
ଭାରି ମନେ ପଡେ ସେ ଜାମୁନ କୋଳି,
କଇଠ ଚଟଣୀ,
କଲମୀ ଆମ୍ବ,
ବେଲ ଅଠା ବୋଳା ମଜା
ଆଉ ଭାରି ମନେ ପଡେ ସେ
ଖଜୁରୀ ରସ ର ହାଣ୍ଡି ଫଟା କଥା।
ଭାରି ମନେ ପଡେ ସେ ଫୁଲ ରୁ ମହୁ ଶୋଷିବା
ସୁତୁଲିରେ ଭ୍ରମର ଉଡେଇବା
ନଡ଼ିଆ ପାତି ରେ ଏଣ୍ଡୁଅ ଧରିବା
ଗେଣ୍ଡଳିଆ କୁ ପଇସା କରି ବିକିବା
ଆଉ ଭାରି ମନେ ପଡେ ସେ
ଚଷା ପୁଅ ସାପ କୁ ପକେଟ୍ ରେ ଧରି ବୁଲିବା ।
ଭାରି ମନେ ପଡେ ସେ ଶ୍ରୀକୃଷ୍ଣ ଧାରାବାହିକ
ଜୁନିଅର୍ ଜି ର ବିସ୍କୁଟ
ଆର୍ୟମାନ୍ ର ତଲବାର୍
ବୋଙ୍ଗୋ ର ଯାଦୁ
ଆଉ ଭାରି ମନେ ପଡେ ସେ
ଶକ୍ତିମାନ ର ଅପ୍ରମାୟ ଶକ୍ତି ।
ଭାରି ମନେ ପଡେ ସେ ବର୍ଷା ଦିନିଆ ସ୍କୁଲ୍
ପଥର ଡିଆଇଁ ଆଗକୁ ଯିବା
କାଦ ଚପ ଚପ ର ରାସ୍ତା
ପାଣି ଫୋଟକା ର ମଜା
ଆଉ ଭାରି ମନେ ପଡେ ସେ
ଗୋଟିଏ କଦଳୀ ପତରେ ତିନି ସାଙ୍ଗ ମିଶି ସ୍କୁଲ୍ ଯିବା କଥା ।
ଭାରି ମନେ ପଡେ ସେ ହୋଲି ଖେଳ
କୁମାର ପୂର୍ଣ୍ଣିମା ପଇସା ଖେଳ
ମକର ସଂକ୍ରାନ୍ତି ର ମକର ଖିରି
ଗ୍ରହ୍ମା ପୂର୍ଣ୍ଣିମା ର ଖାସି ମାଉଁସ
ଆଉ ଭାରି ମନେ ପଡେ ସେ
ଗଣେଶ ପୂଜା ର ବିସର୍ଜନ ।
ଭାରି ମନେ ପଡେ ସେ ଅଭୁଲା ଅନୁଭବ
୧୦ ଟି ଚେୟାର ଉପରେ ଏକା ବସିବା
ନୂଆ ଡ୍ରେସ କୁ କାହାକୁ ହାତ ନ ଲଗେଇ ଦେବା
ପାଣି ଗୋଳିଆ ହୋଇ ଦୁଇ ପଟେ ଖେଳିବା
ଆଉ ଭାରି ମନେ ପଡେ
ଯଦି କେହି ନୋଟ୍ ଟିଏ ଦେଲା ତେବେ ନିଜକୁ ଧନୀ ମନେ କରିବା ।
ଭାରି ମନେ ପଡେ ସେ କଙ୍କଡ଼ା ଲଢେଇ
ଅଜଣା ଗାତରୁ ମାଛ ବଦଳରେ ସାପ ଧରିବା
କାଦ ଭିତରୁ ମାଛ ବାହାର କରିବା
କୂଅ ରୁ କଇଁଛ ଧରିବା
ଆଉ ଭାରି ମନେ ପଡେ ସେ କଞ୍ଚା ଚିଙ୍ଗୁଡ଼ି ସହିତ ଲୁଣ ମରିଚ ର ମଜା ।
ଭାରି ମନେ ସେ ସନ୍ଧ୍ୟାର କଣ୍ଢେଇ ନାଚ
କେଳା ନାଚ
ମାଟି ପୋତା କେଳା
ଓଡ଼ିଆ ସିନେମାର ଗାଁରେ ପ୍ରଚାର
ଆଉ ଭାରି ମନେ ପଡେ ସେ
ସ୍କୁଲ୍ ତରଫରୁ ଜୀବଜନ୍ତୁ ର ସିନେମା ଦେଖା।
ଆଜି ଭାରି ମନେ ପଡେ ସେ ମାହୁନ୍ତ ହାତୀ
ଘୁଷୁରୀ ପଲ
ଗଧ ମାଲିକ ର ଅହେ ଦୁଃଖ
ଚଢ଼େଇ ବିକା
ଆଉ ଭାରି ମନେ ପଡେ ସେ
ଭଣ୍ଡ ଯାଦୁଗର ର ଯାଦୁ ମନ୍ତର ।
ଆଜି ଭାରି ମନେ ପଡେ ମୋ ପିଲାଦିନ ଯାହାକୁ ମୁଁ ହରେଇ ଆସିଛି ଅଜଣା ଅତୀତ ରେ
ମନେ ପଡ଼ି ଯାଏ ସେ ସ୍ମୃତି ସବୁ
ଯାହା ଫେରି ପାଇ ପାରିବି ନାହିଁ କେବଳ
କେବଳ ଭିଜା ଆଖି ସହିତ ଅଳ୍ପ ମୁରୁକି ହସ ଦେଇ ଭାବନା ଜଗତରେ ଘୁରି ବୁଲେ। ସତରେ ଆଜି ଭାରି ମନେ ପଡେ ମୋ ପିଲା ଦିନ ।
ନୀଳମାଧବ ଭୂୟାଁ ଙ୍କ କବିତା ପୃଷ୍ଠାରୁ…..
If the articles give smile on your face so share to your friends, Thanking You.
2 thoughts on “ଭାରି ମନେ ପଡେ ମୋ ପିଲାଦିନ (ଦ୍ୱିତୀୟ)”