ବହୁତ ଭଲ ଭାବେ ଯତ୍ନ ନେଲୁ । ତୋ ଭଳି ଦୟାଳୁ ପିଲା କୋଉଠି ଦେଖିନି ।ପରି ଗୋଟିଏ ଚକ୍ ଚକ୍ କରୁଥିବା ମଞ୍ଜି ଦେଇ କହିଲା ଏ ସାଧାରଣ ମଞ୍ଜି ନୁହେଁ । ଏଇ ମଞ୍ଜି କୁ ବୁଣିବା ଦ୍ବାରା ଗୋଟିଏ ଛୋଟ ଯାଦୁ ଗଛ ହେବ ଯାହା କି ତୋର ସବୁ ମନସ୍କାମନା ପୂରଣ କରିଦେବ । ଦାମ ମଞ୍ଜି କୁ ନେଇ ଜମିରେ ଲଗେଇଲା ସେଥିରେ ପାଣି ଦେଲା ସେଥିରୁ ଗୋଟିଏ ସୁନ୍ଦର ଗଛଟିଏ ହେଲା । ତାପରେ ସେ ଗଛ କୁ ଯାହା ବି କିଛି ମାଗିଲା ସବୁ ମିଳିଲା । ଦାମ ର ପଡ଼ୋଶୀ ଲୁଚି ସବୁକିଛି ଦେଖୁଥିଲା । ସେ ଘରକୁ ଚାଲିଗଲା ଏବଂ ମନେ ମନେ ଭାବିଲା ଯାଦୁ ଗଛଟିକୁ ଚୋରି କରିବାକୁ ପଡ଼ିବ । ଦିନେ ଦାମ ତା ମା କୁ ସହର କୁ ବୁଲେଇବା ଲାଗି ନେଇ ଯାଇଥାଏ। ସେତିକି ବେଳେ ତା ପଡ଼ୋଶୀ ସେଠାରୁ ଯାଦୁ ଗଛଟିକୁ ଉପାଡ଼ି ନେଇଗଲା ଏବଂ ନିଜ ଘର ଅଲମିରା ରେ ରଖିଦେଲା । ଦାମ ଫେରିବା ପରେ ଦେଖିଲା ଯେ ସେ ଗଛ ସେଠି ଆଉ ନାହିଁ । ସେ ବହୁତ ଦୁଃଖୀ ହେଇଗଲା ସେ ନିଜକୁ ବହୁତ୍ ଖରାପ୍ ମନେ କରି ଅନ୍ୟମନସ୍କ ହୋଇ ମନ ଦୁଃଖରେ ଜଙ୍ଗଲ ରାସ୍ତା ଆଡ଼କୁ ଯାଉଥାଏ । ବହୁତ ଦୂର ଗଲାପରେ ରାସ୍ତାରେ ସେ ବୁଢ଼ୀ ଆଇ ଜଣକ ଦେଖାହେଲା । ଦାମ ବୁଢ଼ୀ ଆଇ କୁ ଦେଖିଲା ପରେ ସେ ତାର ସବୁ ଦୁଃଖ ଭୁଲି ତା ସାଙ୍ଗରେ କଥା ହେଲା । ପ୍ୟାକେଟରେ ଥିବା ଟଙ୍କା କୁ ବାହାର କରି ବୁଢ଼ୀ ଆଇ କୁ ଦେଲା ଆଉ କହିଲା ତୁମ ଟଙ୍କା ନିଅ ତୁମକୁ ବହୁତ ଖୋଜିଲି ହେଲେ ପାଇ ନଥିଲି କିନ୍ତୁ ଆଜି ତମକୁ ଦେଖି ବହୁତ୍ ଖୁସି ଅନୁଭବ କରୁଛି । ଏଇ ନିଅ ଆପଣଙ୍କ ଟଙ୍କା। ଏବଂ ତମ କୁ ବହୁତ ବହୁତ୍ ଧନ୍ୟବାଦ ତମ ଆଶ୍ରିବାଦ ରୁ ମୁଁ ବହୁତ ଭଲରେ ଅଛି । ଏହା ଶୁଣି ବୁଢ଼ୀ ଆଇ ହସିଦେଲେ ଆଇ ହଠାତ୍ ପରି ରୂପରେ ପ୍ରକଟ ହେଇଗଲେ । ଦାମ ଆଶ୍ଚର୍ଯ୍ୟ ହେଇଗଲା । ପରି କହିଲା ତମେ ସବୁବେଳେ ସଚ୍ଚୋଟ ଏବଂ ପରିଶ୍ରମୀ ଅଟ । ମୁଁ ସବୁବେଳେ ତମ ପରି ଭଲ ଲୋକଙ୍କୁ ସାଧାରଣ ଲୋକ ରୂପରେ ଆସି ସାହାଯ୍ୟ କରେ । ହେଲେ ମୋତେ ଭେଟିବା ପୂର୍ବରୁ ଦୁଃଖି ଥିଲ, ସବୁ ଠିକ୍ ଅଛି ତ ? ଦାମ କହିଲା ତମେ ଦେଇଥିବା