ସୁନିଳ ଆକାଶ ତଳେ ସବୁଜ ରଙ୍ଗର ପାହାଡ, ପାହାଡ଼ର ପାଦ ଦେଶରେ ଗୋଟିଏ ସୁନ୍ଦର ଝାଟି ମାଟିର ଚାଳ କୁଡିଆ। ଗୋଟିଏ ଛୋଟିଆ ପରିବାର ରେ କେବଳ ମା, ପୁଅ ଏବଂ ଝିଅ ଟିଏ। ବାପା ମରିବା ପରେ ମା ରେବତୀ ସହ ଭଉଣୀ ମୀରା କୁ ନେଇ କାଳିଆ ଘର ଘର ବୁଲି ଭିକ୍ଷା ମାଗି ଘର ଚଳାଉ ଥାଏ । ଗରିବ ର ସୀମା ରେଖା ଭିତରୁ ଡେଇଁବା ତାଙ୍କ ପାଖରେ ସମ୍ବଳ ନଥିଲା। କାଳିଆ ପାହାଡ ସେପଟ ଗାଁ କୁ ପ୍ରତିଦିନ ଭିକ୍ଷା ମାଗି ଯାଏ ଯାହା ଆଣେ ତାହା ତିନି ମୁଣ୍ଡ ଦୁଃଖରେ କଷ୍ଟରେ ଚଳି ପେଟ ପୋଷଣ କରୁଥିଲେ । ପୁଣି ପର ଦିନ ଭିକ୍ଷା ବୃତ୍ତି ପାଇଁ ବାହାରି ଯାଏ ।
ସବୁଦିନ ଭଳି ଗୋଟିଏ ଦିନ ଭିକ୍ଷା ବୃତ୍ତି କରିବାକୁ ଗଲା । ଗାଁ ଶେଷରେ ପୋଖରୀ ତୁଠରେ ଜଣେ ତାନ୍ତ୍ରିକ ଗୋଟିଏ ପଞ୍ଜୁରୀ କୁ ରଖି ପୋଖରୀ ଭିତରକୁ ସ୍ନାନ କରିବାକୁ ଗଲା । ଏତିକି ବେଳେ କାଳିଆ ପଞ୍ଜୁରୀ ପାଖକୁ ଆସିଲା। ପଞ୍ଜୁରୀ ଭିତରେ ପକ୍ଷୀ ନେହୁରା ହୋଇ କହିଲା ମୋତେ ଏ ପଞ୍ଜୁରୀ ରୁ ମୁକ୍ତ କରିଦିଅ । ଏ ଦୁଷ୍ଟ ତାନ୍ତ୍ରିକ ମୋତେ ବନ୍ଦୀ ବନେଇ ରଖିଛି । କାଳିଆ ଆଶ୍ଚର୍ଯ୍ୟ ରେ ପଚାରିଲା ତମେ କିଏ? ପକ୍ଷୀ ଟି କହିଲା ମୁଁ ଗୋଟିଏ ପରି, ଆକାଶ ରୁ ପୃଥିବୀ କୁ ବୁଲିବାକୁ ଆସିଥିଲି ଏତିକିବେଳେ ଏ ତାନ୍ତ୍ରିକ ତାର ମନ୍ତ୍ର ବଳରେ ମୋତେ ପକ୍ଷୀ ବନେଇ ଏ ପଞ୍ଜୁରୀ ଭିତରେ ରଖିଛି । ମୋତେ ମୁକ୍ତ କରିଦିଅ । କାଳିଆ ପଞ୍ଜୁରୀ ର ଜାଲି କବାଟ ଖୋଲିଦେଲା । ଦଉଡ଼ି ପଳେଇଲା । ପକ୍ଷୀ ଟି ବାହାରକୁ ଆସି ତାର ଅସଲ ରୂପରେ ଆସି କାଳିଆ ପଛେ ପଛେ ଆସିଲା । ପରି କାଳିଆ କୁ କହିଲା ମୁଁ ବହୁତ ଦିନରୁ ବନ୍ଦୀ ହୋଇ ଥିଲି ଆଜି ମୁକ୍ତ ହୋଇଗଲି । ତମେ କଣ ବର ମାଗିବାକୁ ଚାହୁଁଛ ମାଗ ? କାଳିଆ କହିଲା ମୁଁ ଦରିଦ୍ର ଘରର ପୁଅ । ମୋ ପରିବାର ଓଳିଏ ଖାଇଲେ ଓଳିଏ ଭୋକ ଉପାସରେ ରହୁଛନ୍ତି । ଯଦି ଦୁଇ ଓଳି ଦୁଇ ମୁଠା ଖାଇବାକୁ ମିଳି ଯାଆନ୍ତା ତେବେ ବହୁତ୍ ଖୁସି ହୁଅନ୍ତି । ପରି କାଳିଆ କୁ ଗୋଟିଏ ସୁନା କଳସ ବର ଦେଲା । କହିଲା