ଯାଦୁ ଗଛ କିଏ ଚୋରି କରି ନେଇଯାଇଛି । ପରି କହିଲା ଚିନ୍ତା କରନି ସେ ଗଛ କୁ ଯିଏ ଚୋରି କରି ନେଇଛି ସେ ସେଥିରୁ କିଛି ପାଇବ ନାହିଁ ଓଲଟା ତାର କ୍ଷତି ହେବ ଏବଂ ତୁ ଚିନ୍ତା କର ନାହିଁ ଚୋର ନିଜେ ଆସି ତୋ ଗୋଡ଼ ତଳେ ପଡି କ୍ଷମା ମାଗିବ। ଏ ଥିଲା ମୋର ଗୋଟିଏ ପରୀକ୍ଷା ସେଥିରେ ତୁ ପାସ୍ କରିଛୁ । ତୋର ପରିଶ୍ରମ ଏବଂ ମା କୁ ଯତ୍ନ କରିଥିବା ଯୋଗୁ ମୁଁ ତୋ ଉପରେ ବହୁତ ଖୁସି ଅଛି । ଆଜି ଠାରୁ ତୋର ଆଉ କିଛି ଅସୁବିଧା ହେବ ନାହିଁ। ଏତିକି କହି ପରି ଅଦୃଶ୍ୟ ହେଇଗଲା । ଦାମ ଘରକୁ ଚାଲିଗଲା । ଦାମ ର ପଡୋଶୀ ଲୁଚେଇ ଥିବା ଗଛ କୁ କିଛି ସମୟ ପରେ ଖୋଲି ଦେଖିଲା ବେଳକୁ ସେ ଗୋଟିଏ ଉଇ ହୁଙ୍କା ହୋଇ ତା ଚାରିପାଖେ ବହୁତ ସାପ ବେଙ୍ଗ ଥିଲେ ଏବଂ ସେହି ସାପ ମଧ୍ୟରୁ ଗୋଟିଏ ସାପ ତା ସ୍ତ୍ରୀ କୁ କାମୁଡି ଦେଲା । ସେ ସଙ୍ଗେ ସଙ୍ଗେ ବିଚଳିତ ହେଇ ଦାମ ଘରକୁ ଦୌଡ଼ିଲା । ଆଉ ତାକୁ ସବୁ ସତ କଥା କହିଲା ତା ପାଦ ତଳେ ପଡି କ୍ଷମା ମାଗିଲା । ଦାମ ତାର ଏ ଅବସ୍ଥା ଦେଖି ତାଙ୍କ ଘରକୁ ଗଲା ସେ ଉଇ ହୁଙ୍କା କୁ ଗୁହାରି କଲା ସବୁ ଠିକ କରିବା ପାଈଁ । ହଠାତ କୋଠରୀ ଆଲକିତ ହେଇଗଲା ସେଥିରୁ ବାହାରିଥବା ସାପ ବେଙ୍ଗ ସବୁ ଅଦୃଶ୍ୟ ହେଇଗଲେ। ଏବଂ କିଛି ସମୟ ପରେ ତା ସ୍ତ୍ରୀ ଠିକ୍ ହୋଇ ତାର ଚେତା ଆସିଗଲା । ଦାମ ର ପଡ଼ୋଶୀ ଦାମ କୁ କ୍ଷମା ମାଗିଲା ଏବଂ ସେ ଭୁଲ କରିଥିବା କଥା ମଧ୍ୟ କହିଲା । ଦାମ କୁ କହିଲା ଆଉ କେବେ ଆପଣଙ୍କୁ ହଇରାଣ କରିବି ନାହିଁ। ଆପଣ ଙ୍କୁ ଯେତେବେଳେ ଯାହା ସାହାଯ୍ୟ ଦରକାର ତାହା ସାହାଯ୍ୟ କରିବି। ଦାମ ମଧ୍ୟ ପଡୋଶୀ କୁ କ୍ଷମା କରିଦେଲା। ତା ପର ଠାରୁ ଦାମ ଫସଲ ଲଗେଇ ବେପାର କରି ଘର ଚଳାଉ ଥିଲା ଏବଂ ମା ସହିତ ଖୁସିରେ ରହିଲା ।
 
ଏଥିରୁ କଣ ଶିଖିଲ ?
୧. କେବେ କାହାର ଅନିଷ୍ଠ ଚିନ୍ତା କରିବା ଅନୁଚିତ୍।
୨. ଯିଏ ଅନିଷ୍ଠ କରେ ତାକୁ ଭଗଵାନ ଦଣ୍ଡ ଦିଅନ୍ତି ।
୩. ଅସୁବିଧା ସମୟରେ ଉଚିତ୍ ରାସ୍ତା ଖୋଜି ବାହାର କରିବା ଦରକାର ।
 
ଲେଖିକା. ରୁବି ନାହାକ
ବୁଗୁଡ଼ା, ଗଞ୍ଜାମ.