ତୁ ଏଇ କଳସ କୁ ଯାହା ମାଗିବୁ ତାହା ମିଳିବ କିନ୍ତୁ ଏହି କଳସ କୁ ମାଟି ଭିତରେ ପୋତି ରଖିବୁ ଏବଂ ଗୋଟିଏ କଥା ଧ୍ୟାନ ଦେବୁ ଯଦି ଭୁଲ ରେ ମଧ୍ୟ ଏହି ସୁନା କଳସ କଥା କାହାକୁ କହିବୁ ତେବେ ଏହି କଳସ ମାଟିରେ ପରିଣତ ହୋଇଯିବ। ଏତିକି କହି ସେ ପରି ସ୍ବର୍ଗ କୁ ଉଡ଼ି ଚାଲିଗଲା । କାଳିଆ ଦେଖିଲା ପରି ପ୍ରକୃତରେ ସତ କହୁଛି ନା ନାହିଁ ଯାଞ୍ଚ କରିବା ପାଇଁ କଳସ କୁ କିଛି ଟଙ୍କା ମାଗିଲା। ସଙ୍ଗେ ସଙ୍ଗେ ତା ପାଖରେ ଟଙ୍କା ଆସି ପହଁଚିଗଲା। ଏତକ ଦେଖି ବହୁତ୍ ଖୁସି ହୋଇ ଟଙ୍କା ଆଉ କଳସ କୁ ନେଇ ପାହାଡ ତଳେ ଗୋଟିଏ ଶୁନଶାନ୍ ସ୍ଥାନରେ ପୋତି ଦେଲା ଏବଂ କିଛି ଟଙ୍କା ରେ ଚାଉଳ ନେଇ ଘରେ ପହଞ୍ଚିଲା । ମା ଏବଂ ଭଉଣୀ ଟଙ୍କା ଏବଂ ଚାଉଳ ଦେଖି ଖୁସି ହେଲେ । ମା ପଚାରିଲା କାଳିଆ ଆଜି ଏତେ ଶୀଘ୍ର ଆସିଗଲୁ ? କାଳିଆ ସତ କୁ ଲୁଚେଇ ମିଛ କହିଲା କି ଆଜି ବହୁତ ଚାଉଳ ମିଳିଲା ଏବଂ ଅଧା ଚାଉଳ କୁ ବିକ୍ରି କରି ଟଙ୍କା ନେଇ ଆସିଲି । ଏହା ଶୁଣି କାଳିଆ ଉପରେ ମା ଖୁସି ହେଲେ । ସେ ସବୁଦିନ ଏମିତି କରେ । ବେଳେବେଳେ ମା ଏବଂ ଭଉଣୀ ଟଙ୍କା ବିଷୟରେ ପଚାରନ୍ତି କିନ୍ତୁ କେବେ ସତ କହେ ନାହିଁ । ଧିରେ ଧିରେ କାଳିଆ ଏମିତି ପଇସା ସଞ୍ଚୟ କରି କରି ମୀରା କୁ ଭଲ ଘରେ ବାହାଘର କରେଇବା ସହିତ ନିଜେ ବେପାର କରୁଥାଏ । ସହର ରେ ଜାଗା କିଣି ମା ରେବତୀ ସାଙ୍ଗରେ ରହୁଥାଏ । କିଛି ଦିନ ପରେ କାଳିଆ ଗୋଟିଏ ସୁନ୍ଦରୀ କନ୍ୟା କୁ ବିବାହ କରିଲା । ବିବାହ ପରେ କାଳିଆ ର ସ୍ତ୍ରୀ ପଚାରିଲା ତମେ ତ କହୁଛ ତମେ ଆଗ ଗରିବ ଥିଲ ଏବଂ କମ୍ ଦିନରେ ତମେ ଗୋଟିଏ ସଫଳ ବେପାରୀ କେମିତି ହେଲ ? ଏତେ ଟଙ୍କା କୋଉଠୁ ଆସିଲା ? କାଳିଆ କହିଲା ଭିକ୍ଷା ମାଗି ମାଗି ସବୁ ଟଙ୍କା ଯୋଗାଡ କରି ବେପାର କରିଲି । କାଳିଆ ର କଥା କୁ ତାର ସ୍ତ୍ରୀ ବିଶ୍ୱାସ କରିଲା କିନ୍ତୁ କାଳିଆ ବେଳେବେଳେ ସେ ତାର ପାହାଡ ତଳେ ଥିବା ଗାଁ କୁ ଯାଉଥାଏ କିନ୍ତୁ କାଳିଆ ର ସ୍ତ୍ରୀ କିମ୍ବା ମା କୁ କେବେ ନେଇ ଯାଉନଥାଏ । କାଳିଆ ର ସ୍ତ୍ରୀ ପଚାରିଲା ତମେ ଏକା ଯାଉଛ କାହିଁକି ଏବଂ ଆସିଲା ବେଳକୁ ତମେ ବହୁତ୍ ଟଙ୍କା ନେଇ ଆସୁଛ କେମିତି? କାଳିଆ କହିଲା ଗାଁ ଲୋକ ମାନେ ମୋ ଠାରୁ ଧାର ନେଇଥିଲେ ସେଗୁଡ଼ାକ ମାଗିବାକୁ ଯାଉଛି କିନ୍ତୁ କାଳିଆ ର ସ୍ତ୍ରୀ କୁ ସନ୍ଦେହ ହେଲା । ଦିନେ କାଳିଆ ଗାଁ ରୁ ଫେରିଲା ପରେ ତାର ସ୍ତ୍ରୀ ତାକୁ ପଚାରିଲା ସତ କୁହ ଏ ପଇସା ସବୁ କୋଉଠୁ ଆଣୁଛ । ବାଧ୍ୟ କରିବାରୁ କାଳିଆ କହିଲା ମୋତେ ବାଧ୍ୟ କର ନାହିଁ ମୁଁ ଯାହା କହୁଛି ତାହା ସତ୍ୟ । ଏଥିରୁ କାଳିଆର ସ୍ତ୍ରୀ ବହୁତ୍ ସନ୍ଦେହ କରିଲା। କହିଲା ନା ନା , ତମେ ମୋ ମୁଣ୍ଡ ଛୁଇଁ ସତ କୁହ କି ଏ ଟଙ୍କା ସବୁ କୋଉଠୁ ନେଇ ଆସୁଛ । କାଳିଆ କହିଲା ମୁଁ ଯାହା କହୁଛି ତାହା ସତ । କାଳିଆ ର ସ୍ତ୍ରୀ କହିଲା ମୁଁ ଆମ ଚାକର କୁ ଆଜି ପଠେଇ ଥିଲି ତମେ ଗାଁ କୁ ଜମାରୁ ଯାଇ ନାହଁ । ସତ କୁହ? କାଳିଆ ଏଠି କିଛି କହି ପାରିଲା ନାହିଁ । କଣ କହିବ ଧର୍ମ ସଂକଟ ରେ ପଡ଼ିଲା। ସେ କହିଲା , ଯଦି ତମେ ସତ୍ ଜାଣିବ ତେବେ ଏ ଟଙ୍କା ଆଉ ଆସିବ ନାହିଁ । କାଳିଆ ସ୍ତ୍ରୀ ର ଏକା ଜିଦ୍ ଯେ ମୋତେ ସବୁ ସତ କୁହ । ଶେଷରେ କାଳିଆ କହିଲା କି ମୁଁ କାନରେ କହିଦେଉଛି । କିନ୍ତୁ ଏ କଥା କାହାକୁ କହିବ ନାହିଁ। କାଳିଆ ଭାବିଲା କାଳେ ଧିର ସ୍ଵରରେ ଅବା କାନରେ କହିବି ଏବଂ ମୁଁ ଜାଣିବା ଯାହା ମୋ ସ୍ତ୍ରୀ ଜାଣିବା ତାହା, ଯେତେ ହେଲେ ସେ ମୋର ଅର୍ଦ୍ଧାଙ୍ଗିନୀ। ଶେଷରେ ସେ ସୁନା କଳସ କଥା ସବୁ କହିଲା। କାଳିଆ ର ସ୍ତ୍ରୀ କହିଲା ଚାଲ ଚାଲ ମୁଁ ମଧ୍ୟ କିଛି ମାଗିବି । ମୋ ପାଇଁ ସୁନା ଅଳଙ୍କାର କିଛି ମାଗିବି। ଏହା ଭାବି ଯେତେବେଳେ ସେ କଳସ ପାଖକୁ ପହଞ୍ଚିଲେ ସେ ସମୟରେ ସେ କଳସ ମାଟିରେ ପରିଣତ ହୋଇ ଯାଇଥିଲା । କାଳିଆ ସ୍ତ୍ରୀ ଉପରେ ଦୋଷ ଦେଇ ଗାଳି ଦେଲା । ଶେଷରେ କାଳିଆ ଏବଂ ତାର ସ୍ତ୍ରୀ ମନ ଦୁଃଖରେ ଘରକୁ ଫେରିଲେ । ଅଧିକା ଲୋଭ କରିବା ଅନୁଚିତ୍ ।
ପୂଜା ସ୍ୱାଇଁ
ବୁଗୁଡ଼ା, ଗଞ୍ଜାମ
Facebook Comments